ଓଡ଼ିଶାଲାଇଭ୍ ବ୍ୟୁରୋ
ପରିବାର ପୋଷିବାକୁ ନିଜ ଦେଶଛାଡି ପରଦେଶକୁ ଚାକିରି କରିବାକୁ ଯାଇଥିଲେ ମହେନ୍ଦ୍ର। କରୋନାରେ ଯେ ତାଙ୍କର ଜୀବନ ଚାଲିଯିବ ଏହାକୁ ଗ୍ରହଣ କରି ପାରୁନାହାନ୍ତି ମହେନ୍ଦ୍ରଙ୍କ ପରିବାର ବର୍ଗ। ଘରେ ବୁଢା ବାପା, ମା, ଭାଇ, ଆଉ ବିଧବା ପତ୍ନୀ ଓ ୫ ବର୍ଷର କୁନି ଝିଅଙ୍କ ଆଖିରୁ ଲୁହ ସୁଖୁନି।
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଞ୍ଚାୟତର ଗୁପ୍ତିରା ଗାଁରେ ଏବେ ଶୋକାକୁଳ ପରିବେଶ। ଗାଁର ଜଣେ ଉଚ୍ଚ ଶିକ୍ଷିତ ମହେନ୍ଦ୍ର କୁମାର ନାଥ (ବୟସ ୩୬) ବାଣିଜ୍ୟରେ ସ୍ନାତକ କରି ଚାକିରି ନପାଇ ୨୦୧୯ ମସିହାରେ ଚାଲିଯାଇଥିଲେ ଆବୁଧାବି। ସେଠାରେ ସେ ଏକ କନଷ୍ଟ୍ରକସନ କମ୍ପାନିରେ ସୁପରଭାଇଜର କାମରେ ନିଯୁକ୍ତ ହୋଇଥିଲେ। ତାଙ୍କ ରୋଜଗାରରେ ପରିବାର ଚଳୁଥିଲା। ଆଜି ମହେନ୍ଦ୍ରଙ୍କ ମୃତ୍ୟୁ ଖବର ଏହି ପରିବାର ଉପରେ ବଜ୍ର ପକାଇ ଦେଇଛି। ପରିବାର ଲୋକେ ରୋଜଗାରିଆ ପୁଅର ମୃତ୍ୟୁକୁ ଗ୍ରହଣ କରିପାରୁ ନାହାନ୍ତି।
ତାଙ୍କ ପରିବାର ସୂତ୍ରରୁ ମିଳିଥିବା ଖବର ଅନୁସାରେ ମହେନ୍ଦ୍ରଙ୍କୁ ୨୫ ଦିନ ତଳେ କାଶ, ଛିଙ୍କ ଓ ଜ୍ବର ଆରମ୍ଭ ହୋଇଥିଲା। ତାଙ୍କୁ ସ୍ଥାନୀୟ କୋଭିଡ୍ ହସ୍ପିଟାଲକୁ ନିଆଯାଇଥିଲା। କୋଭିଡ ପରୀକ୍ଷାରେ ସେ ପଜିଟିଭ୍ ଚିହ୍ନଟ ହୋଇ ଚିକିତ୍ସିତ ହେଉଥିଲେ। ଆରୋଗ୍ୟ ନହୋଇପାରି ତାଙ୍କର ସେହି ହସ୍ପିଟାଲରେ ମୃତ୍ୟୁ ଘଟିଛି।
ତାଙ୍କର ମର ଶରୀରକୁ ସେଠାରେ ପୋତି ଦିଆଯାଇଛି। ସେଠାରେ କାର୍ଯ୍ୟରତ ମହେନ୍ଦ୍ରଙ୍କ ଅନ୍ୟ ସମ୍ପର୍କୀୟ ମାନେ ଏହି ଖବର ତାଙ୍କ ପରିବାରକୁ ଜଣାଇଛନ୍ତି।
କିଛିଦିନ ତଳେ ପଟ୍ଟାମୁଣ୍ଡାଇ ସହରର ଜଣେ ଯୁବକ ଦୁବାଇରେ ପାଣିପାଇପ୍ ମିସ୍ତ୍ରୀ ଭାବେ କାମ କରୁଥିବା ବେଳେ କରୋନାରେ ତାଙ୍କର ମୃତ୍ୟୁ ହୋଇଥିଲା। ବିଦେଶରେ କେନ୍ଦ୍ରାପଡା ଜିଲ୍ଲାର ଏହା ଦ୍ବିତୀୟ କରୋନା ମୃତ୍ୟୁ ବୋଲି କୁହାଯାଉଛି।

















