ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଶିଶୁ ସ୍ୱାସ୍ଥ୍ୟ, ନିରନ୍ତର ଶିକ୍ଷା ଏବଂ ସୁରକ୍ଷା ବିଷୟରେ ଚର୍ଚ୍ଚା
  • କୋଭିଡ୍‌ ଯୋଦ୍ଧାଙ୍କ କାହାଣୀ
  • ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’
  • ଫେସ୍‌ବୁକ୍‌ ଏବଂ ୟୁଟ୍ୟୁବରେ ହୋଇଥିଲା ଏକ ସମୟରେ ପ୍ରସାରଣ

କୋଭିଡ୍‌-୧୯ ଭଳି ବିଶ୍ୱ ମହାମାରୀ ସମୟରେ ପିଲାଙ୍କ ଚିନ୍ତା। ଶିଶୁ ଏବଂ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟ, ନିରନ୍ତର ଶିକ୍ଷା ଏବଂ ସୁରକ୍ଷାକୁ ନେଇ ଓଡ଼ିଶା ସରକାର, ୟୁନିସେଫ୍‌ ଏବଂ ଅନ୍ୟ ଅଂଶୀଦାରମାନେ ଏ ବାବଦରେ କ’ଣ ସବୁ ପଦକ୍ଷେପ ନେଉଛନ୍ତି ତା’ର ଏକ ବ୍ୟାପକ ଚିତ୍ର ଉପସ୍ଥାପନ କରିଛି ‘କେତେ ନୂଆ ବାଟ’। ରବିବାର ସକାଳ ୧୦ଟା୩୦ ମିନିଟରେ ଏହି ରେଡିଓ ଧାରାବାହିକ ଓଡ଼ିଶାରେ ଥିବା ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରସାରିତ ହୋଇଛି।

ଆକାଶବାଣୀ ଛଡ଼ା ସ୍ୱାସ୍ଥ୍ୟ ପ୍ଲସ୍‌ ଏବଂ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍, ଫେସ୍‌ବୁକ୍‌ ଏବଂ ହେଲୋ ଭଳି ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ଏହା ମଧ୍ୟ ଏକ ସମୟରେ ପ୍ରସାରଣ ହେବ।

‘କେତେ ନୂଆ ବାଟ’ର ଦ୍ୱିତୀୟ ଅଧ୍ୟାୟରେ ଯେଉଁ ମାନଙ୍କର ଆଲୋଚନା ଓ ମତାମତ ପ୍ରକାଶ ପାଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ୟୁନିସେଫ୍‌, ଓଡ଼ିଶାର ମୁଖ୍ୟ ମୋନିକା ନେଲସନ୍‌, ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ୟୁନିସେଫ୍‌ ଓଡ଼ିଶାର ଏଜୁକେସନ ସ୍ପେଶାଲିଷ୍ଟ ଲଳିତା ପଟ୍ଟନାୟକ, ଚାଇଲ୍ଡ ପ୍ରୋଟେକ୍ସନ ସ୍ପେଶାଲିଷ୍ଟ ନେହା ନାଇଡୁ, ଓଡ଼ିଶା ଶିଶୁ ସୁରକ୍ଷା ସମିତିର ପ୍ରୋଗ୍ରାମ ମ୍ୟାନେଜର ପ୍ରୀତିକାନ୍ତ ପଣ୍ଡା ଏବଂ ଶିଶୁ ସାହିତ୍ୟିକ ଦାଶ ବେନହୁର। ସେହିପରି ରାୟଗଡ଼ାର ଜଣେ ଶିକ୍ଷକ ଜଗଦ୍ଦୀଶ ଚନ୍ଦ୍ର ଦୋରାଙ୍କୁ ଏହି ଅଧ୍ୟାୟରେ କୋଭିଡ୍‌ ଯୋଦ୍ଧା ଭାବରେ ଉପସ୍ଥାପନ କରାଯାଇଛି।

