ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଟୀକା ବାହାର କରିବା ପାଇଁ ଲାଗିପଡ଼ିଛନ୍ତି ବିଶ୍ୱର ବଡ଼ ବଡ଼ ଦେଶ।
କରୋନା ରୋଗର ଟୀକା ବାହାର କରିବା ପାଇଁ ଅନେକ ଦେଶ ଏବେ ଲାଗିପଡିଛନ୍ତି। ଭାରତରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଏହି କାମରେ ନିୟୋଜିତ ଅଛନ୍ତି। ଚୀନରେ କରୋନା ଟୀକାର ମାନବିକ ପରୀକ୍ଷା ଆରମ୍ଭ ହୋଇଯାଇଛି ବୋଲି କୁହାଯାଉଛି। ଆମେରିକା ମଧ୍ୟ କୋଭିଡ- ୧୯ର ଚିକିତ୍ସା ପାଇଁ ଟୀକା ବାହାର କରିବା ପାଇଁ ସକ୍ରିୟ ଅଛି। ବ୍ରିଟେନ ତ ଏଥିପାଇଁ ପୂରା ଟାସ୍କ ଫୋର୍ସକୁ ଲଗାଇଛି। ଏମିତି ଦେଖିବାକୁ ଗଲେ ଉହାନଠାରୁ ଇଂଲଣ୍ଡ ଯାଏଁ ସମସ୍ତେ ବ୍ୟଗ୍ର କେମିତି ଖୁବ ଶୀଘ୍ର ଟୀକା ବାହାରିବ।
ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ଇବୋଲାର ଟୀକା ବାହାର କରିବା ପାଇଁ ପାଞ୍ଚ ବର୍ଷ ଲାଗିଯାଇଥିଲା।ଏଥର ଯେହେତୁ ସମଗ୍ର ବିଶ୍ୱ ସଙ୍ଗୀନ ସ୍ଥିତି ଦେଇ ଗତି କରୁଛି ସେହି କାରଣରୁ ଟୀକା ପ୍ରସ୍ତୁତି ଜୋର ଧରିଛି।ଏପରିକି ଦୁଇ ବର୍ଷର ଟୀକା ପରୀକ୍ଷାକୁ ଦୁଇ ମାସ ମଧ୍ୟରେ ଶେଷ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି।
ଇଂଲଣ୍ଡ ଆଗରେ
ଇଂଲଣ୍ଡରେ କରୋନା ଭାଇରସ ଟୀକା ବାହାର କରିବାକୁ ୨୧ଟି ନୂଆ ଗବେଷଣା ପ୍ରକଳ୍ପ ହାତକୁ ନିଆଯାଇଛି। ଏଥିପାଇଁ ବ୍ରିଟେନ ସରକାରଙ୍କ ପକ୍ଷରୁ ୧.୪ କୋଟି ପାଉଣ୍ଡ ମଞ୍ଜୁର କରାଯାଇଛି। ଅକ୍ସଫୋର୍ଡ ୟୁନିଭରସିଟିରେ ୧୦ ଲକ୍ଷ ଟୀକାର ଡୋଜ ପ୍ରସ୍ତୁତି ଆରମ୍ଭ ହୋଇଛି। ନିଜେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କରୋନାର ଶିକାର ହୋଇଥିବାରୁ ସେଠି ଟୀକାର ଗୁରୁତ୍ୱକୁ ବେଶ ଉପଲବ୍ଧି କରାଯାଇଛି। ଖବର ଆସୁଛି ଯେ, ବ୍ରିଟେନରେ ଟୀକା ପ୍ରସ୍ତୁତି ପାଇଁ ଯେଉଁ ପ୍ରୋଟୋକଲ ବା ନିୟମ ଅଛି ତାହାକୁ ଡେଇଁ ସେଠାକାର ବୈଜ୍ଞାନିକମାନେ ଟୀକା ତିଆରି ପାଇଁ ଅଣ୍ଟା ଭିଡିଛନ୍ତି। ଅବଶ୍ୟ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକମାନେ ନିଶ୍ଚିତ ନୁହନ୍ତି ଏହି ଟୀକା କେତେ ଫଳପ୍ରଦ ହେବ।
ସେପ୍ଟେମ୍ବର ସୁଦ୍ଧା ଟୀକା
ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଜେନର ଇନଷ୍ଟିଚ୍ୟୁଟ ପ୍ରଫେସର ଆଡ୍ରିଅନ ହିଲଙ୍କ କହିବା ଅନୁଯାୟୀ ସେପ୍ଟେମ୍ବର ସୁଦ୍ଧା ଯେମିତି ହେଲେ ଟୀକା ବାହାରିବ। ପ୍ରଥମ ପର୍ଯ୍ୟାୟରେ ୧୦ ଲକ୍ଷ ଡୋଜ ବାହାରିବ। ତାପରେ ଭ୍ୟାକ୍ସିନର କ୍ଷମତା ଜଣା ପଡ଼ିବା ସହିତ ଡୋଜ ପ୍ରସ୍ତୁତିକୁ ବୃଦ୍ଧି କରାଯିବ। ଏହା ସ୍ପଷ୍ଟ ଯେ ସମଗ୍ର ବିଶ୍ୱ ପାଇଁ କୋଟି କୋଟି ଭାଏଲ ଇଞ୍ଜେକସନ ଦରକାର ପଡିବ। କରୋନାରୁ ସମ୍ପୂର୍ଣ୍ଣ ମୁକ୍ତି ପାଇଁ ଏକମାତ୍ର ଟୀକା ହିଁ ଉପାୟ ଏକଥା ପ୍ରାୟ ସମସ୍ତେ ବୁଝିଛନ୍ତି। ସାମାଜିକ ଦୂରତାରୁ ରୋଗ ସଂକ୍ରମଣରୁ ସିନା ଆପଣ ନିଜକୁ ଦୂରେଇ ରଖି ପାରିବେ କିନ୍ତୁ ଏହା ଶେଷ ଉତ୍ତର ନୁହେଁ।
