ଓଡ଼ିଶାଲାଇଭ୍‌ ବ୍ୟୁରୋ

ହୋମ ଆଇସୋଲେସନ, ଲକ୍ ଡାଉନ୍ କୋଭିଡିୟଟସ୍, ସୋସିଆଲ ଡିଷ୍ଟାନସ୍ ପରି ନୂଆ ନୂଆ ଶବ୍ଦ ଶୁଣିବାକୁ ମିଳୁଛି ସବୁକୁ ଆମ ସାଧାରଣ ଭାରତୀୟ କିପରି ଗ୍ରହଣ କରୁଛି ତାହାକୁ ବେଶ୍ ପାଖରୁ ଦେଖିବାକୁ ମିଳୁଛି। କମ୍ୟୁନିକେସନ ପ୍ରଫେସନାଲ ଭାବେ କାର୍ଯ୍ୟରତ ରୁଦ୍ର ପ୍ରସନ୍ନ ରଥ ଓଡ଼ିଶାଲାଇଭ୍‌ ଲକ୍‌ଡାଉନ୍‌ ଡାଏରୀରେ ଏହା କହିଛନ୍ତି।

 ‘‘ଲକଡାଉନ୍ ସମୟରେ ସବୁ ବନ୍ଦ। ସମସ୍ତେ ଘରେ ବନ୍ଦୀ। ପ୍ରଥମ ତିନି ସପ୍ତାହର କଠିନ ଧରଣର ଲକଡାଉନ୍ ପରେ ଏବେ କିଛି କିଛି ରିହାତି ମିଳିବା ଆରମ୍ଭ ହୋଇଛି । ଗତ ତିନି ସପ୍ତାହ ଭାରତପାଇଁ ବେଶ୍ କଷ୍ଟକର ଥିଲା। ଯଦିଓ ଭାରତରେ ସଂକ୍ରମଣର ତୀବ୍ରତା କମିଛି ତେବେ କରୋନା ସଂକ୍ରମଣଜନିତ ବିପଦ ଏବେ ବି ଟଳିନାହିଁ ବୋଲି କହିବାକୁ ପଡ଼ିବ। ଆଗାମୀ ଦିନରେ କରୋନା ଯେ ଆମ ଦକ୍ଷତା, ସାମର୍ଥ୍ୟ, ଏବଂ ମୁକାବିଲା ଜନିତ ପ୍ରସ୍ତୁତିର ଆହୁରି ପରୀକ୍ଷା ନେବ ତାହା ଜଳ ଜଳ କରି ଦେଖାଗଲାଣି’’, କହିଛନ୍ତି ରୁଦ୍ର ପ୍ରସନ୍ନ ରଥ।

ସେ ଆହୁରି ମଧ୍ୟ କହିଛନ୍ତି,‘‘ କରୋନା ଏବେ ବିଶ୍ୱପାଇଁ ଏକ ବଡ ବିପଦ ହୋଇ ଠିଆ ହୋଇଛି ଏହା ନିସନ୍ଦେହ। ସାରା ଦୁନିଆ ଏବେ କରୋନାରୁ ମୁକ୍ତ ହେବାର ଅପେକ୍ଷାରେ। ଏ ଅପେକ୍ଷା ବେଶ୍ କଷ୍ଟ ଦାୟକ ଏବଂ ଏହା ଯନ୍ତ୍ରଣା କେବେ ସରିବ ତାହାର ମଧ୍ୟ କିଛି ଠିକ୍ ଠିକଣା ନାହିଁ । ପ୍ରସ୍ତୁତି, ସଚେତନତା ଆଉ ଅପେକ୍ଷା ଏହା ହିଁ ଏହି ରୋଗ ସଂକ୍ରମଣକୁ ରୋକିବାର ପ୍ରଧାନ ଅସ୍ତ୍ର ପାଲଟିଛି।’’

