ଓଡ଼ିଶାଲାଇଭ୍‌ ବ୍ୟୁରୋ

କାଳଜୟୀ ସଂସ୍କୃତି ଐତିହ୍ୟ ତାଲିକାରେ ଭାରତ ସରକାର ୧୦୬ଟି କଳାକୁ ସାମିଲ କରିଛନ୍ତି। ସେଥିମଧ୍ୟରେ ରହିଛି ଓଡ଼ିଶାର ମାଣବସା ଗୁରୁବାର, ମୟୂରଭଞ୍ଜ ଛଉ ଏବଂ ରାବଣ ଛାୟା ନୃତ୍ୟ।

ଜାତୀୟ କାଳଜୟୀ ସଂସ୍କୃତି ଐତିହ୍ୟ ତାଲିକାରେ ସ୍ଥାନ ପାଇଲା ମାଣବସା ଗୁରୁବାର, ମୟୂରଭଞ୍ଜ ଛଉ ଏବଂ ରାବଣ ଛାୟା ନୃତ୍ୟ। ଓଡ଼ିଶାର ଏହି ଅନନ୍ୟ ପରମ୍ପରା ଓ ସଂକୃତିକୁ କେନ୍ଦ୍ର ସରକାର ମାନ୍ୟତା ଦେଇଥିବାରୁ ବିଭିନ୍ନ ମହଲରେ ଏହାକୁ ସ୍ୱାଗତ କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମେତ ସଂସ୍କୃତି ବିଶେଷଜ୍ଞମାନେ ଏହାକୁ ସ୍ୱାଗତ କରିବା ସହ ଓଡ଼ିଶା ପାଇଁ ଖୁସିର ଦିନ ବୋଲି କହିଛନ୍ତି। ଜାତୀୟ ସ୍ତରରେ ଓଡ଼ିଶାର କଳା, ସଂସ୍କୃତି କ୍ଷେତ୍ରରେ ପରିଚୟ ଆହୁରି ମଜଭୁତ ହେବ ବୋଲି ମତପ୍ରକାଶ ପାଇଛି।

‘‘ଓଡ଼ିଶାର ଅନନ୍ୟ କଳା, ସଂସ୍କୃତି ପାଇଁ ଆମେ ସମସ୍ତେ ଗର୍ବ କରିବା ଉଚିତ୍‌। କାଳଜୟୀ ସଂସ୍କୃତି ଐତିହ୍ୟ ତାଲିକାରେ ଓଡ଼ିଶାର ଏହି ଅନନ୍ୟ କଳାଧାରାକୁ କେନ୍ଦ୍ର ସରକାର ସ୍ଥାନ ଦେଇଥିବାରୁ ଏହା ସ୍ୱାଗତଯୋଗ୍ୟ। ପ୍ରତ୍ୟେକ ଓଡ଼ିଆ ଏହାକୁ ନେଇ ଗର୍ବ କରିବା ଉଚିତ’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ।

‘‘ଓଡ଼ିଶାର ତିନୋଟି କଳାକୁ ଜାତୀୟ ଐତିହ୍ୟ ତାଲିକାରେ ସ୍ଥାନ ମିଳିଥିବାରୁ ଏହା ଆମ ପାଇଁ ଖୁସିର କଥା। ଓଡ଼ିଶାର କଳା, ସଂସ୍କୃତି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚୟ ହାସଲ କରିଛି। ଏ କ୍ଷେତ୍ରରେ ଓଡ଼ିଶା ଆଉ ଏକ ପାଦ ଆଗକୁ ଯାଇଛି ବୋଲି କହିପାରିବା। କିନ୍ତୁ ଗମ୍ଭୀରତାର ସହ ବିଚାର କଲେ ଏସବୁ ଲୁପ୍ତ ପ୍ରାୟ ସଂସ୍କୃତି। ଏହାର ପୁନରୁଦ୍ଧାର କରିବା ପାଇଁ ସରକାର ଅଧିକ ପ୍ରୟାସ କରିବା ଦରକାର’’, କହିଛନ୍ତି ବିଶିଷ୍ଟ ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ ତଥା କଳା ସଂସ୍କୃତି ବିଶେଷଜ୍ଞ ଅନନ୍ତ ମହାପାତ୍ର।

