ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାଲାଇଭ୍ ପକ୍ଷରୁ ଆରମ୍ଭ କରାଯାଇଛି ଏକ ନୂଆ ଫିଚର – ‘ଲକଡାଉନ୍‌ ଡାଏରି’। ପଢ଼ନ୍ତୁ ନିଜର ଲକ୍‌ଡାଉନ୍ ଅନୁଭୂତି ବର୍ଣ୍ଣନା କରି କ’ଣ କହିଛନ୍ତି ଲାଇଫଷ୍ଟାଇଲ ଡିଜାଇନର ତଥା ବିଗ ବସ୍‌ ଫେମ୍ ସବ୍ୟସାଚୀ ଶତପଥୀ।

”ଲକ୍‌ଡାଉନ୍ ଆମ ସମସ୍ତଙ୍କୁ ବହୁତ ବଡ଼ ଶିକ୍ଷା ଦେଇଛି ଯେ ଆପଣ କିଏ ବି ହୁଅନ୍ତୁ କିଛି ବି କରିପାରିବେନି।  ପ୍ରଥମ କଥା ଆପଣଙ୍କ ହାତରେ କିଛି ନାହିଁ। ଆପଣ କିଛି ଚମତ୍କାର କରିପାରିବେ ନାହିଁ। ଯେତେ ଛଟ ପଟ ହେଲେ ବି ଆପଣଙ୍କୁ ହାତ ଗୋଡ଼ ବାନ୍ଧି ବସିବାକୁ ପଡ଼ିବ। ତେଣୁ ଲକଡାଉନରେ ରହି ମଣିଷର ଧୈର୍ଯ୍ୟ ଶକ୍ତି ବଢ଼ିଛି। ସେଥିପାଇଁ ଏହି ଲକଡାଉନ ସମୟ ଦେଇଛି ଆତ୍ମ ସମୀକ୍ଷା କରନ୍ତୁ”, କହିଛନ୍ତି ସବ୍ୟସାଚୀ।

ସବ୍ୟସାଚୀ ଶତପଥୀ ହେଲେ ଜଣେ ଫ୍ୟାଶନ ଡିଜାଇନର। ସେ ତାଙ୍କ କାମ ପାଇଁ ନିଜକୁ ଜଣେ ଲାଇଫ୍‌ଷ୍ଟାଇଲ ଡିଜାଇନର ଭାବେ ପରିଚିତ କରାଇବାକୁ ଚାହୁଁଛନ୍ତି। ସବୁଠୁ ଲୋକପ୍ରିୟ ରିଆଲିଟି ସୋ’ ବିଗ୍‌ ବସ୍‌ରେ ଭାଗ ନେଇ ଚର୍ଚ୍ଚିତ ହୋଇଥିଲେ। ଏବେ ସେ ମୁମ୍ବାଇରେ ରହୁଛନ୍ତି।

ସବ୍ୟସାଚୀଙ୍କ କହିବା କଥା ଆମେ ସବୁବେଳେ ଚିଡ଼ିଆଖାନାରେ ପିଞ୍ଜରା ଭିତରେ ପଶୁ ପକ୍ଷୀଙ୍କୁ ଦେଖି ହସିଥାଉ। ଆମର ବର୍ତ୍ତମାନର ସ୍ଥିତି ଠିକ ସେମିତି। କିନ୍ତୁ ଆମର ଭାଗ୍ୟ ଆମକୁ ଦେଖି କେହି ହସିବାର ନାହିଁ। ତେଣୁ ଆମର ଜାଣିବା ଦରକାର ସମସ୍ତଙ୍କର ସ୍ୱାଧୀନତା ଅଛି। ସମସ୍ତଙ୍କର ନିଜ ହିସାବରେ ବଞ୍ଚିବାର ଅଧିକାର ଅଛି।

ସେ ଆହୁରି କହିଛନ୍ତି ଯେ ଆମେ ସବୁବେଳେ କହୁ ଆମ ପାଖରେ ସମୟ ନାହିଁ। ଆମେ ନିଜ ଲୋକଙ୍କୁ କେତେବେଳେ ସମୟ ଦେଉନା ତ ଏବେ ସମୟ ମିଳିଛି ଯାହା କରିବାର ଅଛି କରନ୍ତୁ।

ଲକଡାଉନରେ କେମିତି କଟୁଛି ନିତିଦିନିଆ ରୁଟିନ?

ଲକ୍‌ଡାଉନରେ ମୋ ଘରର ମେନ୍‌ ଗେଟ ମଧ୍ୟ ଖୋଲି ନାହିଁ। ମୁଁ ପୂରା ବନ୍ଦ ହୋଇ ରହିଛି। ନିଜ କାମ ନିଜେ କରୁଛି। କିଛି ସହଜ ଓଡ଼ିଆ ରୋଷେଇ କରି ଭିଡିଓ ପୋଷ୍ଟ କରଛି। ବାଡ଼ି ବଗିଚାରେ ଟିକିଏ କାମ କରି ଦେଉଛି। ଅନ୍ୟ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରୁଛି। ଏବେ ଏହି ସବୁ କାମରେ ଅଭ୍ୟସ୍ତ ହୋଇ ଗଲିଣି। ଡର ଲାଗୁଛି ଯେ ଲକଡାଉନ ଉଠିବା ବେଳକୁ ମୁଁ ଅଳସୁଆ ନହୋଇ ଯାଏ।  ତଥାପି ଏହି ସମୟରେ ମୁଁ କିଛି ଡ୍ରଇଁ ମଧ୍ୟ କରୁଛି।

ଲକ୍‌ଡାଉନରେ ସବ୍ୟସାଚୀଙ୍କ ସ୍ପେଶାଲ ପ୍ରୋଜେକ୍ଟ କ’ଣ?

