ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାଲାଇଭ୍‌ ପକ୍ଷରୁ ଆରମ୍ଭ ହୋଇଛି ନୂଆ ଫିଚର୍‌ – ଲକ୍‌ଡାଉନ୍‌ ଡାଏରି। ପଢ଼ନ୍ତୁ ନିଜର ଲକ୍‌ଡାଉନ୍‌ ଅନୁଭୂତି ବର୍ଣ୍ଣନା କରି କଣ କହିଛନ୍ତି ଗାୟିକା ବର୍ଣ୍ଣାଳି ହୋତା।

ନିଜ ସଙ୍ଗୀତ ସ୍ୱରରେ ସମସ୍ତଙ୍କୁ ଭିଜାଇ ବେଶ ପରିଚିତ ସେ। ୨୦୧୭ରେ ସଙ୍ଗୀତ ଭିତ୍ତିକ ଟିଭି ରିଆଲିଟି ସୋ‘ ‘ଦିଲ୍‌ ହୈ ହିନ୍ଦୁସ୍ତାନୀ’ରେ ରନର୍ସ ଅପ୍‌ ହୋଇ ଓଡ଼ିଶା ପାଇଁ ସେ ଆଣିଛନ୍ତି ଗର୍ବ ଓ ଗୌରବ। ପ୍ରତି ଗୀତକୁ ନୂଆ ଅନ୍ଦାଜରେ ଗାଇ ସେ ସୃଷ୍ଟି କରିଛନ୍ତି ନିଆରା ପରିଚୟ। ଆମେ କହୁଛୁ ଗାୟିକା ବର୍ଣ୍ଣାଳି ହୋତାଙ୍କ କଥା। ଯିଏ ତାଙ୍କ ସୁମଧୂର ସ୍ୱରରେ ଶ୍ରୋତାଙ୍କୁ ଦେଇଛନ୍ତି ଅନେକ ଗୀତ ଉପହାର। ଏବେ ଆପଣ ଭାବୁଥିବେ ଏହି ଲକଡାଉନ ସମୟରେ ବର୍ଣ୍ଣାଳି କ’ଣ କରୁଛନ୍ତି। ଆଗାମୀ ଦିନରେ ସେ ତାଙ୍କ ପ୍ରଶଂସକ ପାଇଁ କେଉଁ ଗୀତ ଭେଟି ଦେଉଛନ୍ତି? ଯଦି ହଁ ତାହେଲେ ଆସନ୍ତୁ ଜାଣିବା ଲକ୍‌ଡାଉନରେ କେମିତି ସମୟ ବିତାଉଛନ୍ତି ବର୍ଣ୍ଣାଳି।

କେମିତି କଟୁଛି ବର୍ଣ୍ଣଳୀଙ୍କ ଦିନ?

ବର୍ଣ୍ଣାଳି ଏବେ ତାଙ୍କ ପରିବାର ସହିତ ଭୁବନେଶ୍ୱରରେ ଅଛନ୍ତି। ଅଧିକ ସମୟ ରିଆଜ କରିବାରେ ବିତାଉଛନ୍ତି। କରୋନା ପାଇଁ ତାଙ୍କର ଯେଉଁ ସବୁ ପରୀକ୍ଷା ବାତିଲ ହୋଇଛି ସେଥିପାଇଁ ବି ପ୍ରସ୍ତୁତ ହେଉଛନ୍ତି ସେ। ପ୍ରତିଦିନ କିଛି ନା କିଛି ନୂଆ କଥା ଶିଖୁଛନ୍ତି। ଘର କାମରେ ତାଙ୍କ ମାମାଙ୍କୁ ସାହାଯ୍ୟ କରୁଛନ୍ତି ବର୍ଣ୍ଣାଳି।

ପରିବାର ସହିତ ସମୟ ବିତାଇବାକୁ ସମୟ ମିଳିଥିବାରୁ ସେ ଭାରି ଖୁସି ଅଛନ୍ତି। କାରଣ ବର୍ଣ୍ଣାଳି କୋଲକାତାରେ ରହନ୍ତି। ଆଉ ତାଙ୍କ ବାପା, ମା’ ଭୁବନେଶ୍ୱରରେ। ଲକଡାଉନ ପାଇଁ ଏବେ ସେ ତାଙ୍କ ବାପା, ମା’ଙ୍କ ସହ ସମୟ ବିତାଇବାକୁ ସୁଯୋଗ ପାଇଛନ୍ତି।

‘‘ଗୋଟିଏ ନୂଆ ଗୀତ ପାଇଁ କାମ ଚାଲିଛି। ଏହାର ଡବିଂ ସିରି ଯାଇଛି। ଆମେ ଲକଡାଉନ୍‌ ହଟିବାକୁ ଅପେକ୍ଷା କରିଛୁ। ଯାହାଦ୍ୱାରା ଭିଡିଓ ପାର୍ଟ ପାଇଁ କାମ ଆରମ୍ଭ ହୋଇପାରିବ’’, କହିଛନ୍ତି ବର୍ଣ୍ଣାଳି।

ଲକଡାଉନ୍‌ କିଛି ବଡ଼ ଶିକ୍ଷା ଦେଇଛି କି?