ପ୍ରୋଟୋକଲ କଣ କହୁଛି
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ନୂଆ ଟୀକା ଉଦ୍ଭାବନ ପାଇଁ ଯେଉଁ ପ୍ରୋଟୋକଲ ବା ନିୟମ ରଖା ଯାଇଛି ତାହା ହେଉଛି ୧୨ ମାସରୁ ୧୮ ମାସ। କେମିତି ଟୀକା ତିଆରି ହେବ ତାର ବିସ୍ତୃତ ଗାଇଡଲାଇନ ବି WHO ଦେଇଛି। ବ୍ରିଟେନର ମୁଖ୍ୟ ଭେଷଜ ପରାମର୍ଶଦାତା କ୍ରିଷ ବିସ୍ତୀଙ୍କ କହିବା ଅନୁଯାୟୀ ଆମ ଦେଶରେ ବିଶ୍ୱର ଜଣାଶୁଣା ଟୀକା ଉଦ୍ଭାବନକାରୀ ଅଛନ୍ତି। କିନ୍ତୁ ପ୍ରୋଟୋକଲର ସୀମା ଭିତରେ ରହି ହିଁ ଆମକୁ ଟୀକା ବାହାର କରିବାକୁ ହେବ। ତେବେ ଯେତେ ଶୀଘ୍ର ସମ୍ଭବ ଟୀକା ବାହାରିଯିବ ସେତେ ଭଲ ବୋଲି ସେ କହିଛନ୍ତି। ଇଂଲଣ୍ଡର ସିଇପିଇ ନାମକ ଏକ ସଂସ୍ଥା ସମସ୍ତଙ୍କ ସହ ସମନ୍ୱୟ ରକ୍ଷା କର ଟୀକା ଗବେଷଣା କାର୍ଯ୍ୟ ସମ୍ପାଦନ କରୁଥିବା କଥା କୁହାଯାଉଛି। ଏହି ସଂସ୍ଥା ହିଁ ଏବୋଲା ଟୀକା ବାହାର କରିଥିଲା। ଏବୋଲା ଟୀକାର ନାମ ହେଉଛି rVSV – ZEBOV। ଗତ ର୍ଷ ହିଁ ଏହା ବଜାରକୁ ଆସିଥିଲା।
ହ୍ୟୁମାନ ଟ୍ରାଏଲ
ଯେତେବେଳେ ନୂଆ ଟୀକା ବାହାର କରାଯାଏ, ପ୍ରଥମେ ତାହାର ପ୍ରି କ୍ଲିନିକାଲ ଟ୍ରାଏଲ ପଶୁଙ୍କ ଉପରେ ହୋଇଥାଏ। ଏଥିରୁ ଜଣାପଡ଼େ ସେହି ଟୀକା ମଣିଷର ବ୍ୟବହାର ପାଇଁ କେତେ ନିରାପଦ। ଏହି ପରୀକ୍ଷା ଦୁଇ ବର୍ଷ ସମୟ ଲାଗେ। ଯେହେତୁ କରୋନା ବିଶ୍ୱରେ ହଟିବା ନାଁ ନେଉନାହିଁ ସେହି କାରଣରୁ ଦୁଇ ବର୍ଷ ସ୍ଥାନରେ ଦୁଇ ମାସ ମଧ୍ୟରେ ଟ୍ରାଏଲ ସାରିବା ପାଇଁ ସମସ୍ତେ ଚାହୁଁଛନ୍ତି। କ୍ଲିନିକାଲ ଟ୍ରାଏଲର ଦ୍ଵିତୀୟ ପର୍ଯ୍ୟାୟରେ କୃତ୍ରିମ ସଂକ୍ରମଣ ଉପରେ ଟୀକାକୁ ପ୍ରୟୋଗ କରାଯାଇଥାଏ। ଏଠି ହିଁ ଟୀକାର ପ୍ରକୃତ କ୍ଷମତା ଜାଣି ହୁଏ। ଟୀକା ନିରାପଦ କି ନୁହେଁ, ତାର ପାର୍ଶ୍ଵ ପ୍ରତିକ୍ରିୟା ସବୁ କଣ ଓ ଭ୍ୟାକ୍ସିନ ରୋଗ ଦୂର କରି ପାରୁଛି କି ନା ସେ ସବୁ ଏହି ପର୍ଯ୍ୟାୟରେ ହିଁ ଜଣାପଡ଼େ। ତୃତୀୟ ପର୍ଯ୍ୟାୟରେ ବ୍ୟାପକ ସଂଖ୍ୟାରେ ଲୋକଙ୍କଠାରେ ଏହି ଟୀକା ବ୍ୟବହାର କରାଯାଏ। ଚତୁର୍ଥ ବା ଶେଷ ପର୍ଯ୍ୟାୟରେ ଲାଇସେନ୍ସ ଦିଆଯାଇଥାଏ, ଯାହା ଫଳରେ କି କମ୍ପାନିମାନେ ବ୍ୟାବସାୟିକ ଉତ୍ପାଦନ ଆରମ୍ଭ କରନ୍ତି।








କରୋନା ଟୀକା ବାହାର କରିବା ପାଇଁ ଲାଗିପଡ଼ିଛନ୍ତି ବିଶ୍ୱର ବଡ଼ ବଡ଼ ଦେଶ।