‘‘କୌଣସି ପ୍ରକାର ବିପର୍ଯ୍ୟୟ ବା ମହାମାରୀ ବେଳେ ପିଲାଙ୍କ ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିଥାଏ। ଏହି ପ୍ରଭାବ ଉଭୟ ଶାରିରୀକ ଓ ମାନସିକ ହୋଇପାରେ। ଅଙ୍ଗନବାଡ଼ି, ସ୍କୁଲ ଓ କଲେଜ ବନ୍ଦ ହୋଇଯିବା, ସାଙ୍ଗ ସାଥୀଙ୍କ ସହିତ ମିଳାମିଶା କରିନପାରିବା, ଘରର ଆର୍ଥିକ ସ୍ଥିତି ଉପରେ ଚାପ ଇତ୍ୟାଦି କାରଣରୁ ସାନ ପିଲାଙ୍କଠାରୁ ଆରମ୍ଭକରି କିଶୋର କିଶୋରୀମାନଙ୍କ ପର୍ଯ୍ୟନ୍ତ ସମସ୍ତେ କିଛି ନା କିଛି ଚାପଗ୍ରସ୍ତ। ସେହିପରି ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସାଙ୍ଗକୁ ଆର୍ଥିକ ସ୍ଥିତି ବିଗିଡ଼ିବା କାରଣରୁ ଅନେକ ପରିବାରରେ ପିଲା ହିଂସାର ଶିକାର ହେବା କିମ୍ବା ଶିଶୁ ଶ୍ରମିକ ଦେଖାଦେବାର ସମ୍ଭାବନା ରହିଛି। ତେଣୁ ଓଡ଼ିଶାରେ ରାଜ୍ୟ ସରକାର ଏବଂ ଅନ୍ୟ ଅଂଶୀଦାରମାନଙ୍କ ସହ ମିଶି ୟୁନିସେଫ୍‌ ପିଲାମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ନେଇ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରି ଆସୁଛନ୍ତି’’, କହିଛନ୍ତି ୟୁନିସେଫ୍‌ ଓଡ଼ିଶାର ମୁଖ୍ୟ ମୋନିକା ନେଲ୍‌ସନ୍‌।

ଲକ୍‌ଡାଉନ୍‌ ସମୟରେ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗ ଆଗରୁ ଅଙ୍ଗନବାଡ଼ିକୁ ଆସୁଥିବା ଶିଶୁମାନଙ୍କ ପାଇଁ ଆରମ୍ଭ କରିଥିଲେ ‘ଘରେ ଘରେ ଅରୁଣିମା’ କାର୍ଯ୍ୟକ୍ରମ। ଏହାର ସଫଳତା ସମ୍ପର୍କରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି ଯେ, ‘‘ଅଙ୍ଗନବାଡ଼ି ବନ୍ଦ ହୋଇଯିବା ଫଳରେ ସାନ ସାନ ପିଲାମାନେ ଘରେ ବାନ୍ଧି ହୋଇ ରହି ଯାଇଥିଲେ। ଏହି ଯୋଜନା ମାଧ୍ୟମରେ ସେମାନଙ୍କ ଘରେ ପୁଷ୍ଟିକର ଆହାର ପହଞ୍ଚାଇବା ସହ ସେମାନଙ୍କ ମାନସିକ ବିକାଶ ପାଇଁ ଆମେ ଚିନ୍ତା କରିଥିଲୁ। ତେଣୁ ଆଗରୁ ଅଙ୍ଗନବାଡ଼ିରେ ଯେଉଁସବୁ କାର୍ଯ୍ୟକ୍ରମ ହେଉଥିଲା ଅଭିଭାବକମାନଙ୍କ ସହାୟତାରେ ଘରେ ସେହି ସବୁ କାର୍ଯ୍ୟକ୍ରମ କରିବାକୁ ୟୁନିସେଫ୍‌ ସହାୟତାରେ ଆମେ ଏକ କ୍ୟାଲେଣ୍ଡର ପ୍ରସ୍ତୁତ କଲୁ। ମୋବାଇଲ ମିଡିଆକୁ ବ୍ୟବହାର କରି ଆମେ ଅଭିଭାବକମାନଙ୍କ ପାଖରେ ପହଞ୍ଚିବା ସହ ପିଲାଙ୍କ ଶିକ୍ଷା, ମନୋରଞ୍ଜନ ଏବଂ ସର୍ଜନାତ୍ମକ ବିକାଶର ଧାରାକୁ ବଜାୟ ରଖିବାରେ ସକ୍ଷମ ହୋଇପାରିଲୁ।’’

ଲକ୍‌ଡାଉନ୍‌ ସମୟରେ ପିଲାମାନଙ୍କୁ କଳାତ୍ମକ ଦିଗରେ ବ୍ୟସ୍ତ ରଖିବାକୁ ଯାଇ ମହିଳା ଓ ଶିଶୁ ବିକାଶ ବିଭାଗ କ୍ରୀଡ଼ା ଓ ଯୁବସେବା ବିଭାଗ ତଥା ୟୁନିସେଫ୍‌ ସହାୟତାରେ ଆରମ୍ଭ କରାଯାଇଥିଲା ‘ମୋ ପ୍ରତିଭା’ ନାଁରେ ଏକ ନୂଆ କାର୍ଯ୍ୟକ୍ରମ। ୫ରୁ ୧୮ ବର୍ଷ ବୟସର ପିଲାମାନେ ଏଥିରେ ଭାଗନେଇ ଗଳ୍ପ, କବିତା ଓ ଚିତ୍ରାଙ୍କନ ମାଧ୍ୟମରେ କୋଭିଡ୍‌-୧୯ ସମୟରେ ସେମାନଙ୍କର ଅଭିବ୍ୟକ୍ତି ପ୍ରକାଶ କରିଛନ୍ତି। ସମ୍ପୂର୍ଣ୍ଣ ଭାବେ ମୋବାଇଲ ମିଡିଆ ମାଧ୍ୟମରେ ପରିଚାଳିତ ମୋ ପ୍ରତିଭା ପ୍ରତିଯୋଗିତାରେ ୧୪ ହଜାରରୁ ଅଧିକ ଲେଖା ଓ ଚିତ୍ର ଆସି ପହଞ୍ଚିଛି ବୋଲି କହିଛନ୍ତି ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ।

