ଓଡ଼ିଶାଲାଇଭ୍ ବ୍ୟୁରୋ
”ମୋ ମନ, ଆତ୍ମା, ଶରୀର କରୋନା ପାଇଁ ଉତ୍ସର୍ଗୀକୃତ। ମୁଁ ଏବେ କେବଳ ଲୋକଙ୍କ ସେବା କଥା ଭାବୁଛି” – ପଢ଼ନ୍ତୁ ନିଜ ଲକଡାଉନ୍ ଅନୁଭୂତି ବର୍ଣ୍ଣନା କରି କ’ଣ କହିଛନ୍ତି ଶୋଭନୀୟ ଆନ୍ଦୋଳନର ଅଧ୍ୟକ୍ଷା ତଥା ସମାଜସେବୀ ଡକ୍ଟର ଅରୁନ୍ଧତୀ ଦେବୀ।
‘‘ବିଶ୍ଵ, ଦେଶ, ଆମ ରାଜ୍ୟ ଅଭୂତପୂର୍ବ ଏକ ଭୟଙ୍କର ସଙ୍କଟ ସମୟ ଦେଇ ଗତି କରୁଛି। ପୃଥିବୀର ଲକ୍ଷ ଲକ୍ଷ ଲୋକ ଏବେ କରୋନା ମହାମାରୀକୁ ସାମ୍ନା କରୁଛି। ଦେଶ ଏବେ ୩ୟ ବିଶ୍ଵଯୁଦ୍ଧର ପରିସ୍ଥିତି ଭଳି ଲଢ଼େଇ କରୁଛନ୍ତି। ଆମେ ଲକଡାଉନ୍ରେ ରହୁଥିଲେ ମଧ୍ୟ ପ୍ରତ୍ୟେକଙ୍କ ପାଇଁ ଏହା ଏକ ଗୁରୁତ୍ଵପୂର୍ଣ୍ଣ ସମୟ। ମୁଁ ଏହି କରୋନା ମହାମାରୀ ରୂପକ ବିଶ୍ଵଯୁଦ୍ଧରେ କିଛି ଯୋଦ୍ଧାଙ୍କ ସେନାପତି ଭାବେ କାର୍ଯ୍ୟ କରୁଛି’’, କହିଛନ୍ତି ଅରୁନ୍ଧତୀ ଦେବୀ।
ସେ ଆହୁରି ମଧ୍ୟ କହିଛନ୍ତି, ‘‘ମୋ ମନ, ଆତ୍ମା, ଶରୀର କରୋନା ପାଇଁ ଉତ୍ସର୍ଗୀକୃତ। ମୁଁ ମୋ ଅଞ୍ଚଳ ସହିତ ଏବେ ବିଶ୍ଵକଥାକୁ ଭାବୁଛି ଓ ସମସ୍ତଙ୍କର ଖବର ରଖୁଛି। ଏପ୍ରିଲ ୮ ତାରିଖ ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଦିବସରେ ଆମେ ବିଶ୍ଵବାସୀଙ୍କ ସୁସ୍ଵାସ୍ଥ୍ୟ ପାଇଁ ଏବଂ ବିଶ୍ଵର କରୋନା ଆକ୍ରାନ୍ତ ମୃତକଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲୁ। ଏହିଦିନ ଏକ ଶପଥପତ୍ର ପ୍ରସ୍ତୁତ କରି ଆମେ ସଂକଳ୍ପ ନେଇଥିଲୁ କରୋନା ଯୁଦ୍ଧରେ ଜଣେ ଜଣେ ଶୃଙ୍ଖଳିତ ସୈନିକ ଭାବେ କାମ କରବୁ।’’
କେମିତି କଟୁଛି ଲକଡାଉନରେ ଆପଣଙ୍କ ନିତିଦିନିଆ ରୁଟିନ୍?
