ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ପରୀକ୍ଷା ଯେମିତି ହେବା କଥା ସେହିଭଳି ହେଲା ପରେ ଯାଇ ବାହାର ରାଜ୍ୟରେ ଅଟକିଥିବା ଶ୍ରମିକ ଓଡ଼ିଶା ଭିତରକୁ ଆସିପାରିବେ ବୋଲି ଗୁରୁବାର ଦିନ ଓଡ଼ିଶା ହାଇକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହା ଗୁଜରାଟ ସରକାରଙ୍କୁ ବିବ୍ରତ କରିଛି। ଏହି ନିର୍ଦ୍ଦେଶ ପରେ ଗୁଜରାଟ ସରକାରଙ୍କୁ ତିନୋଟି ଟ୍ରେନ୍ ବାତିଲ କରିବାକୁ ପଡ଼ିଥିଲା। ଏହି ୩ ଟ୍ରେନରେ ଗତକାଲି ପ୍ରାୟ ୩୬୦୦ ଶ୍ରମିକ ଓଡ଼ିଶା ଫେରିଥାନ୍ତେ।

ଗୁଜରାଟ ସରକାର ବିବ୍ରତ ହେବାର ଏକ ବଡ଼ କାରଣ ହେଲା ବାହାର ଫେରନ୍ତାଙ୍କ ଚାପରୁ ମୁକୁଳିବା ପାଇଁ ଅନ୍ୟ ରାଜ୍ୟମାନେ ବି ସେହିଭଳି ସର୍ତ୍ତ ରଖିପାରନ୍ତି। ଏଥିପାଇଁ ଗୁଜରାଟ ସରକାର ଶୀଘ୍ର ଶୀଘ୍ର ଶ୍ରମିକମାନଙ୍କୁ ନିଜ ନିଜ ରାଜ୍ୟକୁ ପଠାଇବା ପାଇଁ ଲାଗି ପଡିଛନ୍ତି। ଏପର୍ଯ୍ୟନ୍ତ ପ୍ରାୟ ଦେଢ଼ ଲକ୍ଷ ଶ୍ରମିକ ଗୁଜରାଟ ଛାଡ଼ି ସାରିଲେଣି। ଦୈନିକ ୨୦ ଟ୍ରେନ ଶ୍ରମିକଙ୍କୁ ନେଇ ଗୁଜରାଟରୁ ଅନ୍ୟ ରାଜ୍ୟ ଅଭିମୁଖେ ଯାଉଥିବା ବିଷୟ ଜଣାପଡିଛି।

ଓଡ଼ିଶା ହାଇକୋର୍ଟ ପକ୍ଷରୁ ‘ଗଳା ପରୀକ୍ଷା’ ସର୍ତ୍ତ ରଖାଯିବା ପରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେ ନେଇ ଗୁଜରାଟ ଶ୍ରମ ବିଭାଗରର ଅତିରିକ୍ତ ଶାସନ ସଚିବ ବିପୁଳ ମିତ୍ର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ ଆଜି କଥାବାର୍ତ୍ତା କରିଥିଲେ। ଗୁରୁବାର ଦିନର ନିର୍ଦ୍ଦେଶର ପୁନର୍ବିଚାର ପାଇଁ ଓଡ଼ିଶା ସରକାର ହାଇକୋର୍ଟରେ ଆବେଦନ କରିବେ ବୋଲି ଜଣାପଡିଛି। ଏତେ ଲୋକଙ୍କ RT-PCR ପରୀକ୍ଷା ସମ୍ଭବ ନୁହେଁ ବୋଲି ଓଡ଼ିଶା ସରକାର ତାଙ୍କ ଆବେଦନରେ ଉଲ୍ଲେଖ କରିବେ।

ତେଣେ ମିତ୍ର କହିଛନ୍ତି ଯେ କେନ୍ଦ୍ରର ନିର୍ଦ୍ଦେଶାବଳୀ ଅନୁସାରେ ଆମେ କାମ କରୁଛୁ ଓ ଯେତେ ଶୀଘ୍ର ସମ୍ଭବ ଶ୍ରମିକମାନଙ୍କୁ  ଗୁଜରାଟରୁ ଖାଲି କରାଇବୁ।

Comment