ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ କାୟା ମେଲାଉଛି କରୋନା ଭାଇରସ୍। କ୍ୱାରେଣ୍ଟାଇନ୍ ଅପେକ୍ଷା ବାହାରୁ ଆକ୍ରାନ୍ତଙ୍କ ସଂଖ୍ୟା ଲମ୍ବି ଚାଲିଛି।
ଭୁବନେଶ୍ୱରରେ ପୁଣି ଚିନ୍ତା ବଢ଼ାଇଲା କରୋନା। ପ୍ରତିଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଲୋକଙ୍କ ମନରେ ଭୟ ବଢ଼ିଛି। ସବୁଠୁ ବଡ଼ କଥା ହେଉଛି କ୍ୱାରେଣ୍ଟାଇନ ବାହାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ପ୍ରଶାସନ ପାଇଁ ଚାଲେଞ୍ଜ ବଢ଼ିଛି। ଆଜି ଗୋଟିଏ ଦିନରେ ୨୨ ଜଣ ଆକ୍ରାନ୍ତ ଚିହ୍ନଟ ହେବା ଏବଂ ସେଥିମଧ୍ୟରୁ ୧୯ ଜଣ ଲୋକାଲ କେସ୍ ହୋଇଥିବାରୁ ଲୋକଙ୍କ ମନରୁ ଭୟ କମିବା ବଦଳରେ ବଢ଼ି ଚାଲିଛି।
ଆଜି ୨୨ ଆକ୍ରାନ୍ତ, ୧୯ ଲୋକାଲ
ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ କରୋନା ସାରା ଭୁବନେଶ୍ୱରରେ ଯେମିତି ଆତଙ୍କ ଖେଳାଇଥିଲା ଏବେ ପୁଣି ସେମିତି ଦେଖିବାକୁ ମିଳିଛି। ପ୍ରତିଦିନ ଏକାଧିକ ଆକ୍ରାନ୍ତ ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ଚିହ୍ନଟ ହେଉଛନ୍ତି। ଆଜି ଗୋଟିଏ ଦିନରେ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଏମ୍ସି ସୂଚନା ଦେଇଛି।
ଚିହ୍ନଟ ହୋଇଥିବା ୨୨ ଜଣଙ୍କ ମଧ୍ୟରୁ ୩ ଜଣ ହୋମ୍ କ୍ଵାରେଣ୍ଟାଇନ୍ ଓ ୧୯ ଜଣ ଲୋକାଲ କେସ୍।
୨୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ଜଣ ଘରୋଇ ମେଡିକାଲ କର୍ମଚାରୀ ରହିଛନ୍ତି। ନିଳାଦ୍ରୀ ବିହାରରୁ ୨, ଶୈଳଶ୍ରୀ ବିହାରରୁ ଜଣେ ଲୋକାଲ କେସ୍ ରହିଛନ୍ତି। ସେହିପରି ଚନ୍ଦ୍ରଶେଖରପୁର, ଭିଏସ୍ଏସ୍ ନଗରରୁ ଜଣେ ଲେଖାଏଁ ହୋମ୍ କ୍ଵାରେଣ୍ଟାଇନ୍ ଓ ଜଣେ ରେଲଓ୍ଵେ କର୍ମଚାରୀ ମଧ୍ୟ କ୍ଵାରେଣ୍ଟାଇନ୍ରୁ ଚିହ୍ନଟ ହୋଇଛନ୍ତି।
କୋଭିଡ୍ ନିୟମ ମାନିଲାନି ଘରୋଇ ହସ୍ପିଟାଲ
ଭୁବନେଶ୍ୱର ମଞ୍ଚେଶ୍ୱରରେ ଥିବା ବ୍ଲୁ-ହ୍ୱିଲ୍ ହସ୍ପିଟାଲକୁ ସିଲ୍ କରିଛି ବିଏମ୍ସି କର୍ତ୍ତୃପକ୍ଷ। କୋଭିଡ୍-୧୯ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ବିଏମ୍ସି ଏହି ପଦକ୍ଷେପ ନେଇଛି। ଗତକାଲି ୨୭ ଜଣ କରୋନା ଆକ୍ରାନ୍ତ ଏହି ହସ୍ପିଟାଲରୁ ଚିହ୍ନଟ ହୋଇଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।
ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୨୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୩ ଜଣ ସୁସ୍ଥ ହୋଇଛନ୍ତି। ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୩ ଜଣ ସକ୍ରିୟ ଅଛନ୍ତି।