ମୁଁ ପ୍ରତିଦିନ ଭୋର୍ ୩.୩୦ ବା ୪ଟାରୁ ଉଠିଯାଏ। କିଛି ଲେଖାଲେଖି ଓ ଅଧ୍ୟୟନ କରେ। ସକାଳେ ପରିବେଶ ସ୍ଵଚ୍ଛତା ଏବଂ ବାଡ଼ିବଗିଚା କାମରେ ସହଯୋଗ ଏବଂ ତଦାରଖ କରେ। ନିତ୍ୟ କର୍ମସାରି ସାମାଜିକ ଦୂରତ୍ଵ ରକ୍ଷା କରି ସମସ୍ତେ ବସିବା ପରେ ପ୍ରାର୍ଥନା ଆରମ୍ଭ ହୁଏ।
ଏଥିରେ ମୁଁ ଶାନ୍ତି ମନ୍ତ୍ର ପାଠକରେ। ଗୀତା, ବେଦ ବେଦାନ୍ତ ଓ ବିଭିନ୍ନ ଆଧ୍ୟାତ୍ମିକ ଶ୍ଳୋକ ଆବୃତ୍ତି ସହ ଏହାର ଅର୍ଥକୁ ପାଠକରେ। ଏବେ ରୁଟିନ୍ ବଦଳି ଯାଇଛି। ସକାଳ ଖାଇବା ସମୟ ଟିକେ ବିଳମ୍ବରେ ହେଉଛି। ଉପମା, ରୁଟି, ଓଟ୍ସ ଆଦି ଯେଉଁଦିନ ଯାହା ମେନୁ ସାଙ୍ଗକୁ ବାଡ଼ିରୁ ତୋଳା ଯାଇଥିବା ସଜ ପରିବାରେ ସୁପ୍, ସନ୍ତୁଳା ହେଉଛି। ବଜାରରୁ ପରିବାପତ୍ର ଆଣିବା ଏବେ ସହଜ ନୁହେଁ। ସ୍ଵାସ୍ଥ୍ୟକର ମଧ୍ୟ ନୁହେଁ। ମାର୍ଚ୍ଚ ମାସରେ ବାଡିରେ ପନିପରିବା ଗଛର ଯତ୍ନକୁ ତ୍ଵରାନ୍ଵିତ କରାଇଥିଲି ଓ ନୂଆ ମଞ୍ଜି ମଧ୍ୟ ଲଗାଇଥିଲି। କେଉଁଠି ରଞ୍ଜା ଦିଆଯିବ, କେଉଁଠି ଖତ ଦିଆଯାଇ ହୁଡ଼ା ଟେକାଯିବ ସବୁ ହେଲା। ଏବେ ପ୍ରଚୁର ପରିବା, କଖାରୁ ଫୁଲ ସହ ଶାଗ ମିଳୁଛି। ସେଇ ବାଡ଼ି ତୁଳସୀପତ୍ର, ତେଜପତ୍ର, ଗୋଲମରିଚ, ଅଦା ଆଦିକୁ ଦେଇ କାଡ଼ା ବି ହେଉଛି।
ବ୍ରେକ୍ ଫାଷ୍ଟ ପରେ ଟିଭିରୁ ଖବର ଦେଖିବା, ଅଫିସ୍ କାଗଜପତ୍ର କାମ କରିବା, ସୋସିଆଲ୍ ମିଡିଆରେ ପୋଷ୍ଟିଂ କରିବା, ଅନ୍ୟମାନଙ୍କ ପୋଷ୍ଟର ଉତ୍ତର ଦେବା, ଧନ୍ୟବାଦ ଦେବାରେ ସମୟ ଯାଏ। କରୋନା ସମ୍ପର୍କିତ ପ୍ରବନ୍ଧ ଲେଖାଲେଖି କରି ପ୍ରିଣ୍ଟ ମିଡିଆକୁ ପଠାଉଛି। ଅନ୍ୟ ସମ୍ବାଦପତ୍ର ସହ ପ୍ରମୁଖ ସମ୍ବାଦପତ୍ର “ସମାଜ’’ରେ ଏବେ ମୋ ଲେଖା ବାହାରିଛି। ଯୋଜନା ଅନୁସାରେ ଆମେ ଏବେ ହାତ ତିଆରି ଖଦଡ଼ କପଡ଼ାରେ ମାକ୍ସ ତିଆରି