ସୁରସିଂହ ପଟ୍ଟନାୟକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଓଡ଼ିଶାଲାଇଭ୍‌ର ଗଭୀର ଶ୍ରଦ୍ଧାଞ୍ଜଳି। ଏହି ଅବସରରେ ମଧୁ ବାବୁଙ୍କ ଜୀବନୀ ଓ ଦର୍ଶନ ସହିତ ଲୋକଙ୍କୁ ଯୋଡ଼ିବା ପାଇଁ ଓଡ଼ିଶାଲାଇଭ୍‌ର ଏକ ପ୍ରୟାସ।

ଉତ୍କଳ ଗୌରବ ମଧୁସୂଦନ ହେଉଛନ୍ତି ଓଡ଼ିଶାର ସର୍ବପ୍ରଥମ ଓଡ଼ିଆ ରାଜନୈତିକ ପୁରୁଷ। ତାଙ୍କଠାରୁ ଆରମ୍ଭ ହୋଇଛି ଓଡ଼ିଆମାନଙ୍କର ରାଜନୈତିକ ପରମ୍ପରା। ମଧୁସୂଦନ ଓଡ଼ିଶାର ରାଜନୈତିକ ପଟ୍ଟଭୂମିରେ ଊନବିଂଶ ଶତାବ୍ଦୀ (୧୮୮୧)ରେ କେବଳ ପାଦଥାପି ନଥିଲେ, ସ୍ଵକୀୟ ପ୍ରତିଭା ବଳରେ ପ୍ରତିପକ୍ଷକୁ ପରାଜିତ କରି ବିସ୍ମୟାଭିଭୂତ ଓ ତଟସ୍ଥ କରିଦେଉଥିଲେ।

ଓଡ଼ିଶାର ରାଜନୀତି କ୍ଷେତ୍ରରେ ତାଙ୍କର ଉତ୍ତରଣ ଥିଲା, ଗୋଟିଏ ଉତକ୍ଷେପିତ ପ୍ରଚଣ୍ଡ ଉଲକା ପରି, ଯାହା ଦିଗବିଦିଗକୁ ଉଦଭାସିତ କରି ଆପଣାର ମହିମାମୟ ଦୀପ୍ତିରେ ସମସ୍ତଙ୍କୁ ଚକିତ ଆଉ ଅନୁପ୍ରାଣିତ କରିଥିଲା, ଦେଶ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ। ମଧୁସୂଦନଙ୍କଠାରୁ ପ୍ରଥମେ ଓଡ଼ିଆମାନଙ୍କୁ ମିଳିଥିଲା ରାଜନୀତି କ୍ଷେତ୍ରରେ ପ୍ରବେଶ କରିବାର ମୁକ୍ତ ଅଧିକାର। ମଧୁସୂଦନଙ୍କ ପୂର୍ବରୁ ଓଡ଼ିଶା ରାଜନୀତିକୁ ପରିଚାଳିତ କରୁଥିଲେ ବହିରାଗତ ବଙ୍ଗୀୟ ନୌକର ସାହି ପ୍ରଶାସକ ଗୋଷ୍ଠୀ ତଥା ଜମିଦାରଗଣ ସାଙ୍ଗକୁ ଦକ୍ଷିଣ ଓଡ଼ିଶାର ଉଗ୍ର ଦକ୍ଷିଣ-ଭାରତୀୟ ଅମଲାତାନ୍ତ୍ରିକ ତଥା ନ୍ୟସ୍ତ ସ୍ଵାର୍ଥଗୋଷ୍ଠୀ।

ମଧୁସୂଦନଙ୍କ ଆବିର୍ଭାବ ଓଡ଼ିଆ ଜାତିର ମୁକ୍ତି ଲାଗି ଏକ ପରମ ଆବଶ୍ୟକତା ଥିଲା। ଓଡ଼ିଶାର ସ୍ଵତନ୍ତ୍ରତାର ଅବଲୁପ୍ତି (୧୫୬୮) ପରେ ମଧ୍ୟବର୍ତ୍ତୀ କାଳରେ ବକ୍ସି ଜଗବନ୍ଧୁ, ସୁରେନ୍ଦ୍ର ସାଏ ଓ ଚକରା ବିଶୋୟୀଙ୍କ ପରି ବହୁ ଦେଶଭକ୍ତ ସଂଗ୍ରାମୀଙ୍କର ବଳିଦାନ ସତ୍ତ୍ଵେ ମଧୁସୂଦନଙ୍କ ପରି ସମ୍ଭାବନାମୟ ଯୁଗାନ୍ତକାରୀ ପୁରୁଷଙ୍କର ଆବିର୍ଭାବ ଲାଗି ଓଡ଼ିଆ ଜାତିକୁ ତିନିଶହ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିଥିଲା। ତାଙ୍କର ଆବିର୍ଭାବ ଘଟିଥିଲା ଏକ ଯୁଗସନ୍ଧିରେ, ଯେତେବେଳେ ଅସ୍ତ୍ରର ରଣଝଙ୍କାର ଅପେକ୍ଷା ଚେତନାର ଜାଗରଣ ଚରମ ଆବଶ୍ୟକତା ଥିଲା। ଏହାରି ମାଧ୍ୟମରେ ସେ ନଅଙ୍କ ଦୁର୍ଭିକ୍ଷର ପ୍ରାଣଶୋଷା ତାଡନାରେ ଅର୍ଦ୍ଧମୃତ କଙ୍କାଳସାର ଓଡ଼ିଆ ଜାତିକୁ ଉଦ୍ଧାରକରି, ଗୌରବୋଜ୍ଜ୍ଵଳ ଅସ୍ତିତ୍ଵ ଓ ସ୍ଵାଭିମାନର ପ୍ରଖର ଦିବାଲୋକକୁ ଆଣିପାରିଥିଲେ ଓ ଓଡ଼ିଆମାନେ ପାଦଥାପି ଛିଡ଼ାହେବା ପାଇଁ ଏକ ସ୍ଵତନ୍ତ୍ର ପ୍ରଦେଶ ସୃଷ୍ଟି କରିପାରିଥିଲେ।

