ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାର୍ଚ୍ଚ ୧୫ରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଆଜି ଏହି ସଂଖ୍ୟା ୧୦୧ ଛୁଇଁଛି।

ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଛି। ଗତକାଲି ଯାଏଁ ଆକ୍ରାନ୍ତଙ୍କ ସଂଖ୍ୟା ୯୯ ଥିଲା। ଆଜି ଆପୋଲୋ ହସ୍ପିଟାଲର ଜଣେ କର୍ମଚାରୀ ଏବଂ ନୟାପଲ୍ଲୀ ଶ୍ରୀରାମବିହାରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂଖ୍ୟା ୧୦୧ ଛୁଇଁଛି। ୮୬ ଦିନ ଭିତରେ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିବା ଏବେ ଲୋକଙ୍କ ମନରେ ଚିନ୍ତା ବଢ଼ାଇଛି।

ଭୁବନେଶ୍ୱରରେ ପ୍ରଥମେ କରୋନା ରୋଗୀ ଚିହ୍ନଟ ହୋଇଥିଲେ ମଧ୍ୟ ଏହି ମହାନଗର ପରେ ଭଲ ସ୍ଥିତିକୁ ଆସିଥିଲା। କିନ୍ତୁ ଏବେ ଟ୍ରେନ୍‌, ବିମାନ ଏବଂ ବସ୍‌ ଚଳାଚଳ ହେବା ପରେ ପୁଣି ଭୁବନେଶ୍ୱରରେ କରୋନା କାୟା ମେଲାଇଛି। ଯଦିଓ ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ, ହେଲେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଲୋକଙ୍କ ମନରେ ଚିନ୍ତା ବଢ଼ିଛି।

ମାର୍ଚ୍ଚ ୧୫ରେ ପ୍ରଥମ କରୋନା ରୋଗୀ

ମାର୍ଚ୍ଚ ୧୫ ତାରିଖ। ରାଜଧାନୀ ଭୁବନେଶ୍ୱରରେ ପ୍ରଥମେ ପାଦ ଥାପିଥିଲା କରୋନା ଭାଇରସ୍‌। ଇଟାଲିରୁ ଫେରିଥିବା ଜଣେ ଯୁବକଙ୍କଠାରୁ ଏହି ଭାଇରସ୍‌ ଚିହ୍ନଟ ହେବା ପରେ ଚାରିଆଡ଼େ କୋକୁଆ ଭୟ ବଢ଼ିଥିଲା। ସରକାରଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଯାଏଁ ସମସ୍ତେ ସଜାଗ ହେବାକୁ ପ୍ରସ୍ତୁତି ଆରମ୍ଭ କଲେ। ଏହାପରେ ମାର୍ଚ୍ଚ ୧୯ରେ ଦ୍ୱିତୀୟ ଆକ୍ରାନ୍ତ ଭୁବନେଶ୍ୱରରୁ ଚିହ୍ନଟ ହେଲେ। ବ୍ରିଟେନରୁ ଫେରିଥିବା ଜଣେ ଯୁବକଙ୍କଠାରୁ ଏହି ଭୂତାଣୁ ଚିହ୍ନଟ ହୋଇଥିଲା। ମାର୍ଚ୍ଚ ୨୬ରେ ଦିଲ୍ଲୀରୁ ଭୁବନେଶ୍ୱର ଫେରିଥିବା ଜଣେ ଆକ୍ରାନ୍ତ ମଧ୍ୟ କରୋନା କବଳରେ ପଡ଼ିଥିଲେ। ଏହାପରେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଲା।

