ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ ଦୁଇ ମାସ ହେଲା ଗୋଟିଏ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନଥିବା ଗଞ୍ଜାମ ଜିଲ୍ଲାରେ ଏବେ ଭୟ ବଢ଼ିଲା। ୬ ଦିନରେ ୨୧ ଆକ୍ରାନ୍ତ।

କରୋନା ଭାଇରସ୍‌ ଜାଲରେ ଛନ୍ଦି ହୋଇଛି ଦକ୍ଷିଣ ଓଡ଼ିଶାର ପ୍ରମୁଖ ଜିଲ୍ଲା ଗଞ୍ଜାମ। ୨୧ ଜଣ ସୁରତ ଫେରନ୍ତାଙ୍କ ପାଖରେ ଏହି ଭୂତାଣୁ ଚିହ୍ନଟ ହେବା ପରେ ସାରା ଜିଲ୍ଲାରେ ଆତଙ୍କ ଖେଳିଯାଇଛି। ମେ’ ଆରମ୍ଭରୁ ମାତ୍ର ୨ ଜଣ ସୁରତ ଫେରନ୍ତା କରୋନା ଆକ୍ରାନ୍ତ ହୋଇଥିଲେ। ମାତ୍ର ୬ ଦିନ ଭିତରେ ଏହି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଛୁଇଁଛି।

ସୁରତ ଫେରନ୍ତାଙ୍କୁ ନେଇ ଚିନ୍ତା

ଓଡ଼ିଶାର ଜନବହୁଳ ଜିଲ୍ଲାର ଯଦି ତାଲିକା ପ୍ରସ୍ତୁତ କରାଯାଏ ତାହାଲେ ଏଥିରେ ଗଞ୍ଜାମ ଜିଲ୍ଲା ହିଁ ଶୀର୍ଷରେ ରହିବ। ୩ଟି ସବ୍‌ଡିଭିଜନ ଏବଂ ୨୨ଟି ବ୍ଲକକୁ ନେଇ ଏହି ଜିଲ୍ଲା ଗଠନ କରାଯାଇଛି। ୨୦୧୧ ଜନଗଣନା ରିପୋର୍ଟ ଅନୁସାରେ ଏହି ଜିଲ୍ଲାର ଲୋକସଂଖ୍ୟା ୩୫ ଲକ୍ଷ ୨୯ ହଜାର ୩୧। ଅଧିକାଂଶ ରାଜସ୍ଵ ଗାଁକୁ ନେଇ ଏହି ଜିଲ୍ଲା ସମୃଦ୍ଧ ହୋଇଛି।

ଏହି ଜିଲ୍ଲାର ଲୋକେ ଚରାଷ ଉପରେ ନିର୍ଭର କରି ଜୀବୀକା ନିର୍ବାହ କରନ୍ତି। ଏହାସହ ଦାଦନ ପ୍ରବଣ ଜିଲ୍ଲା ଭାବେ ମଧ୍ୟ ଗଞ୍ଜାମ ଆଗରେ ରହିଛି। ଗାଁ ଗହଳିର ବହୁ ଲୋକ ରାଜ୍ୟ ବାହାରେ ବିଭିନ୍ନ କମ୍ପାନିରେ କାମ କରି ପରିବାର ପ୍ରତିପୋଷଣ କରିଥାନ୍ତି। ବିଶେଷକରି ସୁରତ, ବିଶାଖାପାଟଣା ସମେତ ଅନ୍ୟ ରାଜ୍ୟରେ ଗଞ୍ଜାମ ଜିଲ୍ଲାର ଲୋକେ ରହିଛନ୍ତି।

ଏବେ କରୋନା ଭାଇରସ୍‌ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଗଞ୍ଜାମ ଜିଲ୍ଲା ବି ଏଥିରୁ ବାଦ୍‌ ପଡ଼ିନି। କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଆଗୁଆ ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ସୁରତ ଫେରନ୍ତା ଏବେ ଜିଲ୍ଲାବାସୀଙ୍କ ଚିନ୍ତା ବଢ଼ାଇଛନ୍ତି।