ନିର୍ବିବାଦରେ ମଧୁସୂଦନ ହେଉଛନ୍ତି ନବୀନ ଓଡ଼ିଶା ପ୍ରଦେଶର ସ୍ରଷ୍ଟା। ଅବଶ୍ୟ ଓଡ଼ିଶା ପ୍ରଦେଶ ଗଠନର ପହିଲି ପର୍ଯ୍ୟାୟରେ ଚନ୍ଦ୍ରଶେଖର ବେହେରା, ଧରଣୀଧର ମିଶ୍ର, ଶ୍ରୀପତି ମିଶ୍ର ଆଉ ପ୍ରକୃତି କବି ଗଙ୍ଗାଧର ପ୍ରମୁଖ ଅକୁଣ୍ଠିତ ଯୋଗଦାନ କରିଥିଲେ। ପ୍ରଦେଶ ଗଠନର ଅନ୍ତିମ ପର୍ଯ୍ୟାୟରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ଖଲ୍ଲିକୋଟ ରାଜା, ଭୁବନାନନ୍ଦ ଦାସ, ବ୍ରଜସୁନ୍ଦର ଦାସ ଓ ଶଶିଭୂଷଣ ରଥଙ୍କ ପରି ବହୁ ଜନନାୟକ ମୁଖ୍ୟ ଅଂଶଗ୍ରହଣ କରିଥିଲେ।

Madhubabu in the Odisha Legislative Council

ମଧୁସୂଦନ ଯେତେବେଳେ ରାଜନୀତିରେ ପ୍ରବେଶ କଲେ, ଓଡ଼ିଶାର ରାଜନୈତିକ ପରିବେଶ ସମ୍ପର୍କରେ ତାଙ୍କର ବକ୍ତବ୍ୟ ଥିଲା- “ମୁଁ ଯେତେବେଳେ ଏ ଆନ୍ଦୋଳନ ଆରମ୍ଭ କଲି, ସେତେବେଳେ ଓଡ଼ିଆ ଜାତି ବୋଲି କିଛି ନଥିଲା। ମୁଁ କେବଳ କୁଢ଼ କୁଢ଼ ଅସ୍ଥି ଦେଖିଥିଲି, ଚାରିଆଡେ କେବଳ ଅସ୍ଥି, ଅସ୍ଥି, ଅସ୍ଥି। ଏହି ଅସ୍ଥିକଙ୍କାଳ ଭିତରେ ପ୍ରାଣ ସଞ୍ଚାର କରି ହସ୍ତପଦ ଓ ପେଶୀ ଯୋଗାଇବା ନିମନ୍ତେ ମୋତେ ବହୁତ କାର୍ଯ୍ୟ କରିବାକୁ ପଡ଼ିଛି। ମୋ ଜାତିକୁ ଯୁଦ୍ଧ ସରଞ୍ଜାମରେ ସଜ୍ଜିତ କରିବା ପାଇଁ ମତେ ଏକାକୀ କାର୍ଯ୍ୟ କରିବାକୁ ହୋଇଛି।”

ସେତେବେଳେ କଲିକତା ଥିଲା ଭାରତର ରାଜଧାନୀ ଆଉ କ୍ଷମତାର କେନ୍ଦ୍ରସ୍ଥଳୀ। ବଙ୍ଗପ୍ରଦେଶର ସୀମା ଥିଲା ବନାରସଠାରୁ ଆରମ୍ଭ କରି ପୂର୍ବରେ ସମଗ୍ର ଆସାମ, ମଣିପୁର ଡେଇଁ ବର୍ମାଞ୍ଚଳ ପର୍ଯ୍ୟନ୍ତ। ଏହି ସୁବିସ୍ତୀର୍ଣ୍ଣ ଅଞ୍ଚଳ ଅନ୍ତର୍ଗତ ବ୍ରିଟିଶ ଶାସନର ଛତ୍ରଛାୟା ତଳେ ବର୍ଦ୍ଧିତ ହୋଇଥିଲା ବଙ୍ଗୀୟ ନୌକରୀ ସାହି ଶାସନ। ମଧୁସୂଦନଙ୍କ ପ୍ରଥମ ସଂଗ୍ରାମ ଥିଲା, ବଙ୍ଗୀୟ ନୌକରୀ ସାହି ଶାସନକୁ ଦୁର୍ବଳ ଓ କ୍ଷୁର୍ଣ୍ଣ କରିବା ପାଇଁ ଓ ଏଥିରେ ସେ ଆଶାତୀତ ଭାବେ ସଫଳତା ହାସଲ କରିଥିଲେ।