‘‘ପୂର୍ବ ଭାରତରେ ଓଡ଼ିଶାର କଳା, ସଂସ୍କୃତି ଏବଂ ପରମ୍ପରା ଅନନ୍ୟ। ଆମ ଜଗନ୍ନାଥଙ୍କ ପରି ଠାକୁର ନାହାନ୍ତି କି ଶ୍ରୀମନ୍ଦିର ପରି ମନ୍ଦିର ଆଉ କେଉଁଠି ନାହିଁ। ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ଆମ କଳା, ସଂସ୍କୃତି ଓ ପରମ୍ପରା ସୁଦୃଢ଼ ହୋଇଛି। ଜଗନ୍ନାଥ ଏବଂ କୃଷିକୁ ନେଇ ଆମର ଅଧିକାଂଶ ପର୍ବ ପର୍ବାଣୀ ପାଳନ କରାଯାଉଛି। ଓଡ଼ିଶାରେ ଅନେକ କଳା, ସଂସ୍କୃତି ଏବଂ ପରମ୍ପରା ରହିଛି, ଯାହା ଜାତୀୟ ମାନ୍ୟତା ପାଇବା କଥା। ଏଥିପ୍ରତି ସରକାର ଦୃଷ୍ଟି ଦେବେ ବୋଲି ଆଶା ରହିଛି’’, କହିଛନ୍ତି ଶିଶୁ ସାହିତ୍ୟିକ ତଥା ଶିକ୍ଷାବିତ୍‌ ଦାଶ ବେନହୁର।

ମାଣବସା ଗୁରୁବାର

ମାଣବସା ଗୁରୁବାର ଓଡ଼ିଶାର ଏକ ପ୍ରାଚୀନ ପରମ୍ପରା। ମାର୍ଗଶିର ମାସର ପ୍ରତି ଗୁରୁବାର ଏହି ଓଷା ପ୍ରତି ଓଡ଼ିଆ ଘରେ ପାଳନ କରଯାଇଥାଏ। ଏହି ଓଷା ସହିତ ଶ୍ରୀମନ୍ଦିର ସଂସ୍କୃତି ଜଡ଼ିତ ରହିଛି। ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ମହାଲକ୍ଷ୍ମୀଙ୍କୁ ନେଇ ଏହି ପରମ୍ପରା ସୃଷ୍ଟି ହୋଇଥିବା ବିଶ୍ୱାସ ରହିଛି।

‘‘କୃଷିଭିତ୍ତିକ ଜୀବନ ସହିତ ମାଣବସା ଗୁରୁବାରର ସିଧାସଳଖ ସମ୍ପର୍କ ରହିଛି। ଓଡ଼ିଆ ଘରର ମହିଳାମାନେ ମାର୍ଗଶିର ଗୁରୁବାରରେ ମାଣବସା ଅତି ନିଷ୍ଠାର ସହ ପାଳନ କରିଥାନ୍ତି। ଏହି ଗୁରୁବାର ପାଳନ ଭିତରେ ବିଭିନ୍ନ କଳାଧାରା ମଧ୍ୟ ଜଡ଼ିତ ହୋଇ ରହିଛି’’, କହିଛନ୍ତି ମନୋରଞ୍ଜନ ପାଣିଗ୍ରାହୀ।

ବିଶିଷ୍ଟ ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ ତଥା କଳା ସଂସ୍କୃତି ବିଶେଷଜ୍ଞ ଅନନ୍ତ ମହାପାତ୍ର କହିଛନ୍ତି, ‘‘ମାଣବସା ଗୁରୁବାର ସହ ଶ୍ରୀମନ୍ଦିର ସଂସ୍କୃତି ଜଡ଼ିତ। ଶ୍ରୀୟା ଚଣ୍ଡାଳୁଣୀ କାହାଣୀଠୁ ଆରମ୍ଭ କରି ଜଗନ୍ନାଥ, ବଳଭଦ୍ର ଏବଂ ମହାଲକ୍ଷ୍ମୀଙ୍କ କାହାଣୀ ମାଣବସା ସହିତ ଜଡ଼ିତ। ଅର୍ଥ ଏବଂ ସମୃଦ୍ଧି ପାଇବା ପାଇଁ ଓଡ଼ିଆ ଘରର ମହିଳାମାନେ ଏହି ଓଷା ମାର୍ଗଶିର ମାସର ଗୁରୁବାର ଦିନ ପାଳନ କରାଯାଇଥାଏ। ଏହାକୁ କେନ୍ଦ୍ର ମାନ୍ୟତା ମିଳିଥିବାରୁ ସମସ୍ତଙ୍କ ପାଇଁ ଖୁସିର କଥା।’’

