ଓଡ଼ିଶାଲାଇଭ୍‌ ବ୍ୟୁରୋ

Madhusudan Das

୨୮ ଏପ୍ରିଲ୍‌, ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପବିତ୍ର ଜୟନ୍ତୀ ଅବସରରେ

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣି ତଥା ଓଡ଼ିଆ ଅସ୍ମିତାର ସୂର୍ଯ୍ୟ ଉତ୍କଳଗୌରବ ମଧୁସୂଦନ ଦାସ (ମଧୁବାବୁ) କେବଳ ତାଙ୍କର କର୍ମରେ ନୁହେଁ, କବିତାର ମନଛୁଆଁ ଆବେଦନ ମଧ୍ୟରେ ଓଡ଼ିଆ ଜାତିପ୍ରାଣକୁ ଛୁଇଁ ପାରିଥିଲେ। ସେ ଅଳ୍ପ କେତୋଟି କବିତା ଲେଖିଥିଲେ। ତାଙ୍କର ଏହି କାଳଜୟୀ ସୃଷ୍ଟି ଭିତରେ ରହିଛି: ଉଠରେ ଉଠରେ ଉତ୍କଳ ସନ୍ତାନ, ମା’ ମା’ ବୋଲି କେତେ ମୁଁ ଖୋଜିଲି, ତୁ ପରା ବୋଲାଉ ଉତ୍କଳ ସନ୍ତାନ, ଜାତି ଇତିହାସ ଜାତିର ନିର୍ଝର, ଗଙ୍ଗା ଗୋଦାବରୀ, ମାତା ମାତା ରବ ଏବଂ ଆହେ ବିଶ୍ୱପତି ଇତ୍ୟାଦି।

ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ତାଙ୍କର ଏହି କାଳଜୟୀ କାବ୍ୟ-କୃତିକୁ ଏକାଠିକରି କିଛିବର୍ଷ ତଳେ ‘ମଧୁଗୀତି’ ନାମରେ ଏକ ଅଡିଓ ସିଡି ପ୍ରସ୍ତୁତ କରାଯାଇଥିଲା। ଏଥିରେ କଣ୍ଠଦାନ କରିଛନ୍ତି ଛନ୍ଦା ମିଶ୍ର, ଡକ୍ଟର ଜୟଶ୍ରୀ ଧଳ ଓ ବସନ୍ତ ପାତ୍ର। ସଂଗୀତ ପରିଚାଳନା: ସଚ୍ଚିକାନ୍ତ ଓ ରତିକାନ୍ତ।

ମଧୁବାବୁଙ୍କ ଏହି ଲୋକପ୍ରିୟ କୃତିର ଡିଜିଟାଲ୍‌ ପ୍ରସାରଣ ପାଇଁ ଓଡ଼ିଶାଲାଇଭ୍‌ ପକ୍ଷରୁ ବିଶେଷ ଉଦ୍ୟମ କରିଯାଉଛି। ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍‌ ଚ୍ୟାନେଲ୍‌ ମାଧ୍ୟମରେ ଗୀତଗୁଡ଼ିକ ଦେଶ ବିଦେଶର ମଧୁପ୍ରେମୀଙ୍କ ପାଖରେ ପହଞ୍ଚିପାରିଛି।

(୧) ମା’ ମା’ ବୋଲି କେତେ ମୁଁ ଖୋଜିଲି – ଦିନେ ଉତ୍କଳ ମାତାକୁ ଲୋଡ଼ି ମଧୁସୂଦନ ଲେଖିଥିଲେ ଏହି ଅମର କବିତା

‘ମା’ ମା’ ବୋଲି କେତେ ମୁଁ ଖୋଜିଲି ମା’କୁ ପାଇଲି ନାହିଁ, ଭାଇ ଭାଇ ବୋଲି କେତେ ମୁଁ ଡାକିଲି ନଦେଲେ ଉତ୍ତର କେହି’ – ମଧୁବାବୁ ଦିନେ ଲେଖିଥିଲେ ଏହି ଅମର ସଂଗୀତ। ଏଇ କବିତା ଭିତରେ ଲୁଚି ରହିଥିଲା ଉତ୍କଳମାତାକୁ ପାଇବା ପାଇଁ ପ୍ରତି ନିୟତ ଛଟପଟ ହେଉଥିବା ଜଣେ ସଚ୍ଚା ଓଡ଼ିଆର ମନର ବେଦନା। ସେହି ବେଦନା ଭିତରେ ଥିଲା ମଧୁସୂଦନଙ୍କ ବଡ଼ ସକାରାତ୍ମକ ଚିନ୍ତା ଯାହା ୧୯୩୬ ମସିହା ଏପ୍ରିଲ୍‌ ୧ ତାରିଖରେ ବାସ୍ତବ ରୂପ ନେଇଥିଲା।

