ଓଡ଼ିଶାଲାଇଭ୍‌ ବ୍ୟୁରୋ

ବସ୍‌ ଚଳାଚଳ ପାଇଁ କୌଣସି ସମାଧାନର ରାସ୍ତା ବାହାରି ପାରୁନି।

ସରକାରଙ୍କ ନୂଆ ନିୟମ ଅନୁଯାୟୀ ଆଜିଠୁ ଅଟୋ ଗଡ଼ିଛି। ଦୁଇ ଜଣ ଯାତ୍ରୀଙ୍କୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଅଟୋ ଚଳାଚଳ କରିଛି। ବସ୍‌ ଚାଲିବା ପାଇଁ ସରକାର ଅନୁମତି ଦେଇଥିଲେ ମଧ୍ୟ ବସ୍‌ ମାଲିକ ସଂଘ ଏଥିରେ ରାଜି ହୋଇନି। ଫଳରେ ବସ୍‌ ଚଳାଚଳ ଅନିଶ୍ଚିତତାରେ ରହିଛି।

ଘରୋଇ ବସ୍‌ ମାଲିକ ସଂଘର ଦାବି ପ୍ରତି ସରକାର ଅବଗତ ଅଛନ୍ତି ବୋଲି ପରିବହନମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ରୋଡ୍‌ଟାକ୍ସ ଛାଡ଼ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ହେଲେ ବସ୍‌ କର୍ମଚାରୀଙ୍କ ପାଇଁ ପ୍ୟାକେଜ ଘୋଷଣା ଦାବିରେ ସଂଘ ଅଟଳ ରହିଛି। ଫଳରେ ବସ୍‌ ସେବା କେବେଠୁ ଆରମ୍ଭ ତାକୁ ହିଁ ଅପେକ୍ଷା ରହିଛି।

ନିୟମ କୋହଳ କଲେ ସରକାର

ମାର୍ଚ୍ଚ ୨୪ରୁ ସାରା ଦେଶରେ ଲକ୍‌ଡାଉନ୍‌ ନିୟମ ଲାଗୁ ହେବା ପରେ ବସ୍‌ ଚଳାଚଳ ବନ୍ଦ ରହିଥିଲା। ଆନ୍ତଃରାଜ୍ୟ ଏବଂ ଆନ୍ତଃଜିଲ୍ଲା ବସ୍‌ ସେବା ବନ୍ଦ ରହିଥିଲା। ଲକ୍‌ଡାଉନ୍‌ ୩.୦ ବେଳେ ସରକାର କେବଳ ଗ୍ରୀନ ଜୋନରେ ବସ୍‌ ଚଳାଚଳ ପାଇଁ ଅନୁମତି ଦେଇଥିଲେ। ଅଧା ଯାତ୍ରୀଙ୍କୁ ନେଇ ବସ୍‌ ଚଲାଇବାକୁ ସରକାର କହିଥିଲେ। ହେଲେ ସଂଘ ଏଥିରେ ରାଜି ହୋଇ ନଥିଲା। ଫଳରେ ବସ୍‌ ଚଳାଚଳ ହୋଇ ନଥିଲା।

ଏବେ ସାରା ଦେଶରେ ଲକ୍‌ଡାଉନ୍‌ ୪.୦ ବଳବତ୍ତର ରହିଛି। ମେ’ ୩୧ରେ ଏହି ନିୟମ ଶେଷ ହେବ। ଏହାରି ଭିତରେ ରାଜ୍ୟ ସରକାର ବଡ଼ ଘୋଷଣା କରିଥିଲେ। ରାଜ୍ୟରେ ଯାତ୍ରୀବାହୀ ବସ୍‌ ଚଳାଚଳକୁ ଅନୁମତି ଦେଇଥିଲେ। ଏଥିପାଇଁ ନିୟମ ବି ବଦଳାଇଥିଲେ। ଯେତିକି ସିଟ୍‌ ସେତିକି ଯାତ୍ରୀ ଯାଇପାରିବେ ବୋଲି ସରକାର କହିଥିଲେ। କିନ୍ତୁ ଏହାକୁ ମାନିବାକୁ ନାରାଜ ମାଲିକ ସଂଘ।

‘‘ବସ୍‌ଗୁଡ଼ିକ ଏବେ ଚାଲିବା ସ୍ଥିତିରେ ନାହିଁ। କାହାର ବ୍ୟାଟେରୀ ନାହିଁ ତ କାହାର ତାର ମୂଷା କାଟିଦେଇଛି। ଏହାସହ ବିଭିନ୍ନ ବସ୍‌ର ଯନ୍ତ୍ରାଂଶ ମଧ୍ୟ ଚୋରି ହୋଇଯାଇଛି। ଖାଇବା ପିଇବା ମିଳୁ ନଥିବାରୁ କର୍ମଚାରୀମାନେ ଗାଁରେ ଅଛନ୍ତି। ତାଙ୍କୁ ଏବେ ଆଗୁଆ କିଛି ଟଙ୍କା ଦେଲେ ଯାଇ ସେମାନେ ଆସି ବସ୍‌ ଚଲାଇବେ। ପ୍ରଥମେ ତାଙ୍କ ପରିବାର କଥା ସେମାନେ ଦେଖିବେ। ସରକାର ସେମାନଙ୍କ ପାଇଁ କ’ଣ ପ୍ୟାକେଜ ଘୋଷଣା କରିଛନ୍ତି ସେନେଇ ସ୍ପଷ୍ଟୀକରଣ ଦେବା ଦରକାର’’, କହିଛନ୍ତି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ।

