ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଡ୍‌ସ ରୋଗୀଙ୍କ ସହ ରହିଲେ କିମ୍ବା ଛୁଇଁଲେ ରୋଗ ବ୍ୟାପେ ନାହିଁ ସମାଜରେ ଏନେଇ ଥିବା ଭ୍ରମ ଦୂର ହେବା ଦରକାର ୟୁନିସେଫ୍ମୀନାଆନିମେସନ୍ ସିରିଜରଗୋଟିଏ ଝିଅର କାହାଣୀଅଧ୍ୟାୟରେ ଏଡସ୍ ସଚେତନତା ନେଇ ସମାଜକୁ ସଠିକ ବାର୍ତ୍ତା ଦିଆଯାଇଛି

ଏଡ୍‌ସ ରୋଗକୁ ନେଇ ଆମ ସମାଜରେ ଅନେକ ଅନ୍ଧବିଶ୍ୱାସ ରହିଛି। ଏଡସ୍ ରୋଗୀଙ୍କୁ ଛୁଇଁଲେ, ସେମାନଙ୍କ ସହ ରହିଲେ ରୋଗ ବ୍ୟାପିଥାଏ ବୋଲି ଅନେକ ଭୁଲ ତଥ୍ୟକୁ ଲୋକେ ବି ବିଶ୍ୱାସ କରନ୍ତି। ଫଳରେ ଗାଁ ଗହଳୀରେ ଏଡ୍‌ସ ରୋଗୀଙ୍କ ପରିବାରକୁ ଏକ ଘରିକିଆ କରାଯାଇଥିବାର ଅନେକ ତଥ୍ୟ ଶୁଣିବାକୁ ମିଳେ। ହେଲେ ଏଭଳି ଭୁଲ ଖବରଠାରୁ ଦୂରେଇ ରହନ୍ତୁ। ୟୁନିସେଫ୍ ‘ମୀନା’ ଆନିମେସନ୍ ସିରିଜର ‘ଗୋଟିଏ ଝିଅର କାହାଣୀ’ ଅଧ୍ୟାୟରେ ଏଡସ୍ ସଚେତନତା ନେଇ ସମାଜକୁ ସଠିକ ବାର୍ତ୍ତା ଦିଆଯାଇଛି।

ଏଡସ୍ ରୋଗୀଙ୍କ ସହ ରହିଲେ କିମ୍ବା ଛୁଇଁଲେ ରୋଗ ବ୍ୟାପେ ନାହିଁ। ସମାଜରେ ଏନେଇ ଥିବା ଭ୍ରମ ଦୂର ହେବା ଦରକାର। ମାତ୍ର ଅଳ୍ପ କେତେକ କାରଣ ଯୋଗୁଁ ଏଡସ୍ ହୋଇଥାଏ। ଏହା ମୁଖ୍ୟତଃ ଅସୁରକ୍ଷିତ ଯୌନ କ୍ରିୟା, ଇଞ୍ଜେକସନ ଛୁଞ୍ଚି, ଗର୍ଭାବସ୍ଥାରେ, ପ୍ରସବ କାଳରେ ଓ ସ୍ତନ୍ୟପାନ ଦ୍ୱାରା ସଂକ୍ରମିତ ହୁଏ। ଏହାକୁ ନେଇ ସମାଜରେ ଥିବା ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ ମୀନା ଏହି ଅଧ୍ୟାୟରେ ବାର୍ତ୍ତା ଦେଇଛି।

ମୀନା – କେମିତି  କାହିଁକି ଆରମ୍ଭ ହୋଇଥିଲା?

ୟୁନିସେଫ ଦ୍ୱାରା ପ୍ରଯୋଜିତ “ମୀନା’ ଏକ ଲୋକପ୍ରିୟ ଆନିମେସନ ସିରିଜ ଯାହା ନବେ ଦଶକରେ ପ୍ରସାରିତ ହୋଇଥିଲା। ଶିଶୁକନ୍ୟାକୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସମାନ ସୁଯୋଗ ପ୍ରଦାନ କରିବା ଲାଗି ସଚେତନତା ସୃଷ୍ଟି କରିବା ଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଟୁନ ସିରିଜର ନାୟିକା ମୀନା, ତା’ର ଭାଇ ରାଜୁ ଓ ଶୁଆ ମିଠୁ ସହିତ ନିଜର ସାହସିକ କାର୍ଯ୍ୟକଳାପ ଜରିଆରେ ସେମାନଙ୍କ ଗାଁ ଓ ବାହାରେ ଥିବା ପିଲାମାନଙ୍କ ଜୀବନ ବିଷୟରେ ଆଲୋଚନା କରିଥାଏ।

