ଓଡ଼ିଶାଲାଇଭ୍ ବ୍ୟୁରୋ

nanduram soren-5

ନିଜ ପରିବାରକୁ ଆଜି ହଠାତ୍ ଏକା କରି ଚାଲିଗଲେ ନନ୍ଦୁରାମ ସୋରେନ୍। ଝୁରୁଛି ଓଡ଼ିଶା ମାଟି, ଝୁରୁଛନ୍ତି ତିନି ଝିଅ, ସାଙ୍ଗରେ ଝୁରୁଛନ୍ତି ପୂରା ମୟୁରଭଞ୍ଜବାସୀ। ଗତ ସୋମବାର ଲଦାଖ ଗଲଓ୍ୱାନ ଘାଟିରେ ହୋଇଥିବା ସଂଘର୍ଷରେ ପ୍ରାଣ ହରାଇଛନ୍ତି ଓଡ଼ିଶା ମୟୁରଭଞ୍ଜର ନନ୍ଦୁରାମ ସୋରେନ।

୪୨ ବର୍ଷିୟ ନନ୍ଦୁରାମ ୧୯୯୭ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ। ବର୍ତ୍ତମାନ ସେ ଲେପ୍ଟନାଣ୍ଟ ସୁବେଦାର ଭାବେ ସେନାରେ କାର୍ଯ୍ୟ କରୁଥିଲେ। ଚାରି ଭାଇଙ୍କ ଭିତରେ ସାନ ଥିଲେ ନନ୍ଦୁରାମ। ବାପା, ମାଆଙ୍କ ଦେହାନ୍ତ ପରେ ପରିବାରର ସେ ଥିଲେ ଏକମାତ୍ର ସାହାରା। ପତ୍ନୀ ଲକ୍ଷ୍ମୀ ସୋରେନ ଏବଂ ତିନି ଝିଅ ବାଣେଶ୍ନରୀ, ମାନସୀ ଓ ସୋନାଲୀଙ୍କୁ ନେଇ ତାଙ୍କ ସୁଖୀ ସଂସାର ଥିଲା। ହେଲେ ଦେଶ ଆଗରେ ସବୁକିଛି ଥିଲା ଫିକା। ଭାରତ ମା’ର ରକ୍ଷା ପାଇଁ ଓଡ଼ିଶାର ପୁଅ ଆଜି ସବୁଦିନ ପାଇଁ ଅମର ହୋଇଗଲା।

nanduram soren-3

 

ଚମ୍ପାରଦା ଗାଁର କାହ୍ନୁ ସୋରେନଙ୍କ ସାନ ପୁଅ ହେଉଛନ୍ତି ନନ୍ଦୁରାମ ସୋରେନ। ତାଙ୍କ ବଡ଼ଭାଇ ଦାମନ ସୋରେନଙ୍କ କହିବା ଅନୁଯାୟୀ ନନ୍ଦୁରାମ ଭାଇମାନଙ୍କୁ ଆର୍ଥିକ ସହାୟତ ମଧ୍ୟ କରୁଥିଲେ। ପତ୍ନୀ ଲକ୍ଷ୍ମୀ ତିନି ଝିଅଙ୍କ ସହ ରାଇରଙ୍ଗପୁର ଟାଉନରେ ରୁହନ୍ତି। ସ୍ଵାମୀଙ୍କ ସହିଦ ଖବର ଶୁଣି ନିଜକୁ ସମ୍ଭାଳି ପାରୁନାହାନ୍ତି ସ୍ତ୍ରୀ ଲକ୍ଷ୍ମୀ। ଏପଟେ ବାପାଙ୍କୁ ଝୁରୁଛନ୍ତି ୩ ଝିଅ।

ସୋରେନଙ୍କ ବନ୍ଧୁ ମହେନ୍ଦ୍ର ନାଥ ମହାନ୍ତ ଦୁଇ ମାସ ତଳେ ନନ୍ଦୁରାମଙ୍କ ସହ କଥା ହୋଇଥିବାର ସୂଚନା ଦେଇଛନ୍ତି। ମହେନ୍ଦ୍ର ଦୀର୍ଘ ଆଠ ବର୍ଷକାଳ ନନ୍ଦୁରାମଙ୍କ ସହ ଗୋଟିଏ ୟୁନିଟରେ କାମ କରୁଥିଲେ। ସେ ଏହି ମାସ ସେନାରୁ ଅବସର ନେଇସାରିଛନ୍ତି।

nanduram soren-2

ସହିଦ ନନ୍ଦୁରାମ ସୋରେନଙ୍କ ପାର୍ଥିବଶରୀର ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ପହଞ୍ଚିବା ପରେ ବିରାଟ ଶୋଭାଯାତ୍ରାରେ ତାଙ୍କୁ ଜନ୍ମମାଟିକୁ ନିଆଯାଇଥିଲା। ବଡ଼ଚମ୍ପାଉଦା ଗାଁରେ ହଜାର ହଜାର ଲୋକ ଉପସ୍ଥିତ ରହିଥିଲେ ଓ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ମଙ୍ଗଳବାର ଗଲଓ୍ଵାନା ଘାଟି ନିକଟରେ ଚୀନ୍‌ ସେନା ଭାରତକୁ ପଶିବାକୁ ଚେଷ୍ଟା କରିଥିଲେ। ଏହାକୁ ଭାରତୀୟ ସେନା ବିରୋଧ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଯାଇଥିଲା। ଏଥିରେ ଭାରତ ପକ୍ଷରୁ ୨୦ ଜଣ ଯବାନ ସହିଦ ହୋଇଥିବା ବେଳେ ଚୀନ୍‌ର ୪୩ ଜଣ ସେନା ପ୍ରାଣ ହରାଇଥିଲେ। ଏଥିରେ ସାମିଲ ଥିଲେ ଓଡ଼ିଶା ମୟୂରଭଞ୍ଜ ଜିଲ୍ଲା ବିଜତଳ ବ୍ଲକ ଚମ୍ପାରଦା ଗାଁର ନନ୍ଦୁରାମ ସୋରେନ ଓ କଳାହାଣ୍ଡି ଜିଲ୍ଲା ରାଇକିଆ ବ୍ଲକର ଚନ୍ଦ୍ରକାନ୍ତ ପ୍ରଧାନ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବହୁ ମନ୍ତ୍ରୀ, ରାଜନେତା ଏବଂ ବୁଦ୍ଧିଜୀବୀ ସହିଦଙ୍କୁ ସମ୍ମାନ ଜଣାଇଥିଲେ।

Comment