୧୯୧୫ ବେଳକୁ ମଧୁସୂଦନ ଏକ ସୁସଂସ୍ଥାପିତ ଓଡ଼ିଆ ପ୍ରଶାସକ (ଡେପୁଟି କଲେକ୍ଟର ପୋଲିସ ସୁପରିଟେଣ୍ଡେଣ୍ଟ) ମୁନସଫ୍ ଆଉ ବଳିଷ୍ଠ ଆଇନଜୀବୀ ଗୋଷ୍ଠୀ ତିଆରି କରିବା ପରେ, ବଙ୍ଗୀୟ ନୌକରୀ ସାହି ଶାସନକୁ ବହୁ ପରିମାଣରେ ପ୍ରତିହତ କରିପାରିଥିଲେ। ୧୯୨୧ ସାଲରେ ମହାତ୍ମାଗାନ୍ଧୀଙ୍କ ଆହ୍ଵାନରେ, କଂଗ୍ରେସ ନେତୃସ୍ଥାନୀୟ ବ୍ୟକ୍ତିମାନେ ବ୍ରିଟିଶ୍ ସାମ୍ରାଜ୍ୟବାଦ ବିରୋଧରେ ସଂଗ୍ରାମ କରୁଥିବା ବେଳେ, ୧୮୮୨ ସାଲରେ ମଧୁସୂଦନଙ୍କୁ ସଂଗ୍ରାମ ଜାରି ରଖିବାକୁ ପଡ଼ିଥିଲା, ଉଭୟ ନୌକରୀ ସାହି ଶାସନର ଉପନିବେଶବାଦ ଓ ବ୍ରିଟିଶ୍ ଶାସନର ସାମ୍ରାଜ୍ୟବାଦ ବିରୋଧରେ। ଏହାଛଡ଼ା ଥିଲା ଜମିଦାରୀ ଅତ୍ୟାଚାର ଓ ଗଡଜାତ ଶାସନର ଚକ୍ରାନ୍ତ ବିରୋଧରେ ସଂଗ୍ରାମ। ଏସବୁ ଭିତରେ ସବୁଠାରୁ ଅସହନୀୟ ଥିଲା ବଙ୍ଗୀୟ ନୌକରୀ ସାହି ଶାସନର ଦୁରଭିସନ୍ଧି। ଏଥିଯୋଗୁଁ ସୂର୍ଯ୍ୟାସ୍ତ ଆଇନ ଜାରି କରାଯାଇ ଓଡ଼ିଆଙ୍କ ଜମିଦାରୀ ଅପହୃତ ହେବା ସହିତ ଓଡ଼ିଆ ଭାଷା ଓ ସଂସ୍କୃତିକୁ ଲୋପ କରିବା ଲାଗି କାନ୍ତି ଚନ୍ଦ୍ର ଭଟ୍ଟାଚାର୍ଯ୍ୟଙ୍କ ‘ଓଡ଼ିଆ ସ୍ଵତନ୍ତ୍ର ଭାଷା ନୟ’ ଭଳି ପ୍ରଚାର ଅଭିଯାନ।

MADHU BABU

ମଧୁସୂଦନ ହେଉଛନ୍ତି ପରାଧୀନକାଳୀନ ଭାରତର ଶାସନ ବ୍ୟବସ୍ଥା ମଧ୍ୟରେ ଏକମାତ୍ର ଓଡ଼ିଆ, ଯାହାଙ୍କ ପାଇଁ ଶାସକୀୟ ପରିଧିର ଅଳିନ୍ଦ ସବୁ ଖୋଲା ରହିଥିଲା, ବ୍ରିଟେନର ପ୍ରଧାନମନ୍ତ୍ରୀ ସାର୍ ରାମସେ ମ୍ୟାକଡୋନାଲଡଙ୍କଠାରୁ ଆରମ୍ଭ କରି ଭାରତ ସଚିବ, ବଡଲାଟ ଓ ପ୍ରାଦେଶିକ ଗଭର୍ଣ୍ଣରଙ୍କ ପର୍ଯ୍ୟନ୍ତ। ଏସବୁଥିରେ ତାଙ୍କର ସ୍ଵଚ୍ଛନ୍ଦ ପ୍ରବେଶ ଥିଲା। ବ୍ରିଟେନର ପ୍ରଧାନମନ୍ତ୍ରୀ ସାର୍ ରାମସେ ମ୍ୟାକଡୋନାଲଡ ମଧୁସୂଦନଙ୍କୁ ଓଡ଼ିଶାର ମୁକୁଟ ବିହୀନ ଅଧିଶ୍ଵର ବୋଲି ଆଖ୍ୟାୟିତ କରୁଥିବା ବେଳେ ବଙ୍ଗର ଗଭର୍ଣ୍ଣର ବୋର୍ଡଲୀନ ମଧୁସୁଦନଙ୍କୁ ବଙ୍ଗଳା ବିଧାନସଭାର ସର୍ବଶ୍ରେଷ୍ଠ ତାର୍କିକ ରୂପେ ରୋମର ପ୍ରସିଦ୍ଧ ସମାଲୋଚକ ସିନେଟର “କେଟୋ” ନାମରେ ସମ୍ବର୍ଦ୍ଧିତ କରିଥିଲେ।