ମାର୍ଚ୍ଚ ୧୫ରେ ପ୍ରଥମ କରୋନା ରୋଗୀ
ମାର୍ଚ୍ଚ ୧୫ ତାରିଖ। ରାଜଧାନୀ ଭୁବନେଶ୍ୱରରେ ପ୍ରଥମେ ପାଦ ଥାପିଥିଲା କରୋନା ଭାଇରସ୍। ଇଟାଲିରୁ ଫେରିଥିବା ଜଣେ ଯୁବକଙ୍କଠାରୁ ଏହି ଭାଇରସ୍ ଚିହ୍ନଟ ହେବା ପରେ ଚାରିଆଡ଼େ କୋକୁଆ ଭୟ ବଢ଼ିଥିଲା। ସରକାରଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଯାଏଁ ସମସ୍ତେ ସଜାଗ ହେବାକୁ ପ୍ରସ୍ତୁତି ଆରମ୍ଭ କଲେ। ଏହାପରେ ମାର୍ଚ୍ଚ ୧୯ରେ ଦ୍ୱିତୀୟ ଆକ୍ରାନ୍ତ ଭୁବନେଶ୍ୱରରୁ ଚିହ୍ନଟ ହେଲେ। ବ୍ରିଟେନରୁ ଫେରିଥିବା ଜଣେ ଯୁବକଙ୍କଠାରୁ ଏହି ଭୂତାଣୁ ଚିହ୍ନଟ ହୋଇଥିଲା। ମାର୍ଚ୍ଚ ୨୬ରେ ଦିଲ୍ଲୀରୁ ଭୁବନେଶ୍ୱର ଫେରିଥିବା ଜଣେ ଆକ୍ରାନ୍ତ ମଧ୍ୟ କରୋନା କବଳରେ ପଡ଼ିଥିଲେ। ଏହାପରେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଲା।
ସୂର୍ଯ୍ୟନଗର ଆକ୍ରାନ୍ତଙ୍କୁ ନେଇ ଚିନ୍ତା
ଗୋଟିଏପଟେ ରାଜଧାନୀରୁ କରୋନା ଆକ୍ରାନ୍ତଙ୍କ ତାଲିକା ଲମ୍ବୁଥିଲା ଏବଂ ଅନ୍ୟପଟେ ପ୍ରଶାସନର ଚିନ୍ତା ବଢୁଥିଲା। କେମିତି କରୋନାକୁ ନିୟନ୍ତ୍ରଣ କରାଯିବ ତାକୁନେଇ ସରକାର ମାନସମନ୍ଥନ କରୁଥିବା ବେଳେ ଏପ୍ରିଲ ୧ରେ ସୂର୍ଯ୍ୟନଗର ଆକ୍ରାନ୍ତ ଚିନ୍ତା ବଢ଼ାଇଥିଲେ। ପୂର୍ବରୁ ଯେଉଁ ଆକ୍ରାନ୍ତ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିଲେ ସେମାନଙ୍କର ଟ୍ରାଭେଲ ହିଷ୍ଟ୍ରି ରହିଥିଲା। କିଏ ଇଟାଲିରୁ ତ ଆଉ କିଏ ବ୍ରିଟେନ ଏବଂ ଦିଲ୍ଲୀରୁ ଆସିଥିଲେ। ଏଣୁ କରୋନା ଭୂତାଣୁ ବାହାର ରାଜ୍ୟରୁ ଭୁବନେଶ୍ୱରକୁ ଆସିଥିବାରୁ ଗୋଷ୍ଠୀ ସଂକ୍ରମଣର ଭୟ ନଥିଲା। କିନ୍ତୁ ସୂର୍ଯ୍ୟନଗର ଅଞ୍ଚଳରୁ ଜଣେ ବୃଦ୍ଧ ଆକ୍ରାନ୍ତ ହେବା ପରେ ପ୍ରଶାସନକୁ ସଂକ୍ରମଣ ଭୟ ଘାରିଥିଲା।
ସୂର୍ଯ୍ୟନଗର ଆକ୍ରାନ୍ତ ଜଣକ ରାଜ୍ୟ ବାହାରକୁ ଯାଇ ନଥିବାରୁ ପ୍ରଶାସନ ଏହି ଅଞ୍ଚଳକୁ ସିଲ୍ କରି କଣ୍ଟାକ୍ଟ ଟ୍ରେସିଂ କରିଥିଲା। ଘର ଘର ବୁଲି ପ୍ରଶାସନ ନମୁନା ସଂଗ୍ରହ କରି ପରୀକ୍ଷା କରିଥିଲା। ଏପ୍ରିଲ ୩ରେ ଯେଉଁ ରିପୋର୍ଟ ଆସିଲା ସେଥିରେ ସରକାରଙ୍କ ନିଦ ହଜି ଯାଇଥିଲା। ଆକ୍ରାନ୍ତଙ୍କ ସ୍ତ୍ରୀ, ଝିଅଙ୍କ ସମେତ ତାଙ୍କ ଘରେ ଥିବା ଭଡାଟିଆଙ୍କ ନମୁନା ରିପୋର୍ଟ ପଜିଟିଭ୍ ଆସିଥିଲା। ଏହି ଅଞ୍ଚଳରେ ସଂକ୍ରମଣ ଯେମିତି ନବଢ଼ିବ ସେଥିଲାଗି ସରକାର ବିଶେଷ ପଦକ୍ଷେପ ନେଇଥିଲେ।
ବମିଖାଲ ବି ହୋସ୍ ଉଡ଼ାଇଥିଲା