ନୂଆ ଶିକ୍ଷା ଦେଲା କରୋନା

ରାଜ୍ୟ ସରକାରଙ୍କର କୋଭିଡ-୧୯ ପରିଚାଳନା ଦଳରେ ୟୁନିସେଫ୍ ତରଫରୁ ଯୋଗ ଦେଇ ସରକାରଙ୍କର ବିଭିନ୍ନ ବିଭାଗକୁ ବୈଷୟିକ ସହାୟତା ଦେବାର ସୌଭାଗ୍ୟ ମିଳିଛି। ଏହିପରି ଏକ ଆପାତକାଳୀନ ସ୍ଥିତିରେ କିପରି ଲୋକଙ୍କ ପାଖକୁ ସଚେତନତାମୂଳକ ବାର୍ତ୍ତା ପଠାଇ ହେବ ଆଉ କିପରି ସେମାନେ ଏହି ସମସ୍ୟାକୁ ମିଳିମିଶି ସାମ୍ନା କରିବେ ତାହା ନିଶ୍ଚୟ କରିବା ମୋର ଦାୟିତ୍ୱ ହୋଇଛି। ଦୈନନ୍ଦିନ ଭିତ୍ତିରେ ସରକାରଙ୍କର ବିଭିନ୍ନ ବିଭାଗର କର୍ମଚାରୀମାନଙ୍କର ଦକ୍ଷତା ବୃଦ୍ଧିରେ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେଉଛି। କେତେବେଳେ ଘରୁ ଅଫିସ୍ କରିବାକୁ ପଡୁଛି ତ ଆଉ କେତେବେଳେ ଅଫିସ୍ ଯାଇ ବୈଠକ ଆଦିରେ ସାମିଲ ହେବାକୁ ପଡୁଛି। ତେବେ ଯାହାବି ହେଉଛି ସବୁ ସରକାରୀ ନିର୍ଦ୍ଦେଶନାମାକୁ ମାନି,  ମାସ୍କ ପିନ୍ଧି ଆଉ ସାମାଜିକ ଦୂରତା ରକ୍ଷା କରି ହେଉଛି। ଦେଶର ଏହି ଗୁରୁତ୍ୱପୂର୍ଣ୍ଣ ଲଢେଇରେ ଜଣେ କୋଭିଡ୍ ଯୋଦ୍ଧା ବୋଲି ଯୋଗଦେଇଥିବାରୁ ମୁଁ ନିଜକୁ ଗର୍ବିତ ମନେ କରୁଛି। ଏଭଳି ସୁଯୋଗ ଆଗରୁ ଅନେକବାର ଆସିଛି। ଆଗରୁ ଅନେକ ବିପର୍ଯ୍ୟୟରେ କାମ କରିଛି। ସରକାରଙ୍କୁ ଅନେକ ମତ ଦେଇଛି କିନ୍ତୁ କୋଭିଡ୍ ସମୟରେ କାମ କରିବାର ସୁଯୋଗ ନିଆରା। ହୋମ ଆଇସୋଲେସନ, ଲକ୍ ଡାଉନ୍ କୋଭିଡିୟଟସ୍‌, ସୋସିଆଲ ଡିଷ୍ଟାନସ୍ ପରି ନୂଆ ନୂଆ ଶବ୍ଦ ଶୁଣିବାକୁ ମିଳୁଛି । ଏ ଶବ୍ଦସବୁକୁ ଆମ ସାଧାରଣ ଭାରତୀୟ କିପରି ଗ୍ରହଣ କରୁଛି ତାହାକୁ ବେଶ୍ ପାଖରୁ ଦେଖିବାକୁ ମିଳୁଛି।

