ଓଡ଼ିଶାଲାଇଭ୍ ବ୍ୟୁରୋ
ସରୁନି ଶ୍ରମିକଙ୍କ ଦୁଃଖ। ଝାଞ୍ଜି ଖରାରେ ପାଦରେ ଚାଲି ଚାଲି ଘରୁ ମୁହାଁ ହୋଇଛନ୍ତି ହଜାର ହଜାର ଶ୍ରମିକ। ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି ଏ ଦୃଶ୍ୟ।
ଦେଶରେ କରୋନା ଭାଇରସ ଯୋଗୁଁ ସବୁକିଛି ଠପ୍। ଲକ୍ଡାଉନ ଯୋଗୁଁ ଅନେକ ପ୍ରତିବନ୍ଧକ ଲଗାଯାଇଛି। ଶ୍ରମିକମାନଙ୍କ ଉପରେ ଏହା ଗଭୀର ପ୍ରଭାବ ପକାଇଛି। ଦେଶର ବିଭିନ୍ନ ସହରରେ ଶ୍ରମିକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କାହାକୁ କରୋନା ଭୟ ତ କାହାକୁ ଭୋକର ଭୟ। ଏଥିପାଇଁ ଶ୍ରମିକମାନେ ଚାଲି ଚାଲି ଘରକୁ ଯିବାକୁ ବାଧ୍ୟ ହେଉଛନ୍ତି। ରାଜଧାନୀ ଦିଲ୍ଲୀର ମଧ୍ୟ ସମାନ ଅବସ୍ଥା ରହିଛି। ଏଠାରେ କିଛି ଶ୍ରମିକ ଘର ଭଡ଼ା ଦେଇନପାରିବାରୁ ମାଲିକ ବାହାର କରିଦେବା ପରେ ସେମାନେ ଚାଲି ଚାଲି ନିଜ ଗାଁକୁ ଯିବାକୁ ବାହାରିଛନ୍ତି।
ଶୁକ୍ରବାର ସକାଳେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ବହୁ ଶ୍ରମିକଙ୍କୁ ଦିଲ୍ଲୀ-ଗାଜିପୁର ସୀମାରେ ଏକତ୍ରିତ ଦେଖିବାକୁ ମିଳିଥିଲା। ଏମାନଙ୍କ ସହିତ ମହିଳା ଓ ଛୋଟ ପିଲା ବି ଥିଲେ। ଚାଲି ଚାଲି ଯିବା ଛଡ଼ା ଏହି ଶ୍ରମିକଙ୍କ ନିକଟରେ ଅନ୍ୟ କିଛି ବିକଳ୍ପ ନଥିବାରୁ ଏହି ଝାଞ୍ଜି ଖରାରେ ସେମାନେ ଏଭଳି ଦୁଃସାହସ କରିଛନ୍ତି।
ତେବେ ଏହି ଘଟଣା କେବଳ ଦିଲ୍ଲୀରେ ନୁହେଁ ଦେଶର ବିଭିନ୍ନ ସ୍ଥାନରୁ ସମାନ ଖବର ଆସୁଛି। ରାଜ୍ୟ ସରକାରଙ୍କ ସୁପାରିଶ କ୍ରମେ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟ ଚଳାଚଳ କରୁଛି ଯେଉଁଥିରେ ଲକ୍ଷ ଲକ୍ଷ ଶ୍ରମିକ ଘରକୁ ଫେରିଛନ୍ତି। କିନ୍ତୁ ସମସ୍ତେ ଏହି ଟ୍ରେନର ଲାଭ ପାଇପାରୁ ନାହାଁନ୍ତି କାରଣ ଏହି ଟ୍ରେନରେ କେବଳ ସେହିମାନେ ଆସିପାରୁଛନ୍ତି ଯେଉଁମାନଙ୍କର ସୂଚନା ସ୍ଥାନୀୟ ଅଧିକାରୀ ବା ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଛି। ଫଳରେ ଏବେବି ଅନେକ ଶ୍ରମିକ ଚାଲି ଚାଲି ଘରକୁ ଯାଉଛନ୍ତି।














