ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁଇଟି ବସ୍‌ ଦୁର୍ଘଟଣା ପରେ ଏବେ ସଚେତନ ହୋଇଛନ୍ତି ସରକାର। ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା କୌଣସି ବସ୍‌ ଘାଟିଦେଇ ଆସିବନି। ଏଣିକି ବସଗୁଡ଼ିକ ବୌଦ୍ଧ ମାଧପୁର ଦେଇ ନୟାଗଡ଼ ଓଡ଼ଙ୍ଗା ଜଗନ୍ନାଥପ୍ରସାଦ ଦେଇ ଗଞ୍ଜାମରେ ପହଞ୍ଚିବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

ଏନେଇ ପରିବହନ ମନ୍ତ୍ରୀ କହିଛନ୍ତି, “ଘାଟି ରାସ୍ତା ହୋଇଥିବାରୁ ଦୁର୍ଘଟଣା ହେଉଛି। ଡ୍ରାଇଭରମାନେ ବି ଘାଟି ରାସ୍ତା ସହ ଅଭ୍ୟସ୍ତ ନାହାନ୍ତି। ତେଣୁ ଏଣିକି ସୁରତରୁ ଆସୁଥିବା ବସ୍‌ର ରୁଟ୍‌ ବଦଳାଯିବ। ଏଣିକି ସବୁ ବସ୍‌ ବୌଦ୍ଧ-ଚାରଛକ-ମାଧପୁର-ନୟାଗଡ଼-ଓଡ଼ଗାଁ ଦେଇ ଗଞ୍ଜାମ ଯିବ।”

ପ୍ରଥମେ ଶନିବାର ରାତିରେ ୫୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମ ଫେରୁଥିବା ଏକ ବସ୍‌ କଳିଙ୍ଗା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ।

ଏହାର ୨୪ ଘଣ୍ଟା ନପୂରୁଣୁ ପୁଣି କଳିଙ୍ଗା ଘାଟିରେ ସୁରତରୁ ଫେରୁଥିବା ଏକ ବସ୍‌ ଦୁର୍ଘଟଣା ହୋଇଥିଲା। ଏଥିରେ ଡ୍ରାଇଭର ସମେତ ୩ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ପରେ ରୁଟ୍‌ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି ପରିବହନ ମନ୍ତ୍ରୀ।

Comment