ଜୀବନଶୈଳୀରେ ପରିବର୍ତ୍ତନ ଆଣିଲା ଲକଡାଉନ୍‌

ବାକି ସମୟ ଘରେ ବିତୁଛି। ଟିଭି ଦେଖି, ନେଟରୁ ଖବର ପଢି ତ ଆଉ କେତେବେଳେ ଘରେ ଛୋଟମୋଟର କାମ କରି। କେତେବେଳେ ଘରେ ଅଳିଆ ଝାଡିଦେବା ତ। ଆଉ କେତେବେଳେ ବାସନ ମାଜିଦେବା। ତେବେ ଏହା ସବୁଦିନ ନୁହେଁ। କେବଳ ସମୟ କାଟିବା ପାଇଁ ଯାହା। ମଝିରେ ମଝିରେ ସମୟ ପାଇଲେ ଆର୍ଟିକିଲ୍ ବି ଲେଖୁଛି। ଖବରକାଗଜକୁ ପଠାଉଛି କିଛି କିଛି ପ୍ରକାଶ ପାଉଛି ମଧ୍ୟ। ରାତିରେ ସାମ୍ବାଦିକ ବନ୍ଧୁମାନଙ୍କ ସହ ଫୋନରେ କଥାବାର୍ତ୍ତା ଆଉ ଆପାର୍ଟମେଣ୍ଟ ଭିତରେ ତିନିରୁ ଚାରି କିଲୋମିଟର ଚାଲୁଛି। ସନ୍ଧ୍ୟାର ମତୁଆଲା ପବନରେ ଦେହ ଶୀତଳ ହେଉଛି। ବନ୍ଧୁଙ୍କ ସହ କଥାବାର୍ତ୍ତାରେ ମନ ଭିଜୁଛି।

ଲକଡାଉନ୍ ସତରେ ମୋତେ ବହୁତ କିଛି ଶିଖାଇଛି। ଏହି ସମୟରେ ଭାରତୀୟ ପ୍ରଶାସନିକ ଚେହେରାର ନୂଆ ରୂପ ଦେଖିବାକୁ ପାଉଛି । ଭାରତୀୟ ପ୍ରଶାସନ ଦୁର୍ବଳ ଆଉ ଧିର ବୋଲି ଅନେକ ପୂର୍ବରୁ ମତପ୍ରକାଶ କରୁଥିଲେ। ଆମ ବ୍ୟବସ୍ଥା ସବୁବେଳେ ଘର ବୁଡି ପାଣି ଆଣ୍ଠିଏ ହେଲାପରେ ହିଁ ତତ୍ପରତା ପ୍ରକାଶ ପାଏ ତେବେ ଏଥର ଭାରତ ଚମତ୍କାର କରିଛି। ସମୟ ଆଗରୁ ଲକଡାଉନ, ଆବଶ୍ୟକ ପଡିଲେ ସଟ ଡାଉନ୍। ଓଡିଶାରେ ତ ଆମେ ଅତ୍ୟାଧୁନିକ କୋଭିଡ୍ ହସ୍ପିଟାଲ ବି ଖୋଲି ପାରିଛୁ। ଲୋକଙ୍କୁ ରାପିଡ୍ ଟେଷ୍ଟ କରାଯାଉଛି। ଲୋକ ବି ସରକାରଙ୍କୁ ଜବରଦସ୍ତ ସହାୟତା ପ୍ରଦାନ କରୁଛିନ୍ତି ।

ବିପର୍ଯ୍ୟୟ ସହ ଲଢ଼ିବାରେ ଭାରତ ଆଗରେ

ସାରା ଭାରତରେ କିଛି ହାତଗଣତି ଘଟଣାକୁ ଛାଡିଦେଲେ ପୂରା ଭାରତ ଏକ ହୋଇ କରୋନା ବିରୋଧରେ ଲଢୁଛି। ଆମେ ଆମେରିକା କିମ୍ବା ଇଟାଲୀ ପରି ଧନଶାଳୀ ରାଷ୍ଟ୍ର ନୁହେଁ। କିନ୍ତୁ କେବଳ ଲୋକ ସମର୍ଥନ, ଭାରତୀୟ ଜୁଗାଡ ଏବଂ କରୋନାକୁ ହରାଇବାର ପ୍ରବଳ ଉଦ୍ଦୀପନା ମଧ୍ୟରେ ଆମେ ଆମେରିକା ଇଟାଲୀକୁ ପଛରେ ଛାଡି ଦେଇଛୁ। ଆଗକୁ କ’ଣ ହେବ ଜଣା ନାହିଁ କିନ୍ତୁ ଆଜି ଯାଏଁ ଆମେ ଯାହା ବି କରିଛୁ ତାହା ଦେଖି ବିଶ୍ୱ ଚକିତ ହୋଇଯାଇଛି। ଭାରତୀୟଙ୍କର ବିପର୍ଯ୍ୟୟ ସମୟରେ ଲଢେଇ କରିବାର ଗୁଣ ଯୋଗୁଁ ସାରା ବିଶ୍ୱ ଭାରତକୁ ସଲାମ କରୁଛି । ଆମେ ଆଗରେ ଅଛୁ ଆମେ ନିଶ୍ଚେ ଏହାକୁ ଜିତିବୁ। କେବଳ ଅର୍ଥ ଥିଲେ ହେବ ନାହିଁ ବିପର୍ଯ୍ୟୟ ସମୟରେ ସ୍ଥିତପ୍ରଜ୍ଞତା ଏବଂ ତ୍ୱରିତ୍ ନିଷ୍ପତ୍ତି ନେବାର କ୍ଷମତା ହିଁ ଆପଣଙ୍କୁ ଆଗରେ ରଖେ।

