ଓଡ଼ିଶାଲାଇଭ୍ ବ୍ୟୁରୋ

  • କ୍ରୀଡ଼ା ଜଗତର ଭବିଷ୍ୟତ ଉପରେ ହେବ ଜୋରଦାର୍ ଚର୍ଚ୍ଚା
  • ଭାଗନେବେ ଜଣାଶୁଣା କ୍ରୀଡ଼ାବିତ, କ୍ରୀଡ଼ା ସଙ୍ଗଠକ, ସାମ୍ବାଦିକ ଏବଂ କ୍ରୀଡ଼ା ବିଭାଗର ବରିଷ୍ଠ ଅଧିକାରୀ
  • ଓଡ଼ିଶାଲାଇଭର ୟୁଟ୍ୟୁବ୍ ଏବଂ ଫେସବୁକ୍ ପେଜରେ ସିଧାପ୍ରସାରଣ

କୋଭିଡ୍ ୧୯ ସାରା ଦୁନିଆରେ କ୍ରୀଡ଼ା କ୍ଷେତ୍ରକୁ ଦୋହଲାଇ ଦେଇଛି। ଚାରିଆଡ଼େ ସାମାଜିକ ଦୂରତା ପାଳନ ସହ ଏକାଠି ହେବା ଉପରେ କଟକଣା ରହିଥିବାରୁ ବହୁ ଜାତୀୟ, ଅନ୍ତର୍ଜାତୀୟ କ୍ରୀଡ଼ା କାର୍ଯ୍ୟକ୍ରମ ହୋଇପାରୁନାହିଁ। ତେଣୁ ଏ କ୍ଷେତ୍ରରେ କିଭଳି ଭାବେ ନୂଆ ଜୀବନ ଆସିପାରିବ ସେ ସମ୍ପର୍କରେ ଆଲୋଚନା ପାଇଁ ସିଆଇଆଇ ଆୟୋଜନ  କରିଛି ଏକ ୱେବିନାର୍। ଏହି ଡିଜିଟାଲ୍ କାର୍ଯ୍ୟକ୍ରମ ଓଡ଼ିଶାଲାଇଭର ୟୁଟ୍ୟୁବ୍ ଏବଂ ଫେସବୁକ୍ ପେଜରେ ଆଜି (ଶନିବାର) ଅପରାହଣ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପ୍ରସାରିତ ହେବ।

ଖେଳକୁଦ ଆମ ଜୀବନର ଏକ ବଡ଼ ଅଂଶ। କିନ୍ତୁ ଆଜି କୋଭିଡ୍ ଏଥିରେ ବାଧା ସୃଷ୍ଟି କରିଛି। ନାମୀଦାମୀ ଖେଳାଳିଙ୍କଠାରୁ ଆରମ୍ଭ କରି ଯୁବଗୋଷ୍ଠୀ ଖେଳକୁଦଟାରୁ ଦୂର ରହିବା ଫଳରେ ଏହା ସେମାନଙ୍କ ଉପରେ ଶାରିରୀକ ଓ ମାନସିକ କ୍ଷେତ୍ରରେ ପ୍ରଭାବ ପକାଉଛି। ତା’ଛଡ଼ା ଛୋଟ ବଡ଼ ବହୁ କ୍ରୀଡ଼ା କାର୍ଯ୍ୟକ୍ରମ ବାତିଲ ହେବା କିମ୍ବା ଘଞ୍ଚିଯିବା ଫଳରେ କ୍ରୀଡ଼ା ଜଗତକୁ ଏକ ବଡ଼ ଧକ୍କା ଲାଗିଛି। କୋଭିଡ୍ ଫଳରେ ପ୍ରାୟ ୪୭୧ କୋଟି ଆମେରିକୀୟ ଡଲାରର କ୍ରୀଡ଼ା ଅର୍ଥନୀତି ପ୍ରଭାବିତ ହୋଇଥିବା ବିଶେଷଜ୍ଞମାନେ କହୁଛନ୍ତି।

