ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆଦିଲ୍ଲୀସ୍ଥିତ ଫକିରମୋହନ ଫାଉଣ୍ଡେସନ ତରଫରୁ ଗତ ୧୪ ତାରିଖରେ ‘ପରିବେଶଗତ ଉଦ୍‌ବେଗ, ସାହିତ୍ୟ ଏବଂ ଯୁବ ସମାଜ’ ଶୀର୍ଷକ ଏକ ୱେବିନାର ଆୟୋଜିତ ହେଇଯାଇଛି। ଏହାକୁ ଉଦଘାଟନ କରିଥିଲେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ୍‌। ସାମ୍ପ୍ରତିକ କରୋନା ସ୍ଥିତିରେ ବିଶ୍ଵରେ ଯୁବକମାନଙ୍କର ଭୂମିକା କିଭଳି ହେବା ଉଚିତ ବୋଲି ସେ ଏହି ଅବସରରେ ସୂଚନା ଦେଇଥିଲେ।

‘‘ଯୁବପିଢ଼ି ହେଉଛନ୍ତି ଈଶ୍ୱରଙ୍କ ଅବଦାନ। କରୋନାକୁ ନେଇ ବିଶ୍ୱରେ ଯେଉଁ ସଙ୍କଟମୟ ପରିସ୍ଥିତି ଦେଖାଦେଇଛି ତାହାକୁ ଭାରତୀୟ ଆଧ୍ୟାତ୍ମିକ ଚେତନା ଦ୍ୱାରା ଦୂର କରାଯାଇ ପାରିବ’’, କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ।

ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ତଥା ଫକିରମୋହନ ସେନାପତିଙ୍କ ଅଣନାତୁଣୀ ଡକ୍ଟର ମନିକା ଦାସ ଯୋଗଦେଇ କରୋନା ସଙ୍କଟ ବେଳେ ଯୁବକମାନେ ନିଜର ଦାୟିତ୍ୱ ସମ୍ପନ୍ନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

‘‘ ସମଗ୍ର ବିଶ୍ୱ ଗୋଟିଏ ଗୃହ ସଦୃଶ। ଯେତେବେଳେ ବିଶ୍ୱକୁ କୌଣସି ସଙ୍କଟ ମାଡ଼ି ଆସେ ଏହାର ନିରାକରଣ ପାଇଁ ଯୁବକମାନେ ନିଜର ଦାୟିତ୍ୱ ନିର୍ବାହ କରିବା ଦରକାର’’, କହିଛନ୍ତି ଡକ୍ଟର ମନିକା ଦାସ।

ଜାମିୟା ମିଲିୟା ୟୁନିଭର୍ସିଟିର ରାଜନୀତି ବିଜ୍ଞାନର ପ୍ରଫେସର ବୁଲ୍ ବୁଲ୍ ଧର ଜେମ୍ସ ସାରା ପୃଥିବୀର ପରିବେଶ ପ୍ରଦୂଷିତ ହେବା ଫଳରେ ମଣିଷ ଜୀବନ ଅତିବାହିତ କରିବା କେମିତି ଦୁର୍ବିସହ ହେଇ ପଡୁଛି ସେ ବିଷୟରେ ସୂଚନା ପ୍ରଦାନ କରିଥିଲେ।

‘‘ଯୁବସମାଜ ହେଉଛନ୍ତି ଚଳନ୍ତା ଗାଡ଼ିର କାର୍ବୋରେଟର ସଦୃଶ। ସେମାନଙ୍କ ବିନା କେବଳ ଭାରତ କାହିଁକି ସମଗ୍ର ବିଶ୍ୱ ଅଚଳ ହେଇଯିବ। ଯୁବ ସମାଜ ନିଜର କର୍ତ୍ତବ୍ୟ ଠିକ୍‌ ଭାବେ ନିର୍ବାହ କରିବା ଦରକାର”, ମୁଖ୍ୟବକ୍ତା ଭାବେ ଯୋଗଦେଇ ଏହା କହିଛନ୍ତି ବିଶିଷ୍ଟ ଶିଶୁ ସାହିତ୍ୟିକ ଦାଶ ବେନହୁର।

ସାହିତ୍ୟ ମାଧ୍ୟମରେ ପରିବେଶଗତ ସଙ୍କଟ କିପରି ଦୂର କରାଯାଇପାରିବ ସେ ବିଷୟରେ ମଧ୍ୟ ଦାଶ ବେନହୁର ଆଲୋକପାତ କରିଥିଲେ। ଏହି ନଭୋସମ୍ପାନଟିକୁ ଫାଉଣ୍ଡେସନର ମୁଖ୍ୟ ନିର୍ଦ୍ଦେଶିକା ଡକ୍ଟର ହିରଣ୍ମୟୀ ମିଶ୍ର ପରିଚାଳନା କରିଥିଲେ। ସଚିବ ତଥା ଶାନ୍ତି ନିକେତନର ଅଧ୍ୟାପକ ଡକ୍ଟର ରବୀନ୍ଦ୍ର କୁମାର ଦାସ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ।

ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଅଧ୍ୟାପିକା ଡକ୍ଟର ସଂଘମିତ୍ରା ଭଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ। ୱେବିନାର ମାଧ୍ୟମରେ ତିନି ଘଣ୍ଟା ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶା, ଭାରତ ତଥା ବିଶ୍ୱର ବିଭିନ୍ନ ବିଶ୍ଵବିଦ୍ୟାଳୟ, ମହାବିଦ୍ୟାଳୟର ଗବେଷକ, ଗବେଷିକା, ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ।

Comment