ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଯାଜପୁର ଜିଲ୍ଲାକୁ କରୋନା କବଳରୁ ରକ୍ଷା କରିବା ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ। ଜିଲ୍ଲାର ପାଞ୍ଚୋଟି ବ୍ଲକ ସମେତ ଗୋଟିଏ ପୌରାଞ୍ଚଳକୁ ୫୬ ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା କରାଯାଇଛି।

ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ, ବିଞ୍ଝାରପୁର ବ୍ଲକ, କୋରେଇ ବ୍ଲକ, ବରୀ ବ୍ଲକ, ଯାଜପୁର ବ୍ଲକ ସମେତ ଯାଜପୁର ପୌରପାଳିକାକୁ ସଟଡାଉନ୍ ଘୋଷଣା କରାଯାଇଛି। ଏହି ସଟଡାଉନ୍ ସୋମବାର ଦିନ ୧୨ଟାରୁ ଆରମ୍ଭ ହୋଇ ୨୯ ତାରିଖ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରହିବ।ଏହି ସମୟରେ କେବଳ ଔଷଧ ଦୋକାନକୁ ଛାଡ଼ି ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ। ସଟଡାଉନ୍ ସମୟରେ ସମସ୍ତ ପ୍ରକାର ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି।

ଏହି ସମୟରେ କ୍ୱାରେଣ୍ଟାଇନରେ ରହୁଥିବା ବ୍ୟକ୍ତିମାନଙ୍କର ସାମ୍ପୁଲ ସଂଗ୍ରହ ପକ୍ରିୟାକୁ ତ୍ୱରାନ୍ୱିତ କରାଯିବ। ଫଳରେ ଜିଲ୍ଲାକୁ କରୋନା ମୁକ୍ତ କରାଯାଇପାରିବ ବୋଲି ଜିଲ୍ଲା ପ୍ରଶାସନ କହିଛି। ସଟଡାଉନ୍ ଉଠିବା ପରେ ପୂର୍ବଭଳି ଦୋକାନଗୁଡ଼ିକ ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଖୋଲାରହିବ।

ଯାଜପୁର ଜିଲ୍ଲାରେ ଏବେ ୧୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଦଶରଥପୁରର ୯ ଜଣ ହୋଇଥିବାବେଳେ ୭ ଜଣ ଯାଜପୁର ବ୍ଲକର ବୋଲି ଜଣାପଡ଼ିଛି। ସେହିପରି କୋରେଇ ବ୍ଲକରୁ ମଧ୍ୟ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comment