ମୟୂରଭଞ୍ଜ ଛଉ ନୃତ୍ୟ

ଭାରତରେ ଛଉ ନୃତ୍ୟର ତିନୋଟି ଧାରା ଅଛି। ପଶ୍ଚିମବଙ୍ଗର ପରୁଲିଆ, ଓଡ଼ିଶାର ମୟୂରଭଞ୍ଜ ଏବଂ ଝାଡ଼ଖଣ୍ଡର ଷଢ଼େଇକଳାରେ ବିଶେଷକରି ଛଉ ନୃତ୍ୟ ରହିଛି। ଏହି ତିନୋଟି ଧାରା ଭିତରୁ ମୟୂରଭଞ୍ଜ ଛଉର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଅତୀତରେ ମୟୂରଭଞ୍ଜ ରାଜା ଏହି ନୃତ୍ୟକୁ ପ୍ରୋତ୍ସାହନ ଦେଇ ଆସୁଥିଲେ। କଳାକାରମାନେ ପଶ୍ଚିମବଙ୍ଗସମେତ ବିଭିନ୍ନ ପ୍ରାନ୍ତକୁ ଯାଇ ଛଉ ନୃତ୍ୟ ପରିବେଷଣ କରୁଥିଲେ।

ଏହି ଛଉ ନୃତ୍ୟରେ ଶାସ୍ତ୍ରୀୟତା, ଆଦିବାସୀ ସଂସ୍କୃତି ଏବଂ ସମରକଳା ଯୋଡ଼ି ହୋଇ ରହିଛି। ଏସବୁ ସମ୍ମିଶ୍ରଣରେ ଛଉ ନୃତ୍ୟ ପରିବେଷଣ କରାଯାଇଏ। ଏହା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥାଏ।

‘‘ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭୁବନେଶ୍ୱରରେ ହେଉଥିବା ଆମ ଲୋକକଳା ଆମ ସଂସ୍କୃତି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଲୋକକଳାକୁ ଅଗ୍ରାଧିକାର ଦିଆଯାଉଛି। ଏହି କ୍ରମରେ ଭୟୂରଭଞ୍ଜ ଛଉ ନୃତ୍ୟ ପରିବେଷଣ ମଧ୍ୟ ହୋଇଥିଲା। ଏହା ଦର୍ଶକଙ୍କୁ ଆମୋଦିତ କରିଥିଲା। ଏହି ଅନନ୍ୟ କଳାକୁ କେନ୍ଦ୍ର ସରକାର ମାନ୍ୟତା ଦେଇଥିବାରୁ ବହୁତ ଖୁସିର ବିଷୟ’’, କହିଛନ୍ତି ମନୋରଞ୍ଜନ ପାଣିଗ୍ରାହୀ।

‘‘ଛାଉଣୀରୁ ଛଉ ନୃତ୍ୟର ସୃଷ୍ଟି ହୋଇଛି। ସେତେବେଳେ ଯେଉଁ ସୈନିକମାନେ ଥିଲେ ସେମାନଙ୍କ ଆମୋଦ ପ୍ରମୋଦ ପାଇଁ ନାଚୁଥିଲେ। ଏହି ନାଚରୁ ହିଁ ଛଉ ନୃତ୍ୟ ବିକଶିତ ହୋଇଥିଲା। ରାମୟାଣ ଓ ମହାଭାରତର କାହାଣୀକୁ ନେଇ କଳାକାରମାନେ ଏଥିରେ ନୃତ୍ୟ ପରିବେଷଣ କରିଥାନ୍ତି। ହେଲେ ଏଥିରେ ଗୀତ ନଥିଲା। ମୟୂରଭଞ୍ଜ ପରେ ଷଢ଼େଇକଳା ଏବଂ ପୁରୁଲିଆରେ ଛଉ ନୃତ୍ୟ ଆରମ୍ଭ ହୋଇଥିଲା’’, କହିଛନ୍ତି ଅନନ୍ତ ମହାପାତ୍ର।