କରୁଛୁ। ଗରିବ ଲୋକଙ୍କ ବସ୍ତିକୁ ଯାଇ ତାଙ୍କୁ ସାବୁନରେ ହାତ ଧୋଇବା, ଘରେ ରହିବା, ସାମାଜିକ ଦୂରତ୍ଵ ରଖି ଚଳିବା ଆଦି ବୁଝାଇବା ସହ, ବିସ୍କୁଟ ବା ଶୁଖିଲା ଖାଦ୍ୟସହ ମାସ୍କ ବାଣ୍ଟୁଛୁ। ମୁଁ ଏଥିରେ ନେତୃତ୍ଵ ନିଏ।
ନିଜ ନିଜ ଖର୍ଚ୍ଚରୁ କିଛି କିଛି କାଟ୍ କରି, ବେଳେ ବେଳେ ରାତ୍ରି ଭୋଜନ ବନ୍ଦ କରି ଦେଇ ତଥା ଅନ୍ୟ କାମ ପାଇଁ ଥିବା ସଞ୍ଚିତ ଅର୍ଥକୁ ନେଇ ଆମେ ଫ୍ରି କିଚେନ୍ କରୁଛୁ। ଗରିବ ଅସହାୟ ବୃଦ୍ଧ, ବୃଦ୍ଧା, ପାଗଳ, ଭିନ୍ନକ୍ଷମ, ଛୋଟ ପିଲାଙ୍କୁ ହାଣ୍ଡଓ୍ୱାସରେ ହାତ ଧୁଆଇ ଆମେ ରନ୍ଧାଖାଦ୍ୟ ଖାଇବାକୁ ଦେଉଛୁ।
ନିକଟରେ ଜଣେ ବୃଦ୍ଧ ବ୍ୟକ୍ତି ଦେଖାହେଲେ, ଭଲମନ୍ଦ ପଚରାଯିବାରୁ ଦେହ ଭଲନାହିଁ କହିଲେ। ଔଷଧ ଖାଇବା କଥା ପଚାରିବାରୁ ପଇସା ନାହିଁ କହିଲେ। ମୋ ପର୍ସରେ ଯେତିକି ଥିଲା ସେହି ୪୦୦ ଟଙ୍କା ଦେଇଦେଲି। ସେ ଏହାକୁ ଦେଖି କାନ୍ଦି ପକାଇଲେ।
ଏହାଛଡ଼ା ଫୋନ୍ କରି ରାଜ୍ୟ, ଦେଶ ଓ ବିଦେଶ ସହିତ ସମ୍ପର୍କ ରଖିବା, ଚିହ୍ନା ଜଣା ବ୍ୟକ୍ତି, ଅନୁଷ୍ଠାନ ଓ ଶୋଭନୀୟ ଆନ୍ଦୋଳନର କର୍ମୀଙ୍କ ସହ ଭଲମନ୍ଦ କଥା ହେଉଛି ସେମାନଙ୍କ ବିଷୟରେ ବୁଝୁଛି ଓ ମିଠା କଥା ଶୁଣାଉଛି।
ଗତ ବିଶ୍ଵ ଧରିତ୍ରୀ ଦିବସରେ ଆମେ ଏକ ନୂଆ ଜମି ସଫା କରି ଜହ୍ନି, କଖାରୁ, ଝୁଡଙ୍ଗ ଆଦି ମଞ୍ଜି ଲଗାଇଲୁ। ଶାଗ ବୁଣିଲୁ। ପ୍ରକୃତି ମାଆ ଉଦ୍ଦେଶ୍ୟରେ ଗୀତ ଲେଖି ଗାଇଲୁ। ମୋବାଇଲ୍ରେ ପୋଷ୍ଟିଂ ମଧ୍ୟ କଲୁ। 
ମଧ୍ୟାହ୍ନ ଭୋଜନ ଖାଇସାରିବା ପରେ ପ୍ରତିଦିନ ଟିଭି ନ୍ୟୁଜ୍ ସହିତ ରେଷ୍ଟ ବି ହୋଇଯାଏ। ଖବର କାଗଜ ସକାଳେ ଯଦି ପଢ଼ା ହୋଇନଥାଏ ତେବେ ଇ ପେପର୍ରେ ଆଖି ପକାଇ ଆଣେ। ୪ଟା ୩୦ ହେଲେ ବସିପଡ଼େ ଟିଭି ଆଗରେ କରୋନା ସମ୍ବନ୍ଧୀୟ ଶୁଣିବା ପାଇଁ। ଅପରାହ୍ଣ ୫ଟାରୁ ୬ଟା ୩୦ ଯାଏଁ ବାଡ଼ି ବଗିଚାରେ କଟେ। ଫୁଲ, ଫଳ ବଗିଚାର ଟିକେ ତଦାରଖ କରିଦିଏ। ରାତିରେ ବିଭିନ୍ନ ଯୋଜନା ପ୍ରସ୍ତୁତି, ନ୍ୟୁଜ୍ ଦେଖିବା ଆଦି ହୁଏ।