ତେଣୁ କୋଭିଡ୍ ପରବର୍ତ୍ତୀ ସ୍ଥିତିରେ କ୍ରୀଡ଼ାବିତ, କ୍ରୀଡ଼ା ସଙ୍ଗଠକ, ସରକାର ଏବଂ କ୍ରୀଡ଼ାପ୍ରେମୀଙ୍କ ପାଇଁ ଏହି ଦୁନିଆ ପୁଣିଥରେ କିପରି ଚଳଚଞ୍ଚଳ ହୋଇପାରିବ ତା’ ଉପରେ ସିଆଇଆଇର ଏହି ଭର୍ଚୁଆଲ ପ୍ଲାଟଫର୍ମରେ ଆଲୋଚନା କରାଯିବ। ୬ ଜୁନ୍ ୨୦୨୦, ଶନିବାର ଅପରାହଣ ୪ଟାରୁ ୬ଟା ପର୍ଯ୍ୟନ୍ତ ଚାଲିବ ଏହି ୱେବିନାର୍।

ଜଣାଶୁଣା କ୍ରୀଡ଼ା ଲେଖକ ଓ ସମ୍ଭକାର ଅଜୟ ମେମନ୍ ଏହି କାର୍ଯ୍ୟକ୍ରମର ସଞ୍ଚାଳନ କରିବେ। ସେହପରି ସଂହତି ପାଣି ଏଥିରେ ଉପସ୍ଥାପିକା ରହିଛନ୍ତି। କ୍ରୀଡ଼ା ପ୍ରଶାସକଙ୍କ ସହ ଜଣାଶୁଣା କ୍ରୀଡ଼ାବିତ ଓ ଖେଳ ସାମ୍ବାଦିକ ଏହି ୱେବିନାରରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏହି ୱେବିନାରର ପ୍ରମୁଖ ଆଲୋଚକ ହେଉଛନ୍ତି ଓଡ଼ିଶାର କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ଓ ପର୍ଯ୍ୟଟନ ବିଭାଗ ଶାସନ ସଚିବ ବିଶାଳ କୁମାର ଦେବ, କ୍ରୀଡ଼ା ଓ ଯୁବସେବା ବିଭାଗ ନିର୍ଦ୍ଦେଶକ ଭିନିଲ୍ କ୍ରିଷ୍ଣା, ଆରଡୋର ଫୁଟବଲ୍ ଏକାଡେମୀର ପ୍ରତିଷ୍ଠାତା ଜୟଦେବ ମହାପାତ୍ର, ହେଲଥ୍ ସାଇକୋଲୋଜିଷ୍ଟ୍ ଏବଂ ୱେଲନେସ୍ ବିଶେଷଜ୍ଞ ଡକ୍ଟର ଶିଳ୍ପା ଦେଶାଇ, ଧାବିକା ଦୂତି ଚାନ୍ଦ, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ, ପୂର୍ବତନ ଭାରତୀୟ କ୍ରିକେଟର ମୂରଲୀ କାର୍ତ୍ତିକ, ପୂର୍ବତନ ଭାରତୀୟ କ୍ରିକେଟର ତଥା ବିସିସିଆଇ ଜେନୋରାଲ୍ ମ୍ୟାନେଜର ସବା କରିମ୍ ଭାଗନେବେ।

ଏହି ୱେବିନାରରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ପର୍ଯ୍ୟଟନ ବିଭାଗ ତଥା ସ୍ପୋର୍ଟସକମ୍ ସହଯୋଗୀ ଅଛନ୍ତି। ସେହିପରି ଓଡ଼ିଆ ନ୍ୟୁଜ୍ ପ୍ଲାଟଫର୍ମ ଓଡ଼ିଶାଲାଇଭ୍ ଏହାର ଷ୍ଟ୍ରିମିଙ୍ଗ୍ ପାର୍ଟନର ରହିଛି।

LEAVE A REPLY

Please enter your comment!
Please enter your name here