ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଣମାଧ୍ୟମ ଅନୁଷ୍ଠାନ ‘ବିଜ୍ଞାପନ’ ଦ୍ଵାରା ପରିଚାଳିତ ‘ଓଡ଼ିଶା ଡାଇରେକ୍ଟୋରି. ଓଆରଜି’ ପକ୍ଷରୁ ଆଜି ଏକ ଓ୍ଵେବିନାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶୀର୍ଷକ ‘ଓଡ଼ିଶାର ଶିଳ୍ପ କ୍ଷେତ୍ର ଉପରେ କୋଭିଡ -୧୯ର ପ୍ରଭାବ’ ଉପରେ ଆଲୋଚନା କରାଯାଇଥିଲା। ଏହାକୁ ପରିଚାଳନା କରିଥିଲେ ଡକ୍ଟର ତପନ କୁମାର ପଣ୍ଡା।

ପ୍ରାରମ୍ଭରେ ଆଲୋଚକମାନଙ୍କୁ ସ୍ଵାଗତ କରି ବିଜ୍ଞାପନ ଗୃପର ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ ପୃଷ୍ଟି କହିଥିଲେ ଯେ, ଲକ୍‌ଡାଉନ ଯୋଗୁଁ ଏମ୍ଏସ୍ଏମ୍ଇ କ୍ଷେତ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ତେବେ ସମସ୍ତଙ୍କୁ ଆଗକୁ ଯିବାକୁ ପଡିବ। ଏହି ସମୟରେ ନିୟମିତ ଆଲୋଚନା ଚକ୍ର କରିବା ସମ୍ଭବ ନଥିବାରୁ ଏହି ଓ୍ଵେବିନାର ଆୟୋଜନ କରାଯାଇଥିବା ସେ ସୂଚନା ଦେଇଥିଲେ।

ସଞ୍ଚାଳକ ପ୍ରଫେସର ଡକ୍ଟର ତପନ କୁମାର ପଣ୍ଡାଙ୍କ ଆମନ୍ତ୍ରଣ କ୍ରମେ ଆଲୋଚନା ଆରମ୍ଭ କରି ଇଣ୍ଡିଆନ ଓଭରସିଜ ବ୍ୟାଙ୍କର ବରିଷ୍ଠ ଅଧିକାରୀ ଭବାନୀ ଶଙ୍କର ମିଶ୍ର କହିଥିଲେ ଯେ, ସରକାରଙ୍କ ଦ୍ଵାରା ଘୋଷିତ ଆର୍ଥିକ ପ୍ୟାକେଜ ମୁଖ୍ୟତଃ ବ୍ୟାଙ୍କ ଜରିଆରେ କାର୍ଯ୍ୟକାରୀ ହେବ। ତେଣୁ ବ୍ୟାଙ୍କମାନଙ୍କୁ କିଛି ଅଧିକ ଦାୟିତ୍ଵ ନିର୍ବାହ କରିବାକୁ ପଡ଼ିବ। ଲକ୍‌ଡାଉନ ଯୋଗୁଁ ଗ୍ରାମାଞ୍ଚଳର ବ୍ୟାଙ୍କ ସେବା ଅଧିକ ପ୍ରଭାବିତ ହୋଇଥିବା ସେ ଦର୍ଶାଇଥିଲେ।

ବରିଷ୍ଠ ସାମ୍ବାଦିକ ତଥା ‘ଓଡ଼ିଶାଲାଇଭ’ର ସିଇଓ ନୀଳାମ୍ବର ରଥ ଗଣମାଧ୍ୟମ ଶିଳ୍ପ କିଭଳି କୋଭିଡ-୧୯ ଯୋଗୁଁ ପ୍ରଭାବିତ ହୋଇଛି, ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ସମୟରେ ଗଣମାଧ୍ୟମର ଆୟ କମିଥିବାରୁ କର୍ମଚାରୀମାନେ ମଧ୍ୟ ପ୍ରଭାବିତ ହୋଇଥିବା ସେ ସୂଚନା ଦେଇଥିଲେ। ଏଭଳି ବିପର୍ଯ୍ୟୟ ସମୟରେ ଗଣମାଧ୍ୟମ ଅଧିକ ସକାରାତ୍ମକ ଖବର ପରିବେଷଣ ଉପରେ ଗୁରୁତ୍ଵ ଦେବା ଉଚିତ ବୋଲି ସେ ମତ ରଖିଥିଲେ।