ଶୋଭନୀୟ ଆନ୍ଦୋଳନର ଶୋଭନୀୟ ଶିକ୍ଷାଶ୍ରମ ଅଛି। ଏବେ ପିଲାଙ୍କ ପାଠପଢ଼ା ବ୍ୟାହତ ହେଉଛି। ତେଣୁ କିପରି କମ୍ ସମୟ ଭିତରେ ତାଙ୍କର କୋର୍ସ ସାରିହେବ ସେଥିପାଇଁ ପ୍ଲାନ୍ ତିଆରିରେ ମୁଁ ମଧ୍ୟ ମତାମତ ଦେବା ସହ ସହଯୋଗ କରୁଛି।
ରାତ୍ରୀ ଭୋଜନରେ ଛେନା, ନଡ଼ିଆପୁର ଦିଆଯାଇ ଓଡ଼ିଆ ସଂସ୍କୃତିର ପିଠାପଣା ହୁଏ। ପ୍ରାୟ ରୁଟି, କ୍ଷୀର ତରକାରିଖାଇବାକୁ ହୁଏ। ପ୍ରତିଦିନ ରାତିରେ ୧୦ଟା ପରେ ଈଶ୍ଵରଙ୍କୁ ଡାକି ବେଡ୍କୁ ଯାଏ। ଆସନ୍ତା ଦିନ ପାଇଁ କିଛି ଗୁରୁତ୍ଵପୂର୍ଣ୍ଣ କାମର ତାଲିକାଟିଏ ଠାରରେ ଲେଖିଦେଇ ଟେବୁଲ ଉପରେ ଖାତା ରଖିଦିଏ। 
ଏଇ ସମୟରେ ଆପଣ କ’ଣ କରୁଛନ୍ତି ଯାହା ବର୍ଷ ବର୍ଷ ଧରି କରିପାରୁନଥିଲେ?
ଏଇ ଲକ୍ଡାଉନ୍ ସମୟରେ ଅନୁଭବ କଲି- ବୁଲା କୁକୁର, ବିଲେଇ, ଗାଈଗୋରୁ, ଷଣ୍ଢ, କାଉ, ପାରା, ବଣି, ମାଙ୍କଡ଼ ଖାଇବା ପିଇବା ପାଇଁ ଆମ ଉପରେ ନିର୍ଭର କରନ୍ତି। ସେମାନଙ୍କ ଆତ୍ମାକୁ ଚିହ୍ନିବାକୁ ଅବସର ମିଳିଲା। ଯାହା ସମ୍ଭବ ତାଙ୍କୁ ଖାଇବାକୁ ଦେବା ଓ ତାଙ୍କ ପାଇଁ ପାଣି ରଖିବାର ବ୍ୟବସ୍ଥା କଲି। ଆଗରୁ ଯାହା ବିଭିନ୍ନ ବ୍ୟସ୍ତତା ଓ କାମ ଭିତରେ କରିପାରୁନଥିଲି କି ଦେଖିପାରୁନଥିଲି।
ଏହାଛଡ଼ା ୧୫/୧୬ ବର୍ଷ ହେଲା ୪ଟା ବହିର କଭର୍ ଛପା ହୋଇ ପଡ଼ିଥିଲା, ବହି ହୋଇପାରୁନଥିଲା। ଏବେ ୩ଟି ବହି ପାଇଁ ଲେଖାଲେଖି ହୋଇ ପ୍ରସ୍ତୁତି ପଥେ ଆଗେଇ ଚାଲିଛି, ତାହା ଲକ୍ ଡାଉନ୍ ଖୋଲିଲେ ଛପାଯିବ।
ଲକଡାଉନ୍ ଭିତରେ କିଛି ସ୍ପେଶାଲ ପ୍ରୋଜେକ୍ଟ ଚାଲିଛି କି ?