ସୂର୍ଯ୍ୟନଗର ଆକ୍ରାନ୍ତଙ୍କୁ ନେଇ ଚିନ୍ତା

ଗୋଟିଏପଟେ ରାଜଧାନୀରୁ କରୋନା ଆକ୍ରାନ୍ତଙ୍କ ତାଲିକା ଲମ୍ବୁଥିଲା ଏବଂ ଅନ୍ୟପଟେ ପ୍ରଶାସନର ଚିନ୍ତା ବଢୁଥିଲା। କେମିତି କରୋନାକୁ ନିୟନ୍ତ୍ରଣ କରାଯିବ ତାକୁନେଇ ସରକାର ମାନସମନ୍ଥନ କରୁଥିବା ବେଳେ ଏପ୍ରିଲ ୧ରେ ସୂର୍ଯ୍ୟନଗର ଆକ୍ରାନ୍ତ ଚିନ୍ତା ବଢ଼ାଇଥିଲେ। ପୂର୍ବରୁ ଯେଉଁ ଆକ୍ରାନ୍ତ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିଲେ ସେମାନଙ୍କର ଟ୍ରାଭେଲ ହିଷ୍ଟ୍ରି ରହିଥିଲା। କିଏ ଇଟାଲିରୁ ତ ଆଉ କିଏ ବ୍ରିଟେନ ଏବଂ ଦିଲ୍ଲୀରୁ ଆସିଥିଲେ। ଏଣୁ କରୋନା ଭୂତାଣୁ ବାହାର ରାଜ୍ୟରୁ ଭୁବନେଶ୍ୱରକୁ ଆସିଥିବାରୁ ଗୋଷ୍ଠୀ ସଂକ୍ରମଣର ଭୟ ନଥିଲା। କିନ୍ତୁ ସୂର୍ଯ୍ୟନଗର ଅଞ୍ଚଳରୁ ଜଣେ ବୃଦ୍ଧ ଆକ୍ରାନ୍ତ ହେବା ପରେ ପ୍ରଶାସନକୁ ସଂକ୍ରମଣ ଭୟ ଘାରିଥିଲା।

ସୂର୍ଯ୍ୟନଗର ଆକ୍ରାନ୍ତ ଜଣକ ରାଜ୍ୟ ବାହାରକୁ ଯାଇ ନଥିବାରୁ ପ୍ରଶାସନ ଏହି ଅଞ୍ଚଳକୁ ସିଲ୍‌ କରି କଣ୍ଟାକ୍ଟ ଟ୍ରେସିଂ କରିଥିଲା। ଘର ଘର ବୁଲି ପ୍ରଶାସନ ନମୁନା ସଂଗ୍ରହ କରି ପରୀକ୍ଷା କରିଥିଲା। ଏପ୍ରିଲ ୩ରେ ଯେଉଁ ରିପୋର୍ଟ ଆସିଲା ସେଥିରେ ସରକାରଙ୍କ ନିଦ ହଜି ଯାଇଥିଲା। ଆକ୍ରାନ୍ତଙ୍କ ସ୍ତ୍ରୀ, ଝିଅଙ୍କ ସମେତ ତାଙ୍କ ଘରେ ଥିବା ଭଡାଟିଆଙ୍କ ନମୁନା ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହି ଅଞ୍ଚଳରେ ସଂକ୍ରମଣ ଯେମିତି ନବଢ଼ିବ ସେଥିଲାଗି ସରକାର ବିଶେଷ ପଦକ୍ଷେପ ନେଇଥିଲେ।

ବମିଖାଲ ବି ହୋସ୍‌ ଉଡ଼ାଇଥିଲା

ସୂର୍ଯ୍ୟନଗର ପରେ ବମିଖାଲ ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ବମିଖାଲରୁ ଏପ୍ରିଲ ୩ରେ ୩ ଜଣଙ୍କ ନମୁନା ପଜିଟିଭ୍‌ ଆସିଥିଲା। ଏହି ତିନି ଜଣ ରାଜ୍ୟ ବାହାରୁ ଆସିଥିଲେ। ଏହାପରେ ବମିଖାଲ ବି ସିଲ୍‌ କରିଥିଲା ବିଏମ୍‌ସି। କଣ୍ଟେନମେଣ୍ଟ ଜୋନ୍‌ କରି କଣ୍ଟାକ୍ଟ ଟ୍ରେସିଂ ଚଳାଇଥିଲା ପ୍ରଶାସନ। ଏହି କଣ୍ଟେନମେଣ୍ଟ ଜୋନ୍‌ ଭିତରୁ ବି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଲା। ବମିଖାଲ ଅଞ୍ଚଳର ରେଡ୍‌ ଜୋନ୍‌ରେ ରହିଥିଲା। ଏହି ଅଞ୍ଚଳରୁ ପ୍ରାୟ ୧୫ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ଏହାପରେ ଭୁବନେଶ୍ୱରର କପିଳପ୍ରସାଦ, ସତ୍ୟନଗର, ସହିଦନଗର, ମଧୁସୂଦନ ନଗର ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଭୁବନେଶ୍ୱରର ସ୍ଥିତି ଅଣାୟତ୍ତ ହୋଇଥିବାରୁ ସାରା ରାଜ୍ୟର ନଜର ଏହି ମହାନଗର ଉପରେ ରହିଥିଲା।

