ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟକୁ ବିମାନ କିମ୍ବା ଟ୍ରେନ୍ ଯୋଗେ ଫେରୁଥିବା ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ଏନେଇ ଆଜି ବିସ୍ତୃତ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା।

ସେ କହିଛନ୍ତି, “ଏଣିକି ଆମେରିକା, ଦୁବାଇ ଓ ମାଲେସିଆରକୁ ଭୁବନେଶ୍ୱରକୁ ବିମାନ ଚଳାଚଳ କରିବ। ଏଥିସହ ନୂଆଦିଲ୍ଲୀକୁ ଭୁବନେଶ୍ୱର ଟ୍ରେନ୍ ମଧ୍ୟ ଯିବା ଆସିବା କରିବ। ଏହି ଯାତ୍ରୀମାନଙ୍କ ପାଇଁ ରାଜ୍ୟ ସରକାର ନୂଆ ଗାଇଡଲାଇନ୍ ଆଣିଛନ୍ତି। ଏହି ଅନୁସାରେ ସେମାନେ ଓଡ଼ିଶାରେ ପ୍ରବେଶ କରିବେ ଓ କ୍ୱାରେଣ୍ଟିନରେ ରହିବେ। ନଚେତ୍ ସେମାନଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ।”

ବିମାନ ହେଉ ଅବା ଟ୍ରେନ୍ ଯାତ୍ରୀମାନେ ଓଡ଼ିଶା ଫେରିବା ପୂର୍ବରୁ ରାଜ୍ୟ ସରକାରଙ୍କ ଅନଲାଇନ୍ ପୋର୍ଟାଲରେ ରେଜିଷ୍ଟ୍ରସନ କରିବାକୁ ପଡ଼ିବ। ଏହାପରେ ବିମାନରେ ଆସୁଥିବା ଯାତ୍ରୀଙ୍କ ଟର୍ମିନାଲ ବାହାରକୁ ଅଣାଯାଇ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଏଥିରେ ଯେଉଁମାନେ ପଜିଟିଭ୍ ଜଣାପଡ଼ିବେ ସେମାନଙ୍କୁ ସେଠାରୁ ହିଁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ।

ଯେଉଁମାନଙ୍କର କୌଣସି ପଜିଟିଭ୍ ରିପୋର୍ଟ ଆସିବନି ସେମାନେ ନିଜ ନିଜର ଗାଡ଼ି କିମ୍ବା ସିଟି ବସ ଜରିଆରେ ନିଜ ଅଞ୍ଚଳକୁ ଫେରିପାରିବେ। ଘରକୁ ଫେରିବା ପରେ ସେମାନେ କ୍ୱାରେଣ୍ଟିନରେ ରହିବା ବାଧ୍ୟତାମୂଳକ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି। ନଚେତ୍ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେହିଭଳି ଟ୍ରେନରେ ଆସୁଥିବା ଯାତ୍ରୀମାନଙ୍କୁ ରେଳଷ୍ଟେସନରେ ଯାଞ୍ଚ କରାଯିବ। ଯଦି ସେମାନେ କରୋନା ପଜିଟିଭ୍ ଥିବେ ତେବେ ତାଙ୍କୁ ସେଠାରୁ ତୁରନ୍ତ କୋଭିଡ୍ ହସ୍ପିଟାଲକୁ ସ୍ଥାନନ୍ତରିତ କରାଯିବ। ଯେଉଁମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବ ସେମାନେ ନିଜେ ନିଜର ବ୍ୟବସ୍ଥା କରି ନିଜ ଅଞ୍ଚଳକୁ ଫେରିବେ। ସେଠାକୁ ଯାଇ ସେମାନେ ମଧ୍ୟ କ୍ୱାରେଣ୍ଟିନରେ ରହିବେ। ନଚେତ୍ ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ୍ ଅନୁସାରେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

Comment