ଲକଡାଉନ୍‌ ସମୟରେ ସମସ୍ତେ ଘର ଅଛନ୍ତି। କିଏ କେମିତି ସମୟ ବିତାଉଥିବେ ସେହି କଥା ଭାବି ୨୨ ମିନିଟର ଏକ ସର୍ଟ ଫିଲ୍ମ ମଧ୍ୟ ପ୍ରସ୍ତୁତ କରିଛି। ଯାହାର ନାଁ ରହିଛି ‘ସେଭ୍‌ଡ ବାୟ ଲକଡାଉନ’। ୟୁଟ୍ୟୁବରେ ଆପଣ ଏହାକୁ ଦେଖିପାରିବେ। ଲକଡାଉନରେ ସର୍ଟ ଫିଲ୍ମ ଥିଲା ମୋର ସ୍ପେଶାଲ ପ୍ରୋଜେକ୍ଟ। ଯାହା ରିଲିଜ ହୋଇସାରିଛି। ପୁଣି ସେମିତି  କିଛି କ୍ରିଏଟିଭ୍ ଆଇଡିଆ ଆସିଲେ ନିଶ୍ଚୟ କରିବି।

ନିଜ ପାଇଁ ରୋଷେଇ ହେଉ କି ଲୁଗା ସଫା କରିବା ହେଉ ସବୁ ମୁଁ ନିଜ କାମ ନିଜେ କରେ। କିନ୍ତୁ ଏହି ଲକଡାଉନରେ ଗୋଟିଏ ନୂଆ କାମ କରିଛି ଯେ ମୁଁ ଘରୁ ବାହାରିନି। ମୁଁ କେବେ ଭାବିନଥିଲି ଏମିତି ଦିନ ଆସିବ। କେହି କାହାକୁ ଦେଖିବେ ନାହିଁ। ଘରେ ବନ୍ଦ ହୋଇ ରହିବାକୁ ପଡ଼ିବ।

ଲୋକେ କହୁଛନ୍ତି ମୋର ଏକୁଟିଆ ରହିବାର ଅଭ୍ୟାସ ଅଛି କାରଣ ମୁଁ ବିଗ୍‌ ବସରେ ଥିଲି। କିନ୍ତୁ ମୁଁ କହିବାକୁ ଚାହିଁବି ଯେ ସେ ସବୁ ଅଲଗା ଥିଲା। ସେଠି ଅନ୍ୟମାନଙ୍କର ମୁହଁ ଦେଖିବାକୁ ମିଳୁଥିଲା। କିନ୍ତୁ ଏଠି ଅନ୍ୟର ମୁହଁ ଦେଖିବା ହେଲା ଭିଡିଓ କଲ୍‌ ନହେଲେ ଟିଭି। ତା’ଛଡ଼ା କିଛି ନାହିଁ।

ସମସ୍ତଙ୍କୁ ମୁଁ ଗୋଟିଏ କଥା କହିବାକୁ ଚାହିଁବି ଯେ ଧୈର୍ଯ୍ୟ ରଖନ୍ତୁ। ଘରେ ବସି ବୋର୍‌ ଲାଗିଲେ ବି କିଛି କ୍ରିଏଟିଭ ଭାବନ୍ତୁ। ଯେଉଁ କାମ ଆପଣଙ୍କ ଭଲ ଲାଗେ ସେହି କାମ କରନ୍ତୁ। ମନ ଖରାପ ହେଲେ କାହା ସହ ଖୋଲିକି କଥା ହୁଅନ୍ତୁ। ଘରୁ ଆଦୌ ବାହାରନ୍ତୁ ନାହିଁ। କିଛି ଜରୁରୀ କାମରେ ବାହାରକୁ ଗଲେ ମାସ୍କ ପିନ୍ଧି ଯାଆନ୍ତୁ, ଗ୍ଲୋବ୍ସ୍‌ ବ୍ୟବହାର କରନ୍ତୁ, ପାଖରେ ସାନିଟାଇଜର ରଖନ୍ତୁ। ଘରକୁ ଆସିବା ପରେ ନିଜେ ସାନିଟାଇଜ ହୁଅନ୍ତୁ।  ପୂର୍ବରୁ ଇଣ୍ଟରନେଟ ନଥିଲା, ଯୋଗାଯୋଗ ବି ଏତେ ନଥିଲା ତଥାପି ଲୋକ ବହୁତ ବଡ଼ ବଡ଼ କାମ କରୁଥିଲେ। ଏବେ ତ ଆମ ହାତ ପାହାନ୍ତାରେ ସବୁ କିଛି ଅଛି। ଆମେ ଘରେ ରହିବି ବହୁତ କିଛି କରିପାରିବା। ତେଣୁ ଘରେ ରହନ୍ତୁ, ସୁରକ୍ଷିତ ରହନ୍ତୁ ।

Comment