କରୋନା ପାଇଁ ସାରା ଦେଶ ଲକ୍‌ଡାଉନ୍‌ ହୋଇଛି। ଗଞ୍ଜାମ ଜିଲ୍ଲାର ଯେଉଁ ଲୋକମାନେ ସୁରତରେ କାମ କରୁଥିଲେ କମ୍ପାନି ବନ୍ଦ ହୋଇଯିବାରୁ ସେମାନେ ରୋଜଗାର ହରାଇଲେ। ଦୋକାନ ବଜାର ବନ୍ଦ ଥିବାରୁ ଖାଇବା ପିଇବା ଅସୁବିଧା ଦେଖାଦେଇଥିଲା। ଏଣୁ ସେମାନେ ବାଧ୍ୟ ହୋଇ ନିଜ ଭିଟାମାଟିକୁ ଫେରିବାକୁ ଚାହିଁଲେ।

ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଆରମ୍ଭ ହେବା ପୂର୍ବରୁ ସୁରତରୁ ୪ଟି ବସ୍‌ ଗଞ୍ଜାମ ଆସିଥିଲା। ୨୦୦ରୁ ଅଧିକ ଲୋକ ଏହି ବସ୍‌ରେ ଆସିଥିଲେ। ସୁରତ ଜିଲ୍ଲା ପ୍ରଶାସନର ଅନୁମତିରେ ଏପ୍ରିଲ ୨୭ରେ ବାହାରିଥିବା ବସ୍‌ ୩୦ରେ ଗଞ୍ଜାମ ଜିଲ୍ଲାରେ ପହଞ୍ଚିଥିଲା।

ଏହାପରେ ଗୋଟିଏ ଗୋଟିଏ ବସ୍‌ ଗଞ୍ଜାମର ବିଭିନ୍ନ ଅଞ୍ଚଳକୁ ଆସିଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିଲା।

ମେ’ ୨ରେ କରୋନା ଭାଇରସ୍‌ ପ୍ରଥମ ଥର ପାଇଁ ଗଞ୍ଜାମ ଜିଲ୍ଲା ଛୁଇଁଥିଲା। ସୁରତ ଫେରନ୍ତା ୨ ଜଣଙ୍କଠାରୁ ଭାଇରସ୍‌ ଚିହ୍ନଟ ହୋଇଥିଲା। ଏହାପରେ ୪ରେ ଜଣେ ଏବଂ ୫ ତାରିଖରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ମାତ୍ର ୪ ଦିନରେ ୪ ଜଣ ଆକ୍ରାନ୍ତ ଚିହ୍ନଟ ହେବାକୁ ନେଇ ଜିଲ୍ଲାରେ ଚହଳ ପଡ଼ିଯାଇଥିଲା। ଏହାକୁ ନେଇ ଚର୍ଚ୍ଚ ଚାଲିଥିବା ବେଳେ ୬ ତାରିଖ ରାତିରେ ସର୍ବାଧିକ ଆକ୍ରାନ୍ତ ଏହି ଜିଲ୍ଲାରୁ ଚିହ୍ନଟ ହେବା ପ୍ରଶାସନ ଆଖିରୁ ନିଦ ହଜାଇ ଦେଇଛି। ଏକାଥରକେ ୧୭ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ଭୟ ବଢ଼ିଛି।

ଗ୍ରୀନ୍‌ରୁ ରେଡ୍‌ ଜୋନ୍‌

ଓଡ଼ିଶାର ୧୫ଟି ଜିଲ୍ଲାରେ ଯେତେବେଳେ କରୋନାର ଡର ରହିଥିଲା ସେତେବେଳେ ଗଞ୍ଜାମ ଜିଲ୍ଲା ସୁରକ୍ଷିତ ଜୋନ୍‌ରେ ରହିଥିଲା। ଜଣେ ବି ଆକ୍ରାନ୍ତ ଏହି ଜିଲ୍ଲାରୁ ଚିହ୍ନଟ ହୋଇ ନଥିବାରୁ ଗ୍ରୀନ ଜୋନ୍‌ରେ ରହିଥିଲା ଗଞ୍ଜାମ। କିନ୍ତୁ ସୁରତ ଫେରନ୍ତା ଆସିବା ପରେ ମେ’ ୫ ତାରିଖ ଭିତରେ ୪ ଜଣ ଆକ୍ରାନ୍ତ ଚିହ୍ନଟ ହେବାରୁ ଏହି ଜିଲ୍ଲା ଅରେଞ୍ଜ ଜୋନ୍‌ରେ ରହିଥିଲା। ଏବେ ଏକାଥରକେ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଗଞ୍ଜାମ ଜିଲ୍ଲା ରେଡ୍‌ ଜୋନ୍‌ରେ ରହିଛି।

