ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଯୋଦ୍ଧାର ମାନ୍ୟତା ପାଇଥିବା ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ କରୋନା।
ଓଡ଼ିଶା ସରକାରଙ୍କ ଚିନ୍ତା ବଢ଼ାଇଲାଣି କରୋନା। ପ୍ରବାସୀ ଓଡ଼ିଆଙ୍କଠାରୁ ପଜିଟିଭ୍ ଚିହ୍ନଟ ହେବା ପରେ ଏବେ କରୋନା ଯୋଦ୍ଧାଙ୍କୁ କରୋନା ଭାଇରସ୍ ଆକ୍ରାନ୍ତ କରିଛି। ଏହାକୁ ନେଇ ଏବେ ଚିନ୍ତା ବଢ଼ିଛି। ବାହାରୁ ଆସୁଥିବା ଲୋକଙ୍କ ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଉଥିବା ବେଳେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ସୁରକ୍ଷା ପାଇଁ ସରକାର ବ୍ୟବସ୍ଥା ନକରିବାକୁ ନେଇ ପ୍ରଶ୍ନବାଚୀ ଉଠିଛି।
ଡାକ୍ତର, ନର୍ସଙ୍କୁ କରୋନା
କରୋନା ମୁକାବିଲାରେ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଆଗଧାଡ଼ିର ଯୋଦ୍ଧା ଭାବେ ଘୋଷଣା କରିଥିଲେ ରାଜ୍ୟ ସରକାର। ଏମିତି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜ ପରିବାରକୁ ପଛରେ ଛାଡ଼ି କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରିବା ପାଇଁ ଏମାନେ ଆଗେଇ ଆସିଥିବାରୁ ସରକାର ପ୍ରଶଂସା ମଧ୍ୟ କରିଥିଲେ। ହେଲେ ଏବେ ଏହି ଆଗଧାଡ଼ିର ଯୋଦ୍ଧା ଏବେ କରୋନା ଜାଲରେ ପଡୁଛନ୍ତି।
ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲାର ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଆକ୍ରାନ୍ତ ହେବା ପରେ କଟକ ସିଟି ହସ୍ପିଟାଲର ଜଣେ ଡାକ୍ତର କରୋନା କବଳରେ ପଡ଼ିଥିଲେ। ଏହାପରେ ଏମ୍ସର ଜଣେ ଜୁନିୟର ଡାକ୍ତର ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। କଟକ, ଭୁବନେଶ୍ୱର ପରେ ଏବେ ନୟାଗଡ଼ ଏବଂ ବ୍ରହ୍ମପୁରରେ ଡାକ୍ତର ଓ ନର୍ସ କରୋନା ଆକ୍ରାନ୍ତ ହୋଇଛନ୍ତି।
ଗତ ଚାରି ଦିନ ତଳେ ନୟାଗଡ଼ ମୁଖ୍ୟ ଡାକ୍ତରଖାନାର ଜଣେ ଷ୍ଟାଫ ନର୍ସ କରେନା ଆକ୍ରାନ୍ତ ହୋଇଥିଲେ। ସେ କେମିତି ଆକ୍ରାନ୍ତ ହେଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନଥିବା ବେଳେ ଗତ ସୋମବାର ରାତିରେ ଜଣେ ଡାକ୍ତର ଏବଂ ଆଉ ଜଣେ ନର୍ସ କରୋନା କବଳରେ ପଡ଼ିଥିବା ଖବର ଆସିଲା। ସେମାନଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ମେଡିକାଲ ପରିସରକୁ ସାନିଟାଇଜ୍ କରାଯାଇଥିଲା।