‘‘ରାଜ୍ୟର ପ୍ରାୟ ୧୭ ଲକ୍ଷ ଅଙ୍ଗନବାଡ଼ି ପିଲାଙ୍କ ପାଇଁ ଘରେ ଘରେ ଅରୁଣିମା ଏକ ନୂଆ ସମ୍ଭାବନା ହୋଇପାରିଛି। ୟୁନିସେଫ୍‌ ପ୍ରସ୍ତୁତ କରିଥିବା ଏହି କ୍ୟାଲେଣ୍ଡରରେ ଆମେ ବିଭିନ୍ନ ଶିକ୍ଷାତ୍ମକ କାର୍ଯ୍ୟକ୍ରମ ସହିତ ବ୍ୟକ୍ତିଗତ ପରିଚ୍ଛନ୍ନତା ଉପରେ ଜୋର ଦେଇଥିଲୁ। ଖୁସିର ବିଷୟ ହେଉଛି ଯେ, ପିଲାମାନେ ଘରେ ବାପା, ମା’, ଭାଇ ଭଉଣୀ, ଜେଜେ ବାପା, ଜେଜେ ମା’ ଏବଂ ଅନ୍ୟମାନଙ୍କ ସହ ମିଶି ଏକ ନୂଆ ଅନୁଭବ ପାଇଲେ’’, କେତେ ନୂଆ ବାଟ କାର୍ଯ୍ୟକ୍ରମରେ ଭାଗନେଇ କହିଛନ୍ତି ୟୁନିସେଫ୍‌ ଓଡ଼ିଶାର ଏଜୁକେସନ ସ୍ପେଶାଲିଷ୍ଟ ଲଳିତା ପଟ୍ଟନାୟକ।

ଲକ୍‌ଡାଉନ୍‌ ସମୟରେ ସ୍କୁଲ ବନ୍ଦ ହୋଇଯିବା ଫଳରେ ପିଲାଙ୍କର ପାଠପଢ଼ା ଗୁରୁତର ଭାବେ ବ୍ୟାହତ ହୋଇଛି। ତେବେ ମୋବାଇଲ ମିଡିଆ ଏବଂ ହ୍ୱାଟ୍‌ସ୍‌ଆପ୍‌ ଆଦିକୁ ବ୍ୟବହାର କରି ଅନେକ ସ୍ଥାନରେ ଶିକ୍ଷକମାନେ ପିଲାଙ୍କର ଶିକ୍ଷାଦାନ ଧାରାକୁ ଜାରି ରଖିବାକୁ ଚେଷ୍ଟା କରିଛନ୍ତି। ରାୟଗଡ଼ା ସଦର ବ୍ଲକ ଅଧୀନରେ ଥିବା ବୀରନାରାୟଣପୁର ୟୁପି ସ୍କୁଲର ଶିକ୍ଷକ ଜଗଦ୍ଦୀଶ ଚନ୍ଦ୍ର ଦୋରା ତାଙ୍କ ଲକ୍‌ଡାଉନ୍‌ ଅନୁଭୂତି ବର୍ଣ୍ଣନା କରି ଏହି ଅଭିନବ ବାଟ ଦେଖାଇଛନ୍ତି।