ସଂଗୀତ ଓ କଣ୍ଠଦାନ: ଡକ୍ଟର ଜୟଶ୍ରୀ ଧଳ

ମଧୁବାବୁଙ୍କ ବିଭିନ୍ନ ଲେଖା ମଧ୍ୟରୁ ‘ମା ମା ବୋଲି କେତେ ମୁଁ ଖୋଜିଲି’ ଗୀତଟିକୁ ଲୋକେ ବେଶ୍ ପସନ୍ଦ କରିଛନ୍ତି। ଓଡ଼ିଶାଲାଇଭ୍‌ ୟୁଟ୍ୟୁବ ଚ୍ୟାନେଲରେ ଏହା ଲୋକପ୍ରିୟତା ହାସଲ କରିଛି। ୨୮ ଏପ୍ରିଲ୍‌ ୨୦୨୦ ସୁଦ୍ଧା ଏହାର ୫ ଲକ୍ଷ ୭୧ ହଜାରରୁ ଅଧିକ ଭ୍ୟୁଜ୍ ପ୍ରମାଣ କରୁଛି ଯେ ମଧୁବାବୁଙ୍କ ଭଳି ଜଣେ ମହାନାୟକଙ୍କୁ ଆଜି ବି ଆଧୁନିକ ଓଡ଼ିଶାର ନୂଆ ପିଢ଼ି କେତେ ଝୁରୁଛି।

(୨) ଏବେବି ଓଡ଼ିଆଙ୍କ କାନରେ ବାଜି ଉଠୁଛି ମଧୁବାବୁଙ୍କ କାଳଜୟୀ ଆହ୍ଵାନ – ‘ଉଠରେ ଉଠରେ ଉତ୍କଳ ସନ୍ତାନ’

ଦିନେ ପରାଧୀନ ଭାରତରେ ଅଖଣ୍ଡ ଉତ୍କଳ ପ୍ରଦେଶ ଗଠନର ସ୍ଵପ୍ନ ଦେଖିଥିଲେ ଉତ୍କଳଗୌରବ ମଧୁସୂଦନ। ସେହି ସ୍ଵପ୍ନକୁ ସତ କରିବାକୁ ଉତ୍କଳର ସନ୍ତାନମାନଙ୍କୁ ସେ ଏହି ଗୀତ ମାଧ୍ୟମରେ ଆହ୍ଵାନ ଦେଇଥିଲେ। ୧୯୩୬ ମସିହାରୁ ସ୍ଵତନ୍ତ୍ର ଓଡ଼ିଶା ଗଠିତ ହେଲାଣି। କିନ୍ତୁ ଏଇ ଗୀତଟି ଏବେବି କୋଟି କୋଟି ଓଡ଼ିଆଙ୍କ ପ୍ରାଣରେ ଉତ୍ସାହ ଓ ଶିହରଣ ସୃଷ୍ଟି କରେ। ସମ୍ଭବତଃ ଏହା ହେଉଛି ମଧୁପ୍ରେମୀଙ୍କ ସବୁଠାରୁ ଆପଣାର କବିତା।

ସଂଗୀତ ଓ କଣ୍ଠଦାନ: ଛନ୍ଦା ମିଶ୍ର

(୩) ମଧୁବାବୁଙ୍କ ‘ତୁ ପରା ବୋଲାଉ ଉତ୍କଳ ସନ୍ତାନ’ କହେ – ତୋଷାମଦ ନୁହେଁ, ସତ୍ୟ ଓ ସାହସ ଓଡ଼ିଆ ଜାତିର ଅସଲ ପରିଚୟ