ସୂର୍ଯ୍ୟନଗର ପରେ ବମିଖାଲ ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ବମିଖାଲରୁ ଏପ୍ରିଲ ୩ରେ ୩ ଜଣଙ୍କ ନମୁନା ପଜିଟିଭ୍ ଆସିଥିଲା। ଏହି ତିନି ଜଣ ରାଜ୍ୟ ବାହାରୁ ଆସିଥିଲେ। ଏହାପରେ ବମିଖାଲ ବି ସିଲ୍ କରିଥିଲା ବିଏମ୍ସି। କଣ୍ଟେନମେଣ୍ଟ ଜୋନ୍ କରି କଣ୍ଟାକ୍ଟ ଟ୍ରେସିଂ ଚଳାଇଥିଲା ପ୍ରଶାସନ। ଏହି କଣ୍ଟେନମେଣ୍ଟ ଜୋନ୍ ଭିତରୁ ବି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଲା। ବମିଖାଲ ଅଞ୍ଚଳର ରେଡ୍ ଜୋନ୍ରେ ରହିଥିଲା। ଏହି ଅଞ୍ଚଳରୁ ପ୍ରାୟ ୧୫ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
ଏହାପରେ ଭୁବନେଶ୍ୱରର କପିଳପ୍ରସାଦ, ସତ୍ୟନଗର, ସହିଦନଗର, ମଧୁସୂଦନ ନଗର ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଭୁବନେଶ୍ୱରର ସ୍ଥିତି ଅଣାୟତ୍ତ ହୋଇଥିବାରୁ ସାରା ରାଜ୍ୟର ନଜର ଏହି ମହାନଗର ଉପରେ ରହିଥିଲା।
ଭୁବନେଶ୍ୱର ସଟ୍ଡାଉନ୍, କଣ୍ଟାକ୍ଟ ଟ୍ରେସିଂ
କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ରାଜ୍ୟ ସରକାର ଭୁବନେଶ୍ୱରକୁ ୪୮ ଘଣ୍ଟିଆ ସଟ୍ଡାଉନ୍ ଘୋଷଣା କରିଥିଲେ। ଏପ୍ରିଲ ୩ରୁ ୫ ତାରିଖ ଦୁଇଦିନ ଧରି ସଟ୍ଡାଉନ୍ ରହିଥିଲା ଭୁବନେଶ୍ୱର। ଲକ୍ଡାଉନ୍ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହୁଥିଲା ବେଳେ ସଟ୍ଡାଉନ୍ ବେଳେ ସବୁ ବନ୍ଦ ରହିଥିଲା। ଏପରିକି ଜରୁରୀସେବାରେ ନିୟୋଜିତ ଅଧିକାରୀ ଏବଂ କର୍ମଚାରୀଙ୍କ ସଂଖ୍ୟା ବି କାଣ୍ଟଛାଣ୍ଟ କରାଯାଇଥିଲା। ଏହି ସମୟରେ ପ୍ରଶାସନ ଭୁବନେଶ୍ୱରରେ କଣ୍ଟାକ୍ଟ ଟ୍ରେସିଂ କରିଥିଲା। ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ଏହି ପଦକ୍ଷେପ ନେଇଥିଲେ ସରକାର।
ରାପିଡ୍ ଟେଷ୍ଟିଂ
ଭୁବନେଶ୍ୱରକୁ କରୋନାମୁକ୍ତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଥିଲେ। ଭୁବନେଶ୍ୱରକୁ ବିଭିନ୍ନ ଜୋନଗରେ ବିଭକ୍ତ କରି ୬ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ୱ ଦେଇଥିଲେ। ଏହାପରେ ୫ ହଜାର ଲୋକଙ୍କ ରାପିଡ୍ ଟେଷ୍ଟିଂ କରିଥିଲେ ସରକାର। ଯେଉଁ ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ସେହି ଅଞ୍ଚଳରେ ଘର ଘର ବୁଲି ପ୍ରଶାସନିକ ଅଧିକାରୀ ସର୍ଭେ କରିଥିଲେ। କାହା ଘରେ କେତେ ବୟସ୍କ, ଛୋଟ ପିଲା ଅଛନ୍ତି ତାକୁନେଇ ସର୍ଭେ କରାଯାଇଥିଲା। ଏହାପରେ ବିଭିନ୍ନ ସ୍ଥାନରେ କ୍ୟାମ୍ପ କରି ରାପିଡ୍ ଟେଷ୍ଟିଂ ଚାଲିଲା।








ଭୁବନେଶ୍ୱରରେ କାୟା ମେଲାଉଛି କରୋନା ଭାଇରସ୍। କ୍ୱାରେଣ୍ଟାଇନ୍ ଅପେକ୍ଷା ବାହାରୁ ଆକ୍ରାନ୍ତଙ୍କ ସଂଖ୍ୟା ଲମ୍ବି ଚାଲିଛି।