ଆମ ବଗିଚାରେ ଏବେ ଗୋଲମରିଚ, ରୁକୁଣା, ପୋଦିନା, ଗୁଜୁରାତି, ଲବଙ୍ଗ, ବିଶଲ୍ୟକରଣୀ, ପାତାଳଗରୁଡ଼, ତେଜପତ୍ର, ଚିରେଇତା, ମଞ୍ଜୁଆତି ଆଦି ବହୁ ଔଷଧୀୟ ଗୁଳ୍ମ ଓ ଗଛ ରହିଛି।
ଆମର ଏକ ଗଛଲତା ଭରା ପାହାଡ଼ ଜମି ଅଛି। ସେଠାରେ ମୁଁ ବହୁତ ଗୁଡ଼ାଏ ମଞ୍ଜି ପକାଇ ଦେଇଥିବାରୁ ଗୁଡ଼ିଏ ନିମ୍ବ ଗଛ ହୋଇଛି। ସେଥିରେ ଔଷଧୀୟ ବଗିଚା ସହ, ନେଚରପାଥି ସେଣ୍ଟର, ଯୋଗ ସେଣ୍ଟର ଆଦି ନିମନ୍ତେ ଡାକ୍ତର, ବିଶେଷଜ୍ଞ ଶୁଭେଚ୍ଛୁମାନଙ୍କ ସହ ପରାମର୍ଶ କରି ଏକ ପ୍ଲାନ୍ ପ୍ରସ୍ତୁତ ହେଉଛି।
ଲକ୍ ଡାଉନ୍ ଆପଣଙ୍କୁ ଜୀବନର କିଛି ବଡ଼ ଶିକ୍ଷା ଦେଇଛି କି?
ଏବେ ତ ସମାଜ ସେବା ପାଇଁ ଯଥେଷ୍ଟ ସମୟ ସୁଯୋଗ ମିଳିଛି। ଏହି ଶିକ୍ଷା ମିଳୁଛି – ଏ ପୃଥିବୀଟା ଖାଲି ମଣିଷମାନଙ୍କର ନୁହେଁ – ମଣିଷ ସମସ୍ତଙ୍କୁ ବଞ୍ଚିତ କରି, ଲୁଟି ନିଜେ ଗର୍ବ କରୁଛି। ପଶୁପକ୍ଷୀଙ୍କ ସ୍ଵାଧୀନତାକୁ ବିପନ୍ନ କରି ନିଜେ ଖାଲି ଗର୍ବ କରିବା ସମସ୍ତଙ୍କ ପ୍ରତି ସମ୍ବେଦନଶୀଳ ହୋଇ ଚଳିବା ମଣିଷର ଦାୟିତ୍ଵ ଓ କର୍ତ୍ତବ୍ୟ। ଆଧୁନିକତାର ଦ୍ଵାହି ଦେଇ ଏ ପ୍ରକୃତିକୁ ମଣିଷ କି ଛାରଖାର ନ କରିଛି। ପ୍ରଦୂଷଣ ପ୍ରଦୂଷଣ ସର୍ବତ୍ର ପ୍ରଦୂଷଣ ବଢ଼ି ବଢ଼ି ଚାଲିଛି। ଏବେ ଆମ ଗଙ୍ଗା, ଯମୁନା ନଦୀ ସବୁ ପ୍ରଦୂଷଣ ମୁକ୍ତ ହେଉଛନ୍ତି। ବାୟୁମଣ୍ଡଳ, ପରିବେଶ ପ୍ରଦୂଷଣ ମୁକ୍ତ ହେଉଛି। କି ସୁନ୍ଦର, ସ୍ଵାସ୍ଥ୍ୟପ୍ରଦ। ଚମତ୍କାରିତା ସବୁ ମଧ୍ୟ ଦେଖିବାକୁ ମିଳୁଛି। କୋଇଲିର