କେବଳ ଲକ୍‌ଡାଉନ ନୁହେଁ ପୂରା ପରିସ୍ଥିତି ବହୁତ କିଛି ଶିଖାଇଛି। ବାହାରକୁ ଯିବା, ସାଙ୍ଗ ସାଥୀଙ୍କ ସହ ବୁଲିବା, ନିଜ ଲୋକଙ୍କ ସହ ସମୟ ବିତାଇବାକୁ କେବଳ ମଜା ମସ୍ତିରେ ନନେଇ ଏହାର ମୂଲ୍ୟ ବୁଝିବା ଦରକାର। କାରଣ ଜୀବନରେ ଏମିତି ସମୟ ଆସେ ଯେଉଁ ସମୟରେ ଏହି ସବୁ କରିବା ପାଇଁ ସୁଯୋଗ ମିଳେ ନାହିଁ। ତେଣୁ ସେହି ସମୟର ଗୁରୁତ୍ୱ ବୁଝିବା ଦରକାର। କୌଣସି ଜିନିଷକୁ ହାଲ୍‌କା ଭାବେ ନେବା କଥା ନୁହେଁ। ସବୁ ପରେ ଭଗବାନଙ୍କ ଉପରେ ବିଶ୍ୱାସ ରହିବା ଉଚିତ। ବିଜ୍ଞାନ ଏତେ ଉନ୍ନତି କରିଛି ତଥାପି କରୋନା ପାଇଁ ପ୍ରତିକାର ବାହାରି ପାରିନି। ତେଣୁ ସବୁଠୁ ଉପରେ ପ୍ରକୃତି। ତେଣୁ ପ୍ରକୃତିର ଯତ୍ନ ନେବା ଦରକାର। ପ୍ରକୃତି ସୁସ୍ଥ ରହିଲେ ଆମେ ସୁସ୍ଥ ରହିବା। ଆମେ ଯେତିକି ପ୍ରକୃତିକୁ ନଷ୍ଟ କରିଛନ୍ତି ସେତିକି ଏବେ ଭୋଗୁଛନ୍ତି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଆମେ ଏବେ ଯେମିତି ଅଛନ୍ତି ଭଲ ଅଛନ୍ତି। ଖାଇବାକୁ ମିଳୁଛି, ପରିବାର ସହ ସମୟ ବିତାଉଛନ୍ତି। କିନ୍ତୁ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ଏହି ପରିସ୍ଥିରେ ବହୁତ କଷ୍ଟରେ ଅଛନ୍ତି। ତେଣୁ ସେମାନଙ୍କ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ଦରକାର।

ଅନ୍ୟମାନଙ୍କୁ କ’ଣ ବାର୍ତ୍ତା ଦେବେ?

ସମସ୍ତଙ୍କୁ ଗୋଟିଏ କଥା କହିବି, ଘରେ ରହନ୍ତୁ, ସୁରକ୍ଷିତ ରହନ୍ତୁ। ଯଦି ଆପଣ କୌଣସି ଜରୁରୀ କାମରେ ବାହାରକୁ ଯାଉଛନ୍ତି ତେବେ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରନ୍ତୁ।  ଆଖପାଖରେ ଅନ୍ୟମାନଙ୍କୁ ବି ସାହାଯ୍ୟର ହାତ ବଢ଼ାନ୍ତୁ। କେବଳ ମଣିଷଙ୍କ ପ୍ରତି ନୁହେଁ ପଶୁ ପକ୍ଷୀଙ୍କ ପ୍ରତି ମଧ୍ୟ ଯତ୍ନବାନ ହୁଅନ୍ତୁ।

ବର୍ଣ୍ଣାଳୀ ହୋତା ୨୦୧୧ରେ ଲୋକପ୍ରିୟ ରିୟଲିଟି ସୋ ‘ସାରେଗାମାପା’ରେ ବି ଅଂଶ ଗ୍ରହଣ କରି ଓଡିଶାକୁ ସାରାଦେଶରେ ପରିଚୟ କରାଇଥିଲେ।

Comment