ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଆମ ଘରକୁ ଆସୁନାହିଁ ଆମେ ବଜାର ବୁଲିବାକୁ ଯାଇ ତାକୁ ଡାକି ଆଣୁଛନ୍ତି ତେଣୁ ବଜାରକୁ ଯିବା ନାହିଁ କି କରୋନାକୁ ଆଣିବା ନାହିଁପଢ଼ନ୍ତୁ ଲକଡାଉନ୍‌ ଅନୂଭୂତି ବର୍ଣ୍ଣନା କରି କ’ଣ କହିଛନ୍ତି ପେପରମ୍ୟାନ ଶଶାଙ୍କ ଶେଖର ଦାଶ।

‘‘ଲକଡାଉନ୍‌ ସମସ୍ତଙ୍କ ପାଇଁ କିଛି ନୂତନ ଅଭିଜ୍ଞତା ଆଣିଦେଇଥିଲା ବେଳେ ମୋ ପାଇଁ ମଧ୍ୟ ଘରେ ରହିବାର ଏକ ନିଆରା ଅନୁଭବ ଆଣି ଦେଇଛି। ପୂର୍ବରୁ ଅଫିସ କାମ ପାଇଁ ମୁଁ ମାସରେ ଅଧେ ଦିନ ଘରେ ରହୁନଥିଲା ବେଳେ ବାକି ଅଧାଦିନ ସକାଳ ୯ରୁ ରାତି ୭ ପର୍ଯ୍ୟନ୍ତ ବାହାରେ ରହିଥାଏ। ଏବେ କିନ୍ତୁ ପୂରା ୨୪ ଘଣ୍ଟା ଘର ଭିତରେ ରହିବାକୁ ପଡ଼ୁଛି’’, କହିଛନ୍ତି ପେପରମ୍ୟାନ ଶଶାଙ୍କ।

ସେ ଆହୁରି ମଧ୍ୟ କହିଛନ୍ତି,‘‘ ପ୍ରଥମେ ପ୍ରଥମେ ଭାବୁଥିଲି ସମୟ କଟିବ ନାହିଁ। ନିଜ ଗାଁ ଯାଜପୁରର ବରୀ ଅରଙ୍ଗାବାଦକୁ ପଳାଇଥିଲେ ସୁବିଧା ହୋଇଥାନ୍ତା। ଗାଁରେ ଥିବା ମୋର ସଂଗ୍ରୃହିତ ଖବରକାଗଜ ସହ ସମୟ ବିତିଥାନ୍ତା। ଖବରକାଗଜକୁ ଭାଷା, ଦେଶ ଓ ରାଜ୍ୟ ଅନୁଯାୟୀ ସଜାଡ଼ି ରଖିବାକୁ ସମୟ ମିଳିଥାନ୍ତା। ମୋ ଅଫିସ ଇଣ୍ଡିଆନ ଗ୍ରାମୀନ ସର୍ଭିସେସ (ଆଇଜିଏସ୍‌) ଯେତେବେଳେ ୱାର୍କ ଫ୍ରମ ହୋମ ଘୋଷଣା କଲା ସେତେବେଳେ ସମୟ କଟିବାର ବ୍ୟବସ୍ଥା ଆସିଗଲା।’’

ଶଶାଙ୍କ ଖବରକାଗଜ ସଂଗ୍ରହ କରି ନିଜକୁ ପେପରମ୍ୟାନ ଇଣ୍ଡିଆ ଭାବେ ପରିଚିତ କରାଇପାରିଛନ୍ତି। ସେ ଖବରକାଗଜ ସଂଗ୍ରହ ପାଇଁ ୫ଟି ଲିମ୍‌କା ବୁକ୍ ଅଫ ରେକର୍ଡସ, ଗୋଟିଏ ଇଣ୍ଡିଆ ବୁକ୍ ଅଫ ରେକର୍ଡସ ଓ ଗୋଟିଏ କ୍ରେଡ଼େନସ ୱାର୍ଲ୍ଡ ରେକର୍ଡ କରିଛନ୍ତି।

କେମିତି କଟୁଛି ନିତିଦିନଆ ରୁଟିନ୍‌?

