ଓଡ଼ିଶାଲାଇଭ୍ ବ୍ୟୁରୋ

ପରୀ ମୃତ୍ୟୁକୁ ନେଇ ବିଜେପି ମହିଳା ମୋର୍ଚ୍ଚାର ହୋ ହଲ୍ଲା।

ନୟାଗଡ଼ ‘ପରୀ’ ମୃତ୍ୟୁକୁ ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ଘର ଆଗରେ ଗର୍ଜିଛି ବିଜେପି ମହିଳା ମୋର୍ଚ୍ଚା। ଶହ ଶହ ମହିଳା ବିଜେପି କର୍ମୀମାନେ ମନ୍ତ୍ରୀଙ୍କ ବାସଭବନ ଆଗରେ ନାରାବାଜି କରିବା ସହ ତାଙ୍କର ଇସ୍ତଫା ଦାବି କରିଛନ୍ତି।

“ରାଜ୍ୟ ସରକାର ଜାଣିଶୁଣି ପରୀ ମୃତ୍ୟୁକୁ ଚାପି ଦେବାକୁ ଚାହୁଁଛନ୍ତି। ଏଥିପାଇଁ ଏସ୍ଆଇଟି ଗଢ଼ି ତଦନ୍ତ ଚଳାଇଛନ୍ତି। ଏ ରାଜ୍ୟରେ କେବଳ ନେତା,ମନ୍ତ୍ରୀମାନଙ୍କୁ ସୁରକ୍ଷା ମିଳୁଛି। ତେଣୁ ପରୀ ମାମଲାର ଆମେ ସିବିଆଇ ତଦନ୍ତ ଚାହୁଁଛୁ। ମନ୍ତ୍ରୀ ଅରୁଣ ସାହୁ ଇସ୍ତଫା ମଧ୍ୟ ଆମର ଦାବି”, କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।ତା’ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୋଟେ ୫ ବର୍ଷର ଝିଅର ଆଖି, କିଡନୀ ତାଡ଼ି ନେଇ ତାକୁ ହତ୍ୟା କରାଯାଇଛି। ରାଜ୍ୟ ସରକାର କିନ୍ତୁ ଏହି ଘଟଣାର ତଦନ୍ତ ଠିକ୍ ଭାବେ କରୁନାହାନ୍ତି। ଏଥିରେ ମନ୍ତ୍ରୀଙ୍କ ସଂପୃକ୍ତି ଥିବା ଜାଣି ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଉନି ବୋଲି ସେ କହିଛନ୍ତି।

ଅନ୍ୟପଟେ ବିଜେପି ମହିଳା ମୋର୍ଚ୍ଚାର ସଭାପତି ସ୍ମୃତି ପଟ୍ଟନାୟକ କହିଛନ୍ତି, “ଚାରି ମାସ ତଳେ ଯଦି ସେ କୁନି ଝିଅର ପରିବାରକୁ ନ୍ୟାୟ ମିଳିଥାନ୍ତା ତେବେ ଆଜି ଏପରି କିଛି ହୋଇନଥାନ୍ତା। ରାଜ୍ୟ ସରକାର ତଦନ୍ତକୁ ବାଟମାରଣା କରିବାକୁ ଚାହୁଁଛନ୍ତି। ତେଣୁ ଆମେ ସିବିଆଇ ତଦନ୍ତ ଦାବି କରୁଛୁ।”ସେହିପରି ଆଉ ଜଣେ ବିକ୍ଷୋଭକାରୀ କହିଛନ୍ତି ଯେ, ରାଜ୍ୟ ସରକାର ଏବେ ମହିଷାସୁରମାନଙ୍କୁ ସୁରକ୍ଷା ଦେବାରେ ଲାଗିଛନ୍ତି। ରାଜ୍ୟର ଝିଅ ବୋହୁମାନେ ଆଜି ଅସୁରକ୍ଷିତ ହୋଇପଡିଲେଣି। ଯଦି ପରୀକୁ ନ୍ୟାୟ ନମିଳେ ତେବେ ବିଜେପି ଆଗକୁ ଆହୁରି ତୀବ୍ର ଆନ୍ଦୋଳନ ଚଳେଇବ ବୋଲି ସେ କହିଛନ୍ତି।ନୟାଗଡ଼ର କୁନି ଝିଅ ପରୀ ମୃତ୍ୟୁ ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ରହିଛି। ବିଜେପି ଏହାକୁ ପ୍ରସଙ୍ଗ କରି ଶାସକ ଦଳକୁ ଘେରିବା ସହିତ ସିବିଆଇ ତଦନ୍ତ ଦାବି କରିଛି। ଏଣେ ରାଜ୍ୟ ସରକାର ଏସଆଇଟି ଗଠନ କରି ଏହି ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏସ୍ଆଇଟି ମଧ୍ୟ ନୟାଗଡ଼ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼େଇଛି। ପ୍ରଥମ ପର୍ଯ୍ୟାୟରେ ଏସ୍ଆଟି ବାବୁଲି ନାୟକକୁ ଆଣି ପଚରାଉଚୁରା କରିବା ସହିତ ଯଦୁପୁର ଗାଁକୁ ଯାଇ ଛାନଭିନ୍ ଚଳାଇଛି।

Comment