ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ଓ ଚୀନ ସୀମାରେରେ ସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି। ସୀମାରେ ଉତ୍ତେଜନାକୁ କମ୍‌ କରିବା ପାଇଁ ଆଜି ଭାରତୀୟ ସେନା ଏବଂ ଚାଇନାର ପିପୁଲ୍ସ ଲିବରେସନ ଆର୍ମି ମଧ୍ୟରେ ଆଲୋଚନା ହେବ। ତେବେ କଥାବାର୍ତ୍ତାର ଏଜେଣ୍ଡା ଏବଂ ସ୍ଥାନ ବିଷୟରେ କୌଣସି ସ୍ପଷ୍ଟ ସୂଚନା ହସ୍ତଗତ ହୋଇନାହିଁ।

ଗଲଓ୍ୱାନ ଘାଟିରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ସୀମାରେ ସ୍ଥିତି ଆହୁରି ଗରମ ରହିଛି। ଦୁଇ ଦେଶର ବହୁ ସଂଖ୍ୟକ ଯବାନ ସୀମାରେ ସଜାଗ ରହିଛନ୍ତି।

ଜୁନ୍ ୧୫ ପରେ ଯଦିଓ ସୀମାରୁ କୌଣସି ସଂଘର୍ଷ ହେବାର ଖବର ନାହିଁ, କିନ୍ତୁ ଉଭୟ ଦେଶ ଭିତରେ ଉତ୍ତେଜନା ଜାରି ରହିଛି। ଏହି ଉତ୍ତେଜନା ଦୂର କରିବାକୁ ସାମରିକ ଅଧିକାରୀଙ୍କ ମଧ୍ୟରେ ନିରନ୍ତର କଥାବାର୍ତ୍ତା ଚାଲିଛି। ମାତ୍ର ଆଲୋଚନାର କୌଣସି ସୁଫଳ ମିଳୁନାହିଁ। କାରଣ ଚୀନ ବାରମ୍ବାର ସୀମା ଉଳ୍ଲଙ୍ଘନ କରୁଛି।

ଗଲଓ୍ୱାନ ଘାଟିରେ ହୋଇଥିବାର ହିଂସାକାଣ୍ଡ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତ ସୀମାରେ କେହି ପ୍ରବେଶ କରିପାରିବେ ନାହିଁ। କେହି ଏମିତି କଲେ ତାଙ୍କୁ ଉଚିତ ଶିକ୍ଷା ଦିଆଯିବ।

Comment