ବାସ୍ତବରେ, ମୀନା ଜଣେ ୯ ବର୍ଷୀୟା ସାହସୀ ବାଳିକା ଯିଏକି ଦକ୍ଷିଣ ଏସିଆର ଶିଶୁମାନଙ୍କର ଜୀବନକୁ ପ୍ରତିଫଳିତ କରିଥାଏ। ଶିଶୁମାନଙ୍କ ଜୀବନକୁ ପ୍ରଭାବିତ କରୁଥିବା ପ୍ରମୁଖ ପ୍ରସଙ୍ଗର ଖୁବ ଚତୁର ଭାବେ ମୁକାବିଲା କରିବା ସହିତ ଶିଶୁକନ୍ୟାମାନଙ୍କର ସୁରକ୍ଷା ଏବଂ ଅଧିକାରକୁ ନେଇ ସେ ଲୋକଙ୍କୁ ସଚେତନ କରିଥାଏ। ଏହି ସିରିଜରେ ସ୍ୱଚ୍ଛତା ଓ ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଶିଶୁ ଅଧିକାର ଭଳି ଗୁରୁତ୍ୱପୂର୍ଣ୍ଣ ସାମାଜିକ ପ୍ରସଙ୍ଗ ଉପସ୍ଥାପନ କରାଯିବା ସହିତ ସମାଜର ପ୍ରମୁଖ ଅଂଶୀଦାରମାନଙ୍କ ଧ୍ୟାନ ଆକର୍ଷଣ କରିଯାଇଛି।

୧୯୯୦-୨୦୦୦ ସମୟକୁ ଶିଶୁକନ୍ୟାଙ୍କ ଦଶନ୍ଧି ଭାବେ ପାଳନ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ ଏସିଆରେ ଶିଶୁକନ୍ୟା, ସେମାନଙ୍କ ପରିବାର ଓ ଜନସମୁଦାୟକୁ ସଚେତନ କରିବା ଉଦ୍ଦେଶ୍ୟରେ ୟୁନିସେଫ ପକ୍ଷରୁ ଏକ ଭିଡିଓ ସିରିଜ ପ୍ରସାରଣ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ମୀନା କାର୍ଟୁନ ସିରିଜ ଜରିଆରେ ୟୁନିସେଫ ବେଶ ପ୍ରଭାବୀ ଢଙ୍ଗରେ ଏହି ବିଚାରକୁ ଉପସ୍ଥାପନ କରିଥିଲା।

କାର୍ଟୁନ ଓ ଆନିମେସନ ହେଉଛି ଯୋଗାଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ତେଣୁ ୟୁନିସେଫ ଦ୍ୱାରା ବିଭିନ୍ନ ଭାଷାରେ ପ୍ରସାରିତ ହୋଇଥିବା ମୀନା ଏକ ସଫଳ କାର୍ଯ୍ୟକ୍ରମ ଭାବେ ପ୍ରମାଣିତ ହୋଇଥିଲା। ଭାରତ, ବାଂଲାଦେଶ, ପାକିସ୍ତାନ, ଶ୍ରୀଲଙ୍କା, ନେପାଳ ଓ ଭୂଟାନ ଆଦି ଦକ୍ଷିଣ ଏସିଆର ବିଭିନ୍ନ ଦେଶରେ ଏହା ପ୍ରସାରିତ ହୋଇଥିଲା।

ବାସ୍ତବରେ, ମୀନା ଏକ ଏପରି କାର୍ଯ୍ୟକ୍ରମ ଯାହା ଦର୍ଶକଙ୍କ ନିକଟରେ ଗଣମାଧ୍ୟମର ମୌଳିକ ଉପାଦାନ ଯଥା ସୂଚନା, ଶିକ୍ଷା ଓ ମନୋରଞ୍ଜନ ଆଦିକୁ ଚମତ୍କାର ଭାବେ ପହଞ୍ଚାଇପାରିଛି।

Comment