କୁହୁତାନ, ବିଭିନ୍ନ ପକ୍ଷୀଙ୍କ କାକଳି, ଶୁନ୍ ଶାନ୍ ସହର, ରାଜରାସ୍ତାକୁ ଚାଲି ଆସୁଥିବା ହରିଣ, ଜୀବଜନ୍ତୁ ପକ୍ଷୀ ମୁକ୍ତ ଭାବେ ଧାଇଁ ଆସୁଛନ୍ତି। ମାଙ୍କଡ଼ମାନେ ନିର୍ଭୟରେ ଚଳପ୍ରଚଳ ପାଇଁ ଆସୁଛନ୍ତି। ତାଙ୍କୁ ହୁଡାଇବାକୁ ବା ଡରାଇ ମାରିବାକୁ କେହି ନାହାଁନ୍ତି। ସବୁ ମଣିଷମାନେ ବନ୍ଦୀ। ମଣିଷ ଲୋଭ ଛାଡ଼ୁ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା ସହରୀ ମଣିଷ ଗାଁ ମୁହାଁ ହେଉଥିବା ଦେଖି ବିକଶିତ ରାଷ୍ଟ୍ର ପ୍ରତି ମୋର ମୋହ ଏବେ ଭଙ୍ଗ ହୋଇଛି।
ଓଡ଼ିଶା ଲାଇଭ୍ର ପାଠକ/ଦର୍ଶକମାନଙ୍କ ପାଇଁ ଏଇ ସମୟରେ କ’ଣ ବାର୍ତ୍ତା ଦେବେ ?
ସମସ୍ତଙ୍କୁ ଭଲପାଇବା। ସମସ୍ତେ ଭଲରେ ରହିବାକୁ ସହାନୁଭୂତିଶୀଳ ମନୋଭାବ ରଖନ୍ତୁ। ପ୍ରକୃତି ପ୍ରତି ଯତ୍ନଶୀଳ ହେବା ନିହାତି ଜରୁରୀ। ଆମେ କେହି ବଡ଼ ନୁହନ୍ତି। ଆଖିକୁ ଦିଶୁନଥିବା ସାଧାରଣ କ୍ଷୁଦ୍ରାତି କ୍ଷୁଦ୍ର ଭୂତାଣୁଟି ସମଗ୍ର ପୃଥିବୀର ମଣିଷ ସମାଜକୁ ଭୀତତ୍ରସ୍ତ କରିଛି। ବିକଶିତ ରାଷ୍ଟ୍ର ବି ମୁଣ୍ଡ ନୁଆଁଇଛି। କ’ଣ ପାଇଁ ଆମର ଔଦ୍ଧତ୍ୟ? ଆମେ ଖୁସି ହେବା ବିଶ୍ଵରେ ଆମ ଦେଶ ଭାରତର ମର୍ଯ୍ୟାଦା ବଢ଼ିଛି ଏବଂ ଦେଶରେ ଆମ ଓଡ଼ିଶାର ମାନ ବଢ଼ିଛି। ସେଥିପାଇଁ ଆମେ ଶୃଙ୍ଖଳିତ ରହିବା, ପରସ୍ପରର ମଙ୍ଗଳ କାମନା କରିବା
ସର୍ବେ ଭବନ୍ତୁ ସୁଖୀନଃ –ସର୍ବେ ସନ୍ତୁ ନିରାମୟାଃ
ସର୍ବେ ଭଦ୍ରାଣି ପଶ୍ୟନ୍ତୁ- ମା’ କଶ୍ଚିତ୍ ଦୁଃଖଭାଗ୍ ଭବେତ୍।


















