ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: କରୋନା ମହାମାରୀ ଯୋଗୁଁ ବିଭିନ୍ନ ବର୍ଗର ଲୋକେ ନିଜର ଜୀବିକା ହରାଇଛନ୍ତି। ଗରିବ, ମଧ୍ୟବିତ୍ତ ସମସ୍ତେ ପ୍ରଭାବିତ ହୋଇଛନ୍ତି। କିନ୍ତୁ ମଧ୍ୟବିତ୍ତ ବର୍ଗର ଲୋକେ କୌଣସି ପ୍ରକାର ସହାୟତା ପାଉନାହାନ୍ତି। ତେଣୁ ଏଭଳି ଏକ ସମୟରେ ସମସ୍ତଙ୍କୁ ଗ୍ୟାସ୍ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବା ଆବଶ୍ୟକ।

ସେହିପରି ବର୍ତ୍ତମାନ ସମୟରେ କାହାରି ହାତରେ ରୋଜଗାର ନଥିବାରୁ ବିଦ୍ୟୁତ୍ ବିଲ୍ ଓ ସ୍କୁଲ୍ ଫି’ ଛାଡ କରାଯାଉ ବୋଲି ନିବେଦନ କରି ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ହାଇକୋର୍ଟ ଆଜି ଏହି ମାମଲାର ଶୁଣାଣି କରି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ଲାଗି ନୋଟିସ୍ ଜାରି କରିଛନ୍ତି।

ପ୍ରହଲ୍ଲାଦ ରାଉତଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରୀ ଏବଂ ବିଚାରପତି ଜଷ୍ଟିସ୍ କେ. ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ଗୃହ ମନ୍ତ୍ରାଳୟ, ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ସଚିବ, ଉଚ୍ଚଶିକ୍ଷା ସଚିବ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ସଚିବ, ଶକ୍ତି ବିଭାଗ ସଚିବ, ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିସନର, ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ(ଓଇଆରସି), ରାଜ୍ୟର ସମସ୍ତ ବିଦ୍ୟୁତ୍ ବଣ୍ଟନ କମ୍ପାନିଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀ ଶ୍ରୀ ରାଉତ ତିନୋଟି ପ୍ରସଙ୍ଗକୁ ନେଇ ଏହି ପିଟିସନ୍ ଦାଖଲ କରିଛନ୍ତି। ସେ ଏଥିରେ ଉଲ୍ଲେଖ କରିଛନ୍ତି ଯେ, ବର୍ତ୍ତମାନ ଯେଉଁମାନଙ୍କର ରାସନ୍ କାର୍ଡ ରହିଛି ସେମାନେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପାଉଛନ୍ତି। ସେମାନଙ୍କୁ କେବଳ ଉଜ୍ଜ୍ୱଲା ଯୋଜନାରେ ଗ୍ୟାସ୍ ମିଳୁଛି। କିନ୍ତୁ ଯଦି ବାସ୍ତବତା ଦେଖାଯାଏ ତେବେ ମଧ୍ୟବିତ୍ତ ପରିବାର, କ୍ଷୁଦ୍ର ବ୍ୟବସାୟୀମାନେ କରୋନା ଯୋଗୁଁ ବହୁତ ଭାବେ ପ୍ରଭାବିତ। ସେମାନଙ୍କ କଥା ସରକାର ଚିନ୍ତା କରିବା ଦରକାର।

ସମାଜର ଏହି ବର୍ଗର ଲୋକଙ୍କୁ ଅନ୍ତତଃ ପକ୍ଷେ ଏହି ଲକ୍‌ଡାଉନ୍ ସମୟ ପର୍ଯ୍ୟନ୍ତ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବା ଆବଶ୍ୟକ। କେନ୍ଦ୍ର ସରକାର ଏହିସବୁ ପରିବାରକୁ ଗ୍ୟାସ୍ ମଧ୍ୟ ଦେବା ଆବଶ୍ୟକ। ଘରୋଇ ଉପଭୋକ୍ତାଙ୍କୁ ସମ୍ପୂର୍ଣ୍ଣ ବିଦ୍ୟୁତ୍ ଦେୟ ଛାଡ କରାଯିବା ଏବଂ ବ୍ୟବସାୟିକ ବିଦ୍ୟୁତ୍ ସଂଯୋଗକାରୀଙ୍କ କ୍ଷେତ୍ରରେ ଡିମାଣ୍ଡ ଚାର୍ଜ, ଇଲେକ୍ଟ୍ରିସିଟି ଡ୍ୟୁଟି ଛାଡ କରିବା ଲାଗି ଆବେଦନକାରୀ ପ୍ରାର୍ଥନା କରିଥିଲେ। ଏହାସହ ସ୍କୁଲ ଓ କଲେଜର ଫି’ ମଧ୍ୟ ଛାଡ କରାଯିବା ଆବଶ୍ୟକ। ଏ ସମସ୍ତ ଆବେଦନ ଉପରେ ହାଇକୋର୍ଟ ଆଜି ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।

Comment