ଓଡ଼ିଶାଲାଇଭ୍ ବ୍ୟୁରୋ
ଆମ ଓଡ଼ିଆ ଭାରି ବଢ଼ିଆ। ଏହି ଅକ୍ଷରରେ ହୋଇପାରେ କେତେ ସୁନ୍ଦର ସୁନ୍ଦର କାର୍ଟୁନ। ଏହି ଲକଡାଉନରେ ‘ଓଡ଼ିଆ ଅକ୍ଷରରେ କାର୍ଟୁନ ଶିକ୍ଷା’ ଭଳି ନିଆରା ଅଭିଯାନ ଆରମ୍ଭ କରିଛନ୍ତି ଚିତ୍ରଶିଳ୍ପୀ କେଶୁ ଦାସ।
ବ୍ୟଙ୍ଗ ଚିତ୍ର ବା କାର୍ଟୁନ ସବୁବେଳେ ଲୋକଙ୍କୁ ହସର ଖୋରାକ ଯୋଗାଇଥାଏ। ବର୍ତ୍ତମାନ ଏହି ଲକଡାଉନ ସମୟରେ ସମୟକୁ ଅତିବାହିତ ପାଇଁ ବା ସମୟର ସଦୁପଯୋଗ କରିବା ପାଇଁ ସେମିତି କାର୍ଟୁନ କରି ପ୍ରତିଦିନ ଲୋକଙ୍କୁ ହସର ଖୋରାକ ଯୋଗାଉଛନ୍ତି ବାଲେଶ୍ୱରର ବିଶିଷ୍ଟ ଚିତ୍ରଶିଳ୍ପୀ ତଥା କାର୍ଟୁନିଷ୍ଟ କେଶୁ ଦାସ।
ବାଲେଶ୍ୱରର ରେମୁଣା ଗୋଲାଇ ନିକଟରେ ରହୁଥିବା କେଶୁ ଦାସ କାର୍ଟୁନ କରିବାରେ ମାଷ୍ଟର। ଓଡ଼ିଆ ଅକ୍ଷରଗୁଡ଼ିକୁ ନେଇ ସେ ସୁନ୍ଦର ସୁନ୍ଦର କାର୍ଟୁନ ତିଆରି କରୁଛନ୍ତି। କାର୍ଟୁନରେ ଓଡ଼ିଆ ଅକ୍ଷର ଶିକ୍ଷା ଭଳି ଏକ ନିଆରା ଅଭିଯାନ ଆରମ୍ଭ କରିଛନ୍ତି ସେ। ଏହାକୁ ଭିଡିଓ କରି ସେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ପୋଷ୍ଟ କରୁଛନ୍ତି। ତାଙ୍କ ସାନ ପୁଅ ଅଙ୍କିତ ଦାସ ନିଜ ମୋବାଇଲରେ ଏହି ଅକ୍ଷର ଓ ଚିତ୍ର ଶିକ୍ଷାକୁ ଭିଡ଼ିଓ କରନ୍ତି। ପରେ ମୋବାଇଲରେ ଏଡ଼ିଟିଂ ମଧ୍ୟ କରାଯାଏ।
ପ୍ରତିଦିନ ଏହି ସିରିଜ ଭିଡ଼ିଓ ପ୍ରସ୍ତୁତିରେ ତାଙ୍କ ପତ୍ନୀ କନକଲତା ବି ତାଙ୍କୁ ସହଯୋଗ କରୁଛନ୍ତି। ଲକ୍ଡାଉନ ବେଳେ ପୂରା ପରିବାରକୁ କେଶୁ ଦାସ ଏହି କାର୍ଯ୍ୟରେ ଲଗାଇଛନ୍ତି। ସବୁଠୁ ଖାସ କଥା ଏହି ଭିଡିଓକୁ ଅନ୍ୟମାନେ ଦେଖି ମଧ୍ୟ ଖୁବ୍ ସହଜରେ କାର୍ଟୁନ ଶିଖିପାରିବେ।
କାର୍ଟୁନ ବ୍ୟତୀତ ଅବଶିଷ୍ଟ ସମୟ ବାଡ଼ି ବଗିଚାରେ କାମ କରି ଓ ବହି ପଢ଼ି ସମୟ ଅତିବାହିତ କରୁଛନ୍ତି କେଶୁ ଦାସ। କେବଳ ସେ ନୁହେଁ ତାଙ୍କ ପୂରା ପରିବାର ଲକଡାଉନ ନିୟମକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି।
‘‘ଲକଡାଉନ୍ ମୋ ପାଇଁ ସମ୍ପୂର୍ଣ୍ଣ ଏକ ନୂଆ ଅନୁଭୂତି। କିନ୍ତୁ ଏହା ମତେ ବହୁତ କିଛି ଶିଖାଇଛି। ମୁଁ ପ୍ରତିଦିନ ୟୁଟ୍ୟୁବ ରେ ଗୋଟିଏ ଭିଡିଓ ପୋଷ୍ଟ କରୁଛି। ଓଡ଼ିଆ ଅକ୍ଷରରେ କେତେ ସୁନ୍ଦର କାର୍ଟୁନ କରି ହେବ ତାହା ଦେଖାଇ ପାରୁଛି। ଏଥିପାଇଁ ମୁଁ ନିଜକୁ ଧନ୍ୟ ମନେ କରୁଛି’’, କହିଛନ୍ତି କେଶୁ ଦସେ।
ଅନ୍ୟମାନେ ସମସ୍ତେ କରୋନା ଯୁଦ୍ଧରେ ଜଣେ ଜଣେ ଯୋଦ୍ଧା ହୋଇ ଏହି ଲଢ଼େଇ ଲଢ଼ନ୍ତୁ। ଏହି ମହାମାରୀକୁ ସମସ୍ତେ ମିଳିମିଶି ହରାନ୍ତୁ ବୋଲି କହିଛନ୍ତି ସେ।
ଗତ ନିର୍ବାଚନରେ ମଧ୍ୟ କେଶୁ ଦାସ କାର୍ଟୁନ କରି ଚର୍ଚ୍ଚାକୁ ଆସିଥିଲେ। ବାଲେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀର ପ୍ରମୁଖ ପ୍ରାର୍ଥୀଙ୍କ ସମେତ ୭ଟି ବିଧାନସଭା ନିର୍ବଚନମଣ୍ଡଳୀର କିଛି ପ୍ରାର୍ଥୀଙ୍କ କାର୍ଟୁନ କରିଥିଲେ। ଯାହା ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲିଥିଲା।