ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ପ୍ରଥମ ଥର ପାଇଁ ଜେଲ୍ ଭିତରେ ଚିହ୍ନଟ ହୋଇଛି କରୋନା। ସୋମବାର ଚିହ୍ନଟ ହୋଇଥିବା ୪୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଆକ୍ରାନ୍ତ ଜେଲ୍ ମଧ୍ୟରୁ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୱେବସାଇଟ ଜରିଆରେ ତଥ୍ୟ ଦିଆଯାଇଛି।
ତେବେ ଜେଲ୍ ମଧ୍ୟରୁ ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତ ଜଣକ କେଉଁ ଅଞ୍ଚଳର ତଥା କେଉଁ ଜେଲରୁ ଚିହ୍ନଟ ହୋଇଛନ୍ତି ସେନେଇ ନିର୍ଦ୍ଦିଷ୍ଟ କୌଣସି ସୂଚନା ମିଳିପାରିନାହିଁ।
ଅନ୍ୟପଟେ ଖୁସିର କଥା ହେଉଛି ଯେ, ୪୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଜେଲ୍ ମଧ୍ୟରୁ ଚିହ୍ନଟ ହୋଇଥିବାବେଳେ ବାକି ୪୭ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ଫଳରେ ଲୋକମାନେ ସଂକ୍ରମଣ ବୃଦ୍ଧି ହେବା ନେଇ ଭୟଭୀତ ହେବାର କାରଣ ନାହିଁ।
ବର୍ତ୍ତମାନ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨୨୦ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ବି ୬୫୨ ଜଣ ସକ୍ରିୟ ଅଛନ୍ତି। ରାଜ୍ୟରେ ଏବେ ସୁଦ୍ଧା କରୋନାରେ ୪ ଜଣ ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟ ବିଭାଗର ସୂଚନା ରହିଛି।














