ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକାରେ ରହୁଥିବା ଓଡ଼ିଆମାନଙ୍କ ଦ୍ୱାରା ‘ଓସା ମହୋତ୍ସବ’ ପାଳିତ।

“ସୁଦୂର ଆମେରିକାରେ ରହୁଥିଲେ ମଧ୍ୟ ଓଡ଼ିଆ ଲୋକମାନେ ଦୀର୍ଘ ୫୦ ବର୍ଷ ହେବ ଓସା ଭଳି ସଙ୍ଗଠନ ଦ୍ୱାରା ଓଡ଼ିଶାରେ ଓଡ଼ିଆ ଭାଷା, ସାହିତ୍ୟକୁ ଆଗକୁ ନେବାକୁ ଚେଷ୍ଟା କରୁଛନ୍ତି। ଓଡ଼ିଶାରେ କିପରି ଆମ ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ହୋଇପାରିବ ସେନେଇ ସେମାନେ ଚେଷ୍ଟା କରୁଛନ୍ତି। ଏହା ନିଶ୍ଚୟ ପକ୍ଷେ ଆମ ପାଇଁ ଗୌରବର ବିଷୟ”, କହିଛନ୍ତି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ରବିବାର ଓଡ଼ିଆ ସୋସାଇଟି ଅଫ୍ ଆମେରିକାସ୍(ଓସା) ପକ୍ଷରୁ ଆୟୋଜିତ ‘ଓସା ମହୋତ୍ସବ’ ଏପରି କହିଛନ୍ତି ଅରୁଣ ସାହୁ।ରବିବାର ଓସା ପକ୍ଷରୁ ଭୁବନେଶ୍ୱର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ‘ଓସା ମହୋତ୍ସବ’ ପାଳନ କରାଯାଇଥିଲା। ଏହି ମହୋତ୍ସବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ତାଙ୍କ ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମଧ୍ୟ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଥିଲେ, “ସାରା ଓଡ଼ିଶାରେ ଗ୍ରନ୍ଥାଗାର ବିକାଶ ଓ ଇ-ଲାଇବ୍ରେରୀ ପାଇଁ ଓସା ପକ୍ଷରୁ ଉଦ୍ୟମ କରାଯାଉଛି। ଏହା ନିହାତି ପକ୍ଷେ ସ୍ୱାଗତଯୋଗ୍ୟ ପଦକ୍ଷେପ। ସରକାର ଏଥିପାଇଁ ଓସାକୁ ସମସ୍ତ ପ୍ରକାର ଯୋଗାଇଦେବେ।”ଏହାସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ଓସାର ପବ୍ଲିକ ଲାଇବ୍ରେରୀ ଯୋଜନାକୁ ପ୍ରଶଂସା କରିଥିଲେ । ଏଥିସହିତ ଆସନ୍ତାବର୍ଷକୁ ଓସାର ମହୋତ୍ସବକୁ ଆହୁରି ବଡ଼ ଆକାରରେ ଆୟୋଜିତ କରିବାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ କହିଥିଲେ।

ଏହି ଅବସରରେ ଅତିଥିମାନେ ସାରା ବିଶ୍ୱରେ ଗ୍ରନ୍ଥାଗାରର ଇତିହାସ, କ୍ରମବିକାଶ, ଅବଦାନ ସଂପର୍କରେ ଆଲୋଚନା କରିଥିଲେ । ସମୟ ବଦଳିବା ସହିତ ସବୁ ବର୍ଗର ପାଠକ ବିଶେଷ କରି କିଶୋର ଓ ଯୁବକ ଯୁବତୀଙ୍କ ଉପରେ ବୈଷୟିକ ଜ୍ଞାନର ପ୍ରଭାବ ଅଧିକରୁ ଅଧିକ ପଡ଼ୁଛି। ଏହାସତ୍ତ୍ୱେ ମଧ୍ୟ ଲାଇବ୍ରେରୀର ଆବଶ୍ୟକତା ରହିଛି। ସାରା ରାଜ୍ୟରେ ଅଧିକରୁ ଅଧିକ ଇ-ଲାଇବ୍ରେରୀ ପ୍ରତିଷ୍ଠା ହୋଇ ପାରିଲେ ଆମ ଭାଷା, ସାହିତ୍ୟ, ସଂସ୍କୃତି ଓ ସାମାଜିକ ବ୍ୟବସ୍ଥା ଆହୁରି ଆଗକୁ ଯାଇ ପାରିବ ବୋଲି ଅତିଥିମାନେ ମତ ଦେଇଛନ୍ତି।ଆମେରିକାରେ ରହୁଥିବା ଓଡ଼ିଆମାନଙ୍କ ଦ୍ୱାରା ଗଠିତ ଏହି ସଂଗଠନ କିପରି ଭାବେ ଆମେରିକାରେ ଓ ଓଡ଼ିଶାରେ ବିକାଶମୂଳକ କାମ କରିବାକୁ ଚାହୁଁଛି, ଯାହାଫଳରେ ଆମ ଭାଷା, ସାହିତ୍ୟ, ସଂସ୍କୃତି ଓ ସାମାଜିକ ବ୍ୟବସ୍ଥା ଆହୁରି ଆଗକୁ ଯାଇ ପାରିବ ସେ ସଂପର୍କରେ ଓସାର ସଭାନେତ୍ରୀ କୁକୁ ଦାସ ନିଜର ବକ୍ତବ୍ୟ ରଖିଥିଲେ।ଓସା ମହୋତ୍ସବରେ ତିନୋଟି ପର୍ଯ୍ୟାୟରେ ଇ-ଲାଇବ୍ରେରୀ, ସାମାଜିକ ସହଭାଗିତା, ଆମରି ଭାଷା, ଆମ ସଂସ୍କୃତି ଓ ଜୀବନଧାରାର ମୂଳଭିତ୍ତି ଉପରେ ଅତିଥିମାନେ ଆଲୋଚନା କରିଥିଲେ । ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଇଣ୍ଡିଆର ଏଚ୍ଆର ଓ ଗ୍ରୁପ ପ୍ରେସିଡେଣ୍ଟ ବିଜୟ ସାହୁ, ଏନଆଇସିର ରାଜ୍ୟ ସୂଚନା ଅଧିକାରୀ ପ୍ରତିଭା ସିଂ, ସିୱାଇଏସଡିର କୋ ଫାଉଣ୍ଡର ଜଗଦାନନ୍ଦ, ମୋ ସ୍କୁଲ ଅଭିଯାନର ମୁଖ୍ୟ ପରିଚାଳନା ଅଧିକାରୀ ଅମରଜିତ ଜେନା, ବରିଷ୍ଠ ସାମ୍ବାଦିକ ଗୌରହରି ଦାସ ଏବଂ ଲେଖକ ଭଗବାନ ପ୍ରକାଶ ପ୍ରମୁଖ ଅଂଶଗ୍ରହଣ କରିଥିଲେ।ଏହାସହିତ ଏହି ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କଡିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆମେରିକାରେ ରହୁଥିବା ଓଡ଼ିଆ ପରିବାରର ପିଲାମାନେ ସୁନ୍ଦର ସମ୍ବଲପୁରୀ ଓ ଓଡ଼ିଶୀ ନୃତ୍ୟରେ ପରିବେଷଣ କରିବା ସହ ଅଭିନୟ କରିଥିଲେ ।

Comment