ଓଡ଼ିଶାଲାଇଭ୍ ବ୍ୟୁରୋ 
ଆମେ ଯେତେ ବିଜ୍ଞାନ ପଛରେ ଧାଇଁଲେ ବି ଗୋଟିଏ ଭାଇରସ ସାରା ପୃଥିବୀକୁ ଗ୍ରାସ କରିଦେଇଛି ଆଉ ଆମେ କିଛି କରିପାରୁ ନାହୁଁ – ପଢ଼ନ୍ତୁ ନିଜର ଲକଡାଉନ୍ ଅନୁଭୂତି ବାଣ୍ଟି କ’ଣ କହିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ।
ଲକ୍ଡାଉନ ଏକ ପ୍ରକାର ସମସ୍ତଙ୍କ ଗୋଡ଼ ହାତ ବାନ୍ଧି ଦେଇଛି। କାମରୁ ଟିକିଏ ମୁକ୍ତି ମିଳିଛି ବୋଲି କେହି ଏହାକୁ ଜୀବନରେ ଏକ ସୁବର୍ଣ୍ଣ ସୁଯୋଗ ବୋଲି ଭାବୁଛି ତ କେହି ଘରେ ରହି ପୂରା ବ୍ୟତିବ୍ୟସ୍ତ ହୋଇ ଗଲେଣି। ଏଭଳି ପରିସ୍ଥିତିରେ କିନ୍ତୁ ଏହି ଲକଡାଉନ୍ ସମୟକୁ ପୂରା ଉପଭୋଗ କରୁଛନ୍ତି ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ।
ପ୍ରଶାନ୍ତ ପାଢ଼ୀ ଓଡ଼ିଆ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା। ସେ ଏକାଧାରରେ ଜଣେ ସଙ୍ଗୀତ ନିର୍ଦ୍ଦେଶକ, ସଙ୍ଗୀତକାର,ଗାୟକ। ସେ ଉଭୟ ଭଜନ ଓ ଆଧୁନିକ ଗୀତରେ ନିର୍ଦ୍ଦେଶନା ଦେଇଛନ୍ତି। ବହୁ ଫିଲ୍ମରେ ମଧ୍ୟ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।
କେମିତି କଟୁଛି ନିତିଦିନିଆ ରୁଟିନ?
ମୋର ରୁଟିନ ପୂରାପୂରି ବଦଳି ଯାଇଛି। ଜୀବନର ପ୍ରକୃତ ମୂଲ୍ୟ କ’ଣ ଏବେ ଜାଣିପାରୁଛି। ଯାହା କେବେ କରୁ ନ ଥିଲି ତାହା ଏବେ କରୁଛି। ଘର କାମରେ ସାହାଯ୍ୟ। ପୁଅ ଝିଅଙ୍କ ସହ ରୀତି ମତ କଥା ଯେମିତି ପିଲାଦିନେ କରୁଥିଲି। ପୂଜା ପାଠ କରୁଛି। ଘରର ଆବଶ୍ୟକତା ବୁଝୁଛି। ଗୋଟିଏ ଜାଗାରେ ଅନେକ ସମୟ ବସି ଅନେକ କ୍ରିଏଟିଭ୍ ଚିନ୍ତା କରୁଛି। ପ୍ରକୃତି ଆମର ପରମ ବନ୍ଧୁ ବୋଲି ଏବେ ଜାଣିପାରୁଛି।
ଏବେ କ’ଣ ସ୍ପେଶାଲ ପ୍ରୋଜେକ୍ଟ ରହିଛି?
ଏବେ ଅନେକ ସମୟ ସଙ୍ଗୀତ ସାଧନାରେ ବିତୁଛି। କରୋନା ସମୟରେ କିଛି ସଚେତନତା ଟିପ୍ସ ଗୀତ ସୋସିଆଲ ମିଡ଼ିଆରେ ଦେଇଛି। ଆଗାମୀ ଦିନ ପାଇଁ କିଛି ନୂଆ ଗୀତ ମଧ୍ୟ ରଖୁଛି।
ଲକଡାଉନ୍ ତ ନୁହେଁ କରୋନା କେବଳ ମତେ ନୁହେଁ ସାରା ବିଶ୍ୱକୁ ଶିକ୍ଷା ଦେଇଛି। ଆମେ ଯେତେ ବିଜ୍ଞାନ ପଛରେ ଧାଇଁଲେ ବି ଛୋଟ ଭାଇରସଟିଏ ସାରା ପୃଥିବୀକୁ ଗ୍ରାସ କରିଦେଇଛି ଆଉ ଆମେ କିଛି କରିପାରୁ ନାହୁଁ।
ଏବେ ଘରେ ରହିବା ଆମ ପୁରୁଣା ଅଜା ବାପାଙ୍କ ସମୟର ପରିବାର ଭଳି ଚାଲିବା। ବହୁତ ଆନନ୍ଦ ମିଳୁଛି ଏବେ। ଆପଣ ମାନେ ସମସ୍ତେ ଏବେ ଘରେ ରୁହନ୍ତୁ ଆଉ ଜଗନ୍ନାଥଙ୍କୁ ପ୍ରାର୍ଥନା କରନ୍ତୁ ଏ ବିପଦରୁ ଶୀଘ୍ର ମୁକ୍ତି ଦିଅନ୍ତୁ।
ଏହି ଲକଡାଉନ ପିରିୟଡରେ ବିଭିନ୍ନ ବର୍ଗର ପ୍ରତିଷ୍ଠିତ ଲୋକଙ୍କର କିଭଳି ଦିନ କଟୁଛି, ଘରେ ରହିବା ବେଳେ କ’ଣ କରୁଛନ୍ତି? ଜାଣିବା ପାଇଁ ‘ଓଡ଼ିଶାଲାଇଭ୍’ ପକ୍ଷରୁ ‘ଲକଡାଉନ୍ ଡାଏରି’ ଭଳି ଏକ ନିଆରା ଉଦ୍ୟମ ହୋଇଛି। ଏହି ଧାରାରେ ଆମର ପ୍ରଶାନ୍ତ ପାଢ଼ୀଙ୍କ ସହ ଆମର ଯୋଗାଯୋଗ ହୋଇଥିଲ।


















