ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାଲାଇଭ୍‌ ପକ୍ଷରୁ ଆରମ୍ଭ ହୋଇଛି ନୂଆ ଫିଚର୍‌ – ଲକ୍‌ଡାଉନ୍‌ ଡାଏରି। ପଢ଼ନ୍ତୁ ନିଜର ଲକ୍‌ଡାଉନ୍‌ ଅନୁଭୂତି ବର୍ଣ୍ଣନା କରି କଣ କହିଛନ୍ତି ଗାୟିକା ପ୍ରଜ୍ଞା ପାତ୍ର।

ସମସ୍ତଙ୍କର ଜଣାଶୁଣା ଗାୟିକା ପ୍ରଜ୍ଞା ପାତ୍ର। ଗାୟିକା ହେବାର ସ୍ୱପ୍ନ ଦେଖି ଓଡ଼ିଆ ଝିଅ ପ୍ରଜ୍ଞା ଦିନେ ଗୁଗଲ କମ୍ପାନିରେ ଚାକିରି ଛାଡ଼ି ଦେଇଥିଲେ। ୨୦୧୧ରେ  ଭଏସ୍‌ ଅଫ୍‌ ବେଙ୍ଗାଳୁରୁ ଜିତିବା ପରେ କନ୍ନଡ ଫିଲ୍ମରେ ଗୀତ ଗାଇବାର ସୁଯୋଗ ପାଇଥିଲେ ସେ। ୨୦୧୫ରେ ଆଣ୍ଡ ଟିଭିରେ ପ୍ରସାରିତ ଦ ଭଏସ୍‌ ଇଣ୍ଡିଆରେ ଟପ୍‌ ୭ ଯାଏଁ ପହଞ୍ଚିଥିଲେ। ବଲିଉଡର ଜଣାଶୁଣା ଗାୟକ ଉଦିତ ନାରାୟଣ, ସାନ୍‌, ଶଙ୍କର ମହାଦେବେନ, ଅରିଜିତ ସିଂଙ୍କ ସହିତ ସେ ଗୀତ ଗାଇଛନ୍ତି। କରୋନା ପାଇଁ ସାରାଦେଶରେ ଲକଡାଉନ ରହିଥିଲା ବେଳେ ପ୍ରଜ୍ଞା ଏବେ ମୁମ୍ବାଇ ସ୍ଥିତ ତାଙ୍କ ଘରେ ଅଛନ୍ତି। ଏ ସମୟକୁ ଅଯଥା ନବିତାଇ କାମରେ ଲଗାଉଛନ୍ତି ସେ।

‘‘ଲକଡାଉନ୍‌ ଆମ ସମସ୍ତଙ୍କୁ ଗୋଟିଏ ସୁଯୋଗ ଦେଇଛି। ସେ ସୁଯୋଗ ହେଲା ନିଜକୁ ଜାଣିବା। ନିଜ ପାଇଁ କିଛି କରିବା। ମୁଁ ଏ ସମୟକୁ ନିଜକୁ ଦେଇ ଦେଇଛି। ଜଣେ ସିଙ୍ଗର, ମ୍ୟୁଜିକ କମ୍ପୋଜର ଭାବେ ଏ ସମୟରେ ମୁଁ ଅଧିକ ସମୟ ସଙ୍ଗୀତ ସାଧାନାକୁ ଦେଉଛି’’, କହିଛନ୍ତି ପ୍ରଜ୍ଞା।

ଲକଡାଉନରେ ନିଜକୁ ଫିଜିକାଲ ଫିଟ୍‌ ରଖିବା ପାଇଁ ପ୍ରଜ୍ଞା ଏବେ ବ୍ୟାୟାମ, ଯୋଗ କରୁଛନ୍ତି। ସବୁଠୁ ଖାସ କଥା ହେଲା ସେ ଏବେ ସକାଳୁ ଶୀଘ୍ର ଉଠୁଛନ୍ତି। ଶୀଘ୍ର ଶୋଇବା ଓ ସକାଳୁ ଉଠିବା ତାଙ୍କ ପାଇଁ ଆଗରୁ ଅସମ୍ଭବ ଥିଲା। କାରଣ ବିଭିନ୍ନ ପ୍ରୋଗ୍ରାମ ଓ ଅନ୍ୟାନ୍ୟ କାମ ପାଇଁ ଏହା ସମ୍ଭବ ନଥିଲା। ଏବେ ସେ ସମୟକୁ ଠିକ୍‌ ଭାବେ ବିନିଯୋଗ କରୁଛନ୍ତି।

ଲକଡାଉନ୍‌ରେ ପ୍ରଜ୍ଞାଙ୍କର ସ୍ପେଶାଲ ପ୍ରୋଜେକ୍ଟ କ’ଣ?

