ଓଡ଼ିଶାଲାଇଭ୍ ବ୍ୟୁରୋ
ନିଜାମୁଦ୍ଦିନ, କୋଲକାତା ପରେ ଏବେ ସୁରତ ଫେରନ୍ତାଙ୍କୁ ନେଇ ଚିନ୍ତା ବଢ଼ିଲା।
ଅଧା ଓଡ଼ିଶାରେ କରୋନା ତାର କାୟା ମେଲାଇଛି। ୩୦ଟି ଜିଲ୍ଲାରୁ ୧୭ଟି ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୟ ବଢୁଛି ପଛେ କମିବାର ନାଁ ଧରୁନି। ଗତ କିଛିଦିନ ହେଲା କୋଲକାତା ଫେରନ୍ତାଙ୍କୁ ନେଇ ଚିନ୍ତା ବଢ଼ିଥିବା ବେଳେ ଏବେ ସୁରତ ଫେରନ୍ତା ଓଡ଼ିଶାବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି।
ମାଚ୍ଚ ଶେଷ ସପ୍ତାହରୁ ଏପ୍ରିଲ ଅଧା ଯାଏଁ ଓଡ଼ିଶାରେ ନିଜାମୁଦ୍ଦିନ ଫେରନ୍ତାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥିଲା। କେଉଁ ଜିଲ୍ଲାରୁ କିଏ ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସମ୍ମିଳନୀରେ ଯୋଗ ଦେଇଥିଲେ ତାକୁନେଇ ସରକାର ଖୋଳତାଡ଼ କରିଥିଲେ। ନିଜାମୁଦ୍ଦିନରୁ ଯେଉଁମାନେ ଫେରିଛନ୍ତି ସେମାନେ ନିଜ ଆଡୁ ପଞ୍ଜୀକରଣ କରିବାକୁ ଆହ୍ୱାନ ଦେଇଥିଲେ।
ସରକାରଙ୍କ ଆହ୍ୱାନ ପରେ ଜଣକ ପରେ ଜଣେ ନିଜାମୁଦ୍ଦିନ ଫେରନ୍ତା ବାହାରିଥିଲେ। ୫୦ରୁ ଅଧିକ ନିଜାମୁଦ୍ଦିନ ଫେରନ୍ତା ଚିହ୍ନଟ ହେବା ପରେ ସେମାନଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ କଟକ, ପୁରୀ, ଯାଜପୁର, ସୁନ୍ଦରଗଡ଼ରୁ ଆକ୍ରାନ୍ତ ବାହାରିଥିଲେ। ଢେଙ୍କାନାଳ ଆକ୍ରାନ୍ତ ନିଜାମୁଦ୍ଦିନ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଥିଲା।
ନିଜାମୁଦ୍ଦିନ ଫେରନ୍ତାଙ୍କୁ ନେଇ ସବୁଠି ଚର୍ଚ୍ଚା ଚାଲିଥିବା ବେଳେ ପଶ୍ଚମବଙ୍ଗ ଫେରନ୍ତା ସରକାରଙ୍କ ନିଦ ହଜାଇଥିଲେ। ଏପ୍ରିଲ ୧୦ ତାରିଖ ପରେ ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱରରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଲେ। ସେମାନେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡ଼ିଥିଲା।
କେଉଁ ଜିଲ୍ଲାକୁ କିଏ ପଶ୍ଚିମବଙ୍ଗରୁ ଆସିଛନ୍ତି ତାହା ଜାଣିବା ପାଇଁ ସରକାର ଉଦ୍ୟମ କଲେ। ଏପରିକି ପଶ୍ଚିମବଙ୍ଗ ଫେରନ୍ତା ନିଜ ଆଡୁ ପଞ୍ଜୀକରଣ କରିବାକୁ ସରକାର ଆହ୍ୱନ ଦେଇଥିଲେ। ଏବେ ବି ପଶ୍ଚିମବଙ୍ଗ ଫେରନ୍ତା ରାଜ୍ୟରେ ସକ୍ରିୟ ଅଛନ୍ତି। ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରୁ ଜଣକ ପରେ ଜଣେ ଆକ୍ରାନ୍ତ ବାହାରୁଛନ୍ତି।
ପଶ୍ଚିମବଙ୍ଗ ପରେ ଏବେ ସୁରତ ଫେରନ୍ତା ଚିନ୍ତା ବଢ଼ାଇଛନ୍ତି। ସୁରତରେ ଫସିଥିବା ଓଡ଼ିଆ ଇତିମଧ୍ୟରେ ନିଜ ଭିଟାମାଟିକୁ ଫେରୁଛନ୍ତି। ଗଞ୍ଜାମ, କଟକ, ଜଗତସିଂହପୁର, ଭଦ୍ରକ ଆଦି ଜିଲ୍ଲାକୁ ସୁରତରୁ ଲୋକ ଆସି ପହଞ୍ଚିଛନ୍ତି। ସେମାନଙ୍କୁ ଭିତରୁ ଏବେ ପଜିଟିଭ୍ ବାହାରୁଛି।
କଟକ ଜିଲ୍ଲା ତିଗିରିଆରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ସୁରତରୁ ଫେରିଥିବା ବେଳେ ଗଞ୍ଜାମରୁ ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତ ସୁରତରୁ ଫେରିଥିବା ଜଣାପଡ଼ିଛି।
ଆଜି ଜଗତସିଂହପୁର ଜିଲ୍ଲାକୁ କରୋନା ଛୁଇଁଛି। ନଉଗାଁ ବ୍ଲକରୁ ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତ ସୁରତରୁ ଫେରିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ୪ ଜଣଙ୍କ ଭିତରୁ ୩ ଜଣ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ସେମାନେ ଏବେ କ୍ୱାରେଣ୍ଟାଇନରେ ଅଛନ୍ତି।
କୋଲକାତା ଓ ସୁରତ ଫେରନ୍ତାଙ୍କୁ ନେଇ ଲୋକଙ୍କ ମନରେ ଭୟ ବଢ଼ିଛି। ପୂର୍ବରୁ ସହରାଞ୍ଚଳରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ହେଲେ ଏବେ ଗାଁରୁ ଜଣକ ପରେ ଜଣେ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଗାଁ ଲୋକଙ୍କ ମନରେ ଭୟ ଦେଖାଦେଇଛି।








ନିଜାମୁଦ୍ଦିନ, କୋଲକାତା ପରେ ଏବେ ସୁରତ ଫେରନ୍ତାଙ୍କୁ ନେଇ ଚିନ୍ତା ବଢ଼ିଲା।






