ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ କୁମାର ନାଇଡୁ): ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବିଧାର କାରଣ ପାଲଟିଛନ୍ତି ପଶ୍ଚିମବଙ୍ଗ ଫେରନ୍ତା। କିଛି ସପ୍ତାହ ମଧ୍ୟରେ ଜିଲ୍ଲାକୁ ପ୍ରାୟ ୨୫୦ରୁ ଅଧିକ ଲୋକ ପଶ୍ଚିମବଙ୍ଗରୁ ଆସିଛନ୍ତି ବୋଲି ସୂଚନା ମିଳିଛି।

ମୋବାଇଲ ଟ୍ରାକିଂରୁ ଏନେଇ ଜଣାପଡ଼ିବା ପରେ ଏନଆରଏଚଏମର ନିର୍ଦ୍ଦେଶକ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏହି ଖବର ପାଇବା ପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତତ୍ପର ହୋଇଉଠିଛି। ଖୁବଶୀଘ୍ର ଏହି ଲୋକମାନଙ୍କ ସ୍ୱାବ ନମୁନା ସଂଗ୍ରହ କରିବା ସହିତ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖିବାକୁ ଖୋର୍ଦ୍ଧା ଜିଲ୍ଲାପାଳ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପଶ୍ଚିମବଙ୍ଗରୁ ଫେରିଥିବା ଏହି ଲୋକମାନଙ୍କ ମଧ୍ୟରେ ବାଣପୁର ବ୍ଲକର ୨ ଜଣ ରହିଥିବାବେଳେ ୧୧ଜଣ ଚିଲିକା ବ୍ଲକର ବୋଲି ଜଣାପଡ଼ିଛି। ସେହିଭଳି  ଟାଙ୍ଗୀ ବ୍ଲକରୁ ମଧ୍ୟ ୬ ଜଣ ଲୋକ ଏହା ମଧ୍ୟରେ ପଶ୍ଚିମବଙ୍ଗରୁ ନିଜ ଜିଲ୍ଲାକୁ ଫେରିଛନ୍ତି। ଏଥିସହ ବୋଲଗଡ଼, ବେଗୁନିଆ, ବାଲିଅନ୍ତା ଓ ଭୁବନେଶ୍ୱରର ପ୍ରାୟ ୨୫୦ରୁ ଅଧିକ ଲୋକ ଏହା ମଧ୍ୟରେ ଜିଲ୍ଲାକୁ ଫେରିଛନ୍ତି ବୋଲି ସୂଚନା ମିଳିଛି। ଏମାନଙ୍କ ସ୍ୱାବ ନମୁନା ସଂଗ୍ରହ କରିବା ସହିତ ସେମାନଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛି।

Comment