ଓଡ଼ିଶାଲାଇଭ୍ ବ୍ୟୁରୋ
ସମଗ୍ର ବିଶ୍ୱରେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ବଢି ବଢ଼ି ଚାଲିଛି। ମଙ୍ଗଳବାର ଦିନ କରୋନା ଭୂତାଣୁ ଦ୍ୱାରା ସମଗ୍ର ଦୁନିଆଁରେ ୪୩ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିଲେ। ସେହିଭଳି ମୃତକଙ୍କ ସଂଖ୍ୟା ପାଖାପାଖି ତିନି ଲକ୍ଷ ହୋଇଥିବା ଜଣାପଡିଛି।
କରୋନା ଯୋଗୁଁ ଆମେରିକାରେ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନାହିଁ। ଆମେରିକାରେ ମୃତକଙ୍କ ସଂଖ୍ୟା ପାଖାପାଖି ୮୪ ହଜାର ଅତିକ୍ରମ କରିଛି। ଚୀନରୁ ବାହାରିଥିବା କରୋନା ଭାଇରସ ଏପର୍ଯ୍ୟନ୍ତ ସବୁଠାରୁ ବେଶୀ କ୍ଷତି ସାଧନ କରିଛି ଆମେରିକାର। ସେଠି ୧୪ ଲକ୍ଷରୁ ଅଧିକ ଲୋକ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ୱାର୍ଲଡ଼- ଓ -ମିଟରର ତଥ୍ୟ ଅନୁସାରେ ନ୍ୟୁୟର୍କ ଓ ନ୍ୟୁଜର୍ସି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି।
ଏଣେ ଭାରତରେ ବି ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ମଙ୍ଗଳବାର ସୁଦ୍ଧା ୭୫ ହଜାରରୁ ଅଧିକ ଲୋକ ପଜିଟିଭ ବାହାରିଛନ୍ତି। ଭାରତରେ ମୃତକଙ୍କ ସଂଖ୍ୟା ୨୪୧୫ରେ ପହଞ୍ଚିଛି।
କରୋନା ସଂକ୍ରମଣ ଭାରତରେ ଧୀର ମନ୍ଥର ଗତିରେ ଚାଲୁଥିବା ବେଳେ ଜୁନ-ଜୁଲାଇ ମାସରେ ହିଁ ସଠିକ ଚିତ୍ର ସାମ୍ନାକୁ ଆସିବ ବୋଲି କହିଛନ୍ତି ଡାକ୍ତର ଭିକେ ପଲ। ପଲ ହେଉଛନ୍ତି କରୋନା ମୁକାବିଲା କ୍ଷେତ୍ରରେ ଭାରତର ଆଖି ଓ କାନ। ତାଙ୍କରି ପରାମର୍ଶରେ ହିଁ ସମସ୍ତେ କାମ କରୁଛନ୍ତି।
ଡାକ୍ତର ପଲଙ୍କ କହିବା ଅନୁଯାୟୀ, ଜୁନ ଓ ଜୁଲାଇ ମାସରେ ହିଁ ଜଣାପଡ଼ିବ କରୋନା ଭାଇରସ କେତେ ଦୂର ମାଡିଛି। ମେ’ ୧୭ ପରେ ଯେତେବେଳେ ଲକଡାଉନ କୋହଳ ହେବ ଓ ଲୋକେ ଅଧିକ ମିଳାମିଶା କରିବେ ସେତେବେଳେ ଯାଇ ସଂକ୍ରମଣର ଅସଲ ଚେହେରା ପଦାକୁ ଆସିବ। ଡାକ୍ତର ପଲ କହିଛନ୍ତି ଯେ, କରୋନା ସଂକ୍ରମଣ ହଠାତ ବନ୍ଦ ହେବ ନାହିଁ ଓ ଏହା କିଛି ମାସ ପର୍ଯ୍ୟନ୍ତ ଚାଲିବ। ଦେଶରେ କରୋନାର ଅସଲ ପ୍ରଭାବ ଲୋକଙ୍କ ଆଚରଣ ଉପରେ ନିର୍ଭର କରିବ ବୋଲି ସେ ପ୍ରକାଶ କରିଛନ୍ତି।
କରୋନା ପାଇଁ ଟିକା ଉଦ୍ଭାବନ କ୍ଷେତ୍ରରେ ଭାରତ ଆଦୌ ପଛରେ ନାହିଁ ଓ ଏକ ଟାସ୍କଫୋର୍ସ ଏହି କାମରେ ଲାଗିଛି ବୋଲି ସେ କହିଛନ୍ତି। ଇତିମଧ୍ୟରେ ଦୁଇ ତିନୋଟି କମ୍ପାନିକୁ ଏଥିପାଇଁ ଅନୁମତି ମିଳିଛି।