ବ୍ରହ୍ମପୁର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ବି କରୋନ ପଶିଛି। ୪ ଜଣ ଡାକ୍ତର ଏବଂ ୮ ଜଣ ନର୍ସ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଜି ସନ୍ଧ୍ୟାରେ ଏମ୍ସର ୪ ଜଣ ସିନିୟର ରେସିଡେଣ୍ଟ ଡାକ୍ତର କରୋନା ଶିକାର ହୋଇଛନ୍ତି। ଜରକ ପରେ ଜଣେ କରୋନା ଯୋଦ୍ଧା ଆକ୍ରାନ୍ତ ହେଉଥିବାରୁ ଏବେ ଏହାକୁ ନେଇ ଚିନ୍ତା ପଡ଼ିଛି।
କୋଭିଡ୍ ହସ୍ପିଟାଲରେ ଯେଉଁ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀମାନେ ସେବା କରୁଛନ୍ତି ସେମାନେ ସୁରକ୍ଷା ବଳୟ ଭିତରେ ରହୁଛନ୍ତି। ପିପିଇ କିଟ୍, ଗ୍ଲୋବ୍ସ ଏବଂ ମାସ୍କ ପରିଧାନ କରି ଏମାନେ ଚିକିତ୍ସା ସେବାରେ ଲାଗିଛନ୍ତି। ତେବେ ଅନ୍ୟ ହସ୍ପିଟାଲରେ ଯେଉଁ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀମାନେ ରୋଗୀସେବା କରୁଛନ୍ତି ସେମାନେ ଏବେ ଅସୁରକ୍ଷିତ ହୋଇ ଯାଇଛନ୍ତି।
ଡାକ୍ତର ଏବଂ ନର୍ସମାନେ ପ୍ରତିଦିନ ଏକାଧିକ ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି। ଏଣୁ ସେମାନେ ସଂକ୍ରମିତ ହେବାର ଅଧିକ ସମ୍ଭାବନା ରହୁଛି। ଏଣୁ କୋଭିଡ୍ ହସ୍ପିଟାଲ ବାହାରେ ଯେଉଁମାନେ ରୋଗୀସେବା କରୁଛନ୍ତି ସେମାନଙ୍କ ସୁରକ୍ଷା ଉପରେ ଅଧିକ ଧ୍ୟାନ ଦେବାର ବେଳ ଆସିଛି। ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ସୁରକ୍ଷା ପାଇଁ ସରକାର ପ୍ରୋଟୋକଲ ବ୍ୟବସ୍ଥା କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।
ଏନଡିଆର୍ଏଫ ଯବାନଙ୍କୁ କରୋନା
ଏନଡିଆର୍ଏଫ୍ ଯବାନ ଏବେ ଅଧିକ ଚିନ୍ତା ବଢ଼ାଇଛନ୍ତି। କଟକ ମୁଣ୍ଡଳି ବାଟାଲିୟନର ୫୦ ଜଣ ଯବାନ କରୋନା ଆକ୍ରାନ୍ତ ହେବା ପରେ ଡର ଆହୁରି ବଢ଼ିଛି। ବାତ୍ୟା ଅମ୍ପର ମୁକାବିଲା ପାଇଁ ମୁଣ୍ଡଳି କ୍ୟାମ୍ପରୁ ୧୬୭ ଜଣ ଏନଡିଆର୍ଏଫ ଯବାନ ପଶ୍ଚିମବଙ୍ଗ ଯାଇଥିଲେ। ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ଏମାନେ ଓଡ଼ିଶା ଫେରିଆସି କ୍ୱାରେଣ୍ଟାଇନରେ ରହିଥିଲେ। ଗତକାଲି ଏମାନଙ୍କ କରୋନା ରିପୋର୍ଟ ଆସିଥିଲା। ୫୦ ଜଣ ଯବାନ କରୋନା ଆକ୍ରାନ୍ତ ହୋଇଥିବା ଏନଡିଆର୍ଏଫ୍ ଡିଜି ସୂଚନା ଦେଇଛନ୍ତି।
ଓଡ୍ରାଫ୍ ଓ ଅଗ୍ନିଶମ କର୍ମଚାରୀଙ୍କୁ ବି କରୋନା
ଏନଡିଆର୍ଏଫ୍ ଯବାନଙ୍କୁ ନେଇ ଚର୍ଚ୍ଚା ନଥମୁଣୁ ଆଜି ଆଉ ଏକ ରିପୋର୍ଟ ଆସିଛି। ବାତ୍ୟା ଅମ୍ପନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିବା ଓଡ଼୍ରାଫ ଏବଂ ଅଗ୍ନିଶମ କର୍ମଚାରୀ ବି କରୋନା ଆକ୍ରାନ୍ତ ହୋଇଛନ୍ତି। ୧୨ ଜଣ ଓଡ୍ରାଫ ଏବଂ ୧୧ ଜଣ ଅଗ୍ନିଶମ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ସରକାରଙ୍କ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି ହୋଇଛି।