ଯେତେବେଳେ ଓଡ଼ିଆ ଏକ ପଛୁଆ ଜାତି ଭାବେ ବାହାରେ ପରିଚିତ ହେଉଥିଲା ଏବଂ ବ୍ରିଟିସ୍‌ ସରକାର ଆଗରେ ମୁହଁ ଖୋଲିବାର ସାହସ କରିପାରୁ ନଥିଲା ସେତେବେଳେ ଏ କବିତା ମାଧ୍ୟମରେ ମଂଜ କଥା କହିଥିଲେ ମଧୁ ବାରିଷ୍ଟର। ତାଙ୍କ ଭାଷାରେ: “ତୁ ପରା ବୋଲାଉ ଉତ୍କଳ ସନ୍ତାନ ତେବେ କିଂପା ତୁହି ଭୀରୁ, ତୋହର ଜନନୀ ରୋଦନ କରିଲେ କହିବାକୁ କିଂପା ଡରୁ?”।

ଏହି ଜାତୀୟ ଗୀତର ସବୁଠାରୁ ବଡ଼ ତଥା ମାର୍ମିକ ପଙକ୍ତିଟି ହେଉଛି: “ଜାତି ନନ୍ଦିଘୋଷ ଚଳିବ କି ଭାଇ ସ୍ଵାର୍ଥକୁ ସାରଥୀ କଲେ, ଟାଣେ କିରେ ଗାଡ଼ି ଦାନାର ତୋବଡ଼ା ଘୋଡ଼ା ମୁହେଁ ବନ୍ଧା ଥିଲେ?”

ତେଣୁ, ତୋଷାମଦ ନୁହେଁ ବରଂ ସତ୍ୟ ଓ ସାହସ ଓଡ଼ିଆ ଜାତିର ଅସଲ ପରିଚୟ ବୋଲି ସେଦିନ ଚେତାଇ ଦେଇଥିଲେ ମଧୁବାବୁ।

ସଂଗୀତ ଓ କଣ୍ଠଦାନ: ବସନ୍ତ ପାତ୍ର

(୪) ମଧୁସୂଦନଙ୍କ କାଳଜୟୀ ଗୀତ – ‘ଜାତି ଇତିହାସ ଜାତିର ନିର୍ଝର, ସଦା ବହେ ତହୁଁ ଜାତି ପ୍ରାଣଧାର’

ଉତ୍କଳଗୌରବ ମଧୁସୂଦନ ଦାସ ତାଙ୍କ ଜୀବନକାଳରେ ଲେଖିଥିଲେ ଅଳ୍ପ କେତୋଟି କବିତା। ସେସବୁ ପୁଣି ଥିଲା ଉତ୍କଳର ସନ୍ତାନମାନଙ୍କୁ ଓଡ଼ିଆ ଭାଷା, ଜାତି ଏବଂ ଭୂଖଣ୍ଡ ପାଇଁ ଏକାଠି କରିବାର ଆହ୍ଵାନ। ତା ଭିତରୁ ‘ଜାତି ଇତିହାସ ଜାତିର ନିର୍ଝର, ସଦା ବହେ ତହୁଁ ଜାତି ପ୍ରାଣଧାର’ – ଏଇ ଗୀତଟି ଏବେବି କୋଟି କୋଟି ଓଡ଼ିଆଙ୍କ ପ୍ରାଣରେ ଉତ୍ସାହ ଓ ଶିହରଣ ସୃଷ୍ଟି କରେ।

ସଂଗୀତ ଓ କଣ୍ଠଦାନ: ଛନ୍ଦା ମିଶ୍ର

(୫) ‘ଏହି ସମ୍ମିଳନୀ ଜାତିପ୍ରାଣ ସିନ୍ଧୁ କୋଟି ପ୍ରାଣବିନ୍ଦୁ ଧରେ’ – ଶୁଣନ୍ତୁ ମଧୁବାବୁଙ୍କ ମରମ ଛୁଆଁ କବିତା

