ଓଡ଼ିଶାଲାଇଭ୍ ବ୍ୟୁରୋ

- ‘ବନ୍ଦେ ଭାରତ ମିଶନ’ରେ ବିଦେଶରୁ ଫେରିବେ ଓଡ଼ିଆ
- ବାହାରିନ୍ରୁ ପଞ୍ଜୀକରଣ କଲେଣି ୧୦୦ ଓଡ଼ିଆ
- ୨୦୦ ଲୋକ ପଞ୍ଜୀକରଣ କଲେ ଭୁବନେଶ୍ୱରକୁ ଆସିପାରେ ସ୍ୱତନ୍ତ୍ର ବିମାନ
- ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଟିକେଟ ବ୍ୟବସ୍ଥା କରିବାକୁ ଭାରତ ସରକାରଙ୍କୁ ଅନୁରୋଧ
କରୋନା ସଙ୍କଟ ବେଳେ ପ୍ରବାସୀ ଭାରତୀୟଙ୍କୁ ଭାରତ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। ‘ବନ୍ଦେ ଭାରତ ମିଶନ’ ଯୋଜନାରେ ବିଭିନ୍ନ ଦେଶରେ ଥିବା ଭାରତୀୟ ଭାରତ ଫେରିବେ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ଏହି କ୍ରମରେ ବାହାରିନ୍ରେ ଥିବା ଓଡ଼ିଆ ମଧ୍ୟ ନିଜ ଭିଟାମାଟି ଓଡ଼ିଶାକୁ ଫେରିବାକୁ ପଞ୍ଜୀକରଣ କରୁଛନ୍ତି। ଏନେଇ ବାହାରିନ୍ ଓଡ଼ିଆ ସମାଜର ମୁଖ୍ୟ ଡକ୍ଟର ଅରୁଣ କୁମାର ପ୍ରହରାଜ ଓଡ଼ିଶାଲାଇଭ୍କୁ ସୂଚନା ଦେଇଛନ୍ତି।
ବାହାରିନ୍ରୁ ଓଡ଼ିଶା ଫେରିବା ପାଇଁ ବର୍ତ୍ତମାନସୁଦ୍ଧା ୧୦୦ ଲୋକ ପଞ୍ଜୀକରଣ କରିଛନ୍ତି। ଏହି ପଞ୍ଜୀକରଣ ଫର୍ମରେ କ’ଣ ପାଇଁ ବାହାରିନ୍ ଛାଡୁଛନ୍ତି ତାର କାରଣ ମଧ୍ୟ ଦର୍ଶାଇବାକୁ ପଡୁଛି।
ସ୍ଵାସ୍ଥ୍ୟଗତ ସମସ୍ୟା, ଚାକିରି ହରାଇବା, ଚାକିରି ଯିବାର ଆଶଙ୍କା କିମ୍ବା ଭିସା ଅବଧି ଶେଷ ହୋଇଯାଇଥିବା ଆଦି କାରଣ ଭିତରୁ ଗୋଟିଏ ଏହି ପଞ୍ଜୀକରଣ ଫର୍ମରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ ପଡ଼ିବ। ଏହାସହ ଯେଉଁମାନଙ୍କର ଭିସା ଅବଧି ଶେଷ ହୋଇଯାଇଛି ସେମାନେ ମଧ୍ୟ ଓଡ଼ିଶା ଫେରିବାକୁ ଆବେଦନ କରିପାରିବେ।
ଯେଉଁମାନଙ୍କର ଭିସା ଅବଧି ଶେଷ ହୋଇଛି ସେମାନେ ୨୦୨୦ ଡିସେମ୍ବର ୩୧ ଯାଏଁ ବାହାରିନ୍ରେ ରହିପାରିବେ। ‘ଆମନେଷ୍ଟି’ ଯୋଜନା ଅଧୀନରେ ବାହାରିନ୍ ସରକାର ଏହି ଅନୁମତି ଦେଇଛନ୍ତି। ଡିସେମ୍ବର ୩୧ ତାରିଖ ସୁଦ୍ଧା ଭାରତୀୟମାନେ ବାହାରିନ୍କୁ ଫେରି ପାରିବେ। ତେବେ ଯେଉଁମାନେ ଭାରତ ଫେରିବାକୁ ଚାହୁଁଥିବେ ସେମାନଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନଥିବା ଆବଶ୍ୟକ ବୋଲି ବାହାରିନ୍ ସରକାର ସ୍ପଷ୍ଟ କରିଛନ୍ତି।
ଯେଉଁ ଭାରତୀୟ ଭାରତ ଫେରିବାକୁ ଚାହୁଁଛନ୍ତି ସେମାନଙ୍କୁ ନିଜ ହାତରୁ ଟିକେଟ କାଟିବାକୁ ପଡ଼ିବ। ଭାରତ ସରକାର ପଠାଇଥିବା ସ୍ୱତନ୍ତ୍ର ବିମାନରେ ସେମାନେ ଆସିପାରିବେ। ହେଲେ ଯେଉଁ ଗରିବ ଶ୍ରେଣୀର ଓଡ଼ିଆମାନେ ଓଡ଼ିଶା ଫେରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଭାରତ ସରକାର ଟିକେଟ ବ୍ୟବସ୍ଥା କରିବାକୁ ରାଷ୍ଟ୍ରଦୂତ ଦାୟିତ୍ଵରେ ଥିବା ନରବୁ ନେଗିଙ୍କୁ ଦୁବାଇ ଓଡ଼ିଆ ସମାଜ ପକ୍ଷରୁ ଅନୁରୋଧ କରାଯାଇଛି। ଏନେଇ ଓଡ଼ିଆ ସମାଜ ମୁଖ୍ୟ ଅରୁଣ କୁମାର ପ୍ରହରାଜ କଥା ହୋଇଛନ୍ତି।
ଯେଉଁ ଭାରତୀୟ ଫେରିବାକୁ ଚାହୁଁଛନ୍ତି ସେମାନଙ୍କୁ ପଞ୍ଜୀକରଣ ଫର୍ମରେ ମୋବାଇଲ୍ ନମ୍ବର ଏବଂ ଇମେଲ୍ ସ୍ପଷ୍ଟ ଭାବେ ଲେଖିବାକୁ ପଡ଼ିବ।
ଓଡ଼ିଶା ଫେରିବା ପାଇଁ ବର୍ତ୍ତମାନସୁଦ୍ଧା ୧୦୦ ଲୋକ ପଞ୍ଜୀକରଣ କରିଛନ୍ତି। ଯଦି ୨୦୦ରୁ ଅଧିକ ଓଡ଼ିଆ ପଞ୍ଜୀକରଣ କରନ୍ତି ତାହାଲେ ବାହାରିନ୍ରୁ ଭୁବନେଶ୍ୱରକୁ ସିଧାସଳଖ ବିମାନ ଆସିପାରେ।
‘‘ବାହାରିନ୍ରୁ ଭୁବନେଶ୍ୱରକୁ ସିଧାସଳଖ ବିମାନ ବ୍ୟବସ୍ଥା କରିବାକୁ ଆମେ ଭାରତୀୟ ଦୂତାବାସକୁ ଅନୁରୋଧ କରିଛୁ। ଏହାସହ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଭାରତ ସରକାର ଟିକେଟ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛୁ’’, କହିଛନ୍ତି ବାହାରିନ୍ ଓଡ଼ିଆ ସମାଜ ମୁଖ୍ୟ ଡକ୍ଟର ଅରୁଣ କୁମାର ପ୍ରହରାଜ।