ଲକଡାଉନ ପାଇଁ ସମସ୍ତେ କାମ ଛାଡ଼ିଘରେ ବସିଥିଲା ବେଳେ ପ୍ରଜ୍ଞା କିନ୍ତୁ ଫାଙ୍କା ନାହାନ୍ତି। ଏବେ ସେ ଏକ ନୂଆ ଗୀତ ପାଇଁ କାମ କରୁଛନ୍ତି, ଯାହାକୁ ସେ ଏବେ ସିକ୍ରେଟ ରଖିବାକୁ ଚାହୁଁଛନ୍ତି। ଖୁବ୍‌ କମ୍‌ ଦିନରେ ତାଙ୍କର ନୂଆ ଗୀତ ରିଲିଜ୍‌ ହେବ।

”ଲକ୍‌ଡାଉନ ଆମ ସମସ୍ତଙ୍କୁ ଏକ ବଡ଼ ଶିକ୍ଷା ଦେଇଛି। ଆମେ ଯଦି ପ୍ରକୃତିର ଯତ୍ନ ନନେବା ତାହେଲେ ପ୍ରକୃତି ତା’ର କରାଳ ରୂପ ଦେଖାଇବ”, କହିଛନ୍ତି ପ୍ରଜ୍ଞା।

ଅନ୍ୟମାନଙ୍କୁ କ’ଣ ବାର୍ତ୍ତା ଦେବେ ପ୍ରଜ୍ଞା?

ପ୍ରଥମ କଥା ଏହି କରୋନାକୁ ରୋକବିାର ଗୋଟିଏ ଉପାୟ ହେଲା ସାମାଜିକ ଦୂରତା। ଯେଉଁମାନେ କଡ଼ାକଡ଼ି ଭାବେ ଏହାକୁ ପାଳନ କରୁଛନ୍ତି ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ। ସେହିମାନଙ୍କ ପାଇଁ କରୋନାକୁ କିଛି ମାତ୍ରାରେ ରୋକାଯାଇପାରୁଛି। ଯେଉଁମାନେ ଅମାନିଆ ହେଉଛନ୍ତି ସେମାନଙ୍କୁ ଅନୁରୋଧ ଦୟାକରି ସରକାରଙ୍କ ନିର୍ଦ୍ଦେଶନାମା ପାଳନ କରୁନ୍ତୁ। ଏ ସମୟ ସମସ୍ତେ ଏକାଠି ରହିବାର। ପରସ୍ପରକୁ ସହଯୋଗ କରିବାର। ଦ୍ୱିତୀୟ କଥା ସୋସିଆଲ ମିଡିଆରେ ଯାହାବି ଗୁଜବ ଆସୁଛି ତାକୁ ଭାଇରାଲ କରନ୍ତୁ ନାହିଁ। ସଠିକ ତଥ୍ୟକୁ ସମସ୍ତଙ୍କ ପାଖରେ ପହଞ୍ଚାନ୍ତୁ।

ପ୍ରଜ୍ଞା ଗୀତ ଗାଇବା ସହ କିବୋର୍ଡ, ତବଲା ବଜାଇବା ସଉକ ରଖିଛନ୍ତି। ନିଜେ ଗୀତ ଲେଖିବା ସହିତ ସେ ଏକ ପ୍ରଡକ୍ସନ ହାଉସ୍ ବି ଖୋଲିଛନ୍ତି। ବିଭିନ୍ନ ଭାଷାରେ ଗୀତ ଗାଇ ସେ ଶ୍ରୋତାଙ୍କ ମହଲରେ ଏକ ପରିଚୟ ସୃଷ୍ଟି କରିଛନ୍ତି।

Comment