ଏହାଛଡ଼ା ବିଶ୍ଵାସ ହରାଇଥିବା ନିର୍ବାଚିତ ପ୍ରତିନିଧିମାନଙ୍କର ପ୍ରତ୍ୟାହାର ବ୍ୟବସ୍ଥା ସମ୍ବଳିତ ସ୍ଵାୟତ୍ତଶାସନ ଆଇନ ପ୍ରଣୟନ ହେବାର ପ୍ରାୟ ୪ ବର୍ଷ ପରେ, ଲଣ୍ଡନର କେକ୍ସଟନ୍ ହଲରେ ୧୯୨୭ ସାଲରେ ଅତ୍ୟନ୍ତ ମାର୍ମିକ ଭାବରେ ପ୍ରକାଶ କରି ବିହାର ଲାଟ୍ ସାର୍ ହେନେରୀ ୱିଲର୍ କହିଥିଲେ, “ମଧୁସୂଦନ ବିହାର ଓଡ଼ିଶାର ମନ୍ତ୍ରୀ ରୂପେ ଏପରି ନୂତନ ବ୍ୟବସ୍ଥାମାନ ଖଞ୍ଜି ଦେଇଛନ୍ତି, ଯାହାକୁ ହାସଲ କରିବାଲାଗି ଏ ଦେଶର ସ୍ଵାୟତ୍ତଶାସନ ଅନୁଷ୍ଠାନମାନଙ୍କୁ ଆହୁରି କିଛିବର୍ଷ ଅପେକ୍ଷା କରିବାକୁ ପଡ଼ିବ।”

ଆଶ୍ଚର୍ଯ୍ୟ ଲାଗେ ପାର୍ଲାମେଣ୍ଟୀୟ ଗଣତନ୍ତ୍ରର ମୂଳପୀଠ ଇଂଲଣ୍ଡର ଉଦାର ସାମ୍ବିଧାନିକ ଓ ଶାସକୀୟ ବ୍ୟବସ୍ଥା ମଧ୍ୟରେ ଯାହା ଚିନ୍ତା ତଥା ଉପସ୍ଥାପନା କରିବାକୁ ବ୍ରିଟିଶ୍ ଚିନ୍ତାଶୀଳ ବ୍ୟକ୍ତିମାନଙ୍କ ପକ୍ଷରେ ସମ୍ଭବପର ହୋଇନଥିଲା, ପରାଧୀନ ଭାରତର ସଙ୍କୁଚିତ ବୈଧାନିକ ବ୍ୟବସ୍ଥା ମଧ୍ୟରେ ଏପରି ପ୍ରଗତିଶୀଳ ଆଇନର ସଂଯୋଜନ କରିପାରିଥିଲେ ମଧୁସୂଦନ। ଏଥିରୁ ସୂଚିତ ହୁଏ ତାଙ୍କର ଗଣତନ୍ତ୍ର ପ୍ରତି ଅକୁଣ୍ଠ ସମର୍ଥନ ଓ ପ୍ରତିବଦ୍ଧତା ଯାହା ମଧ୍ୟରେ ତାଙ୍କର ପ୍ରମୁଖ ବୁଦ୍ଧିମତ୍ତା ଓ ଶାଣିତ ଚିନ୍ତାଧାରାର ଝଲକ ଫୁଟିଉଠେ।

ସାମ୍ବିଧାନିକ ବ୍ୟବସ୍ଥାର କ୍ରମବିକାଶ ମଧ୍ୟରେ ସ୍ଵାଧୀନ ଭାରତର ପରିକଳ୍ପନା କରୁଥିବା ମଧୁସୂଦନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ବିହାରର ଆଉ ଜଣେ ଗଭର୍ଣ୍ଣର ମିଷ୍ଟର ଏମ୍.ଜି ହାଲେଟ୍ କହିଛନ୍ତି, ‘ମିଷ୍ଟର ଦାସଙ୍କ ପରି ଜନନାୟକମାନେ ଶାସନର ଭାରତୀୟକରଣରେ ଯେଉଁ ଉଜ୍ଜ୍ଵଳ ପରମ୍ପରା ସୃଷ୍ଟି କରିଛନ୍ତି, ତାହା ହିଁ ଭାରତରେ ରାଜନୈତିକ ପ୍ରକ୍ରିୟାକୁ ତ୍ଵରାନ୍ଵିତ କରିବାରେ ସହାୟକ ହୋଇଛି।’