ଏବେ ସକାଳୁ ଉଠିଲା ପରେ ପ୍ରଥମେ ନିଜର ନିତ୍ୟକର୍ମ ସାରିବା ପରେ ଛାତ ଉପରେ କିଛି ସମୟ ଚାଲୁଛି। ପୁଅ ଉଠିଲା ପରେ ତାକୁ ପିଠିରେ ପକାଇ ପୁଣି ୪/୫ ରାଉଣ୍ଡ ମାରୁଛି । ପତ୍ନି ଆଉ ପୁତ୍ର ସହ ମିଶି କିଛି କିଛି ବ୍ୟାୟାମ କରୁଛି। ଘର ଠାକୁର ପୂଜା କରିବା ଏବେ ମୋ ଉପରେ ପଡ଼ିଯାଇଛି। ସେ ସବୁ ସରିବା ପରେ ଅଫିସ କାର୍ଯ୍ୟ କରିବାକୁ ବସିପଡ଼ୁଛି। ଲକଡାଉନ ଆରମ୍ଭ ଦିନରୁ ଏହାମଧ୍ୟରେ ଏକ ତ୍ରୟମାସିକ ରିପୋର୍ଟ, ୩ଟି କେସ ଷ୍ଟଡି, ଗୋଟିଏ ଟ୍ରେନିଙ୍ଗ ପିପିଟି, ଗୋଟିଏ ଟ୍ରେନିଙ୍ଗ ମଡ୍ୟୁଲ, ଗୋଟିଏ ବିଜିନେସ ପ୍ଲାନ ଓ ଆଉ କେତୋଟି ଛୋଟ ଛୋଟ ରିପୋର୍ଟ କରିସାରିଛି। ବିଶେଷକରି ହାର୍ଡ ଡ଼୍ରାଇଭରେ ଥିବା ବିଭିନ୍ନ ତଥ୍ୟକୁ ଠିକ ଭାବେ ରଖିପାରିଛି। ଯେତେବେଳେ ଯେଉଁ ଡାଟା ଖୋଜିଲେ ତୁରନ୍ତ ତାହା ମିଳିଯିବ। ପ୍ରତ୍ୟେକ ଦିନ ମୁଁ କାର୍ଯ୍ୟ କରୁଥିବା ମଙ୍ଗଳାଯୋଡ଼ି ଇକୋଟୁରିଜିମ ଟ୍ରଷ୍ଟର ସଭ୍ୟମାନଙ୍କ ସହ ଓ ମୋର ସହକର୍ମୀ (ଓଡ଼ିଶା ଓ ମଧ୍ୟପ୍ରଦେଶ)ମାନଙ୍କ ସହ ଫୋନରେ କଥା ହେଉଛି। କଥା ନହେଲେ ଭଲ ଲାଗୁନାହିଁ ।

ସମୟ ସମୟରେ ସରକାର ଓ ଆମ ଅଫିସ ଆଇଜିଏସ୍ ପକ୍ଷରୁ କୋଭିଡ଼-୧୯ ମୁକାବିଲା ପାଇଁ ଯେଉଁ ନିର୍ଦ୍ଦେଶନାମା ଜାରୀ କରାଯାଉଛି ତାହାକୁ ଅନ୍ୟମାନଙ୍କୁ ପ୍ରେରଣ କରୁଛି ଓ ପାଳନ ପାଇଁ ଅନୁରୋଧ କରୁଛି। ଆମେ ଘରେ ମୁଁ ଆଉ ମୋ ସ୍ତ୍ରୀ ରାଧାରାଣୀ ଓ ପୁତ୍ର ସାଇବ୍ରତ ସରକାରଙ୍କ ନିର୍ଦ୍ଦେଶାବଳୀକୁ ସଂପୂର୍ଣ୍ଣ ରୂପେ ପାଳନ କରୁଛୁ। ଘରଠାରୁ ମାତ୍ର ୧ କିମି ଦୂରରେ ବଜାର ଥିଲେ ମଧ୍ୟ ମୁଁ ସେଠାକୁ ଯାଉନାହିଁ। ଘର ନିକଟକୁ ଯେଉଁ ଠେଲା ଆସୁଛି ସେଇଠୁ ପରିବା ରଖୁଛୁ। କଲୋନୀରେ ଥିବା ଛୋଟ ଗ୍ରୋସରୀ ଦୋକାନରୁ ଅନ୍ୟାନ୍ୟ ଜିନିଷ ସଂଗ୍ରହ କରୁଛୁ।

