ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଟଡାଉନ୍ ବେଳେ ଜଣେ ଯୁବକ ଘଟାଇଛି ଉନ୍ମତ୍ତ କାଣ୍ଡ। ଆଜି ସକାଳୁ କେନ୍ଦ୍ରାପଡ଼ା ଜିଲ୍ଲା କଟକ-ଚାନ୍ଦବାଲି ରାସ୍ତାରେ ଯାଉଥିବା ମାଲବାହୀ ଗାଡ଼ିଗୁଡ଼ିକୁ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରୁଥିଲେ ଜଣେ ଯୁବକ। ଏହି ଯୁବକର ଏପରି ଆକ୍ରମଣରୁ ୩ଟି ଗାଡି ଖସିଯାଇଥିବା ବେଳେ ଏକ ଚିପ୍ସ ବୋଝେଇ ଟ୍ରକ ଜଳି ଯାଇଛି।

ଶନିବାର ସକାଳେ ସଟ୍‌ଡାଉନ ଯୋଗୁଁ ସମସ୍ତ ଦୋକାନ ବଜାର ବନ୍ଦ ଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଦେମାଳ ଅଞ୍ଚଳରେ ଜଣେ ଯୁବକଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି l କଟକ ଚାନ୍ଦବାଲି ରାସ୍ତାର ଆଳି ବଜାରରେ ଯୁବକ ଜଣକ ପେଟ୍ରୋଲ ଫିଙ୍ଗି ଚିପ୍ସ ବୋଝେଇ ହାଇୱାକୁ ଜାଳି ଦେଇଛି।

ଏଥିସହ ବାଲେଶ୍ୱରରୁ ମାଛ ପାଇଁ ଆସୁଥିବା ଦୁଇଟି ଗାଡିକୁ ମଧ୍ୟ ପେଟ୍ରୋଲ ଫିଙ୍ଗି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲା ବୋଲି ଅଭିଯୋଗ ହୋଇଛି। ତେବେ ଆଉ ଏକ ଆଇରନ ବୋଝେଇ ୧୨ଚକିଆ ଟ୍ରକକୁ ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ସମୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ କାବୁ କରିନେଇଛି। ଏହି ଯୁବକ ଜଣକ କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଲୋକାପଡା ଗାଁର ଶ୍ରୀଧର ପରିଡା ।

ଏହି ଟ୍ରକଟି ଚଣ୍ଡିଖୋଲରୁ ଚିପ୍ସ ବୋଝେଇ କରି ଆଳି ବାଟଦେଇ ରାଜକନିକା ଆସୁଥିଲା। ଗାଡିକୁ ଯୁବକ ଜଣକ ଆଳି ଦୁର୍ଗା ମଣ୍ଡପ ନିକଟରେ ଅଟକାଇ ଫିଲ୍ମ ଷ୍ଟାଇଲରେ ଗାଡି ଉପରକୁ ପେଟ୍ରୋଲ ଭର୍ତ୍ତି ଥିବା ଜରିରେ ନିଆଁ ଲଗାଇ ଫିଙ୍ଗି ଦେଇଥିଲା। ଡ୍ରାଇଭର ସଙ୍ଗେ ସଙ୍ଗେ ଦୌଡ଼ିଯାଇ ଘଟଣା ବିଷୟରେ ଆଳି ଥାନାରେ ଜଣାଇଥିଲେ। ଖବରପାଇ ଆଳି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଗାଡିଟି ସମ୍ପୂର୍ଣ ଜଳିଯାଇଛି।

ସେହିପରି ବଡ଼ବିଲରୁ ଆସୁଥିବା ଏକ ଆଇରନ ବୋଝେଇ ଟ୍ରକକୁ ଆଳି ବାଳକାଟି ନିକଟରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଅଟକାଇ ପେଟ୍ରୋଲ ଫିଙ୍ଗି ଜାଳିବାକୁ ଉଦ୍ୟମ କରିଥିଲା ଏହି ଯୁବକ। ସେହି ସମୟରେ ଆଳି ଥାନା ଏସ୍‌ଆଇ ସୌମ୍ୟରଞ୍ଜନ ପାଣିଗ୍ରାହୀ ଘଟଣା ସ୍ଥଳରେ ପହଞ୍ଚି ସଙ୍ଗେ ସଙ୍ଗେ ଯୁବକଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ଶ୍ରୀଧରକୁ ପୋଲିସ କୋର୍ଟ ଚାଲାଣ କରିଛି।

Comment