ପ୍ରାକୃତିକ ଦୁର୍ବିପାକ ବେଳେ ଏନଡିଆର୍ଏଫ୍, ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀର କର୍ମଚାରୀ ସବୁବେଳେ ଆଗରେ ରହୁଛନ୍ତି। ହେଲେ କରୋନା କବଳରୁ ଏମାନଙ୍କ ସୁରକ୍ଷା ପାଇଁ ସରକାର ଅଧିକ ଯତ୍ନବାନ ହେବା ଦରକାର ବୋଲି ଦାବି ହେଉଛି।
ଚିନ୍ତା ବଢ଼ାଇଲେ ଆକ୍ରାନ୍ତ
ମାର୍ଚ୍ଚ ୧୫ ତାରିଖରେ ମାତ୍ର ଜଣେ ଆକ୍ରାନ୍ତ ଓଡ଼ିଶାରେ ଚିହ୍ନଟ ହୋଇଥିଲେ। ଏହାପରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିଲା। ମାତ୍ର ତିନି ମାସ ଭିତରେ ଓଡ଼ିଶାରେ ୩ ହଜାର ଆକ୍ରାନ୍ତ ଚିହ୍ନଟ ହେବା ସତର୍କଘଣ୍ଟି ବଜାଇଛି। ପ୍ରଥମେ ନିଜାମୁଦ୍ଦିନ ଲିଙ୍କ୍, ପଶ୍ଚିମବଙ୍ଗ ଫେରନ୍ତା, ସୁରତ ଫେରନ୍ତାଙ୍କ ପରେ ବିଭିନ୍ନ ରାଜ୍ୟରୁ ଲକ୍ଷ ଲକ୍ଷ ଶ୍ରମିକ ଓଡ଼ିଶାକୁ ଫେରିଥିଲେ। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଲା। ଆଜିର ରିପୋର୍ଟ ଅନୁସାରେ ୩ ହଜାର ୧୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଯେଉଁଭଳି ହାରରେ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି ଆଗକୁ କ’ଣ ହେବ କହି ହେଉନି। ଏଣୁ ସରକାର ବିଶେଷ ବ୍ୟବସ୍ଥା ଗ୍ରହଣ ନକଲେ ପରିସ୍ଥିତି ଅସମ୍ଭାଳ ହେବାର ସମ୍ଭାବନା ରହିଛି।
ବାହାରୁ ଆସୁଥିବା ଲୋକଙ୍କ ପାଇଁ ସରକାର ପ୍ରତି ପଞ୍ଚାୟତରେ କ୍ୱାରେଣ୍ଟାଇନ ସେଣ୍ଟର ଖୋଲିଛନ୍ତି। ରାଜ୍ୟ ବାହାରୁ ଯିଏ ଆସିଲା ସେ ଏହି ସେଣ୍ଟରରେ ରହିଲା। ହେଲେ ଏବେ ସଙ୍ଗରୋଧ କେନ୍ଦ୍ର ବାହାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବିଶେଷକରି କରୋନା ଯୋଦ୍ଧାର ମାନ୍ୟତା ପାଇଥିବା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ ଏବଂ ସରପଞ୍ଚ ଆକ୍ରାନ୍ତ ହେଉଛନ୍ତି। ଏମାନେ ଆଗଧାଡ଼ିରେ ରହି ଲଢ଼େଇ କରୁଛନ୍ତି। ଏଣୁ ଏମାନଙ୍କ ସୁରକ୍ଷା ପ୍ରତି ସରକାର ଯଦି ଏବେଠୁ ପଦକ୍ଷେପ ନନିଅନ୍ତି ଏବଂ ପ୍ରୋଟୋକଲ ଜାରି ନକରନ୍ତି ତାହାଲେ ଆଗକୁ ପରିସ୍ଥିତି କ’ଣ ହେବ ତାହା କହିବା ମୁସ୍କିଲ।








କରୋନା ଯୋଦ୍ଧାର ମାନ୍ୟତା ପାଇଥିବା ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ କରୋନା।






