ଓଡ଼ିଶାଲାଇଭ୍ ବ୍ୟୁରୋ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଅମ୍ପନ ରବିବାର ସାମୁଦ୍ରିକ ଝଡ଼ର ରୂପ ନେଇସାରିଛି। ଏହା ୨୦ ତାରିଖରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବୋଲି କହିଛନ୍ତି ଏସ୍ଆରସି ପ୍ରଦୀପ ଜେନା।

ରବିବାର ଗଣମାଧ୍ୟମକୁ ସୂଚନା ଦେଇ ଏସଆରସି ପ୍ରଦୀପ ଜେନା କହିଛନ୍ତି ଯେ, ପଶ୍ଚିମବଙ୍ଗର ସାଗର ଓ ବାଂଲାଦେଶର ହାଟିଆ ଦ୍ଵୀପ ମଝିରେ ବାତ୍ୟା ଅମ୍ପନ ଉପକୂଳ ଛଇଁବ। ଏହାପରେ ବାତ୍ୟାଟି ଭୟଙ୍କର ରୂପ ଧାରଣ କରିବ।

ଉପକୂଳ ଓଡ଼ିଶାର ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର ଓ କେନ୍ଦ୍ରପଡ଼ା ଜିଲ୍ଲା ଉପରେ ଏହି ବାତ୍ୟାର ପ୍ରଭାବ ପଡ଼ିବ। ଏଥିପାଇଁ ରାଜ୍ୟ ସରକାର ୧୨ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇବା ସହିତ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି।

ପାଣିପାଗ ବିଭାଗର ସୂଚନା ଅନୁସାରେ ୧୯ ତାରିଖରୁ ଉତ୍ତର- ପୂର୍ବ ଉପକୂଳ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି। ତେବେ ରାଜ୍ୟରେ ବନ୍ୟାର କୌଣସି ଆଶଙ୍କା ନାହିଁ ବୋଲି ପୂର୍ବରୁ କୁହାଯାଇସାରିଛି।

Comment