ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଭିଡ୍-୧୯ ମହାମାରୀ ସାରା ବିଶ୍ୱ ଅର୍ଥନୀତି ଉପରେ ବିଶେଷ ଭାବେ ପ୍ରଭାବ ପକାଇଛି। ଏହାର ସୁନାର ଦାମକୁ ମଧ୍ୟ ବଢାଇ ଦେଇଛି। କିଛି ଦିନ ମଧ୍ୟରେ ଏହାର ମୁଲ୍ୟରେ ବ୍ୟାପକ ବୃଦ୍ଧି ଘଟିଛି। ଯେହେତୁ ଅନ୍ତରାଷ୍ଟ୍ରିୟ ଅର୍ଥବ୍ୟବସ୍ଥା ଉପରେ କୋଭିଡ୍-୧୯ର ପ୍ରହାର ଜାରି ରହିଛି ତେଣୁ ଆଗକୁ ମଧ୍ୟ ସୁନାର ମୁଲ୍ୟ ବଢ଼ିବ ବୋଲି ବିଶେଷଜ୍ଞ କୁହନ୍ତି। ତେବେ ସେମାନଙ୍କ କହିବା ହେଉଛି ଆପଣଙ୍କ ପୋର୍ଟଫୋଲିଓରେ ସୁନା ନିବେଶର ଅଂଶ ୧୦ରୁ ୧୫ ପ୍ରତିଶତ ଭିତରେ ରହିବା ଆବଶ୍ୟକ। ଏହାଠାରୁ ଅଧିକ ଠିକ୍ ନୁହେଁ। ଆସନ୍ତୁ ଏଠାରେ ଆମେ ସୁନାରେ ନିବେଶର କିଛି ଉପାୟ ବାବଦରେ ଜାଣିବା।

ସୁନାକୁ ଅଳଙ୍କାର ହିସାବରେ କିଣାଯାଇ ପାରିବ। ତେବେ ଅଳଙ୍କାର କିଣିବା ବେଳେ ଏହାର କ୍ୱାଲିଟି, ସୁରକ୍ଷାକୁ ନେଇ ଚିନ୍ତା ରହିଥାଏ। ଏହାସହ ମେକିଂ ଚାର୍ଜ ଆଦି ଏହାକୁ ଅଧିକ ଦାମି କରିଦେଇଥାଏ। ତେଣୁ ବିଶେଷଜ୍ଞ ସୁନାକୁ ଫିଜିକାଲ ଫର୍ମରେ ନକିଣିବାକୁ ପରାମର୍ଶ ଦେଇଥାନ୍ତି।

ସୁନାକୁ ଜୁଏଲାରୀ, ବ୍ୟାଙ୍କ କିମ୍ବା ଅନ୍ୟ ମାଧ୍ୟମରେ ମୁଦ୍ରା କିମ୍ବା ବିସ୍କୁଟ୍ ହିସାବରେ କିଣାଯାଇପାରେ। କିନ୍ତୁ ଏଥିରେ ମଧ୍ୟ ସୁରକ୍ଷା ଗୋଟିଏ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଥାଏ। ହୋଲମାର୍କ ଦେଖି ସୁନା ବିସ୍କୁଟ୍ କିମ୍ବା ମୁଦ୍ରା କିଣିଲେ ମଧ୍ୟ ଠକେଇର ସମ୍ଭାବନା ଥାଏ। ଏହାସହ ସୁନା ଚୋରି ହେବାର ଭୟ ଥାଏ।

ଏକ୍ସଚେଞ୍ଜ ଟ୍ରେଡେଡ୍ ଫଣ୍ଡ୍ (ଇଟିଏଫ୍) ସୁନା କିଣିବାର ସବୁଠୁ ଶସ୍ତା ମାଧ୍ୟମ। ଏଥିରେ ସୁନାକୁ ପେପର ଫର୍ମାଟରେ ଏକ୍ସଚେଞ୍ଜରୁ କିଣା ଓ ବିକା ଯାଇପାରେ। ଇଟିଏଫ୍ ୟୁନିଟକୁ ରିଡିମ୍ କରିବାରେ ଟ୍ୟାକ୍ସ ଦେବାକୁ ମଧ୍ୟ ପଡ଼େ।

ଏହି ଧାତୁକୁ କିଣିବାର ଆଉ ଗୋଟିଏ ମାଧ୍ୟମ ହେଉଛି ସୋଭରେନ୍ ଗୋଲ୍ଡ ବଣ୍ଡ୍। ଏହି ବଣ୍ଡକୁ ସରକାର ଜାରି କରିଥାନ୍ତି। କିଛି ମାସ ଅନ୍ତରାଳରେ ସରକାର ଏହି ବଣ୍ଡ ଜାରି କରନ୍ତି। ଏହା ଲମ୍ବା ଅବଧି ପାଇଁ ସୁନାରେ ନିବେଶର ଭଲ ବିକଳ୍ପ। ଏଭଳି ବଣ୍ଡକୁ ଭଙ୍ଗାଇବା ପାଇଁ ଟ୍ୟାକ୍ସ ମଧ୍ୟ ଦେବାକୁ ପଡ଼େ ନାହିଁ।

ଡିଜିଟାଲ ଗୋଲ୍ଡ ଅନଲାଇନ୍ ପ୍ଲାଟଫର୍ମ ଜରିଆରେ ସୁନାରେ ନିବେଶର ଆଉ ଗୋଟିଏ ମାଧ୍ୟମ।ଏଥିରେ ସୁନାକୁ ସୁରକ୍ଷିତ ଭାବେ ଷ୍ଟୋରରେ ରଖାଯାଇଥାଏ। ଏହାକୁ ରିଡିମ୍ କରାଯାଇପାରେ କିମ୍ବା ଭେଣ୍ଡରକୁ ପୁଣିଥରେ ବିକ୍ରି କରାଯାଇପାରେ।

Comment