“ଏହି ସମ୍ମିଳନୀ ଜାତିପ୍ରାଣ ସିନ୍ଧୁ କୋଟି ପ୍ରାଣବିନ୍ଦୁ ଧରେ, ତୋ’ର ପ୍ରାଣ ବିନ୍ଦୁ ମିଶାଇ ଦେ ଭାଇ ଡେଇଁପଡ଼ି ସିନ୍ଧୁ ନୀରେ” – ଦିନେ ଉତ୍କଳ ସମ୍ମିଳନୀର ଉଦ୍ଦେଶ୍ୟ ଓ ଗୁରୁତ୍ଵ ବିଷୟରେ ଲୋକଙ୍କୁ ବୁଝାଇବାକୁ ଯାଇ ଏହି ଐତିହାସିକ କବିତାଟି ଲେଖିଥିଲେ ଉତ୍କଳଗୌରବ ମଧୁସୂଦନ ଦାସ।

ମଧୁବାବୁ ସେଦିନ ସଫା ସଫା ବୁଝାଇ ଦେଇଥିଲେ – ‘ନିଜର ଜୀବନ ଜାତିକୁ ଅର୍ପଣ କଲେ ମିଳେ ଜାତି ପ୍ରାଣ, ଜାତୀୟ ଜୀବନ ନମିଳିବ କଲେ ହାଟେ ବାଟେ ଅନ୍ଵେଷଣ’। ପରାଧୀନତାରୁ ମୁକୁଳିବା ପାଇଁ ପ୍ରତି ବ୍ୟକ୍ତିର ଜୀବନକୁ ଟପି ଏହି ଜାତିପ୍ରାଣ ବା ଜାତୀୟ ଜୀବନ ଯେ କେତେ ଜରୁରୀ ତାହା ସେ ବୁଝାଇବାକୁ ଚେଷ୍ଟା କରିଥିଲେ।

ସଂଗୀତ ଓ କଣ୍ଠଦାନ: ଛନ୍ଦା ମିଶ୍ର

(୬) ମଧୁସୂଦନଙ୍କ ପ୍ରାର୍ଥନା ‘ଆହେ ବିଶ୍ଵପତି’ – ସବୁଠି ଉତ୍କଳ ଜନନୀର ମୁକ୍ତି ପାଇଁ ଥିଲା ଚିନ୍ତା

ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପଛର ପ୍ରମୁଖ ବିନ୍ଧାଣି ମଧୁବାବୁ ଦିନେ ଲେଖିଥିଲେ ଏହି ପ୍ରାର୍ଥନା – ‘ଆହେ ବିଶ୍ଵପତି ଘୁଞ୍ଚାଅ ବିସ୍ମୃତି ଆଦି ମନ୍ତ୍ର ସଦା ଜପୁ ମୋର ମନ’। ହେଲେ କ’ଣ ଥିଲା ଏହି ମହାପୁରୁଷଙ୍କ ଲାଗି ‘ଆଦି ମନ୍ତ୍ର’? ଏହାର ଉତ୍ତର ହେଉଛି – ଉତ୍କଳ ଜନନୀର ମୁକ୍ତି।

ଆମ ଶରୀର, ଆମ ଜୀବନ ଅନ୍ୟ ପାଇଁ ଗଢ଼ା। ଦିନେ ଉତ୍କଳବାସୀଙ୍କୁ ଏହି ମନ୍ତ୍ର ଦେଇଥିଲେ କୁଳବୃଦ୍ଧ ମଧୁସୂଦନ। ‘ଜନ୍ମ ହେଲା କ୍ଷଣି ସ୍ତନ୍ୟ ଦାନ କରି ମାତା ମନ୍ତ୍ର ଦେଲେ ପରାର୍ଥେ ଜୀବନ’ – ତାଙ୍କ କବିତା ଭିତରେ ଥିବା ଏହି ଧାଡ଼ିଟି କହେ ମଧୁବାବୁଙ୍କ ଜୀବନର ସରାମର୍ମ।

ସଂଗୀତ ଓ କଣ୍ଠଦାନ: ଛନ୍ଦା ମିଶ୍ର

ଏହି କବିତାଗୁଡ଼ିକ ମାଧ୍ୟମରେ ମଧୁବାବୁ ଓଡ଼ିଆ ଜାତି ପ୍ରାଣରେ ଜାଗରଣ ଆଣିବାକୁ ଚେଷ୍ଟା କରିଥିଲେ।