ଲକଡାଉନ୍‌ରେ  ସ୍ପେଶାଲ ପ୍ରୋଜେକ୍ଟ କ’ଣ ଚାଲିଛି?

ଏଠାରେ ଯେଉଁ କିଛି ସଂଗ୍ରୃହିତ ଖବରକାଗଜ ଥିଲା ତାହାକୁ ସଜାଡ଼ିବାର ପ୍ରୟାସ ଆରମ୍ଭ କରିଛି। ତେବେ ଏହି ପ୍ରୟାସରୁ ଏକ ନୂତନ କାର୍ଯ୍ୟକ୍ରମ ମୁଣ୍ଡକୁ ଆସିଲା। ଏବେ ମୁଁ ସେହି ନୂଆ କାର୍ଯ୍ୟ କରିବାରେ ଲାଗି ପଡ଼ିଛି। ପୂର୍ବରୁ ଖବରକାଗଜ ଉପରେ ମୁଁ ଏକ କ୍ଷୁଦ୍ର ପୁସ୍ତିକା “ଖବରକାଗଜ ଅନେକ କଥା’’ ପ୍ରକାଶ କରିଥିଲି। ଏବେ ଖବରକାଗଜ ଉପରେ ଏକ ଡାଇରେକ୍ଟୋରି ଆରମ୍ଭ କରିଛି। ପ୍ରଥମେ ଓଡ଼ିଶାରୁ ପ୍ରକାଶ ପାଉଥିବା ଦୈନିକ ଖବରକାଗଜ ଉପରେ ଏହା କରିବାକୁ ଇଛା। ଏହି କାମ କିଛି ମାତ୍ରାରେ ଆରମ୍ଭ ହୋଇଯାଇଛି। ଯେଉଁ ଦୈନିକ ମୁଁ ସଂଗ୍ରହ କରିଛି କେବଳ ତା’ ମଧ୍ୟରେ ଥିବା ତଥ୍ୟକୁ ନେଇ ଏହା କରିବି।

ଏଥିରେ ପ୍ରତ୍ୟେକ ଖବରକାଗଜର ତଥ୍ୟ ସହ ଏହାର ମାଷ୍ଟ ହେଡ଼ ଫଟୋ ରହିବ। ଅନ୍ୟ ଅନେକ ଡାଇରେକ୍ଟୋରି ପରି ଏହା ନହୋଇ ଟିକେ ଭିନ୍ନ ହେବ। ଏହା ସାଧାରଣ ପାଠକ, ଗବେଷକ, ସାମ୍ବାଦିକତା ଛାତ୍ରଛାତ୍ରୀ, ଅନିସନ୍ଧିଛୁ ଓ ଅନ୍ୟମାନଙ୍କୁ ଖବରକାଗଜ ଉପରେ ଏକ ବିଷଦ ତଥ୍ୟ ଯୋଗାଇବ ବୋଲି ମୋର ଆଶା। ଏହାଛଡ଼ା ଲକଡ଼ାଉନ ସରିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଓ ପୂର୍ବତନ ତାମିଲନାଡୁ ମୂଖ୍ୟମନ୍ତ୍ରୀ କରୁଣାନିଧିଙ୍କ ୨ୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଦୁଇଟି ପ୍ରଦର୍ଶନୀ କରିବାର ଯୋଜନା ମଧ୍ୟ ରହିଛି। ଏ ସଂପର୍କରେ କାର୍ଯ୍ୟକ୍ରମ ହାତକୁ ନେଉଛି।

ଲକଡାଉନ୍ ଜୀବନର କିଛି ବଡ଼ ଶିକ୍ଷା ଦେଇଛି କି?