କୋଭିଡ ଯୋଗୁଁ ଚିକିତ୍ସା ସେବା କ୍ଷେତ୍ର କିଭଳି ପ୍ରଭାବିତ ହୋଇଛି, ସେ ସମ୍ପର୍କରେ ‘ହେଲଥ୍ ଭିଲେଜ’ର ଅନ୍ୟତମ ନିର୍ଦ୍ଦେଶକ ଡାକ୍ତର ଶୋଭନ ରଥ ବିସ୍ତୃତ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ବର୍ତ୍ତମାନ ସମୟରେ ଛୋଟ ହସ୍ପିଟାଲ ଓ ନର୍ସିଂହୋମ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। କରୋନା ଭୟରେ ଏବେ ଅତି ଗୁରୁତର ଅବସ୍ଥା ନହେଲେ କୌଣସି ରୋଗୀ ଡାକ୍ତରଖାନା ଯାଉନାହାଁନ୍ତି। ଡାକ୍ତରଖାନାକୁ ରୋଗୀଙ୍କ ଆଗମନ ୮୦% ହ୍ରାସ ପାଇଛି। ରୋଗୀ ଆସନ୍ତୁ କିମ୍ବା ନଆସନ୍ତୁ ଏହି ୮୦% ବ୍ୟୟଭାର ବହନ କରିବାକୁ ପଡ଼ିବ।

ଭୁବନେଶ୍ଵର ମାଲ୍ ପରିବହନ ସଂଘ ସଭାପତି ନିରଞ୍ଜନ ପ୍ରହରାଜ କହିଲେ ଯେ, ଲକ୍‌ଡାଉନ ସମୟରେ ମାଲ୍ ପରିବହନ କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ଏହା ପ୍ରଭାବିତ ହୋଇଛି। ବହୁ ଡ୍ରାଇଭର ଓ ଅନ୍ୟ କର୍ମଚାରୀ ଘରକୁ ପଳେଇ ଥିବାରୁ ମାଲ୍ ପରିବହନ ସ୍ଵାଭାବିକ ହୋଇପାରିନାହିଁ। କିନ୍ତୁ ଯେଉଁ ଡ୍ରାଇଭର ଓ କର୍ମଚାରୀ କାର୍ଯ୍ୟରତ ଅଛନ୍ତି, ସେମାନଙ୍କୁ ମଧ୍ୟ ଅନ୍ୟ କୋଭିଡ୍ ଯୋଦ୍ଧାଙ୍କ ଭଳି ପ୍ରଶଂସା କରାଯିବା ଆବଶ୍ୟକ।

ଲକ୍‌ଡାଉନ ସମୟରେ ହୋଟେଲ ଶିଳ୍ପ କିଭଳି ପ୍ରଭାବିତ ହୋଇଛି ସେ ସମ୍ପର୍କରେ ପୁରୀର ଯୁବ ହୋଟେଲ ଶିଳ୍ପପତି ଦେବାଶିଷ କୁମାର ବିସ୍ତୃତ ଆଲୋଚନା କରିଥିଲେ। ଗତ ବର୍ଷ ବାତ୍ୟା ବିପର୍ଯ୍ୟୟ ‘ଫନି’ ଯୋଗୁଁ ଗୁରୁତର କ୍ଷତିଗ୍ରସ୍ତ ହୋଇଥିବା ହୋଟେଲ ଶିଳ୍ପ ଧୀରେ ଧୀରେ ସେଥିରୁ ମୁକ୍ତ ହୋଇ ଆସୁଥିବା ବେଳେ କୋଭିଡ-୧୯ର ପ୍ରଭାବ ବେଡ଼ି ଉପରେ କୋରଡ଼ା ସଦୃଶ ହୋଇଛି। କୋଭିଡ ଯୋଗୁଁ ହୋଟେଲ ସବୁଠାରୁ ପ୍ରଥମେ ବନ୍ଦ ହୋଇଯାଇଥିଲା ବେଳେ ସମ୍ଭବତଃ ସବୁଠାରୁ ଶେଷରେ ଖୋଲିବ ବୋଲି ସେ ଆଶଙ୍କା ବ୍ୟକ୍ତ କରିଥିଲେ।

ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ଉପ ସଭାପତି ଅଶୋକ କୁମାର ଶାରଦା କହିଥିଲେ ଯେ, କୋଭିଡ୍ ଯୋଗୁଁ ଶିଳ୍ପ କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଛି। ବିଶେଷ କରି କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ନିୟମିତ ବ୍ୟୟଭାର ବହନ କରିବାକୁ ଏମ୍ଏସ୍ଏମ୍ଇ କ୍ଷେତ୍ର ଅସମର୍ଥ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଭାରତ ସରକାରଙ୍କ ପ୍ୟାକେଜ ଘୋଷଣା ପରେ କିଛିଟା ଆଶ୍ୱସ୍ତି ମିଳିଛି। ଅନ୍ୟ ପକ୍ଷରେ କୋଭିଡ ଦ୍ଵାରା ସୃଷ୍ଟ ପରିସ୍ଥିତିର ସକରାତ୍ମକ ଫାଇଦା ବିଷୟରେ ମଧ୍ୟ ସେ ସୂଚନା ଦେଇଥିଲେ।

ପୂର୍ବତନ ମନ୍ତ୍ରୀ ତଥା ଚିନ୍ତକ ପ୍ରସାଦ ହରିଚନ୍ଦନ କୋଭିଡର ସାମଗ୍ରିକ ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ, କୋଭିଡ ରହିବ ବୋଲି କୁହାଯାଉଛି। ଯଦି କୋଭିଡ ରହିବ, ତେବେ ଲକ୍‌ଡାଉନ ମଧ୍ୟ ରହିବ। ଲକ୍‌ଡାଉନ୍‌ ମଧ୍ୟରେ କେତେ ଅଧିକ ସକ୍ରିୟ ରହି ବିକାଶ ମୂଳକ କାର୍ଯ୍ୟ କରି ପାରିବା, ତାହା ଚିନ୍ତା କରିବାର ଅଛି। ଏବେ ଉତ୍ପାଦନ ପ୍ରଭାବିତ ହୋଇଛି। ରାଜ୍ୟର ବ୍ୟୟ ବଢ଼ିଥିବା ବେଳେ ରାଜସ୍ଵ ହ୍ରାସ ପାଇଛି। ଏଭଳି ସ୍ଥିତିରେ ଠିକଣା ପଦକ୍ଷେପ ନିଆନଗଲେ ଆଗକୁ ଅର୍ଥନୀତି ଗୁରୁତର ଭାବେ କ୍ଷତିଗ୍ରସ୍ତ ହେବ।

କାର୍ଯ୍ୟକ୍ରମର ଶେଷ ଆଲୋଚକ ଜଣାଶୁଣା ରପ୍ତାନି ବିଶେଷଜ୍ଞ ରାଜେନ ପାଢ଼ୀ କହିଥିଲେ ଯେ, କୋଭିଡ୍ ଦ୍ଵାରା ଓଡ଼ିଶାର ରପ୍ତାନି କ୍ଷେତ୍ର ବିଶେଷ ପ୍ରଭାବିତ ହୋଇନାହିଁ। ଲକ୍‌ଡାଉନ୍‌ ସତ୍ତ୍ୱେ ଭାରତରୁ ଚୀନ ସର୍ବାଧିକ ସାମୁଦ୍ରିକ ଖାଦ୍ୟ ଆମଦାନୀ କରିଛି। କୋଭିଡ୍ ମୁକାବିଲା କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶର ଆଦର୍ଶ ହୋଇଥିବା ସେ ମତ ଦେଇଥିଲେ।

ଆଜିର ଓ୍ଵେବିନାରରେ କୋଭିଡ-୧୯ର ପ୍ରଭାବ ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ ଆଗାମୀ ଦିନରେ କୋଭିଡ ପରବର୍ତ୍ତୀ ସମୟରେ ଭବିଷ୍ୟତର କାର୍ଯ୍ୟପନ୍ଥା କ’ଣ ହେବା ଉଚିତ, ସେ ନେଇ ଆଉ ଏକ ଓ୍ଵେବିନାର କରିବାକୁ କାର୍ଯ୍ୟକ୍ରମର ସଞ୍ଚାଳକ ପ୍ରଫେସର ପଣ୍ଡା ପ୍ରସ୍ତାବ ଦେଇଥିଲେ।

LEAVE A REPLY

Please enter your comment!
Please enter your name here