ଅସାଧାରଣ ଧୀସମ୍ପନ୍ନ ମଧୁସୂଦନଙ୍କ ଚିନ୍ତା ଓ ଚେତନାର ଚକ୍ରବାଳକୁ ଛୁଇଁବାପାଇଁ ବହୁ ଭାରତୀୟ ଜନନାୟକ ମଧ୍ୟ ସମର୍ଥ ହୋଇପାରିନଥିଲେ। ସେତେବେଳର ସମଗ୍ର ଭାରତରେ ଯେଉଁ ରାଜନୈତିକ ଶକ୍ତିଗୁଡ଼ିକ କାର୍ଯ୍ୟ କରୁଥିଲା, ତାହାକୁ ଗଭୀର ଭାବେ ଅନୁଧ୍ୟାନ କରି ଭାରତର ଶାସକୀୟ ଅଳନ୍ଦି ମଧ୍ୟରେ, ଯେଉଁଠାରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଏ, ତାହାକୁ ଗଭୀର ଭାବେ ପ୍ରଭାବିତ କରି ମଧୁସୂଦନ ସ୍ଵତନ୍ତ୍ର ଓଡ଼ିଶା ଗଠନ କରିବାକୁ ସମର୍ଥ ହୋଇଥିଲେ। ତହିଁରେ ଜନଆନ୍ଦୋଳନର ଭୂମିକା ଅପେକ୍ଷାକୃତ ଗୌଣ ଥିଲା।

୧୯୦୦ ସାଲରେ ମଧୁସୂଦନ ବଡଲାଟ ଲର୍ଡ କର୍ଜନଙ୍କ ପାଖରେ ଅତ୍ୟନ୍ତ ମାର୍ମିକ ଭାବରେ ଦାବି ଉପସ୍ଥାପନା କରିବା ପରେ ଲର୍ଡ କର୍ଜନ ଏହାକୁ ଆଧାର କରି ଓଡ଼ିଆ ଭାଷାଭାଷୀ ଅଞ୍ଚଳର ମିଶ୍ରଣ ଦାବିକୁ ସ୍ଵୀକୃତି ପ୍ରଦାନ କରିଥିଲେ ୧୯୦୩ ସାଲର ଡିସେମ୍ବର ୩ ତାରିଖରେ, (ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେବାର ୨୭ ଦିନ ପୂର୍ବରୁ) ରିସଲେ ସର୍କୁଲାର ମାଧ୍ୟମରେ।

Madhubabu with his Friends

ରିସ୍‌ଲେ ସର୍କୁଲାର୍‌କୁ ଆଧାର କରି ୧୯୦୫ ସାଲ ଅକ୍ଟୋବର ୧୬ ତାରିଖରେ ମଧ୍ୟପ୍ରଦେଶରୁ ସମ୍ବଲପୁର ଜିଲ୍ଲା, କଳାହାଣ୍ଡି, ପାଟଣା, ସୋନପୁର, ବାମଣ୍ଡା, ରେଢ଼ାଖୋଲ ଗଡ଼ଜାତ ଏବଂ ବିହାରର ଛୋଟନାଗପୁର ଡିଭିଜନରୁ ଗାଙ୍ଗପୁର ଓ ବଣେଇର ମିଶ୍ରଣ ଘଟିଲା ଓଡ଼ିଶା ଡିଭିଜନ ସହିତ। ଏହି ମିଶ୍ରଣ ପରେ ଓଡ଼ିଶା ଡିଭିଜନର ପରିସର ପ୍ରସାରିତ ହୋଇଥିଲା (ଗଞ୍ଜାମ ଓ କୋରାପୁଟ ବ୍ୟତୀତ) ଅବିଭକ୍ତ ୧୧ଟି ଜିଲ୍ଲାକୁ ଘେନି। ଏହି ମିଶ୍ରଣର ସମସ୍ତ କୃତିତ୍ଵ ମଧୁସୂଦନ ନିର୍ବାହ କରିଥିଲେ, ଲର୍ଡକର୍ଜନଙ୍କ ଅକୁଣ୍ଠ ସହଯୋଗରେ। ଏହାପରେ ଦକ୍ଷିଣ ଓଡ଼ିଶା ଆସି ମିଳିତ ହେଲା ୧୯୩୬ ସାଲରେ। ସବୁଗୁଡ଼ିକ ସମ୍ପାଦିତ ହୋଇଥିଲା ମଧୁସୂଦନଙ୍କ ବୁଦ୍ଧିମତ୍ତାର ପ୍ରୟୋଗରେ।

ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନ କାଳରେ ସମାନ୍ତରାଳ ଭାବରେ ଆନ୍ଧ୍ରପ୍ରଦେଶ ଗଠନ ପାଇଁ ତୀବ୍ର ଆନ୍ଦୋଳନ ଚାଲିଥିଲା। ପଟ୍ଟାଭି ସୀତାରାମାୟା, ପ୍ରକାଶମ ଆଦି ଭାରତୀୟ ରାଜନୀତିର ବହୁ ପ୍ରଚଣ୍ଡ କ୍ଷମତାଶାଳୀ ଆନ୍ଧ୍ରନେତାଙ୍କ ଦାବି ଉପସ୍ଥାପନ ସତ୍ତ୍ଵେ ଆନ୍ଧ୍ରପ୍ରଦେଶ ଗଠନ ହେବାକୁ ଓଡ଼ିଶା ଅପେକ୍ଷା ଆହୁରି ଷୋହଳ ବର୍ଷ ପ୍ରତୀକ୍ଷା କରିବାକୁ ପଡ଼ିଥିଲା। ଅନ୍ୟ ଦିଗରେ ମଧୁସୂଦନଙ୍କ ବଳିଷ୍ଠ ଅଧିନାୟକତ୍ଵରେ ଏବଂ ପାରଳା ମହାରାଜଙ୍କ ସହଯୋଗରେ ହିଁ ଓଡ଼ିଶା ପ୍ରଦେଶ ଗଠନ ସମ୍ଭବ ହୋଇପାରିଲା। ଏକଥା ପ୍ରତିଷ୍ଠିତ ସତ୍ୟ  ଯେ ୧୯୩୬ ସାଲରେ ଓଡ଼ିଶା ପ୍ରଦେଶ ଗଠନ ସମ୍ଭବ ହୋଇନଥିଲେ ପରବର୍ତ୍ତୀ କାଳରେ ଓଡ଼ିଶା ପ୍ରଦେଶ ଗଠନର ସମ୍ଭାବନା ବିସ୍ତୃତ ଗର୍ଭରେ ଲୀନ ହୋଇଯାଇଥାନ୍ତା।

ପଣ୍ଡିତ ନେହରୁଙ୍କ ଭାଷାରେ, ଯେଉଁଠାରେ ଓଡ଼ିଶାର ନାମ ଉଚ୍ଚାରିତ ହୁଏ, ସେଠାରେ ମଧୁସୂଦନଙ୍କ ନାମ ସ୍ଵତଃ ଆସିଯାଏ। କ୍ଷମତାର ମୂଳକେନ୍ଦ୍ର ସହିତ ସମ୍ପର୍କ ରଖୁଥିବା ମଧୁସୂଦନ ଥିଲେ, ଗଣତନ୍ତ୍ର ଧାରାର ଜଣେ ଏକନିଷ୍ଠ ପ୍ରତିଶ୍ରୁତିବଦ୍ଧ ସଂରକ୍ଷକ। ତାଙ୍କର ଅଚ୍ଛେଦ୍ୟ ସମ୍ପର୍କ ସ୍ଥାପିତ ହୋଇଥିଲା ଦେଶର ତଳସ୍ତରରେ ଅବସ୍ଥାନ କରୁଥିବା ଦଳିତ ଓ ଅବହେଳିତ ଜନଗୋଷ୍ଠୀ ସହିତ। ଉତ୍କଳ ଟ୍ୟାନେରିର ପ୍ରତିଷ୍ଠା ପରଠାରୁ ତାଙ୍କୁ ବହୁବାର ଦେଖିବାକୁ ମିଳୁଥିଲା ଟ୍ୟାନେରିର ପ୍ରାଙ୍ଗଣରେ ମୋଚି, ଚମାର, କେଳାମାନଙ୍କ ସହିତ ମଲାଗୋରୁ, ଗୋଧୀ, କୁମ୍ଭୀର ଆଦି ଜନ୍ତୁଙ୍କର ଚମଡ଼ା କାଟି, ଯୋତା ତିଆରି କରିବା ପ୍ରକ୍ରିୟା ମାଧ୍ୟମରେ।

୧୯୦୫ ସାଲରେ ରକ୍ଷଣଶୀଳ ଭାରତରେ ଗାନ୍ଧୀ ଓ ଆମ୍ବେଦକରଙ୍କ ଆବିର୍ଭାବର ବହୁବର୍ଷ ପୂର୍ବରୁ ମଧୁସୂଦନ କେବଳ ଅଚ୍ଛବ ଓ ଦଳିତମାନଙ୍କୁ ସାମାଜିକ ମାନ୍ୟତା ଦେବା ପାଇଁ ନୁହେଁ, ଅର୍ଥନୈତିକ କ୍ଷେତ୍ରରେ ଟ୍ୟାନେରି ଆଦି ଉଦ୍ୟୋଗ ମାଧ୍ୟମରେ ଥଇଥାନ ବ୍ୟବସ୍ଥା କରିଥିଲେ। ଏଥିପାଇଁ ୧୯୨୫ ସାଲରେ ମହାତ୍ମାଗାନ୍ଧୀ ମଧୁସୂଦନଙ୍କ ପ୍ରତିଷ୍ଠିତ ଉଦ୍ୟୋଗମାନଙ୍କୁ କେବଳ ଅନୁଧ୍ୟାନ କରିନଥିଲେ, ମଧୁସୂଦନଙ୍କ ପ୍ରତି ହାର୍ଦ୍ଦିକ ପ୍ରଶଂସା ଅଜାଡ଼ି ଦେଇ ଏ ସମସ୍ତ କ୍ଷେତ୍ରରେ ତାହାଙ୍କୁ ନିଜର ଅଗ୍ରଜ ଓ ମାର୍ଗଦର୍ଶକ ଭାବରେ ସ୍ଵୀକୃତି ପ୍ରଦାନ କରିଥିଲେ।

