ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ ଦୁଇଦିନ ହେବ ରାଜ୍ୟର କେତକ ସ୍ଥାନରେ କାଳବୈଶାଖୀ ବର୍ଷା ଲାଗି ରହିଛି। ଘଡ଼ଘଡ଼ି ସହ ପବନ ବର୍ଷା ହୋଇଥିବାରୁ ଜନଜୀବନ ପ୍ରଭାବିତ ହୋଇଛି। ଆସନ୍ତା ୩ ଦିନ ଯାଏଁ ଏଭଳି ପାଗ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

୨୪ ଗଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବ ରହିବ। ଏଥିପାଇଁ କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବୌଦ୍ଧ, ସମ୍ଵଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, ଖୋର୍ଦ୍ଧା ଓ ଝାରସୁଗୁଡ଼ା ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ସୁନ୍ଦରଗଡ଼, କଳାହାଣ୍ଡି, ସମ୍ଵଲପୁର ଓ କେନ୍ଦୁଝର ଜିଲ୍ଲାରେ ଝଡ଼ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏପ୍ରିଲ ୨୮ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ସେହିପରି ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା କାଳବୈଶାଖୀ ବର୍ଷାରେ ନାକେଦମ ହୋଇଛି ରାଜଧାନୀ। ଏକ ଘଣ୍ଟା ଧରି ଲାଗି ରହିଥିବା ଏହି ବର୍ଷା ଯୋଗୁଁ ଭୁବନେଶ୍ଵରର ଅନେକ ସ୍ଥାନ ଜଳାର୍ଣ୍ଣବ ହୋଇଛି।

Comment