“ମଧୁସୂଦନ ଦାସ ପରିଣତ ବୟସରେ ମାତ୍ର ୭ଟି କବିତା ଲେଖିଥିଲେ। ସେ ସବୁ ଥିଲା ଉତ୍କଳ ମା’କୁ ନେଇ। ମା’ କହିଲେ ସେ ନିଜ ଜନ୍ମଦାତ୍ରୀ ମା’ ନୁହେଁ, ସେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବ୍ୟାପ୍ତ ଉତ୍କଳ ପ୍ରଦେଶକୁ ବୁଝୁଥିଲେ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଦିନ ରାତି ସ୍ୱପ୍ନ ଦେଖୁଥିବା ମଧୁବାବୁ ଏହି କବିତାଗୁଡ଼ିକ ମାଧ୍ୟମରେ ଓଡ଼ିଆ ଜାତି ପ୍ରାଣରେ ଜାଗରଣ ଆଣିବାକୁ ସେତେବେଳେ ଚେଷ୍ଟା କରିଥିଲେ। ସେ ଗୀତଗୁଡ଼ିକ ଥିଲା ଅନୁପମ, ଅନନ୍ୟ ଓ ଅନ୍ତରର କବିତା। ଓଡିଶାଲାଇଭ୍ ଯେଉଁଭଳି ଭାବେ ଏଭଳି ଗୀତଗୁଡ଼ିକୁ ପୃଥିବୀର ବିଭିନ୍ନ କୋଣରେ ଥିବା ମଧୁପ୍ରେମୀ ଏବଂ ଷୋଳଅଣା ଓଡ଼ିଆଙ୍କ ପାଖରେ ପହଞ୍ଚାଇବା ପାଇଁ ଉଦ୍ୟମ କରୁଛି ତାହା ପ୍ରସଂଶନୀୟ”, କହିଛନ୍ତି ଵିଶିଷ୍ଟ ସାହିତ୍ୟିକ ତଥା ମଧୁବାବୁଙ୍କ ଜୀବନୀ ଲେଖକ ଦାଶ ବେନହୁର୍।

ଏହି ଅଡିଓ ଆଲବମ୍‌ରେ ମଧୁସୂଦନ ଦାସଙ୍କ ସଂକ୍ଷିପ୍ତ ଜୀବନ, ଜାତିୟତା-ପ୍ରାଣ ଏବଂ ସାହିତ୍ୟକୃତି ବିଷୟରେ ଉପକ୍ରମଣିକା ଦେଇଛନ୍ତି ପ୍ରଫେସର ଜିତେନ୍ଦ୍ର ନାରାୟଣ ଦାଶ (ଦାଶ ବେନହୁର) ଏବଂ ଡକ୍ଟର ବିଜୟାନନ୍ଦ ସିଂହ। ତତ୍କାଳୀନ ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ଉଦ୍ୟମରେ ପ୍ରସ୍ତୁତ ଏହି ଅଡିଓ ଆଲବମ୍‍ ମଧୁସୂଦନଙ୍କ ପବିତ୍ର ଜନ୍ମଦିନ ଅବସରରେ ୨୮ ଏପ୍ରିଲ ୨୦୧୫ ଦିନ ଉନ୍ମୋଚିତ ହୋ‍ଇଥିଲା। ଗାୟିକା ଛନ୍ଦା ମିଶ୍ରଙ୍କ ପରିଚାଳନାରେ ‘ମଧୁଗୀତି’ ପ୍ରସ୍ତୁତ ହୋ‍ଇଥିଲା।

“ଉତ୍କଳଗୌରବ ମଧୁସୂଦନ ଦାସ ଚିରକାଳ ଓଡ଼ିଆମାନଙ୍କ ପାଇଁ ପ୍ରେରଣା ହୋଇ ରହିବେ। ଏଭଳି ଜଣେ ବ୍ୟକ୍ତିତ୍ଵଙ୍କ କାଳଜୟୀ ଲେଖାକୁ ସଂଗୀତ ରୂପେ ଉପସ୍ଥାପନ କରିବାରେ ମୋ ସହ ଯେଉଁମାନେ ଯୋଡ଼ି ହୋଇଥିଲେ ସମସ୍ତେ ନିଶ୍ଚିତ ରୂପେ ନିଜକୁ ଧନ୍ୟ ମନେକରିବେ”, ଓଡ଼ିଶାଲାଇଭ୍‌କୁ କହିଛନ୍ତି ଛନ୍ଦା ମିଶ୍ର।

Comment