ଲକଡାଉନ୍‌ ହଟିବା ପରେ ରହିବାକୁ ହେବ ସଚେତନ

ଆଗକୁ ହୁଏତ ଲକଡାଉନ୍ ହଟିଯିବ ହେଲେ ଏହି ଲକ୍‌ଡାଉନ୍ ହଟିବାପରେ ବି ଆମକୁ ଅଧିକ ସତର୍କ ଏବଂ ସଜାଗ ରହିବାକୁ ପଡିବ। ଆବଶ୍ୟକ ନଥିଲେ ଆମେ ବାହାରକୁ ଯିବାନାହିଁ, ଆମେ ଯେତେବେଳେ ବାହାରକୁ ଯିବା ମାସ୍କ ପିନ୍ଧିକରି ଯିବା, ଯେତେବେଳେ ବି ବାହାରକୁ ଯିବା ତୁରନ୍ତ ଫେରି ଆସି ହାତ ଧୋଇବା। ବିନା କାରଣରେ ନାକ, ପାଟି ଆଉ ଆଖିରେ ହାତ ମାରିବା ନାହିଁ। ହାତକୁ ସାବୁନ ଓ ପାଣିରେ ଘସି ହାତକୁ ଭଲଭାବେ ଧୋଇବା । ୨୦ରୁ ୪୦ ସେକେଣ୍ଡ ହାତ ଧୋଇବା ଦ୍ୱାରା ଆମେ କରୋନାରୁ ରକ୍ଷା ପାଇପାରିବା। ପୁଣି ଯେଯାଏ କରୋନାର ଭୟ ସଂପୂର୍ଣ୍ଣ ନଯାଇଛି ଆମେ ସେବେଯାଏ ଭିଡକୁ ଯିବାର ଆବଶ୍ୟକ ନାହିଁ । ଆମେ ଜାଣି ରଖିବା କଥା କରୋନା ବିରୋଧରେ ଲଢେଇ ଆମେ ଉହାନ କିମ୍ବା ମହାରାଷ୍ଟ୍ର କିମ୍ବା ଦିଲ୍ଲୀରେ ଲଢାଯାଉନାହିଁ ବରଂ ଏହି କରୋନା ଭାଇରସ ଆମ ଘର ବାହାରେ, ଛକରେ ବଜାରରେ ଆମକୁ ଖୋଜୁଛି। ପ୍ରସ୍ତୁତି ହୋଇ ଏହା ବିରୁଦ୍ଧରେ ଲଢି ଆମେ ଏହାକୁ ହରାଇବା ନା ସତର୍କ ନହୋଇ ଏହା ଆଗରେ ଆମେ ଆତ୍ମସମର୍ପଣ କରିଦେବା ସେ ନିଷ୍ପତ୍ତି ଆମ ନିଜର ହେବା ଆବଶ୍ୟକ। ଏ ଲଢେଇ ଆମ ସମସ୍ତଙ୍କର ଆମେ ସମସ୍ତେ ଏହାକୁ ମିଳିକି ଲଢିବା ତେବେ ଯାଇ ଆମକୁ ଜିତିବା ସହଜ ହେବ।

Comment