ଓଡ଼ିଶାଲାଇଭ୍ ବ୍ୟୁରୋ

ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ ବସ ଚଳାଚଳ ନିୟମ କୋହଳ ହେବା ପରେ ଖୁବଶୀଘ୍ର ରାଜ୍ୟରେ ବସ ଗଡ଼ିବ। କେବଳ କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ଅନ୍ୟ ସମସ୍ତ ଜୋନରେ ବସ ଚଳାଚଳ କରିବ। ଏନେଇ ସୋମବାର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି,“କେନ୍ଦ୍ର ସରକାର ପରିବହନ କ୍ଷେତ୍ର ପାଇଁ ଲକଡାଉନ୍ ନିୟମ କୋହଳ କରିଛନ୍ତି। ତେଣୁ ଖୁବଶୀଘ୍ର ରାଜ୍ୟର ବିଭିନ୍ନ ଅଞ୍ଚଳରେ ବସ୍ ସେବା ଆରମ୍ଭ ହେବ। ଅଧାଯାତ୍ରୀ ଓ ଦୁଇ ଗୁଣା ଭଡ଼ାକୁ ନେଇ ବସଗୁଡ଼ିକ ଚଳାଚଳ କରିବ।”

କିଛି ଦିନ ତଳେ ରାଜ୍ୟ ସରକାର କେବଳ ଗ୍ରୀନ୍ ଜୋନ୍ ଏରିଆରେ ବସ ଚଳାଇବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଅଧାଯାତ୍ରୀଙ୍କୁ ନେଇ ବସ ଚଳାଚଳ ସମ୍ଭବପର ନୁହେଁ ବୋଲି କହିଥିଲା ଘରୋଇ ବସ ମାଲିକ ସଂଘ। ଏହାପରେ ବାଧ୍ୟ ହୋଇ ରାଜ୍ୟ ସରକାର ଗ୍ରୀନ ଜୋନରେ କେବଳ ଓଏସ୍ଆରଟିସି ବସ ଚଳାଇବାକୁ ନିଷ୍ପତ୍ତି ନେଇଥିଲେ।

ବର୍ତ୍ତମାନ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଗାଇଡଲାଇନରେ ନିୟମ କୋହଳ ହୋଇଛି। ଗ୍ରୀନ୍ ଜୋନ୍ ସହିତ ଅରେଞ୍ଜ ଓ ରେଡ ଜୋନରେ ମଧ୍ୟ ବସ ଚାଲିପାରିବ ବୋଲି କୁହାଯାଇଛି। କେବଳ କଣ୍ଟେନମେଣ୍ଟ ଜୋନରେ ବସ ଗଡ଼ିପାରିବ ନାହିଁ ବୋଲି କୁହାଯାଇଛି। ତେଣୁ ରାଜ୍ୟରେ ପୁଣିଥରେ ବସ ସେବା ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି।

Comment