ମହାତ୍ମାଗାନ୍ଧୀଙ୍କ ପରିକଳ୍ପିତ ଅର୍ଥନୈତିକ ଓ ସାମାଜିକ କାର୍ଯ୍ୟକ୍ରମଗୁଡ଼ିକ ଭାରତରେ କାର୍ଯ୍ୟକାରୀ ହେବାର ବହୁ ପୂର୍ବରୁ ମଧୁସୂଦନ ସେହି ବୈପ୍ଳବିକ କାର୍ଯ୍ୟକ୍ରମଗୁଡ଼ିକର ରୂପାୟନ କରିଥିଲେ ଓଡ଼ିଶା ମାଟିରେ। ସେଥିମଧ୍ୟରୁ ପ୍ରଧାନ ହେଲା, ସ୍ଵଦେଶୀ ଓ ଗ୍ରାମ୍ୟ ଶିଳ୍ପ ଆନ୍ଦୋଳନ (୧୮୯୬- ୧୯୨୩), ଲବଣ କରହ୍ରାସ ଓ ଉତ୍ପାଦନର ସଂରକ୍ଷଣ (୧୮୯୬), ଅସ୍ପୃଶ୍ୟତା ନିବାରଣ (୧୯୦୫), ହିନ୍ଦୁ ମୁସଲମାନ ଏକତା (୧୮୮୮), ତନ୍ତ ଶିଳ୍ପର ଉନ୍ନୟନ (୧୯୦୫), ଚରଖା ପ୍ରଚଳନ (୧୯୦୦), ତାରକସି ଶିଳ୍ପ ପ୍ରତିଷ୍ଠାନ (୧୮୯୭), ତାଳଗୁଡ଼ ଉଦ୍ୟୋଗ (୧୯୦୪) ଆଦି ବହୁ ଆଗୁଆ କାର୍ଯ୍ୟକ୍ରମ। ଏ ସମସ୍ତ ଥିଲା ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧରେ ଅଘୋଷିତ ନିରବ ସଂଗ୍ରାମ।

ସେ ସମୟରେ ସାର୍ ହ୍ୟାଗ୍ ମ୍ୟାକଫରସନ୍, ବିହାରର ପ୍ରାକ୍ତନ ଗଭର୍ଣ୍ଣରଙ୍କ ପରି ବହୁ ଇଂରେଜ ପ୍ରଶାସକ ଲେଖିଛନ୍ତି, କୃଷକମାନଙ୍କର ସ୍ଵାର୍ଥ ଓ ସ୍ଵତ୍ତ୍ଵ ସୁରକ୍ଷିତ ରଖିବା ଲାଗି ମଧୁସୂଦନ ଥିଲେ ଜଣେ ଅନମନୀୟ ସାଲିସ୍ ବିହୀନ ସଂଗ୍ରାମ। ଓଡ଼ିଶା ଭଳି କୃଷି ପ୍ରଧାନ କ୍ଷେତ୍ରରେ କୃଷକଙ୍କର ଅଧିକାର ଓ ସ୍ଵତ୍ତ୍ଵ ସୁରକ୍ଷାଲାଗି ସେ ଗଢ଼ିଥିଲେ ପ୍ରଜା ପରିଷଦ (୧୯୦୯), ଯହିଁରେ ଉତ୍କଳମଣି ଗୋପବନ୍ଧୁ ସମ୍ପାଦକ ରୂପେ ଅବସ୍ଥାପିତ ହୋଇଥିଲେ। ଆଉ ୧୯୧୨ ସାଲରେ ବଙ୍ଗର ବ୍ୟବସ୍ଥାପକ ସଭାରେ ଉଗ୍ର ଶୋଷଣଭିତ୍ତିକ ପ୍ରଜାସ୍ଵତ୍ତ୍ଵ ବିଲର ତୀବ୍ର ପ୍ରତିବାଦ ସହ କଲିକତାରେ ଓଡ଼ିଆ କୃଷକମାନଙ୍କ ବିପୁଳ ସମାବେଶରେ ସରକାରଙ୍କୁ ଦୃଢ଼ ଚେତାବନୀ ଦେବା ଫଳରେ, ବିଲ୍‌ଟି ବଡଲାଟ ଲର୍ଡହାଡିଞ୍ଜଙ୍କ ଦ୍ଵାରା ଅଗ୍ରାହ୍ୟ ହୋଇଯାଇଥିଲା। ଏହା ଭାରତୀୟ ସାମ୍ବିଧାନିକ ଇତିହାସରେ ଏକ ବଳିଷ୍ଠ ବ୍ୟତିକ୍ରମର ନଜିର ରୂପେ ପ୍ରତିଷ୍ଠା ଲାଭ କରିଛି।

