ଓଡ଼ିଶାଲାଇଭ୍ ବ୍ୟୁରୋ

ରଥଯାତ୍ରା ଆୟୋଜନ ନେଇ ଏବେ ବି ଆଶା ରଖିଛନ୍ତି ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ବାଡ଼ଗ୍ରାହୀ।

“ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ ହେଉ ବୋଲି ସମସ୍ତେ ଚାହୁଁଛନ୍ତି। ଗଜପତି ମହାରାଜାଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ମହାପ୍ରଭୁଙ୍କ ରଥ ଉପରେ ଦର୍ଶନ କରିବାକୁ ଚାହୁଁଛନ୍ତି। ମହାପ୍ରଭୁ ରଥରେ ବିଜେ କଲେ ସମସ୍ତଙ୍କ ଦୁଃଖ କଷ୍ଟ ଦୂର ହେବା ସହିତ ବିଧି ମଧ୍ୟ ରକ୍ଷା ହୋଇପାରିବ”, କହିଛନ୍ତି ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର।

ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜଗନ୍ନାଥଙ୍କ ରଥଯାତ୍ରାକୁ ବନ୍ଦ କରିବାକୁ ନେଇ ଚକ୍ରାନ୍ତ ହୋଇଥିଲା। ଏବେ ସେହି କଥାକୁ ସମସ୍ତେ ଜାଣିପାରିଛନ୍ତି। ଗତକାଲି ହେବାକୁ ଥିବା ଶୁଣାଣିରେ ସୁପ୍ରିମକୋର୍ଟ ରଥଯାତ୍ରା ପାଇଁ ଅନୁମତି ପ୍ରଦାନ କରିବେ ବୋଲି ସେ ଆଶା ରଖିଛନ୍ତି।

ଏଥିସହିତ ରଥଯାତ୍ରା ହେଲେ ଲୋକମାନେ ପୁରୀକୁ ନଆସି ଟେଲିଭିଜନ ପରଦାରେ ନିଜ ପ୍ରଭୁଙ୍କୁ ଦର୍ଶନ କରିପାରିବେ। ପ୍ରତିଦିନ ଶ୍ରୀମନ୍ଦିରକୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତ ଏବେ କରୋନା କାରଣରୁ ମହାପ୍ରଭୁଙ୍କ ଦର୍ଶନ କରିପାରୁନାହାନ୍ତି। ରଥଯାତ୍ରା ହେଲେ ସମସ୍ତେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ସେ କହିଛନ୍ତି।ଅନ୍ୟପଟେ ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାମ ମହାପାତ୍ର କହିଛନ୍ତି, “ଏବର୍ଷ ରଥଯାତ୍ରାରେ ପୁରୀକୁ ୧୦/୧୨  ଲକ୍ଷ ଲୋକ ଆସିବା ଦରକାର ନାହିଁ। ଚାରିପଟୁ ପୁରୀକୁ ସିଲ୍ କରି ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ ହୋଇପାରିବ।”

ଏଥିସହ ଯଦି ବି କୋର୍ଟଙ୍କ ରାୟ ଦେବାକୁ ଡେରି ହୁଏ ତେବେ ମଙ୍ଗଳବାର କେବଳ ମହାପ୍ରଭୁଙ୍କ ରଥକୁ ଆଣି ରଖାଯାଉ। ଏହାପରେ କୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ରଥଯାତ୍ରା ଆୟୋଜନ କରାଯାଉ ବୋଲି ସେ କହିଛନ୍ତି। ଏହାଦ୍ୱାରା ନିୟମ ଉଲ୍ଲଘଂନ ନହେବା ସହିତ ମହାପ୍ରଭୁଙ୍କ ବିଧି ମଧ୍ୟ ରଖାଯାଇପାରିବ ବୋଲି ବଳଭଦ୍ରଙ୍କ ବାଡ଼ଗ୍ରାହୀ କହିଛନ୍ତି।

 

Comment