ଲକ୍‌ଡାଉନ ପ୍ରତ୍ୟେକ ବ୍ୟକ୍ତିକୁ କିଛି ନା କିଛି ଶିକ୍ଷା ପ୍ରଦାନ କରିଥିବ। ମୋତେ ମଧ୍ୟ ଅନେକ ଶିକ୍ଷା ଦେଲା। ଘରେ ଯେ ଏତେ ସମୟ ରହିହେବ ତାହା ମୁଁ ଭାବି ପାରୁ ନଥିଲି। ଘରେ ରହିଲେ ଖବରକାଗଜ ସଂଗ୍ରହ ବ୍ୟତୀତ ଆହୁରି ଅନେକ କାମ କରାଯାଇ ପାରିବ। ସମୟ ସମୟରେ ପତ୍ନିଙ୍କୁ ରୋଷେଇ କାମରେ ସହାୟତା, ପୁଅକୁ ବିଭିନ୍ନ ଖେଳନା ପ୍ରସ୍ତୁତରେ ସାହାଯ୍ୟ, ପୁଅକୁ ପାଠ ପଢାଇବା, ପୁଅ ସହିତ ଖେଳିବା ଆଦି କାର୍ଯ୍ୟ ଏବେ ମୋ ଦ୍ୱାରା ହୋଇ ପାରୁଛି।

ଏଇ ସମୟରେ କ’ଣ ବାର୍ତ୍ତା ଦେବେ?

ସମସ୍ତଙ୍କୁ ଗୋଟିଏ କଥା କହିବି, ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ। କରୋନା ଆମ ଘରକୁ ଆସୁନାହିଁ। ଆମେ ବଜାର ବୁଲିବାକୁ ଯାଇ ତାକୁ ଡାକି ଆଣୁଛନ୍ତି ତେଣୁ ବଜାରକୁ ଯିବା ନାହିଁ କି କରୋନାକୁ ଆଣିବା ନାହିଁ। ନିହାତି ଯଦି ଯିବାର ଆବଶ୍ୟକତା ପଡ଼ୁଛି ତେବେ ମାସ୍କ ପିନ୍ଧି ଯିବା। ଫେରିବା ପରେ ହାତକୁ ସାନିଟାଇଜ କରିବା କିମ୍ବା ୨୦ ସେକେଣ୍ଡ ଯାଏ ହାତକୁ ସାବୁନରେ ଧୋଇବା।

ଗିନିସ ୱାଲ୍ଡ ରେକର୍ଡ଼ ପାଇଁ ଶଶାଙ୍କଙ୍କ ନାମ ମନୋନୀତ ହୋଇ ସମସ୍ତ ତଥ୍ୟ ପ୍ରେରଣ ହୋଇଛି । ସେ ମଧ୍ୟ ଇଂଟରନ୍ୟାସନାଲ ଗାନ୍ଧୀ ପିସ ଆମ୍ବାସଡ଼ର ଭାବେ କାର୍ଯ୍ୟ କରୁଛନ୍ତି। ମଙ୍ଗଳାଯୋଡ଼ିକୁ ବିଶ୍ୱରେ ପରିଚିତ କରାଇବାରେ ତାଙ୍କର ପ୍ରମୁଖ ଅବଦାନ ରହିଛି। ତାଙ୍କ କଂପାନି ଇଣ୍ଡିଆନ ଗ୍ରାମୀନ ସର୍ଭିସେସ (ଆଇଜିଏସ୍‌) ଓ ଆର୍‌ବିଏସ୍ ଫାଉଣ୍ଡେସନ ଇଣ୍ଡିଆର ମିଳିତ ଉଦ୍ୟମରେ ମଙ୍ଗଳାଯୋଡ଼ି ଆଜି ପକ୍ଷୀ ସଂରକ୍ଷଣର ପେଣ୍ଠସ୍ଥଳୀ ପାଲଟିଛି।

Comment