ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାଲାଇଭ୍‌ ପକ୍ଷରୁ ଆରମ୍ଭ ହୋଇଛି ନୂଆ ଫିଚର୍‌ – ଲକ୍‌ଡାଉନ୍‌ ଡାଏରି। ପଢ଼ନ୍ତୁ ନିଜର ଲକ୍‌ଡାଉନ୍‌ ଅନୁଭୂତି ବର୍ଣ୍ଣନା କରି କଣ କହିଛନ୍ତି ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ସୁସ୍ମିତା ଦାସ।  

ଆଧୁନିକ ସଙ୍ଗୀତ ହେଉ ବା ଗଜଲ, ଭକ୍ତି ସଙ୍ଗୀତ ହେଉ ବା ଲୋକଗୀତ ସବୁଥିରେ ରହିଛି ତାଙ୍କର ଦକ୍ଷତା। ସବୁ ପ୍ରକାରର ଗୀତ ଗାଇ ସେ ହୋଇଛନ୍ତି ସମସ୍ତଙ୍କ ପ୍ରିୟ। ରାଜ୍ୟ ଓ ରାଜ୍ୟ ବାହାରେ ଗୀତ ପରିବେଷଣ କରି ସୁନାମ ଅର୍ଜନ କରିଛନ୍ତି ସେ। ଏହି ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ହେଲେ ସୁସ୍ମିତା ଦାସ। ଏବେ ଲକଡାଉନ୍‌ରେ ତାଙ୍କ ସ୍ୱାମୀଙ୍କ ସହିତ ସେ ନୂଆଦିଲ୍ଲୀରେ ଅଛନ୍ତି ଓ କେମିତି ସମୟ ବିତାଉଛନ୍ତି ଆସନ୍ତୁ ଜାଣିବା।

 ଲକ୍‌ଡାଉନ ସମୟରେ କେମିତି କଟୁଛି ଆପଣଙ୍କ ନିତିଦିନିଆ ରୁଟିନ୍‌?

ମୁଁ ଏହି ଲକଡାଉନ୍ ସମୟରେ ମୋ ସ୍ୱାମୀଙ୍କ ସହ ନୂଆଦିଲ୍ଲୀରେ ଅଛି। ଯେହେତୁ ଆମେ ଦୁହେଁ ନିଜ ନିଜ କାମରେ ଏତେ ବ୍ୟସ୍ତ ରହୁ ଯେ ଆମକୁ ଏତେ ଲମ୍ବା ସମୟ ଏକାଠି ରହିବା ପାଇଁ ସୁଯୋଗ ମିଳୁ ନଥିଲା। ଏବେ କିନ୍ତୁ ମୋର ସମୟ ବହୁତ ଭଲରେ କଟୁଛି। ସକାଳ ଆଠଟାରୁ ଗୋଟେ ଘଣ୍ଟା ରିଆଜ୍ କରୁଛି । ତାପରେ ମୋ ସଙ୍ଗୀତର ସାଥୀ ଓ ସହାୟକମାନଙ୍କ ସାଙ୍ଗରେ ସଙ୍ଗୀତ ଚର୍ଚ୍ଚା ଓ ଅନଲାଇନ୍‌ ଅଭ୍ୟାସରେ ସମୟ କଟି ଯାଉଛି।

ତା’ପରେ ଗୋଟେ ଘଣ୍ଟା ଦଶଟାରୁ ବାରଟା ରୋଷେଇରେ ଯାଉଛି। ଏବେ ମୁଁ ବହୁତ ନୂଆ ନୂଆ ଖାଦ୍ୟ କରୁଛି। ଦ୍ୱିପ୍ରହରରେ ଗୋଟେ ଭଲ ଫିଲ୍ମ ଦେଖୁଛି। ପାଞ୍ଚଟାରୁ ଛଅଟା ବ୍ୟାୟାମ କରୁଛି ଆଉ ତା’ପରେ ଘଣ୍ଟେ ଚଲାବୁଲାରେ ସମୟ ବିତାଉଛି। ରାତିରେ କିଛି ସମୟ ଅନଲାଇନ୍‌ ଲୁଡୋ ଖେଳରେ ସମୟ ଯାଉଛି।

ଏଇ ସମୟରେ ଆପଣ କଣ କରୁଛନ୍ତି ଯାହା ବର୍ଷ ବର୍ଷ ଧରି କରିପାରୁ ନଥିଲେ?

ବହୁତ ଦିନ ପରେ ଏତେ ଏନ୍‌ଜୟ କରି ରୋଷେଇ କରୁଛି। ରୋଷେଇ କରିବାକୁ ସମୟ ପାଇଛି। ପୁରୁଣା ସାଙ୍ଗମାନଙ୍କ ସହ ଗପ ଆଉ ଲୁଡୋ ଖେଳି ବହୁତ ମଜ୍ଜା ଆସୁଛି। ଲକଡାଉନରେ ସ୍ପେଶାଲ ପ୍ରୋଜେକ୍ଟ ଚାଲିଛି। କିନ୍ତୁ ତା’ ବର୍ତ୍ତମାନ ସିକ୍ରେଟ।

ସୁସ୍ମିତାଙ୍କ କହିବା କଥା ଲକଡାଉନରେ ସବୁଠୁ ବଡ ଶିକ୍ଷା ମିଳିଲା ଯେ ସକରାତ୍ମକ ମନୋଭାବ ରହିଲେ ସବୁ ଠିକ୍ ଚାଲିବ। ସବୁ ବିପତ୍ତି ଢଳିଯିବ, କେବଳ ଧୈର୍ଯ୍ୟ ରଖିବା ଆବଶ୍ୟକ। ସକରାତ୍ମକ ମନୋଭାବ ଦ୍ୱାରା ସବୁ ବିପତ୍ତିର ସାମନା କରିହେବ।

ନିଜର ଭିନ୍ନ ଶୈଳୀରେ ଗାୟନ ଯୋଗୁଁ ଓଡିଶାରେ ବେଶ୍ ପରିଚିତ ସୁସ୍ମିତା ଦାସ । ରସଗୋଲା ଗୀତ ହେଉ କି ହାତୀ ସଜ କର ମାଏ ଘୋଡା ସଜ କର, ତାଙ୍କ ସବୁ ଗୀତକୁ ଦର୍ଶକେ ବେଶ୍ ପସନ୍ଦ କରିଛନ୍ତି ।

Comment