ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ୨୭ ତାରିଖରେ ଶୀତଳଷଷ୍ଠୀ ଯାତ୍ରା।

ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଆଜି ସମ୍ପନ୍ନ ହୋଇଛି ପତରପେଣ୍ଡି। ସରକାରଙ୍କ ଲକ୍‌ଡାଉନ୍‌ କଟକଣା ଭିତରେ ଏହି ନୀତି ସମ୍ପନ୍ନ ହୋଇଛି। ଲକ୍‌ଡାଉନ୍‌ ନିୟମରେ ଅଧିକ ଲୋକ ଏକାଠି ହୋଇପାରିବେନି ବୋଲି ନିୟମ ରହିଛି। ଏଣୁ ମାତ୍ର ୧୦ରୁ ୧୫ ଜଣଙ୍କୁ ନେଇ ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି। ନିରାଡମ୍ବର ଭାବେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି।

ଆସନ୍ତା ୨୭ ତାରିଖରେ ଶୀତଳଷଷ୍ଠୀ ଯାତ୍ରା। ଏହି ତିଥିରେ ଶିବ ପାର୍ବତୀଙ୍କର ବାହାଘର ହେବ। ଏଣୁ ଆଜି ପତରପେଣ୍ଡି ଯାତ୍ରାରେ ନିର୍ବନ୍ଧ ସମ୍ପନ୍ନ ହୋଇଛି। ସମ୍ବଲପୁର ନନ୍ଦପଡ଼ାରେ ଥିବା ବାଲୁଙ୍କେଶ୍ୱର ମହାଦେବଙ୍କ ପୀଠରୁ ଏକ ଶୋଭାଯାତ୍ରା ଅଇଁଠାପାଲ୍ଲୀର ସୁଶନ୍ତ ବିଷିଙ୍କ ଘରକୁ ଯିବ। ଏଠାରେ ପତରପେଣ୍ଡି ନୀତି ସମ୍ପନ୍ନ ହେବ। ଏହି ଯାତ୍ରାରେ ସାମାଜିକ ଦୂରତା ବଜାୟ ରଖାଯିବ।

ପତରପେଣ୍ଡି କ’ଣ?

ପ୍ରତିବର୍ଷ ଜ୍ୟେଷ୍ଠ ମାସ ଶୁକ୍ଲ ପକ୍ଷ ପ୍ରତିପଦାରେ ପତରପେଣ୍ଡି ଯାତ୍ରା ହୋଇଥାଏ। ମହାଦେବଙ୍କ ବାହାଘର ପାଇଁ ଏହି ତିଥିରେ ଝିଅ ଖୋଜା ଯାଇଥାଏ ଏବଂ ନିର୍ବନ୍ଧ ନୀତି ସମ୍ପନ୍ନ ହୋଇଥାଏ।

ପୁଅ ଏବଂ ଝିଅ ଯଦି କାହାଘରେ ବିବାହ ଯୋଗ୍ୟ ହୋଇଥାନ୍ତି ସେମାନଙ୍କ ପରିବାର ଲୋକ ତାଙ୍କ ବନ୍ଧୁବାନ୍ଧବଙ୍କୁ ଉପଯୁକ୍ତ କନ୍ୟା କିମ୍ବା ବର ଖୋଜିବାକୁ କହିଥାନ୍ତି। ଠିକ୍‌ ସେହିପରି ମହାଦେବଙ୍କ ପାଇଁ ପାତ୍ରୀ ଖୋଜିବା ଏବଂ ନିର୍ବନ୍ଧ ପରମ୍ପରାକୁ ପତରପେଣ୍ଡି କୁହାଯାଏ।

ଗୋଟିଏ ତମ୍ବା ଥାଳରେ ଶାଳପତ୍ର ରହିବ। ସେଥିରେ ଫୁଲ, ବେଲପତ୍ର ଏବଂ ଚନ୍ଦନ ରହିବ। ଏଥିରେ ଗୋଟିଏ ପାଟ ଢଙ୍କାଯିବ। ବଜା, ଶଙ୍ଖ, ଘଣ୍ଟ ବଜାଇ ପୂଜକମାନେ ଝିଅ ଖୋଜିବା ପାଇଁ ବାହାରିବେ।

କନ୍ୟା ଘରେ ପହଞ୍ଚିବା ପରେ ସେମାନେ ସ୍ୱାଗତ କରିଥାନ୍ତି। ଏହାପରେ ପଶ୍ଚିମ ମୁଖା ହୋଇ କନ୍ୟା ପିତା, ମାତା ଏବଂ ବରର ପିତା, ମାତା ବସିବେ। ଏଠାରେ ଶିବଙ୍କର ଶ୍ଲୋକ ପାଠ କରାଯିବ ଏବଂ ମହାଦେବଙ୍କୁ ଧ୍ୟାନ କରାଯିବ। ଏହାପରେ କନ୍ୟା ପିତା, ମାତା ବର ପକ୍ଷକୁ ପ୍ରଶ୍ନ ପଚାରିବେ। ଏତେ ରାତିରେ ବାଜା, ଶଙ୍ଖ, ଘଣ୍ଟ ବଜାଇ କାହିଁକି ଆସିଛନ୍ତି? ବରପକ୍ଷ ଏହାର ଉତ୍ତରରେ କହିବେ ଯେ, ଆମେ ସମ୍ବଲପୁର ସହର ସାରା ବୁଲିଲୁ। ହେଲେ ମହାଦେବଙ୍କ ପାଇଁ ଉପଯୁକ୍ତ କନ୍ୟା ପାଇଲୁ ନାହିଁ। ଆମେ ରାସ୍ତାରେ ଖବର ପାଇଲୁ ଯେ, ଆପଣଙ୍କ ଘରେ ସୁନ୍ଦର ଅଲିଅଳ କନ୍ୟା ଅଛନ୍ତି। ସେଇ ଝିଅକୁ ଆମେ ଦେବ ଦେବ ମହାଦେବଙ୍କ ପାଇଁ ବୋହୂ କରିବାକୁ ଆସିଛୁ।

ଏହାପରେ କନ୍ୟା ଘର ପକ୍ଷ ଶିବଙ୍କର ଗୁଣ ଗରିମା ବିଷୟରେ ପଚାରିବେ। ବର ପକ୍ଷ ଶିବଙ୍କର ଗୁଣ ଗରିମା ବିଷୟରେ ବୁଝାଇ କହିବେ। ଏହାପରେ ପୁଅ ଘର ଲୋକ ଝିଅର ଗୁଣ ଗରିବା କଥା ପଚାରିବେ। ସେମାନେ କହିବା ପରେ ମହାଦେବଙ୍କୁ ତାଙ୍କ ଝିଅକୁ ବାହା ଦେବେ ବୋଲି କହିବେ। ଏହାପରେ ତମ୍ବା ଥାଳରେ ଯେଉଁ ଶାଳ ପତ୍ର ଯାଇଥିବ ତାହା କନ୍ୟା ପିତା, ମାତାଙ୍କୁ ଅର୍ପଣ କରାଯିବ। ରାତି ସମୟରେ ହିଁ ଏହି ପତରପେଣ୍ଡି ନୀତି ସମ୍ପନ୍ନ ହୋଇଥାଏ।

Comment