ଗଞ୍ଜାମରେ ଆଗୁଆ ପଦକ୍ଷେପ

କରୋନା ଯେତେବେଳେ ଓଡ଼ିଶାରେ ପ୍ରବେଶ କଲା ଏବଂ ଭୁବନେଶ୍ୱରରେ ଜଣକ ପରେ ଜଣେ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ସେତେବେଳେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଅନ୍ୟ ଜିଲ୍ଲା ପାଇଁ ଉଦାହରଣ ପାଲଟିଥିଲା। କରୋନା ମୁକାବିଲା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବ୍ୟାପକ ପଦକ୍ଷେପ ନେଇଥିଲେ।

ଜିଲ୍ଲାରେ ପ୍ରତିଦିନ ୧୯ ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା କରିବା ସହ ଦୋକାନ ବଜାର ଖୋଲିବା ଉପରେ କଟକଣା ଲଗାଇଥିଲେ। ଏପରିକି ବାଇକ୍‌ ଧରି ଆସିଲେ ଗ୍ରୋସରୀ ସାମଗ୍ରୀ ମିଳିବନି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା କରାଯାଇଥିଲା। ଏହାସହ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନିୟମ ଗଞ୍ଜାମ ଜିଲ୍ଲାରେ ହିଁ ପ୍ରଥମେ ଆରମ୍ଭ ହୋଇଥିଲା।

ଏହାସହ ଜିଲ୍ଲାରେ ଘର ଘର ବୁଲି ରାପିଡ୍‌ ଟେଷ୍ଟିଂ କରିବାକୁ ଜିଲ୍ଲପାଳ ଘୋଷଣା କରିଥିଲେ। ଏଥିପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ମଧ୍ୟ ଗଠନ କରିଥିଲେ। ଏହି ପଦକ୍ଷେପ ଯୋଗୁଁ ଗଞ୍ଜାମରେ ଗୋଟିଏ ବି କେସ୍‌ ପଜିଟିଭ୍‌ ଆସି ନଥିଲା।

ହେଲେ ଏବେ ସୁରତରୁ ଗଞ୍ଜାମର ବିଭିନ୍ନ ଗାଁକୁ ଲୋକ ଫେରିବା ପରେ ୨୧ ଆକ୍ରାନ୍ତ ଚିହ୍ନଟ ହେଲେଣି। ଆଗକୁ ପରିସ୍ଥିତି କ’ଣ ହେବ ତା’ ଉପରେ ନଜର ରହିଛି।

ମାର୍ଚ୍ଚ, ଏପ୍ରିଲରେ ଆକ୍ରାନ୍ତଙ୍କ ସଂଖ୍ୟା ‘ଶୂନ’

ମାର୍ଚ୍ଚ ୧୫ରେ ପ୍ରଥମ କରୋନା ରୋଗୀ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିଲେ। ଇଟାଲି ଫେରନ୍ତା ଯୁବକଙ୍କଠାରୁ ଏହି ଭୂତାଣୁ ଚିହ୍ନଟ ହୋଇଥିଲା। ଏହାପରେ ଭିବନେଶ୍ୱରରେ ହୁ ହୁ ହୋଇ ବଢ଼ି ଚାଲିଲା କରୋନା ରୋଗୀଙ୍କ ସଂଖ୍ୟା।

ଭୁବନେଶ୍ୱର ପରେ ଭଦ୍ରକ, ଯାଜପୁର, ବାଲେଶ୍ୱର, କଟକରୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପଶ୍ଚିମ ଓଡ଼ିଶାର କଳାହାଣ୍ଡି ଏବଂ ସୁନ୍ଦରଗଡ଼ରୁ ବି ଆକ୍ରାନ୍ତ ଚିହ୍ନଟ ହେଲେ। ହେଲେ ଜନବହୁଳ ଜିଲ୍ଲା ଗଞ୍ଜାମ ସୁରକ୍ଷିତ ରହିଥିଲା। ଯେବେଠୁ ସୁରତରୁ ଶହ ଶହ ଓଡ଼ିଆ ଗାଁକୁ ଆସିଲେ ସେବେଠୁ କରୋନା ଭୟ ସାରା ଜିଲ୍ଲାବାସୀଙ୍କୁ ଭୟଭୀତ କରିଥିଲା।

LEAVE A REPLY

Please enter your comment!
Please enter your name here