ଓଡ଼ିଶାଲାଇଭ୍‌ ବ୍ୟୁରୋ

୩୦ ଜିଲ୍ଲାରୁ ୧୧ ଜିଲ୍ଲାରେ ୧୦୦ ଡେଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା।

ଦିନ ବଢୁଛି, କରୋନା ବ୍ୟାପୁଛି। ଏମିତି ଚିତ୍ର ଓଡ଼ିଶାରେ ଦେଖିବାକୁ ମିଳିଛି। ପ୍ରତିଦିନ ନୂଆ ନୂଆ ପଜିଟିଭ୍‌ କେସ୍‌ ସାମ୍ନାକୁ ଆସୁଥିବାରୁ ଭୟ ବି ବଢୁଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଆଜିସୁଦ୍ଧା ୩୩୮୬ରେ ପହଞ୍ଚିଥିବା ବେଳେ ଭୁବନେଶ୍ୱର ସମେତ ୧୧ଟି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଛି।

୧୦୦ ଡେଇଁଥିବା ଆକ୍ରାନ୍ତଙ୍କ ଭିତରେ ଗଞ୍ଜାମ, ଯାଜପୁର, ଖୋର୍ଦ୍ଧା, କଟକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, ବଲାଙ୍ଗୀର, ସୁନ୍ଦରଗଡ଼, ପୁରୀ ଜିଲ୍ଲା ରହିଛି। ଯେଉଁ ହାରରେ କରୋନା କାୟା ମେଲାଉଛି ନୟାଗଡ଼ ଏବଂ ମୟୂରଭଞ୍ଜ ଜିଲ୍ଲା ୧୦୦ ଛୁଇଁବାର ସମ୍ଭାବନା ଯଥେଷ୍ଟ ରହିଛି।

୧୦୦ କ୍ଳବରେ ପ୍ରଥମେ ଗଞ୍ଜାମ

ଓଡ଼ିଶାରେ ଖୋର୍ଦ୍ଧା ଜିଲ୍ଲାରେ ପ୍ରଥମେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱରରୁ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ଯେଉଁ ହାରରେ ଭୁବନେଶ୍ୱରରେ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ଖୁବ୍‌ଶୀଘ୍ର ୧୦୦ ଟପିଯିବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଭୁବନେଶ୍ୱରରେ ଆଜି ଆକ୍ରାନ୍ତ ସଂଖ୍ୟା ୧୦୦ ଟପିଥିବା ବେଳେ ଗଞ୍ଜାମ ଜିଲ୍ଲା ଗତ ମେ’ ମାସରୁ ୧୦୦ କ୍ଲବରେ ସାମିଲ ହୋଇଥିଲା।

ଗଞ୍ଜାମ ଜିଲ୍ଲାରେ ବହୁ ପଛରେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ମେ’ ଆରମ୍ଭରୁ ମାତ୍ର ୨ ଜଣ ଚିହ୍ନଟ ହୋଇଥିଲେ। ହେଲେ ଏହି ଜିଲ୍ଲାରେ ଏବେ ୬୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମେ’ ମାସରେ ଏହି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଯାଇଥିବା କୁହାଯାଉଛି। ରାଜ୍ୟ ବାହାରୁ ଶ୍ରମିକମାନେ ଫେରିବା ପରେ ଗଞ୍ଜାମ ଜିଲ୍ଲା ହଟ୍‌ସ୍ପଟକୁ ଚାଲି ଆସିଥିଲା।

ଯାଜପୁର, ଭଦ୍ରକ, ବାଲେଶ୍ୱରରେ ବି ୧୦୦ ଡେଇଁଲା

ଭୁବନେଶ୍ୱର ପରେ ଭଦ୍ରକ ଓ ଯାଜପୁର ଜିଲ୍ଲା କରୋନା ତାଲିକାରେ ଯୋଡ଼ି ହୋଇଥିଲା। ଏହି ଦୁଇ ଜିଲ୍ଲାରେ ମାର୍ଚ୍ଚ ଓ ଏପ୍ରିଲ ମାସରେ ହିଁ ଜଣେ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ବାଲେଶ୍ୱର ଜିଲ୍ଲା ସୁରକ୍ଷିତ ରହି ଯାଇଥିଲା। କିନ୍ତୁ ପଶ୍ଚିମବଙ୍ଗରୁ ଲୋକ ଆସିବା ପରେ ବାଲେଶ୍ଵର ବି ପ୍ରଭାବିତ ହେଲା। ଭଦ୍ରକ, ଯାଜପୁର ଏବଂ ବାଲେଶ୍ୱରରେ ପଶ୍ଚିମବଙ୍ଗ ଏବଂ ଅନ୍ୟ ରାଜ୍ୟରୁ ଲୋକ ଆସିବା ପରେ ଏହି ତିନି ଜିଲ୍ଲାରେ ୧୦୦ ଡେଇଁଥିଲା ଆକ୍ରାନ୍ତଙ୍କ ସଂଖ୍ୟା।

ଏବେ ଭଦ୍ରକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୨ ଥିବା ବେଳେ ଯାଜପୁରରେ ୩୨୬ ଏବଂ ବାଲେଶ୍ୱରରେ ୧୯୭ ଛୁଇଁଛି।

ଲକ୍‌ଡାଉନ୍‌ କୋହଳ ହେବା ପରେ ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଲୋକ ଓଡ଼ିଶାକୁ ଆସିଛନ୍ତି। ଫଳରେ ୩୦ ଜିଲାକୁ କରୋନା ବ୍ୟାପିଛି। କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୬ ଥିବା ବେଳେ ଜଗତସିଂହପୁରରେ ୧୩୦, ବଲାଙ୍ଗୀରରେ ୧୨୪, ସୁନ୍ଦରଗଡ଼ରେ ୧୧୮, ପୁରୀରେ ୧୧୮ ଛୁଇଁଛି।

Comment