ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାନଦୀର ଜଳରାଶିରେ ଦେଖିବାକୁ ମିଳିଛି ଏକ ପ୍ରଚୀନ ମନ୍ଦିରର ଅଗ୍ରଭାଗ। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକର ପଦ୍ମବତୀ ନିକଟ ମହାନଦୀର ବାଲୁଙ୍କେଶ୍ୱର ଘାଟରେ ଏହା ଦେଖିବାକୁ ମିଳିଛି। ଏହା ଗୋପୀନାଥ ମନ୍ଦିର ବୋଲି ସ୍ଥାନୀୟ ଲୋକଙ୍କ ସୂତ୍ରରୁ ଜଣାପଡ଼ିଛି। ତେବେ ଏହା ଏକ ଭଙ୍ଗା ଦେଉଳ ବୋଲି ଲୋକେ କହୁଛନ୍ତି।

ପ୍ରାୟ ୧୮୦୦ରୁ ୧୯୦୦ ମସିହା ପୂର୍ବରୁ ମହାନଦୀ ଗର୍ଭରେ ବୋରେହୀ ନାମକ ଏକ ଗ୍ରାମ ଲୀନ ହୋଇଯାଇଥିବା କୁହାଯାଉଛି। ମହାନଦୀର ବନ୍ୟା ଯୋଗୁଁ କାଳକ୍ରମେ ଏହି ବୋରେହୀ ଗ୍ରାମଟି ବାଲିରେ ପୋତି ହୋଇଯାଇଥିଲା। ପରେ ଏହି ଗ୍ରାମର ଲୋକେ ଉଚ୍ଚ ସ୍ଥାନକୁ ଚାଲିଆସି ବସତି ସ୍ଥାପନ କରିଥିଲେ। ଏହି ବୋରେହୀ ଗ୍ରାମ କାଳକ୍ରମେ ୭ଟି ମୌଜାରେ ପରିଣତ ହୋଇଥିବା ସ୍ଥାନୀୟ ଲୋକଙ୍କଠାରୁ ସୂଚନା ମିଳିଛି।

ବାଲୁଙ୍କେଶ୍ୱର ଘାଟ ନଦୀବନ୍ଧରେ ଛିଡ଼ା ହେଲେ ଏହି ମନ୍ଦିରର ଅଗ୍ରଭାଗ ଦେଖାଯାଉଛି। ଗତ କିଛି ବର୍ଷ ହେଲା ଏହାକୁ ଦେଖିବାକୁ ମିଳିଛି। ହେଲେ ଏହାକୁ ନେଇ କୌଣସି ଐତିହାସିକ ତଥ୍ୟ ନଥିବାରୁ ଗବେଷଣା କରିବାକୁ ଦାବି ହେଉଛି। ଏହା ଉପରେ ଗବେଷଣା କଲେ ଅଧିକ ତଥ୍ୟ ମିଳିପାରିବ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଆଲୋଚନା ହେଉଛି।

Comment