ମଧୁସୂଦନଙ୍କର ଜୀବନବ୍ୟାପୀ ସଂଗ୍ରାମ ଫଳରେ, ଓଡ଼ିଶା ପ୍ରଦେଶ ସୃଷ୍ଟି ହୋଇପାରିଲା। ଭାରତୀୟ ନାରୀମାନେ ପାଇଥିଲେ ଆଇନଜୀବୀ ବୃତ୍ତି ଗ୍ରହଣର ଯୁଗାନ୍ତକାରୀ ଅଧିକାରୀ ୧୯୨୩ ସାଲରେ। ଓଡ଼ିଶାର ଆଧ୍ୟାତ୍ମିକତାବାଦ ମୂଳ ପୀଠ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନାରେ ଇଂରେଜ ସରକାରଙ୍କର ଅଧିକାରକୁ ପ୍ରତିହତ କରିଥିଲେ ମଧୁସୂଦନ (୧୮୮୭) ଆଇନଗତ ସଂଗ୍ରାମରେ, ଯେଉଁଥିପାଇଁ ସମଗ୍ର ଓଡ଼ିଆ ଜାତି ତାଙ୍କ ନିକଟରେ କୃତଜ୍ଞ ରହିବ।

ଏହାଛଡା ମଧୁସୂଦନ ଥିଲେ ସେ ଯୁଗର ଗଡ଼ଜାତ ଶାସନ ବ୍ୟବସ୍ଥାର ଦୃଢ଼ ସମାଲୋଚକ। ଗଡଜାତଗୁଡ଼ିକର ଜିଲ୍ଲା ପ୍ରଶାସନ ସହିତ ମିଶ୍ରଣ ଲାଗି ସେ ଦୃଢ଼ ମତପ୍ରକାଶ କରିଥିଲେ। ଓଡ଼ିଶାରେ ବନ୍ୟାଦୁର୍ଗତ ତଥା ମରୁଡି ପ୍ରପୀଡିତ ଭୋକିଲା ଲୋକଙ୍କର ସେବାଲାଗି ମଧୁସୂଦନଙ୍କର ଭୂମିକା ଥିଲା ଅବିସ୍ମରଣୀୟ।

ଓଡ଼ିଆ ଜାତିକୁ ସଂସ୍ଥାପିତ କରିବା ପାଇଁ ତାଙ୍କର ମହନୀୟ ଅବଦାନର ପୂର୍ଣ୍ଣ ଆକଳନ କରିବା ସମ୍ଭବ ନୁହେଁ। କାରଣ ତାଙ୍କ କାର୍ଯ୍ୟର ପରିସର ପ୍ରସାରିତ ହୋଇଥିଲା ଜାତୀୟ ଜୀବନର ପ୍ରତ୍ୟେକ କ୍ଷେତ୍ରକୁ, ଯହିଁରେ ସେ ଉଦ୍ଭାସିତ ହୋଇ ଉଠିଥିଲେ ପ୍ରଖର ସୂର୍ଯ୍ୟର ଆଲୋକ ପରି। ତେଣୁ ସେ ଥିଲେ ଶତାବ୍ଦୀର ସୂର୍ଯ୍ୟ। ହେଲେ ପ୍ରତିଦାନରେ ଜାତି ତାଙ୍କୁ କଣ ବା ଦେଇଛି?

ଫ୍ରାନସର ଜୋନ୍ ଅଫ୍ ଆର୍କ ପରିଶ୍ରାନ୍ତ, କ୍ଲାନ୍ତ, ଭୀତତ୍ରସ୍ତ ଫରାସୀ ଜାତିର କାନେ କାନେ ଗାରିମାମୟ ଐତିହ୍ୟ ଓ ପ୍ରଚଣ୍ଡ ସ୍ଵାଭିମାନର ବାର୍ତ୍ତା ଶୁଣାଇ ଜାଗ୍ରତ କଲା ପରି, ମଧୁସୂଦନ ପରିଚୟହୀନ ନିଷ୍ପ୍ରଭ କଙ୍କାଳସାର ଓଡ଼ିଆ ଜାତିର ଉତ୍‌ଥାନ କରାଇ ସ୍ଵତନ୍ତ୍ର ସ୍ଥିତି ଓ ସତ୍ତା ପ୍ରଦାନ କରିଥିଲେ। ହେଲେ କାର୍ଯ୍ୟ ସମ୍ପାଦନ ପରେ ଜୋନ୍ ଅଫ୍ ଆର୍କଙ୍କୁ ଅଗ୍ନିରେ ନିକ୍ଷେପ ଅଥବା ଯୀଶୁଙ୍କୁ କ୍ରୁଶରେ ଚଢ଼ାଇବା ପରି ଆମେ ତାହାଙ୍କୁ ଲାଞ୍ଛିତ ଓ ଅପମାନିତ କରି ବିସ୍ତୃତିର ଅତଳ ଗହ୍ଵରକୁ ଠେଲି ଦେଇଛୁ କି ନାହିଁ, ତାହାର ବିଚାର ଅନ୍ୟ କ୍ଷେତ୍ରରେ।

(ସୌଜନ୍ୟ – ଆମ ଓଡ଼ିଶା ପ୍ରକାଶିତ ‘ଆମ ମଧୁସୂଦନ’)

To read the Life & Times of Madhusudan Das visits www.madhusudandas.org

Comment