ଭୁବନେଶ୍ୱର ସଟ୍‌ଡାଉନ୍‌, କଣ୍ଟାକ୍ଟ ଟ୍ରେସିଂ

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ରାଜ୍ୟ ସରକାର ଭୁବନେଶ୍ୱରକୁ ୪୮ ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା କରିଥିଲେ। ଏପ୍ରିଲ ୩ରୁ ୫ ତାରିଖ ଦୁଇଦିନ ଧରି ସଟ୍‌ଡାଉନ୍‌ ରହିଥିଲା ଭୁବନେଶ୍ୱର। ଲକ୍‌ଡାଉନ୍‌ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହୁଥିଲା ବେଳେ ସଟ୍‌ଡାଉନ୍‌ ବେଳେ ସବୁ ବନ୍ଦ ରହିଥିଲା। ଏପରିକି ଜରୁରୀସେବାରେ ନିୟୋଜିତ ଅଧିକାରୀ ଏବଂ କର୍ମଚାରୀଙ୍କ ସଂଖ୍ୟା ବି କାଣ୍ଟଛାଣ୍ଟ କରାଯାଇଥିଲା। ଏହି ସମୟରେ ପ୍ରଶାସନ ଭୁବନେଶ୍ୱରରେ କଣ୍ଟାକ୍ଟ ଟ୍ରେସିଂ କରିଥିଲା। ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ଏହି ପଦକ୍ଷେପ ନେଇଥିଲେ ସରକାର।

ରାପିଡ୍‌ ଟେଷ୍ଟିଂ

ଭୁବନେଶ୍ୱରକୁ କରୋନାମୁକ୍ତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଥିଲେ। ଭୁବନେଶ୍ୱରକୁ ବିଭିନ୍ନ ଜୋନଗରେ ବିଭକ୍ତ କରି ୬ ଆଇଏଏସ୍‌ ଅଫିସରଙ୍କୁ ଦାୟିତ୍ୱ ଦେଇଥିଲେ। ଏହାପରେ ୫ ହଜାର ଲୋକଙ୍କ ରାପିଡ୍‌ ଟେଷ୍ଟିଂ କରିଥିଲେ ସରକାର। ଯେଉଁ ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ସେହି ଅଞ୍ଚଳରେ ଘର ଘର ବୁଲି ପ୍ରଶାସନିକ ଅଧିକାରୀ ସର୍ଭେ କରିଥିଲେ। କାହା ଘରେ କେତେ ବୟସ୍କ, ଛୋଟ ପିଲା ଅଛନ୍ତି ତାକୁନେଇ ସର୍ଭେ କରାଯାଇଥିଲା। ଏହାପରେ ବିଭିନ୍ନ ସ୍ଥାନରେ କ୍ୟାମ୍ପ କରି ରାପିଡ୍‌ ଟେଷ୍ଟିଂ ଚାଲିଲା।

ସ୍ଥିତି ନିୟନ୍ତ୍ରଣ

ସଟ୍‌ଡାଉନ୍‌, ରାପିଡ୍‌ ଟେଷ୍ଟିଂ ପରେ ଭୁବନେଶ୍ୱରରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିଲା। ପ୍ରାୟ ୧୪ ଦିନ ଧରି କୌଣସି ନୂଆ କେସ୍‌ ସାମ୍ନାକୁ ଆସି ନଥିଲା। ହେଲେ ମେ’ ମାସ ଶେଷ ବେଳକୁ ପୁଣି ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ରାଜ୍ୟ ବାହାରୁ ବିଭିନ୍ନ ଲୋକ ଆସିବା ପରେ ଭୁବନେଶ୍ୱରରୁ ଜଣକ ପରେ ଜଣେ ଆକ୍ରାନ୍ତ ବାହାରିଥିଲେ। ଏହି ସଂଖ୍ୟା ଏବେ ୧୦୦ ଟପିଛି।

Comment