‘‘ଏବେ ବହୁ ଯୁବକମାନେ ବ୍ୟବସାୟ କରୁଛନ୍ତି। ସେମାନଙ୍କ ଭବିଷ୍ୟତ ପାଇଁ ସରକାର କ’ଣ ଚିନ୍ତା କରିଛନ୍ତି ତାହା ପ୍ରଥମେ ଜଣାନ୍ତୁ। ତା’ ପରେ ଯାଇ ଆମେ ବସ୍‌ ଚଲାଇବା କଥା ଚିନ୍ତା କରିବୁ’’, କହିଛନ୍ତି ବସ୍‌ ମାଲିକ ସଂଘ କୋଷାଧ୍ୟକ୍ଷ।

ସରକାର କହିଲେ ସହଯୋଗ କରୁ ସଂଘ

ବସ୍‌ ମାଲିକ ସଂଘର ଦାବି ପରେ ପ୍ରତିକ୍ରାୟ ରଖିଲେ ପରିବହନମନ୍ତ୍ରୀ ପଦ୍ମନାଭ ବେହେରା। ସେ କହିଛନ୍ତି ଯେ, ବସ୍‌ ମାଲିକ ସଂଘ ପକ୍ଷରୁ ଯେଉଁ ଦାବି ଉଠା ଯାଇଛି ସେଥିପ୍ରତି ରାଜ୍ୟ ସରକାର ଅବଗତ ଅଛନ୍ତି। ବର୍ତ୍ତମାନ ତ ସେମାନଙ୍କୁ କେହି ଟ୍ୟାକ୍ସ ମାଗୁ ନାହାନ୍ତି। ୩ ମାସ ରୋଡ୍‌ ଟ୍ୟାକ୍ସ ଛାଡ଼ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆଉ ଯାହା ଦାବି ରହିଛି ସେନେଇ ଆଲୋଚନା କରାଯିବ। ମାଲିକ ସଂଘ ସହଯୋଗ କରିବା ଦରକାର।

ବସ୍‌ କର୍ମଚାରୀଙ୍କ ପେଟ କଥା ବୁଝ

ଦୁଇରୁ ଅଢ଼େଇ ମାସ ହେଲା ଘରେ ବସି ରହିଛନ୍ତି ବସ୍‌ କର୍ମଚାରୀ। ଡ୍ରାଇଭର, ହେଲପର, ମ୍ୟାନେଜର, ଟିକେଟ କାଟୁଥିବା ଲୋକ ସମସ୍ତେ ଲକ୍‌ଡାଉନ୍‌ ଯୋଗୁଁ ପ୍ରଭାବିତ ହୋଇଛନ୍ତି। ବସ୍‌ ଚଳାଚଳ କରୁ ନଥିବାରୁ ସେମାନେ ଦରମା ପାଉ ନାହାନ୍ତି। ଏବେ ସେମାନେ ଗାଁରେ ଅଛନ୍ତି। ବସ୍‌ ଚଲେଇବା ପାଇଁ ସେମାନେ ଏବେ ଆଗୁଆ ଟଙ୍କା ମାଗୁଥିବା ମାଲିକ ସଂଘ କହିଛି। ଏଣୁ ସେମାନଙ୍କ ପେଟ କଥା ବୁଝିବା ପାଇଁ ସରକାର ପ୍ୟାକେଜ ଘୋଷଣା କରିବାକୁ ସଂଘ ଦାବି କରିଛି।

ବିନା ଆଲୋଚନାରେ ନିଷ୍ପତ୍ତି

ଘରୋଇ ବସ୍‌ ମାଲିକ ସଂଘ ଆଉ ଏକ ଅଭିଯୋଗ ଆଣିଛି। ବସ୍‌ ଚଳାଇବା ନିଷ୍ପତ୍ତି ସରକାର ଏକ ତରଫା ଭାବେ ନେଇଛନ୍ତି। ସଂଘ ସହିତ ଆଲୋଚନା କରି ନାହାନ୍ତି। ଏଣୁ ସରକାର ସଂଘ ସହ ଆଲୋଚନା କରନ୍ତୁ। ବିନା ଆଲୋଚନାରେ ସରକାର ବସ୍‌ ଚଲାଇବାକୁ ନିଷ୍ପତ୍ତି ନେଇଥିବାରୁ ଏହା ଗ୍ରହଣ ଯୋଗ୍ୟ ନୁହେଁ ବୋଲି ସଂଘ କହିଛି।

ଅଟୋ ଚାଲିଲା, କାଲିଠୁ ସିଟି ବସ୍‌

ଘରୋଇ ବସ୍‌ ମାଲିକ ସଂଘ ବସ୍‌ ଚଳାଉ ନଥିବାରୁ ସରକାର ଆସନ୍ତାକାଲିଠୁ ସିଟି ବସ୍‌ ଭୁବନେଶ୍ୱର, କଟକର ୭ଟି ରୁଟରେ ଚଲାଇବାକୁ ନିଷ୍ପତ୍ତି ନେଇଛନ୍ତି। ସିଟି ବସ୍‌ ରାଜ୍ୟର ସବୁ ଅଞ୍ଚଳକୁ ନଥିବାରୁ ଯାତ୍ରୀ କେମିତି ଯିବା ଆସିବା କରିବେ ତାକୁନେଇ ଚିନ୍ତା ବଢ଼ିଛି। ଘରୋଇ ବସ୍‌ ମାଲିକ ସଂଘ ଏବଂ ସରକାର ଏକ ପ୍ରକାର ମୁହାଁମୁହିଁ ସ୍ଥିତିକୁ ଆସି ଯାଇଛନ୍ତି। ଏହାର ସମାଧାନ କେବେ ହେଉଛି ତାହା ଅପେକ୍ଷା କରି ଦେଖିବାର କଥା।

Comment