ରାବଣ ଛାୟା ନୃତ୍ୟ

ଭରତ ବର୍ଷରେ ଯେଉଁ ଛାୟା କଣ୍ଢ଼ଇ ନୃତ୍ୟ ରହିଛି ସେଥିମଧ୍ୟରୁ ଓଡ଼ିଶା ରାବଣ ଛାୟା ହେଉଛି ସ୍ୱତନ୍ତ୍ର। ଏହି ନୃତ୍ୟର ସୃଷ୍ଟି କେନ୍ଦୁଝର ଜିଲ୍ଲାରୁ ହୋଇଥିଲା। କେନ୍ଦୁଝର ଜିଲ୍ଲାର ଏକ ପାହାଡ଼ରେ ପଥର ଖୋଦିତ ରାବଣର ବୃତ୍ତ ଚିତ୍ର ରହିଛି। ଏହାକୁ ଆଧାର କରି ରାବଣ ଛାୟା ନୃତ୍ୟ ଆରମ୍ଭ ହୋଇଥିଲା। ଭଞ୍ଜ ବଂଶର ରାଜ ଦରବାରରେ ଏହି ନୃତ୍ୟ ପରିବେଷଣ ହୋଇ ଆସୁଥିଲା। ଆମ ଲୋକକଳା ଆମ ସଂସ୍କୃତି କାର୍ଯ୍ୟକ୍ରମରେ ଏହି ରାବଣ ଛାୟା ନୃତ୍ୟ ପରିବେଷିତ ହୋଇଛି।

‘‘ଓଡ଼ିଶାର ଏହି ଅନନ୍ୟ ସଂସ୍କୃତି ଓ ପରମ୍ପରାକୁ କେନ୍ଦ୍ର ସରକାର ମାନ୍ୟତା ଦେଇଛନ୍ତି। ଫଳରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଲୋକକଳା ଓ ସଂସ୍କୃତିକୁ ଉପସ୍ଥାପନ କରିବା ପାଇଁ ଏକ ନୂଆ ସୁଯୋଗ ମିଳିବ। ରାଜ୍ୟ ରାଜ୍ୟ ଭିତରେ ସାଂସ୍କୃତି ଭାବବିନିମୟର ବାଟ ଫିଟିବ। କଳାକାରମାନେ ମଧ୍ୟ ଅଧିକ ପ୍ରୋତ୍ସାହନ ପାଇବେ’’, କହିଛନ୍ତି ମନୋରଞ୍ଜନ ପାଣିଗ୍ରାହୀ।

‘‘ରାବଣ ଛାୟାର ଓଡ଼ିଶାର ଆଉ ଏକ ଅନନ୍ୟ ଲୋକକଳା। ରାବଣ ଛାୟା ନୃତ୍ୟ ଆରମ୍ଭ ହେବା ପରେ ହିଁ କଣ୍ଢ଼େଇ ନୃତ୍ୟ ବିକଶିତ ହୋଇଥିଲା। ରାବଣ ଛାୟା ନୃତ୍ୟ ପାଇଁ ସେତେବେଳେ ଟୋକ୍ନୋଲୋଜିର ସୁବିଧା ନଥିଲା। ଆଲୋକର ବ୍ୟବସ୍ଥା ନଥିଲା। ପଛରେ ମଶାଲ ଜଳାଇ ନୃତ୍ୟ ପରିବେଷଣ ହେଉଥିଲା’’, କହିଛନ୍ତି ନାଟ୍ୟକାର ଅନନ୍ତ ମହାପାତ୍ର।

ଜାତୀୟ କାଳଜୟୀ ସଂସ୍କୃତି ଐତିହ୍ୟ ତାଲିକାରେ ଭାରତ ସରକାର ୧୦୬ଟି କଳାକୁ ସାମିଲ କରିଛନ୍ତି। ସେଥିମଧ୍ୟରୁ ଓଡ଼ିଶାର ମାଣବସା ଗୁରୁବାର, ମୟୂରଭଞ୍ଜ ଛଉ ଏବଂ ରାବଣ ଛାୟା ନୃତ୍ୟ ସ୍ଥାନ ପାଇଛି।

ଓଡ଼ିଶାର ଲୋକକଳା ଏବଂ ସଂସ୍କୃତିର ସଂରକ୍ଷଣ ଓ ପ୍ରଚାର ପ୍ରସାର ପାଇଁ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଅନେକ ପଦକ୍ଷେପ ନେଇଛି। ‘ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମ ଜରିଆରେ ହଜିଯାଉଥିବା ଲୋକକଳା ଉଜ୍ଜୀବୀତ କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି। ଏହାସହ କଳାକାରମାନଙ୍କୁ ପ୍ରୋତ୍ସାହନ ଦେଇ ଆସୁଛନ୍ତି। ଏବେ ମଣବସା ଗୁରୁବାର, ମୟୂରଭଞ୍ଜ ଛଉ ଏବଂ ରାବଣ ଛାୟା ନୃତ୍ୟ ଜାତୀୟ ମାନ୍ୟତା ପାଇଥିବାରୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା କଳା ସଂସ୍କୃତି ଆଉ ଏକ ସ୍ୱତନ୍ତ୍ର ପରିଚୟ ପାଇଲା ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here