କରୋନା ସମୟରେ ପିଲାମାନଙ୍କର ସୁରକ୍ଷା ମଧ୍ୟ ବଡ଼ ପ୍ରଶ୍ନ। ତେଣୁ ଏ ବିଷୟକୁ ନଜରରେ ରଖି ମହିଳା ଓ ଶିଶୁ ବିକାଶ ବିଭାଗ ସହ ମିଶି ୟୁନିସେଫ୍‌ ପକ୍ଷରୁ ପ୍ରସ୍ତୁତ କରାଯାଇଛି ଏକ ‘ସାଇକୋ ସୋସିଆଲ ସପୋର୍ଟ ମଡ୍ୟୁଲ’। ପିଲାମାନଙ୍କୁ କୌଣସି ପ୍ରକାର ହିଂସା ବା ଶୋଷଣରୁ ରକ୍ଷା କରିବା ସହ ସେମାନଙ୍କ ମାନସିକ ଚାପ କମ୍‌ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ। ୟୁନିସେଫ୍‌ର ଚାଇଲ୍ଡ ପ୍ରୋଟେକ୍ସନ ସ୍ପେଶାଲିଷ୍ଟ ନେହା ନାଇଡୁ ଏ ବାବଦରେ ସୂଚନା ଦେଇଛନ୍ତି। ସେହିପରି ପିଲାମାନେ ଯେଭଳି ଏହିସବୁ ସମସ୍ୟାର ସମ୍ମୁଖିନ ହେବେ ନାହିଁ ସେ ବାବଦରେ ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ବାବଦରେ କହିଛନ୍ତି ଓଡ଼ିଶା ଶିଶୁ ସୁରକ୍ଷା ସମିତିର ପ୍ରୋଗ୍ରାମ ମ୍ୟାନେଜର ପ୍ରୀତିକାନ୍ତ ପଣ୍ଡା।

ଶିଶୁ ସାହିତ୍ୟିକ ଦାଶ ବେନହୁର ଏକ ନାନାବାୟା ଗୀତ ମାଧ୍ୟମରେ କରୋନାଠୁ ଦୂରରେ ରହିବାର ବାଟ ବତାଇଛନ୍ତି। ‘ଥୁକୁଲ ଥାକୁଲ ଭାଲୁ’ ଶୀର୍ଷକ ଏହି କବିତାରେ ଲକ୍‌ଡାଉନ୍‌ ସମୟରେ ଘରେ ଥିବା ପିଲାମାନଙ୍କ ମନୋରଞ୍ଜନ ସହିତ ସେ ଦେଇଛନ୍ତି କରୋନା ସଚେତନତାର ବାର୍ତ୍ତା।

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ରେଡିଓ ଧାରାବାହିକ ‘କେତେ ନୂଆ ବାଟ’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

‘କେତେ ନୂଆ ବାଟ’ର ୧୩ଟି ଅଧ୍ୟାୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ନିଆଯାଇଛି। ତା’ ମଧ୍ୟରେ ରହିଛି ଲକ୍‌ଡାଉନ୍‌ ସମୟରେ ପିଲାଙ୍କ ଭଲମନ୍ଦର କଥା, ଶିକ୍ଷା, ସ୍ୱାସ୍ଥ୍ୟ, ଯୁବପିଢ଼ି ଓ ଭେଦଭାବ ଭଳି ସାମାଜିକ ପ୍ରସଙ୍ଗ। ଏହିସବୁ ବିଷୟ ଉପରେ ବିଶେଷଜ୍ଞମାନଙ୍କ ମତ ଉପସ୍ଥାପନ କରାଯାଇ ଏକ ବ୍ୟାପକ ସଚେତନତା ପାଇଁ ଉଦ୍ୟମ କରାଯାଉଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି।

‘କେତେ ନୂଆ ବାଟ’ କାର୍ଯ୍ୟକ୍ରମ ଆକାଶବାଣୀ କଟକ, ସମ୍ବଲପୁର ଏବଂ ଜୟପୁର ଭଳି ମୁଖ୍ୟ ଷ୍ଟେସନ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଅଳ୍ପ କ୍ଷମତା ସମ୍ପନ୍ନ କେନ୍ଦ୍ରରୁ ପ୍ରତି ରବିବାର ସକାଳ ସାଢ଼େ ୧୦ଟାରେ ପ୍ରସାରିତ ହୋଇଥିଲା।

ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ଏହି କାର୍ଯ୍ୟକ୍ରମର ପ୍ରଯୋଜକ ଓ ନିର୍ଦ୍ଦେଶକ ଅଛନ୍ତି। ସେହିପରି ନଳିନୀକାନ୍ତ ବିଶ୍ୱାଳ ଏହାର ଉପସ୍ଥାପନା କରୁଥିବା ବେଳେ ସହ ଉପସ୍ଥାପିକା ଅଛନ୍ତି ସୁଜାତା ପଟ୍ଟନାୟକ।

ମେ’ ୩୧ରୁ ଏହି ଅଡିଓ ସିରିଜର ପ୍ରସାରଣ ଆରମ୍ଭ ହୋଇଛି। ଅଗଷ୍ଟ ୨୩ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ପ୍ରତି ରବିବାର ସକାଳ ୧୦ଟା୩୦ ମିନିଟରେ ପ୍ରସାରିତ ହେବ।

Comment