ଓଡ଼ିଶାଲାଇଭ୍ ବ୍ୟୁରୋ

ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଖୁବଶୀଘ୍ର ଆରମ୍ଭ ହେବ ରଥ ନିର୍ମାଣ। ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ମଙ୍ଗଳବାର କିମ୍ବା ବୁଧବାର ସୁଦ୍ଧା ଏହି କାର୍ଯ୍ୟ ଆରମ୍ଭ ହୋଇପାରେ। ତେବେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ହିଁ ନେବେ ବୋଲି କହିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ।

ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ନେଇ ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିଥିଲା। ଏହି ବୈଠକର ଆଲୋଚନାରେ କୁହାଯାଇଛି ଯେ, ସମସ୍ତ ଜୋନରେ ନିର୍ମାଣ କାମ କରିବାକୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ତେଣୁ ରଥ ନିର୍ମାଣରେ କୌଣସି ଅସୁବିଧା ନାହିଁ। ରଥ ନିର୍ମାଣ ଏକ ଧାର୍ମିକ ପରମ୍ପରା ନୁହେଁ ବଂର ଏହା ଏକ ନିର୍ମାଣ କାମ ବୋଲି କୁହାଯାଇଛି। ତେଣୁ ରଥଖଳାରେ ସାମାଜିକ ଦୂରତା ରକ୍ଷା କରିବା ସହିତ ରଥ ନିର୍ମାଣ କରାଯାଇପାରିବ ବୋଲି କୁହାଯାଇଛି।

ରଥ ନିର୍ମାଣ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ନିଜ ନିଷ୍ପତ୍ତି ରାଜ୍ୟ ସରକାରଙ୍କୁ ଜଣାଇ ଦେଇଛି। ତେବେ ରାଜ୍ୟ ସରକାର ରଥ ନିର୍ମାଣ ହେବ କି ନାହିଁ ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ରାଜ୍ୟ ସରକାରଙ୍କଠାରୁ ନିର୍ଦ୍ଦେଶ ପାଇବା ପରେ ହିଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଗଜପତି ମହାରାଜ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

କରୋନା କାରଣରୁ ସାରା ଦେଶରେ ଲକଡାଉନ୍ ଜାରି ରହିଛି। ଯାହାର ନିୟମ ମୁତାବକ ସାରା ଦେଶରେ ସମସ୍ତ ପ୍ରକାର ଧାର୍ମିକ କାର୍ଯ୍ୟକୁ ବନ୍ଦ କରାଯାଇଛି। କେବଳ ମନ୍ଦିର ମଧ୍ୟରେ ଠାକୁରଙ୍କ ରୀତିନୀତି, ପରମ୍ପରା ଜାରି ରହିଛି। ଏହି ଅନୁସାରେ ଏଥର ମହାପ୍ରଭୁଙ୍କର ରଥଯାତ୍ରା ଆୟୋଜନ ହେବ କି ନାହିଁ ତାକୁ ନେଇ ପ୍ରଶ୍ନ ଦେଖାଯାଇଛି।

ଏପରିକି ଅକ୍ଷୟ ତୃତୀୟରେ ରଥକାଠ ଅନୁକୂଳ କିପରି କରାଯିବ ତାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ଦେଖାଯାଇଥିଲା। ଏହାପରେ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟଙ୍କ ଉପଦେଶ ଅନୁସାରେ ମନ୍ଦିର ମଧ୍ୟରେ ରଥକାଠ ଅନୁକୂଳ ରୀତିନୀତି କରାଯାଇଥିଲା। ତେବେ ଏହାପରଠାରୁ ରଥଖଳାରେ ରଥ ନିର୍ମାଣ କାମ ଆରମ୍ଭ ହୋଇପାରିନାହିଁ।

Comment