ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସୁନ୍ଦରଗଡ଼ ମ୍ୟୁନିସିପାଲିଟି ଜରିଆରେ ଜିଲ୍ଲା ପ୍ରଶାସନର ପଦକ୍ଷେପ
  • ଘରେ ଘରେ ପହଞ୍ଚୁଛି ରାସନ ସାମଗ୍ରୀ
  • ତିନି ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ପରିଚାଳନା ଦାୟିତ୍ବ
  • ସୁନ୍ଦରଗଡ଼ ରେଡକ୍ରସ୍‌ ପକ୍ଷରୁ ଆର୍ଥିକ ସହଯୋଗ

ଲକଡାଉନ୍‌କୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ମ୍ୟୁନିସିପାଲିଟି ଜରିଆରେ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ସମସ୍ତଙ୍କ ଘରେ କେମିତି ଗ୍ରୋସରୀ ସାମଗ୍ରୀ ପହଞ୍ଚିବ ସେନେଇ ବ୍ୟବସ୍ଥା କରାଯାଇଛି।

କରୋନା ଭାଇରସ୍‌ଠାରୁ ଦୂରେଇ ରହିବା ପାଇଁ ଘରେ ରହିବାକୁ ସରକାର ପରାମର୍ଶ ଦେଉଛନ୍ତି। ଲୋକଙ୍କ ସୁରକ୍ଷା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି। ଘରେ ଘରେ ଗ୍ରୋସରୀ ସାମଗ୍ରୀ ପହଞ୍ଚାଇବା ପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସହାୟତା ନିଆଯାଇଛି। ସୁନ୍ଦରଗଡ଼ର ତିନିଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏଥିପାଇଁ ସହଯୋଗର ହାତ ବଢ଼ାଇଛନ୍ତି।

‘‘ଲକ୍‌ଡାଉନ୍‌ ବେଳେ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଆମେ ଘରେ ଘରେ ଗ୍ରୋସରୀ ସାମଗ୍ରୀ ପହଞ୍ଚାଇବାକୁ ଯୋଜନା କରିଥିଲୁ। ଏନେଇ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେଇଥିଲୁ। ଜିଲ୍ଲାପାଳ ଏଥିରେ ରାଜି ହୋଇଥିଲେ। ପୌରାଞ୍ଚଳରେ ତିନୋଟି ମୋବାଇଲ ଭ୍ୟାନ ଜରିଆରେ ଗ୍ରୋସରୀ ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚା ଯାଉଛି। ତିନୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏହାର ପରିଚାଳନା କରୁଛନ୍ତି’’, କହିଛନ୍ତି ସୁନ୍ଦରଗଡ଼ ପୌର ପରିଷଦର ନିର୍ବାହୀ ଅଧିକାରୀ ଅଶୋକ କୁମାର ମିଶ୍ର।

ଜାତୀୟ ସହରାଞ୍ଚଳ ଲାଇଭଲି ହୁଡ୍‌ ମିସନ ଅଧୀନରେ ୩ଟି ସ୍ବୟଂ ସହାୟକ ଗୋଷ୍ଠୀ ଏହାର ପରିଚାଳନା ଦାୟିତ୍ୱ ନେଇଛନ୍ତି। ସୁନ୍ଦରଗଡ଼ ରେଡକ୍ରସ୍‌ ପକ୍ଷରୁ ଆର୍ଥିକ ସହଯୋଗ ଯୋଗାଇ ଦିଆଯାଉଛି। ହ୍ୱାଟସଆପ୍‌ ଜରିଆରେ ଲୋକେ ଘରେ ବସି ଅତ୍ୟାବଶ୍ୟକ ସାମଗ୍ରୀ ପାଇ ପାରୁଛନ୍ତି। ହ୍ୱାଟସଆପରେ ସଉଦା ତାଲିକା ପଠାଇଲେ ଘରେ ଆସି ସାମଗ୍ରୀ ପହଞ୍ଚିଯାଉଛି।

‘‘ଲୋକେ ଯାହା ଚାହୁଁଛନ୍ତି ଆମେ ତାହା ପ୍ୟାକେଟ୍ କରି ତାଙ୍କ ପାଖରେ ପହଞ୍ଚାଉଛୁ। ଘରେ ରହିବାକୁ ପରାମର୍ଶ ଦେଉଛୁ। କରୋନାଠାରୁ ଦୂରେଇ ରହିବା ପାଇଁ ମାସ୍କ ପିନ୍ଧିବାକୁ ଲୋକଙ୍କୁ କହୁଛୁ’’, କହିଛନ୍ତି ସମଲେଶ୍ବରୀ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ଡଲିରାଣୀ ବନେଇ।

ସୁନ୍ଦରଗଡ଼ର ଶ୍ରୀଗଣେଶ ସ୍ବୟଂ ସହାୟକ ଗୋଷ୍ଠୀ , ଏକତା ସ୍ବୟଂ ସହାୟକ ଗୋଷ୍ଠୀ , ସମଲେଶ୍ବରୀ ସ୍ବୟଂ ସହାୟକ ଗୋଷ୍ଠୀର ହ୍ବାଟସ୍‌ଆପ୍‌ ନମ୍ବରରେ ତାଲିକା ପଠାଇଲେ ଘରେ ମାସିକିଆ ସଉଦା ପହଞ୍ଚୁଛି।

‘‘ଲୋକଙ୍କୁ ଘରେ ସୁରକ୍ଷିତ ରଖିବା ପାଇଁ ପ୍ରଶାସନ ଏକ ପଦକ୍ଷେପ ନେଇଛି। ମ୍ୟୁନିସିପାଲିଟି ସହଯୋଗରେ ଆମେ ଘରେ ଘରେ ଗ୍ରୋସରୀ ସାମଗ୍ରୀ ପହଞ୍ଚାଇବା ପାଇଁ କାମ ପାଇଛୁ। ଏହାକୁ ଆମେ ସୂଚାରୁରୂପେ ତୁଲାଉଛୁ ଏବଂ ଲୋକଙ୍କୁ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେଉଛୁ’’, କହିଛନ୍ତି ଏକତା ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି ରୁଖୟା ପରବିନ୍‌।

ଶ୍ରୀଗଣେଶ ଏସ୍‌ଏଚ୍‌ଜିର ନମ୍ବର ୭୮୭୩୪୦୨୮୮୦, ଏକତା ଏସ୍‌ଏଚ୍‌ଜିର ୯୫୫୬୧୨୯୮୩୩ ସମଲେଶ୍ବରୀ ଏସ୍‌ଏଚ୍‌ଜିର ନମ୍ବର ୭୭୪୯୦୮୯୬୮୯ ରେ ତାଲିକା ପଠାଇଲେ ସାମଗ୍ରୀ ଘରେ ପହଞ୍ଚି ଯାଉଛି।

Comment